ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ଛାଡି ଯାଇଛି ମେଘ ,
ଅନ୍ଧାର କୁ ଆଡେଇ ହେଇ
ଦିଶିଲେଣି କେଇ ଗୋଟି ତାରା,
ଆଲୁଅ କହିଲେ
ଭିଜା ଦେହରେ ଶୁଖିଲା ଦିଶୁଥିବା
ଫାଳେ ମିଛେଇ ଜହ୍ନ ..!
ଜଳେଇ ପାରିନି ସତ
ଲିଭେଇ ଦେଇ ଯାଇଛି
ମାଟି ଠୁ କେଉଁ ଏକ ଆକାଶକୁ
ସ୍ପଷ୍ଟ ଦିଶୁଥିବା ହଳେ ପାଦ ଚିହ୍ନ…|

ଜାଳି ହୁଅନ୍ତା ପାପ ଯଦି
ଦେହକୁ ବାଦ ଦେଇ,
ଫେରେଇ ଆଣନ୍ତି ଅଖଣ୍ଡ ଶରୀର…!
ଜଳିଗଲେ ଜଳିଯାଉ
ଦେହ ଜଳିଲେ ପାପରୁ ମୁକ୍ତି
ଖାଲି ଯାହା
ମୋକ୍ଷ ପାଇଁ ମୋହ ନାହିଁ …।

ଲୋଡିଲେ ଆଉ ଏକ ଜନ୍ମ
ଭାଗିଦାରିରେ ଭୋଗିବ ପାପ
ଆଦି ଅନ୍ତ ନଥିବା ସେ ଆତ୍ମା
କାହୁଁ ଲୋଡିବ ସେ ପୁଣ୍ୟ ,
ଭାଗେ ହେବ ଜୀବନ
ଆର ଭାଗ ମୃତ୍ୟୁ ପାଇଁ ଅନଶନ…।

ତୁମେ ଆସି ପୁଣି ଫେରି ପାର ବୋଲି
ଫୁଟି ମଉଳି ପାରେ କାଶତଣ୍ଡୀ…!
ଆସି ପୁଣି ଫେରି ପାରେ ଋତୁ,
ରାତି ଅନ୍ଧକାରେ
ବାସି ଉଠେ ମହମହ ଅଗୁରୁ,
ପୁଣି ତୁମ ମେଲାଣିରେ
ତୁମେ ଫେରିଯାଅ ବୋଲି
କେହି ଜଣେ ଫେରି ପାରେନି ତୁମଠୁ…|

ଲୋଡା ନାହିଁ ଋତୁଟିଏ ପାର୍ବଣର
ତୁମେ ଦେବୀ ହେଇ ରହିଥାଅ ଚିରକାଳ ..!
ତୁମେ ମାଆ ହୁଅ କି ଈଶ୍ୱରୀ
ତୁମେ ଗଲା ପରେ
ଦେବୀଶୂନ୍ୟ ଏ ପୃଥିବୀ…|

1 thought on “ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ”

Leave a Comment

Your email address will not be published. Required fields are marked *