ଆଜି ହେଉଛି ଏକ ବଡ ସ୍ମରଣୀୟ ଦିବସ, ଜୁଲାଇ ଦଶ ତାରିଖ ଗୁରୁବାର ,ପବିତ୍ର ଗୁରୁ ପୂର୍ଣ୍ଣିମାର ତିଥି । ଠିକ ସନ୍ଧ୍ୟା ଛଅଟା ବାଜିବା ପୂର୍ବରୁ ଝିପିଝିପି ଅସରାଏ ବର୍ଷା ହୋଇ ଛାଡିଯିବା ପରେ ମୁଁ ଅଠରମହଲାରୁ ଲିଫ୍ଟ ଦେଇ ଆପାର୍ଟମେଣ୍ଟର ପାଦଚଲା ରାସ୍ତାରେ କିଛିବାଟ ଚାଲି ଚାଲି ଯିବାବେଳେ ପୂର୍ବ ପାର୍ଶ୍ଵ ମୁଖ୍ଯ ଫାଟକ ଆଡକୁ ଆଖି ପକାଇ ନେବାରୁ ହଠାତ ଆକାଶରେ ଦୃଶ୍ୟମାନ ହେଲା ଏକ ସୁନ୍ଦର ଏବଂ ବିଶାଳ ଇନ୍ଦ୍ରଧନୁ । ଘରେ ଥିବା ମୋ ସାତ ବର୍ଷୀୟା ନାତୁଣୀ ଆର୍ଯ୍ୟା ବି ଏହାକୁ ଉପଭୋଗ କରି ଖୁସି ହେଉ, ଏହି ଉଦ୍ଦେଶ୍ୟ ରେ ମୋ ଧର୍ମପତ୍ନୀ ମିନତି ଦେବୀଙ୍କୁ ଜଣାଇ ଦେବାକୁ ଫୋନ କଲି । କହିଲି -ବାଲକୋନୀରେ ଆସି ପିଲାମାନଙ୍କ ସହିତ ପାର୍କ ଉପରକୁ ଚାହିଁ ଦେଖ । ଆମ ନାତୁଣୀ ସୁନ୍ଦର ଇନ୍ଦ୍ରଧନୁର ଦୃଶ୍ୟ ଦେଖିଲେ ବହୁତ ଖୁସି ହେବ ।
ମୋ କଥାକୁ ଶୁଣି ଉଭୟ ଆଈ ନାତୁଣୀ ହସରେ ଉଡାଇଦେଲେ । ମୋ ନାତୁଣୀ କହିଲା- ଅଜା, ତୁମେ କହିବା ଆଗରୁ ଆମେ କେତେବେଳୁ ତ ସେଇଆ ଦେଖୁଛୁ, ତୁମେ କହିବା ବେଳକୁ ଏହାର ରଙ୍ଗ କେତେ ଫିକା ପଡିଯାଇ ଲିଭି ଲିଭି ଆସିଲାଣି । ଫୋନରେ ମୋ ଧର୍ମପତ୍ନୀଙ୍କ ବକ୍ରୋକ୍ତି ଉଚ୍ଚ କଣ୍ଠରେ ଶୁଭୁଥିଲା- ଅଜାକୁ କହିଦେ ଧନୁ , ବେଶୀ ଗପ କବିତା କାହାକୁ ନ ଶୁଣାଇ ଟିକେ ବୁଲାଚଲା କରି ଶୀଘ୍ର ଘରକୁ ଆସିଯିବେ । ବର୍ଷାରେ ଭିଜିକି ଆସିଲେ,ଦେହ ଖରାପ ବୋଲି କୁନ୍ଥାଇଲେ ମୁଁ ମୋଟେ ଶୁଣିବି ନାହିଁ ।
ଫୋନ କଟିଯିବା ପରେ କିଛି ଆଡୁସାଡୁ କଥା ମୁଣ୍ଡରେ ନ ପୂରାଇ ଆପାର୍ଟମେଣ୍ଟ ସେଣ୍ଟ୍ରାଲ ପ୍ଲାଜା ଦେଇ ପିଲାମାନଙ୍କ ଖେଳିବା ପାର୍କ,ଆମ୍ପିଥେଟର ଓ ସନ୍ତରଣ ପୁଷ୍କରିଣୀ ଅତିକ୍ରମ ପୂର୍ବକ ମୁଁ ଟାୱାର -୧ ପାଖକୁ ଥିବା କ୍ଲବଘର ସମ୍ମୁଖକୁ ଆସିଯାଇଥିଲି । ମୁଖ୍ଯ ଫାଟକ କଡରେ ସବୁଜ ଘାସ ଗାଲିଚା ସହିତ ସୁନ୍ଦର ରଙ୍ଗୀନ ପୁଷ୍ପ ଶୋଭିତ ଏହି ସ୍ଥାନରେ ରହିଛି ଏକ ସୁରମ୍ୟ କୁମୁଦପୋଖରୀ। ଚାରିପାଖରେ ପଡିଥିବା ଅନେକ ଗୁଡିଏ ପଥର ନିର୍ମିତ ଚଉକି,ପ୍ରାୟତଃ ସବୁ ବୟସ୍କ ମାନଙ୍କ ଉପବେଶନ ସ୍ଥଳୀ ରୂପେ ବ୍ଯବହୃତ ହୋଇଥାଏ। ଉପସ୍ଥିତ ଥିବା ଅନେକଙ୍କ ମଧ୍ଯରେ ବି ବସିଥିଲେ, ଆମେ ରହୁଥିବା ଟାୱାର-୪ , ୧୩ ମହଲାର ଲକ୍ଷ୍ନୌ ନିବାସୀ ଶ୍ରୀଯୁକ୍ତ ହୋସିଲା ସିଂହ ,ସନ୍ତୋଷ ଅୱସ୍ତୀ ଏବଂ ଛ ମହଲାର ମୁମ୍ବାଇର ଜଗଦୀଶ ନେରୁରକର,ଯିଏ କି ମୋର ପୂର୍ବ ପରିଚିତ ଅଟନ୍ତି । ପ୍ରତିଦିନ ସକାଳ ୭.୩୦ ,ଅପରାହ୍ନ ୩ଟା ଓ ସନ୍ଧ୍ୟା ସମୟରେ ଆମର ଭେଟ ଘାଟ ହୋଇଥାଏ ।ନାତି ନାତୁଣୀ ମାନଙ୍କୁ ସ୍କୁଲ ବସରେ ନେଇ ବସାଇବା ଏବଂ ଛୁଟି ହେବା ଆଗରୁ ବସ ଅପେକ୍ଷାରେ ରହି ସେମାନଙ୍କୁ ସାଙ୍ଗରେ ଘରକୁ ଧରି ଆସିବା ତଥା ଏକାଠି ପ୍ରାତ ଓ ସାନ୍ଧ୍ୟ ଭ୍ରମଣ କରିବା ଯୋଗୁ ଆମ ଭିତରେ ଏ ମଧ୍ଯରେ ଟିକେ ନିବିଡତା ଆସିଯାଇଥାଏ । ଏମିତି କିଛି ସମୟ ବୁଲାଚଲା,ଆଳାପ ଆଲୋଚନା କଲେ ମନ ବହୁତ ହାଲୁକା ହୋଇଯିବା ପରି ଲାଗେ ।
ବାଙ୍ଗାଲୋରର ଦକ୍ଷିଣପ୍ରାନ୍ତକୁ ସଂଯୋଗ କରୁଥିବା ବନରଘଟା ରୋଡରେ ହଲିମାଭୁ ଏକ ବ୍ୟସ୍ତ ବହୁଳ ଅଞ୍ଚଳ । ପ୍ରସିଦ୍ଧ ମିନାକ୍ଷୀଦେବୀଙ୍କ ମନ୍ଦିର ସହିତ ,ନାରାୟଣ ଚକ୍ଷୁ ଚିକିତ୍ସାଳୟ,ମେଟ୍ରୋ ଷ୍ଟେସନ,ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ଯାଳୟ ସହିତ ନାମୀଦାମୀ ବିଦ୍ୟାଳୟ ରହିଛି ଏହାର ଆଖପାଖରେ । ଉଚ୍ଚ ଛାତରେ ହେଲିପ୍ଯାଡ ରହିଥିବା ବୟାଳିଶ ମହଲା ବିଶିଷ୍ଟ ବିଳାସମୟ ମନ୍ତ୍ରୀ ଆପାର୍ଟମେଣ୍ଟ ସାଙ୍ଗକୁ ମୁଖ୍ଯ ରାସ୍ତାର ଉଭୟ ପାର୍ଶରେ ମୁହଁ।ମୁହିଁ ନିର୍ମିତ ହୋଇଛି ପ୍ରେଷ୍ଟିଜଗ୍ରୁପର ଆଲିସାନ ଏବଂ ନଟିଂହିଲ ଓ ଆହୁରି କେତେ କେତେ ଆପାର୍ଟମେଣ୍ଟ ।ଦେଶବିଦେଶରୁ ଆସି
ଆଇଟି ଏବଂ ବିଭିନ୍ନ କର୍ପୋରେଟ ଅଫିସ ମାନଙ୍କରେ କାର୍ଯ୍ୟରତ ଅଗଣିତ କର୍ମଚାରୀଙ୍କ ସ୍ବପ୍ନର ସହର ବାଙ୍ଗାଲୋରର ହେଉଛି ଦ୍ରୁତ କଳେବର ବୃଦ୍ଧି । ଏକ ବୃହତ ଅଞ୍ଚଳରେ ପ୍ରତିଷ୍ଠିତ ଇଲେକ୍ଟ୍ରୋନିକ୍ସ ସିଟି ଓ ସିଲିକନ ଭ୍ୟାଲି କ୍ରମଶଃ ସଙ୍କୁଚିତ ହୋଇ ପଡୁଥିବାରୁ ଦେଶବିଦେଶର ବହୁ ନାମୀଦାମୀ ରିଏଲ ଇଷ୍ଟେଟ କମ୍ପାନୀ ଏବେ ସହରରେ ବହୁତଳ ଆବାସିକ ଆପାର୍ଟମେଣ୍ଟ ନିର୍ମାଣରେ ଲାଗିପଡିଥିବା ଦୃଶ୍ୟମାନ ହେଉଛି ।
ସୁଦୂର ଓଡିଶାର ଏକ ମଫସଲ ଗ୍ରାମାଞ୍ଚଳରୁ କିଛି ଦିନ ପାଇଁ ଆସିଥିବା ମୋ ପରି ଜଣେ ଅତି ସାଧାରଣ ଲୋକ ଏଠାକାର ବିଳାସପୂର୍ଣ୍ଣ ହୋଟେଲ,ସପିଂମଲ ,ଆଖିକୁ ଝଲସାଇ ପକାଉଥିବା ବିପଣୀର ସାଜସଜ୍ଜାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯିବା ଅତ୍ଯନ୍ତ ସ୍ବାଭାବିକ । ତାଛଡା ଅତ୍ଯାଧୁନିକ ଜୀବନ ଶୈଳୀ ଏବଂ ପ୍ରେଷ୍ଟିଜ ଏଲିସାନ ପରି ବହୁତଳ ଅଟ୍ଟାଳିକା ଉପରୁ ଚତୁର୍ପାର୍ଶ୍ବରେ ସନ୍ଧ୍ଯାହେଲେ ମିଞ୍ଜିମିଞ୍ଜି ହୋଇ ଦେଦିପ୍ୟମାନ ଆଲୋକମାଳାକୁ ଦେଖି ଯକ୍ଷରାଜଙ୍କ ମାୟାପୁରୀ ବୋଲି ଭ୍ରମରେ ଚକିତ ହେବା କିଛି ବିଚିତ୍ର କଥା ନୁହେଁ । ଯତ୍ନର ସହିତ ପରିବର୍ଦ୍ଧିତ ବାରମାସୀ ରଙ୍ଗୀନ ଫୁଲ ବଗିଚା , ପାର୍କର ସବୁଜ ଘାସ ଗାଲିଚା ଉପରେ କିଛି କ୍ଷଣ ଏକାନ୍ତରେ ବସି ଚିନ୍ତନ କରିବାର ସୁନ୍ଦର ଅନୁଭୂତି ତଥା କୋମଳମତି ଶିଶୁ ,କିଶୋରକିଶୋରୀ ,ଯୁବା ପ୍ରୌଢ ଏବଂ ବୟସ୍କ ମାନଙ୍କ ମନୋରଞ୍ଜନ, ଅବସର ବିନୋଦନ ନିମନ୍ତେ ଜିମ,କ୍ରୀଡାଙ୍ଗନ ଆଦି ନିରୀକ୍ଷଣ କରି କେମିତି ସକାଳ ପରେ ସଞ୍ଜ ସବୁ ବିତିଯାଏ, ଆଦୌ ଜାଣିହୁଏ ନାହିଁ ।
ଏଇଠି ପ୍ରାୟ ଏକବର୍ଷ ହେଲା ନୂଆ କରି ଗଢି ଉଠିଥିବା ଏହି ପ୍ରେଷ୍ଟିଜ ଏଲିସାନ ଆପାର୍ଟମେଣ୍ଟରେ ମୋର ରହଣୀ ଏକମାସରୁ ଅଧିକ ହୋଇ ଯିବ । ଏ ମଧ୍ୟ ଲକ୍ଷ୍ନୌର ବନ୍ଧୁ ହୋସିଲା ସିଂହଙ୍କ ସହ ପରିଚୟ ଅଧିକ ଘନିଷ୍ଠ ହେବାକୁ ଲାଗିଲାଣି ।ସେ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ରେଭେନ୍ୟୁ ବିଭାଗରେ ବରିଷ୍ଠ ପ୍ରତିଷ୍ଠାନ ଅଧିକାରୀ ପଦରୁ ଆଠବର୍ଷ ତଳୁ ଅବସର ଗ୍ରହଣ କରିବା ପରେ ତାଙ୍କର ଏକମାତ୍ର ପୁତ୍ର ଏବଂ ବଧୂଙ୍କ ସହିତ ସସ୍ତ୍ରୀକ ଏଠାରେ ଏକତ୍ର ଅବସ୍ଥାନ କରୁଛନ୍ତି । ତାଙ୍କ ସହିତ ପ୍ରାତଃ ଏବଂ ସାନ୍ଧ୍ୟ ଭ୍ରମଣ ସମୟରେ ବହୁତ ନୂଆ ନୂଆ କଥା ମୋତେ ଜାଣିବାକୁ ମିଳିଥାଏ ।
ଏଇ ଗଲା ଚାରି ପାଞ୍ଚ ଦିନ ହେବ ପ୍ରିୟ ସିଂହବାବୁଙ୍କ ଠାରୁ ଆମ ଟାୱାର-4 ଛଅ ମହଲାରେ ରହୁଥିବା ମୂରଲୀଧର ଟାଟି ନାମକ ଜନୈକ କନ୍ନଡ ବୟସ୍କ ବ୍ଯକ୍ତିଙ୍କ ଚାଲିଚଳନ ଓ ଆବଭାବ ଆଦି ଦେଖିବା ପରେ ଆମ ଉତ୍ସୁକତାକୁ ଅଧିକ ବଢାଇ ଦେଇଛି । ବୟସ ସତୁରୀ ଅତିକ୍ରାନ୍ତ ହେବାକୁ ବସିଥିବା ବେଳେ ସେ ପ୍ରତିଦିନ ଏକ ହାଫପ୍ୟାଣ୍ଟ ଓ ଟି ସାର୍ଟ ପରିଧାନ ପୂର୍ବକ ଦିନ ତିନିଟା ବେଳକୁ ତାଙ୍କ ନାତିକୁ ନେବାକୁ ଆସିବା ବେଳେ ହାତରେ ନିଶ୍ଚିତ ଭାବେ ଏକ ଥଳୀ ଧରି ଆସିବା ଦେଖାଯାଏ । ଷ୍ଟାଣ୍ଡାର୍ଡ ତିନି ଚାରିଟି ପଢୁଥିବା ନୀତିଟି ବସରୁ ଓହ୍ଲାଇବାପରେ ମୂରଲୀଙ୍କ ହାତକୁ ଜଳଖିଆ ବାକ୍ସ ଓ ସ୍କୁଲବ୍ଯାଗ ଦେଇଦିଏ ,ତା ପରେ ସିଧା ଯାଇ ମୂରଲୀଧର ରଖିଥିବା ଥଳିଟି ଆଣେ । ଅଭ୍ଯାସ ଗତ ଭାବେ କାହିଁକି ମୂରଲୀଧର ଏକ ଥଳୀ ହାତରେ ଧରି ଦୈନନ୍ଦିନ ଆସନ୍ତି ଏବଂ ସେହି ଥଳୀରେ କି ପ୍ରକାର ଜିନିଷ ରହିଥାଏ, ତାହା ବିିଷୟରେ ଜାଣିବାକୁ ମୋ ମନରେ ପ୍ରବଳ ଆଗ୍ରହ ଜାତ ହେଲା ।
କେମିତି ଷଷ୍ଠ ଓ ସପ୍ତମ ଶତାବ୍ଦୀ ବେଳକୁ ପ୍ରାଚୀନ କନ୍ନଡ ରାଜ୍ଯ ପୁରାଣ ଯୁଗର ବୃଷ୍ଣିବଂଶର ଯଦୁବୀର ସାତ୍ଯକୀଙ୍କ ଉତ୍ତର ପିଢୀ ରାଷ୍ଟ୍ରକୂଟ ନରପତି ମାନଙ୍କ ଶାସନାଧୀନ ଥିଲା,ଗଙ୍ଗାଠାରୁ କୃଷ୍ଣା ନଦୀ ଅବବାହିକା ଯାଏ ସମ୍ପୂର୍ଣ୍ଣ ଦାକ୍ଷିଣାତ୍ୟ ସେମାନଙ୍କ ଶାସନାଧୀନ ଥିଲା ,ଏପରିକି ପ୍ରବଳ ପ୍ରତାପୀ ରକ୍ତବାହୁ ରୂପେ ପରିଚିତ ରାଜା ଗୋବିନ୍ଦ -୩ ୟଙ୍କ ଦ୍ବାରା ପୁରୀ ଶ୍ରୀମନ୍ଦିର ବି ଲୁଣ୍ଠିତ ହୋଇଥିଲା ,ଅଜନ୍ତା ପରି ଆଶ୍ଚର୍ଯ୍ୟଜନକ କୀର୍ତ୍ତି ଓ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାନ ନିର୍ମାଣ ହୋଇଥିଲା ଏବଂ ସର୍ବୋପରି ଏକ ଉଡନ୍ତା ସ୍ବର୍ଣ୍ଣ ଗରୁଡ ରାଜକୀୟ ଚିହ୍ନ ସହିତ ରାଷ୍ଟ୍ରକୂଟ ମାନେ କିପରି ରାଜ୍ଯରେ ସୁଶାସନ ପ୍ରତିଷ୍ଠା କରି ପାରିଥିଲେ ,ସେ ସବୁ ଅତି ଗମ୍ଭୀର ବିଷୟକୁ ସିଂହବାବୁ ଖୁବ ସହଜ ସରଳ ଭାବେ ବୁଝାଇ ପାରୁଥିବାବେଳେ ମୂରଲୀଧରଙ୍କ କୁହୁକ ଥଳୀ ବିଷୟରେ କିନ୍ତୁ ନିରୁତ୍ତର ରହୁଥିଲେ ।
ବହୁ ଅନୁସନ୍ଧାନ ଏବଂ ସନ୍ତର୍ପଣର ସହିତ ପର୍ୟବେକ୍ଷଣ କରିବା ପରେ ଜଣାପଡିଲା ଯେ ମୂରଲୀଧରଙ୍କ ଥଳୀଟିରେ ଗୋଟିଏ କ୍ଷୀର ପାକେଟ,ଗୋଟିଏ ପିଲାମାନଙ୍କ ଚଟପଟି ଖାଦ୍ୟ , କପ ନୁଡଲ ଏବଂ ବିସ୍କୁଟ ପାକେଟ ମାତ୍ର ରହିଛି । କିନ୍ତୁ ତାଙ୍କ ସମ୍ବନ୍ଧରେ ଅଧିକ ଅନୁସନ୍ଧାନ କରିବାରୁ କିଛି ଚମତ୍କାର ତଥ୍ଯ ଆମ୍ଭର ହସ୍ତଗତ ହେଲା ।
ଏହି ପ୍ରେଷ୍ଟିଜ ଏଲିସାନ ପାଖକୁ ଲାଗି ଅଛି ହୋଲି ସ୍ପିରିଟ ପବ୍ଲିକ ସ୍କୁଲ । ତାର ଆଗକୁ କ୍ଲାସିକ ଅରଚ୍ଚାଡ ଲେ ଆଉଟ। ଆଜକୁ ଦଶ ପନ୍ଦର ବର୍ଷ ତଳେ ବାଙ୍ଗାଲୋର ସହରର ଏତେ ବିକାଶ ହୋଇ ନଥିବା ସମୟରେ ଯେଉଁ ଅଳ୍ପକିଛି ଧନାଢ୍ଯ ବ୍ଯକ୍ତି ଅଳ୍ପଦାମରେ ବିସ୍ତୀର୍ଣ୍ଣ ଜାଗା ଘରବାଡି ରଖି ଭଲଭଲ ଗୃହ ନିର୍ମାଣ କରି ରହି ପାରିଥିଲେ ,ତନ୍ମଧ୍ୟରୁ ମୂରଲୀଧର ଥିଲେ ଜଣେ । ତାଙ୍କର ଗୋଟିଏ ବୋଲି ପୁଅ ଓ ବଧୂ ଆଇଟି ଜବ କରନ୍ତି । ଏତେ ବଡ ଘର ,ଜାଗାବାଡିର ଦାୟୀତ୍ବ ବହନ କରିବାକୁ ଲୋକବାକଙ୍କ ଅଭାବ, ଉତ୍ତମ ପଡୋଶୀଙ୍କ ସହିତ ଯୋଗାଯୋଗ କରିବା ସୁଯୋଗ ନଥିବା ହେତୁ ମୂରଲୀଧରଙ୍କ ପୁତ୍ର/ ବଧୂ ସେଠାରେ ଚଳିବାକୁ ଅସୁରକ୍ଷିତ ମନେକଲେ ।ବର୍ତ୍ତମାନ ସୁନାଠାରୁ ବି ଅଧିକ ମୂଲ୍ଯବାନ ହୋଇ ଯାଇଥିବା ସେଠାକାର କୋଠା ଓ ଘରବାଡିକୁ ବିକ୍ରୟ କରି ସୁଖଶାନ୍ତି ଏବଂ ନିରାପଦରେ ଚଳିବା ପାଇଁ ଏଲିସାନର ଏକ ଆପାର୍ଟମେଣ୍ଟ କିଣିବାକୁ ନିଷ୍ପତ୍ତି ନେଲେ ।
ଏବେ ତାଙ୍କୁ ଆଦୌ ଅଯଥା ଚିନ୍ତାରେ ମନସ୍ତାପ କରିବାକୁ ପଡୁନାହିଁ । ପରିଚାଳନା କଥା ବୁଝାବୁଝି କରିବାକୁ ସୋସାଇଟି ତରଫରୁ ଆବଶ୍ଯକୀୟ ସିକୁରିଟି ଗାର୍ଡ,ମାଳୀ,ଇଲେକ୍ଟ୍ରିକାଲ ମେକାନିକାଲ ଲୋକ ନିଯୁକ୍ତ ରହିଛନ୍ତି ।
ଖୁବ ସୁବିଧାରେ ଅଳ୍ପ ଖର୍ଚ୍ଚରେ ସୁଖ ଏବଂ ନିରାପଦରେ ରହିବାକୁ ଉତ୍ତମ ପ୍ରତିବେଶୀ ସାଙ୍ଗକୁ ଯାହାକିଛି ଆବଶ୍ୟକ ତାହା ତାଙ୍କୁ ଏହିଠାରେ ସହଜରେ ମିଳି ଯାଉଛି ।
ତାଙ୍କ ବାଳୁତ ନୀତିଟି ସ୍କୁଲରୁ ଫେରିବା ପରେ କିଛି ଜଳଖିଆ ଖାଇବାକୁ ଚାହୁଁଥିବା ହେତୁ ,ପୁଅ ଓ ବୋହୁ ଅଫିସରୁ ଫେରି ଆସିଲେ ଚାହା କଫି ପିଇବେ ବୋଲି ମୂରଲୀଧର ଆବଶ୍ଯକୀୟ ସାମଗ୍ରୀ ସବୁକୁ ଯତ୍ନର ସହ ଆଗରୁ ସଂଗ୍ରହ କରି ନେଇ ରଖିଥାନ୍ତି । କେବଳ ଏହି କାରଣରୁ ହିଁ ତାଙ୍କ ନାତିଟି ଗାଡିରୁ ଓହ୍ଲାଇବା ମାତ୍ରେ ମୂରଲୀଧରଙ୍କ ଥଳିଟି ଦୌଡିଯାଇ ଆଗ୍ରହରେ ଧରିଥାଏ ।
ଅତ୍ଯାଧୁନିକ ଜୀବନଶୈଳୀର ପାର୍ଶ୍ବ ପ୍ରତିକ୍ରିୟା ତଥା ଜୀବନରୁ ପ୍ରତ୍ଯକ୍ଷ ଅଭିଜ୍ଞତା ହାସଲ କରି ପାରିଥିବା ଅତି ସାଧାରଣ ହାଫପ୍ୟାଣ୍ଟ, ଟି ସାର୍ଟ ପରିହିତ ଏଇ ମୂରଲୀଧରଙ୍କ ଜୀବନ ଦର୍ଶନ ବେଶ ଶିକ୍ଷଣୀୟ ବୋଲି ମୋର ହୃଦୟଙ୍ଗମ ହେଲା । ସାୟଂକାଳ ଉପଗତ ହେବା ମାତ୍ରେ ଆପାର୍ଟମେଣ୍ଟ ପାର୍କ,ରାସ୍ତାଘାଟ ଚତୁର୍ପାର୍ଶ୍ବ ଉଜ୍ଜ୍ବଳ ଆଲୋକମାଳାରେ ଉଦ୍ଭାସିତ ହେବା ସଙ୍ଗେ ସଙ୍ଗେ ପ୍ରପର୍ଟି ଅଫିସ ଟାୱାର ଉପରିଭାଗରେ ଗୋଲ୍ଡେନ ଇଗଲ ଲୋଗୋ ସହିତ ” ଆଡ ପ୍ରେଷ୍ଟିଜ ଟୁ ଇଓର ଲାଇଫ “ସ୍ବର୍ଣିମ ଅକ୍ଷରର ଉଜ୍ଜ୍ବଳ ଲେଖା ମନରେ କେତେ ନୂଆ ଆଶା ସମ୍ଭାବନାର ସ୍ବପ୍ନକୁ ଜାଗରିତ କରୁଥିଲା ।
ଦିଆସିଲି ଖୋଳ ପରି ଦିଶୁଥିବା ଏହି ଆପାର୍ଟମେଣ୍ଟରେ ରହି ମୂରଲୀଧରଙ୍କ ପରି କେତେ କେତେ ମଣିଷ ଯଦି ସେମାନଙ୍କ କୁହୁକ ପେଡି ଭିତରୁ ସୁଖର ସନ୍ଧାନ କରି ବଞ୍ଚି ରହି ପାରୁଛନ୍ତି ,ତେବେ ସ୍ବାଧୀନତାର ଅଠସତୂରୀ ବର୍ଷ ପରେ ବି ଆମ ଦେଶର ପୁରପଲ୍ଲୀ ,ଗାଁଗଣ୍ଡାରେ ଲୋକେ ଦୁଃଖ ଦୁର୍ଦ୍ଦଶା ଭିତରେ କାଳାତିପାତ କରିବାକୁ ବାଧ୍ଯ ହେଉଛନ୍ତି କାହିଁକି ? ଏତେସବୁ ଗୋଷ୍ଠୀ ସମାଜମଙ୍ଗଳ ଯୋଜନା ବ୍ଯର୍ଥ ହୋଇ ଯାଉଛି କାହିଁକି ? ଜନପ୍ରତିନିଧି ଭାବରେ ଥରେ ନିର୍ବାଚିତ ହୋଇ କ୍ଷମତା ସ୍ବାଦ ଚାଖିଲା ପରେ ନିିଜେ ପୁୁଞ୍ଜିି ପାହାଡ ସୃୃଜି ପାରୁୁଥିବା ବେଳେ ସାଧାରଣଙ୍କ ମୁୁହଁଁରେ ହସ ଟିିକିଏ ଖେଳାଇବାକୁ ତଥାକଥିତ ନେତା ମାନଙ୍କ ବିବେକ ବାଧା ଦେଉ ନାହିଁ କାହିଁଁକି ? ଜୀବନର ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ସୁଚିନ୍ତିତ ଫଳପ୍ରଦ ଯୋଜନା ଏବଂ ତାହାକୁ ସାର୍ଥକତାର ସହିତ କାର୍ଯ୍ଯାନ୍ବୟନ କରିବା, ଉତ୍ତରଦାୟୀତ୍ବକୁ ସୂଚାରୂରୂପେ ନିର୍ବାହ କରିବା ଦିଗରେ ଆମ୍ଭେ ବିଫଳ ହେବାର କାରଣ କଣ , ଏସବୁ ପ୍ରଶ୍ନ ମନକୁ ଗଭୀର ଭାବେ ଆଲୋଡିତ କରୁଥିଲା ।
ସନ୍ଧ୍ୟା ସମୟ ଟିକେ ଗଡ଼ିଗଲା ଉତ୍ତାରୁ ନାତୁଣୀ ଆର୍ଯ୍ୟା ତା ଆଈ ଫୋନରୁ ମୋତେ ରିଂ କରି କହୁଥିଲା-
ଅଜା ରାତି ବେଳେ ବି ରେନବୋ ପଡିଥିବା ଦେଖିଲୁଣି କି ? ଦେଖ,ଜହ୍ନ ଚାରିପଟେ କେମିତି ସୁନ୍ଦର ରେନବୋ ଦିଶୁଛି । ଆଉ ଡେରି ନକରି ଜଲଦି ଘରକୁ ଆସି ଯା , ଗରମ ଚାହା କପ ଥଣ୍ଡା ହୋଇଯିବ ; ନହେଲେ ଆଈ କହୁଛି
ବର୍ଷାରେ ଭିଜି ତୋତେ ଥଣ୍ଡା ଧରିଲେ ସେ ତୋତେ ଏକା ଛାଡ଼ିଦେଇ ଗାଁକୁ ପଳାଇ ଯିବ ।
ଆପାର୍ଟମେଣ୍ଟର ସମୁଜ୍ଜ୍ୱଳ ଲୋଗୋ,ମୂରଲୀଧରଙ୍କ ଥଳି ଭିିତରେ ସଂଗୃୃହୀତ କୁୁହୁୁକ ଏବଂ ଝଲସି ଦିଶୁଥିବା ଇନ୍ଦ୍ରଧନୁର ରଙ୍ଗ ତଥା ଦେଶର ଉଜ୍ଜ୍ବଳ ଭବିଷ୍ଯ ସ୍ବପ୍ନରେ ହୃଦୟରେ ଗଭୀର ଆସ୍ଥା ବିଶ୍ବାସ ସୃଷ୍ଟି ହେଉଥିଲା । ମନେମନେ ଈଶ୍ବରଙ୍କ ନିକଟରେ ଭକ୍ତିପୂତ ପ୍ରଣିପାତ ଜଣାଇବା ସହିତ ଧିର ପଦବ୍ରଜରେ ଦୁଇ ବନ୍ଧୁ ଗୃହକୁ ପ୍ରତ୍ଯାବର୍ତ୍ତନ କଲୁ ।
ଉପର ବରୁଆଁ,କବୀରପୁର,ଯାଜପୁର
ମୋ -୮୨୮୦୪୬୨୬୮୫





