ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ

ଧୀର ସମୀରଣ ବହୁଅଛି ଆଜି 

ଆସିଛି ଶରତ ନବବଧୂ ସାଜି,

ନବବେଶେ ଏଇ ଶ୍ୟାମଳ ମେଦିନୀ 

ମନ ମୋହି ସତେ କରୁଛି କି ଗୁଣି ।

ତଟିନୀ ତଟେ ଏ କାଶତଣ୍ଡୀ ଫୁଲ 

ଆଶ୍ୱିନ ଶେଷ ଯାଏଁ ଅଛି ତା’ ମୂଲ,

ଲୋଟେ ଯେ ଶେଫାଳୀ ତଳେ ମାଳ ମାଳ

କିଏ ବା ହୋଇବ ତା’ର ସାଥେ ତୁଲ !

ଆବାହନ କରୁଅଛି ଧବଳ ଧରଣୀ 

ଅବତରି ଆସିଛି ସିଂହବାହିନୀ,

ଧରା ପାଇ ତା’ର କୋମଳ ପରଶ 

ମନ୍ତ୍ରିତ ହୋଇଛି ମାଟି ଓ ଆକାଶ ।

ସଭିଙ୍କଠୁ ଶ୍ରେୟ ସେ ମାଁ ଭଗବତୀ 

ନେତ୍ରେ ଦିଶେ ଚାରୁ ବିଭ୍ରାଜ ମୂରତୀ,

ଅଞ୍ଜନ ରଞ୍ଜିତ ତୁମ ସେ ନୟନ 

ଯେତେ ଦେଖିଲେ ବି ନ ପୁରେ ଏ ମନ !

ଭାଲପଟ୍ଟ ହୋଇଥାଏ ସିନ୍ଦୂରିତ 

ଦେବନର ସବୁ ତୋହର ଆଶ୍ରିତ,

ପୁଷ୍ପ ପ୍ରଭ୍ରଷ୍ଟକ କଣ୍ଠେ ଯେ ବୀକ୍ଷିିତ 

ଅଲକ୍ତକ ଗାର ପୟରେ ଶୋଭିତ ।

ବେନିପାଶେ ଅସ୍ତ୍ରଶସ୍ତ୍ର ରହିଅଛି 

ଶିରେ କିରୀଟ ଯେ ଶୋଭା ପାଉଅଛି, 

ରମଣୀୟ ଦିଶୁଛି ତୋର କୁଣ୍ଡଳ 

ଧରିଅଛୁ ମାଆ ତୁ ହସ୍ତେ ତ୍ରିଶୂଳ ।

ମୁଗ୍ଧ କରୁଛି ତୋର ଗାଢ଼ କୁନ୍ତଳ

ଶୁଭୁଅଛି ପାର୍ବଣର କୋଳାହଳ,

ଝୁଣା, ଦୀପ, ଧୂପ ଚଉଦିଗ ବାସେ 

ମାଁ ଆସିଛି ବୋଲି ମହି ଆଜି ହସେ ।

ନାଲି ପାଟ ବସ୍ତ୍ରେ ଦିଶୁ ତୁ ସୁନ୍ଦର 

ପୂଜନ୍ତି ତତେ ଯେ ସବୁ ନାରୀ ନର,

ମହିଷା ମର୍ଦ୍ଧିନୀ ହେ ପାପ ନାସିନୀ 

ମଙ୍ଗଳ କରୁଥା ଆହେ ତ୍ରିଲୋଚନୀ ।

ଯୁଗେ ଯୁଗେ କରୁଥା ତୁ ପାପ ନାଶ 

ବାଣ୍ଟୁଥା ତୁ ମମତାର ସ୍ନେହରସ,

ରହିଥାଉ ମୁହଁ ସଦା ହସ ହସ 

ଶିରସି ସଭିଙ୍କୁ ମାଁ ଦେ ଶୁଭାଶିଷ ।

Leave a Comment

Your email address will not be published. Required fields are marked *