ଦେବୀ ଗଲା ପରେ
ଏବେ ଖାଲି ମେଞ୍ଚା ମେଞ୍ଚା ନିଷ୍ପ୍ରାଣ ଶୂନ୍ୟତା
ଚିକମିକ ହେଉଥିବା ସହରର ରାତି ସବୁ
ଯେମିତି ହରାଇ ବସିଛନ୍ତି ନିଜ ସାଇତା ଐଶ୍ୱର୍ଯ୍ୟ
ଓ ଖିଲି ଖିଲି ହସି ଉଠୁଥିବା ପ୍ରଗଳ୍ଭତା।
ଦେବୀଗଡାରେ ଇତସ୍ତତଃ ପଡ଼ିଥିବା
ଛଡାଫୁଲ ସବୁ ଖୋଜୁଛନ୍ତି ଭାସି ଯାଇଥିବା
ନିବିଡ଼ ଅଶ୍ଳେଷ
ମାଟିର ଦେବୀ ପ୍ରତିମା ପୁନଃଶ୍ଚ ମାଟିମଗ୍ନା
ଖାଁ ଖାଁ ମଣ୍ଡପରୁ ତୋରଣ ପର୍ଯ୍ୟନ୍ତ।
ହ୍ୱାଟ୍ସ ଅପ୍ ର ଷ୍ଟାଟସ୍ ରେ ଆଉ
ଦିଶୁନାହିଁ ତୋରଣ ଓ ଦେବୀଙ୍କ ସହ
ମାଳ ମାଳ ସେଲ୍ଫିର ଭିଡ଼
ଇଁଷ୍ଟାଗ୍ରାମ୍ ରେ ଏବେ ରିଲ୍ ର ଅଭାବ
ମୋବାଇଲ୍ ରେ ଭର୍ତ୍ତି ହୋଇଥିବା ଫଟୋ
ଓ ଦଶହରାର ଶୁଭେଚ୍ଛା ବାର୍ତ୍ତାର ଛବି
ଏବେ କଟା ଚାଲିଛି ଯାହା ସବୁ ପସନ୍ଦ ଆସୁନି
ଖାଲି କରିବାକୁ ମୋବାଇଲ୍ ର ମେମୋରି।
କବିତାର ଶବ୍ଦ ସବୁ ହଠାତ୍ ନିରବି ଗଲେ
ଦେବୀ ଗଲା ପରେ
ଘୋଷା ହୋଇଥିବା କିଛି ସ୍ତୋତ୍ର ଓ ମନ୍ତ୍ର ସବୁ
ଏବେ ପାଶୋର ଯିବାକୁ ପ୍ରସ୍ତୁତ
ପାର୍ବଣର ନବୀନ ଆହ୍ଲାଦ
ଏବେ ଲିଭିବାକୁ ହେଲେଣି ଉଦ୍ୟତ।
ମଣ୍ଡପ ଛାଡ଼ି ଦେବୀ ଏବେ ଆଗଭଳି
ଅସୁର ଦ୍ଵାରା ନିର୍ଯାତିତା
ସ୍ବପ୍ନ ଭୁଲି ବୃଦ୍ଧାଶ୍ରମରେ ମୃତ୍ୟୁକୁ କରନ୍ତି ପ୍ରତୀକ୍ଷା
ଘର ଘର କାହାଣୀରେ ନିଜ ନିଜ ମଧ୍ୟେ ସଂଘର୍ଷରତା
ଓ ସଶକ୍ତିକରଣ କେଉଁ ଏକ ଅମଡ଼ା ବାଟରେ।
ଏବେ ବି ଓଦା ଓଦା କେଇହଳ ଆଖି
ରାତିର ଅନ୍ଧାରରେ ଅଣ୍ଡାଳୁଛନ୍ତି
ହଜିଯାଇଥିବା ସକାଳ ଓ ହାଇ ମାରୁଥିବା ଅପରାହ୍ନ।
ଦେବୀ ଏଠି ଆସନ୍ତିନି କି ବିଦାୟ ନିଅନ୍ତିନି।
କେଇଦିନ ଖୁସି ହେବା ପାଇଁ
ବାହାରି ଆସନ୍ତି ଜଞ୍ଜାଳ ଭିତରୁ
ଶାନ୍ତିରେ ନିଶ୍ବାସ ନେବାକୁ
ଓ ଦେବୀ ବୋଲି ନିଜକୁ ଚିହ୍ନାଇ ଦେବାକୁ।
Kent casino Скачать на Андроид. https://www.pgyer.com/apk/apk/com.kent.c115546