କେହି କ’ଣ କେବେ ଭାବିଥିଲା
ଏମିତି ଘଟିଯିବ ଅକସ୍ମାତ୍
ମୃତ୍ୟୁ ଆସି ଦିନେ ଡାକି ନେଇଯିବ
ବିଧାତାର ଉଲ୍ଲିଖିତ ଶେଷ ଠିକଣାରେ,
ସ୍ଵପ୍ନର ଘର ସବୁ କରି ଧୂଳିସାତ୍
ମଧୁ ଚନ୍ଦ୍ରିକାକୁ ରଖି ଅଧାରେ
ମନର ମଣିଷ ହାତ ଛାଡ଼ି ଦେବ
ସ୍ଵର୍ଗର ଭୂମିରେ ଭୋଗିବାକୁ ନର୍କର ଯନ୍ତ୍ରଣା ।
ଚାହୁଁ ଚାହୁଁ ଆଖି ସାମ୍ନାରେ
କାଶ୍ମୀର ଧଳା ବରଫରେ ଲାଗେ ରକ୍ତର ଛିଟା
ରକ୍ତ ସବୁ ଜମାଟ ବାନ୍ଧି ବରଫ ହୋଇଯାଏ
ସାତ ଜନ୍ମର ସାଥିଟା ଶବ ପାଲଟିଲା ପରେ,
ପାଇନ୍ ସବୁଜ ଉପତ୍ୟକାର ଶାନ୍ତ ପରିବେଶରେ
ଅଶାନ୍ତିର ଦୂତ ମାନେ ରଚିଥିଲେ ମୃତ୍ୟୁର ଆତଙ୍କ
ରକ୍ତର ହୋଲି ଖେଳୁଥିଲେ ବନ୍ଧୁକର ଗୁଳିରେ ।
ଅତି ନିଷ୍ଠୁର ସୈତାନ୍ ସେମାନେ
ନବବଧୂ ହାତରୁ ମେହେନ୍ଦି ଲିଭିବା ଆଗରୁ
ଧର୍ମ ପାଇଁ ପୋଛିଦେଲେ ସୀମନ୍ତରୁ ସିନ୍ଦୂର,
ଅହିଂସାର ପୂଜାରୀଙ୍କ ଜନ୍ମିତ ମାଟିରେ
ଯୋଡ଼ିଦେଲେ ନୂଆ ଏକ ଫର୍ଦ୍ଦ ପ୍ରତିହିଂସାର,
ଆମ ଧର୍ମନିରପେକ୍ଷ ରାଷ୍ଟ୍ରର ସରକାର
ଇଟାର ଜବାବ ପଥରରେ ଦେବା ପାଇଁ ହେଲେଣି ତତ୍ପର ।
ଏମିତି ଦୁର୍ଭାଗ୍ୟ ନମିଳୁ କାହାକୁ
ଜୀବନର ନୂତନ ଅଧ୍ୟାୟ ଲେଖା ହେବା ପୂର୍ବରୁ
ପୂର୍ଣ୍ଣଛେଦ ଟାଣି ହୋଇଗଲା ବନ୍ଧୁକ ମୁନରେ,
ରହିଗଲା ଅନେକ ସ୍ଵପ୍ନ ଅପୂରଣୀୟ ହୋଇ
ଧୋଇଗଲା ସବୁକିଛି ଲୁହରେ ଓ ଲହୁରେ,
ଗୁଳି ବର୍ଷଣରେ ଗଗନ ପବନ ସ୍ତମ୍ଭୀଭୂତ
ପର୍ଯ୍ୟଟନ ସ୍ଥଳୀ ପରିଣତ ହେଲା ରଣ ଭୂମିରେ,
ଲୋଟି ପଡ଼ିଥିଲା ସବୁ ସମ୍ପର୍କୀୟଙ୍କ ଭଗ୍ନାବଶେଷ
ଫାଟି ପଡ଼ୁଥିଲା ବରଫର ଖଣ୍ଡ କରୁଣ ଚିତ୍କାରରେ।
ପଦ୍ମାଦେଈପୁର, ନୟାଗଡ଼
ଫୋନ୍ -୯୯୩୮୭୬୧୨୨୪





