ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ତୁମ କ୍ଷଣିକ ନଜରରେ ହିଁ ମୋ ଜୀବନର ସାର୍ଥକତା।
ମୁଁ ଆସିନାହିଁ ମଣ୍ଡପକୁ ଦେଖିବାକୁ
ତୁମ ରୂପର ଦିବ୍ୟତା କି ସାଜସଜ୍ଜାର ଭବ୍ୟତା
ବାସ୍ ଚୋରେଇବାକୁ ଆସିଛି
ମୋ ପ୍ରତି କ୍ଷଣଟିଏ କୃପାସିକ୍ତ ଦୃଷ୍ଟିପାତ ମାତ୍ର।

ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ
ଚଣ୍ଡୀପାଠର ଶ୍ରବଣରେ ସ୍ଥିର ହୁଏ ଭ୍ରମିତ ବିଶ୍ୱାସ
ତୁମ ଆଗେ ଛିଡ଼ା ହେଲେ
ଭୁଲିଯାଏ ଯେତେ ସବୁ ସାଇତା ଆଶା ଅଭିଳାଷ।
କେଜାଣି କି ଆକର୍ଷଣେ ବାନ୍ଧିନିଅ ମୋତେ
କିଭଳି ଯେ ସମ୍ମୋହନେ ଛନ୍ଦିଦିଅ ମୋତେ
ମାଆ !
ତୁମେ ହିଁ ରଚିଥାଅ ଜୀବନରେ ମାୟା
ତୁମେ ପୁଣି ତିମିରରେ ଖୋଲି ଦିଅ ରାହା
ତୁମେ ଥାଅ ଥକା ମନେ ସଦା ସାଜି ନିବିଡ଼ ଆଶ୍ୱାସ।

ନା ମୁଁ ଜାଣେ ମନ୍ତ୍ର ତନ୍ତ୍ର ପୂଜା ଆବାହନ
ନା ମୋ ଅଛି ଭକ୍ତି ଶକ୍ତି ନା ଜାଣେ ବନ୍ଦନ
ତୁମ ଆଗେ ଯୋଡ଼ ହସ୍ତେ ଛିଡା ହୋଇ
ତୁମ ମୁଖ ନିରେଖିବା ଏତିକି ଜାଣିଛି
ଆଖିରୁ ତୁମର ଯେଉଁ ଅଦେଖା କରୁଣା
ସେ କରୁଣାରେ ମଗ୍ନ ହୋଇ ଭିଜିବା ଶିଖିଛି
ଅର୍ପିବାକୁ ନାହିଁ କିଛି ବୋଲି
ସମ୍ପିଦେବି ଗୋଟାପଣେ ସର୍ବସ୍ବ ନିଜକୁ
ତୁମେ ଅଛ ବୋଲି ତ ମୁଁ ଏଠି ଅଛି
ଏତିକି ବୁଝିଛି।

ତୁମେ ହିଁ ମୋ ପାର୍ବଣ
ତୁମେ ମୋର ପରାଣ ଆଶିଷ
ତୁମର ସେଇ ନଜର ଟିକକ ଠାରୁ
ମୋର ଏଣୁତେଣୁ ଲୋଡ଼ି ବସିବା ଯାହା ତୁଛା ପରିହାସ।

ଆସ ମା ଆସ
ବିଞ୍ଚିଦିଅ ଦୃଷ୍ଟି ତୁମ
ଢଳ ଢଳ ହେଉଥିବା ଆଶାୟୀ ଆଖିର ଭିଜା ପଟଳରେ
ବ୍ୟଗ୍ର ଯେତେ କାମନା ସମୂହ
ରେଣୁ ସାଜି ତରି ଯାଆନ୍ତୁ ଲାଖି ତୁମ ପଦ ଯୁଗଳରେ।

ଯନ୍ତ୍ର ହୋଇ ଚାଲୁଥିବି
ତୁମ ହାତେ ଥିବ ନିୟନ୍ତ୍ରଣ।
ଭଙ୍ଗା ଶବ୍ଦ ମାନଙ୍କୁ ଯୋଡ଼ି
ସାଇତା ଆବେଗ ସବୁ ନିଗାଡ଼ି ନିଗାଡ଼ି
ତୁମ ପାଇଁ ଲେଖି ଗାଉଥିବି ଅବୁଝା ଜଣାଣ।

Leave a Comment

Your email address will not be published. Required fields are marked *