• ପ୍ରେମ
ଏକ ପୁରୁଣା ବହି ମୁଁ କ୍ରମାଗତ ପଢ଼େ ।
କିଛି ଫର୍ଦ୍ଦ ଲେଉଟାଏ
ମଲାଟରୁ ଧୂଳି ଝାଡିଦେଇ
ଆସନ୍ତାକାଲି ପାଇଁ ପୁଣି ସାଇତି ରଖେ।
• ପ୍ରେମିକା
ଅପାର୍ଥିବ ସଂସାରର ବୋଝକୁ
ନିଜକୁ ଘୋଡେ଼ଇ ସାରିଲା ପରେ
ଆହୁରି ଉଜ୍ବଳ ଦିଶେ ଯିଏ
ଆତ୍ମାର ପୁନଃ ପୁନଃ ପ୍ରତିଫଳନରେ।
• କବି
ତ୍ରିପଣ୍ଡ ଖରାବେଳଟାରେ
ଶବ୍ଦମାନଙ୍କୁ ଡେଣା କରି
ଆକାଶରେ ଉଡ଼ାଣ ଭରୁଥିବା ଲୋକ,
ମାଟିର ମୋହରେ
ଅମଳ କରୁଥାଏ ଜୀବନର ଫସଲ
ତମେ ଅମୃତର ଲୋଭ ଯାଚନି ତା’କୁ
ଶବ୍ଦ ଆହାରରେ ସେ ଚିରଞ୍ଜିବୀ।
• ଭାଇ
ଖରା କାଟେ ବୋଲି
ଯିଏ ଏକୁଟିଆ ବିତେଇଦେଲା
ଗୋଟେ ଧୂଁ ଧୂଁ ଖରାବେଳ…
ଆଲକ୍ଷରେ ସାରାଟା ଗ୍ରୀଷ୍ମ କାଳ!
• ରଙ୍ଗ
ନିଜ ଭିତରକୁ ଯଦି
ଦେଖେଇ ହୁଅନ୍ତା, ଲକ୍ଷେ ପାପ ।
ପାପର ଭୟରେ ମୁଁ
ଆଉଥରେ ପାପ କରୁଥାଏ
ଫି’ସନ ମୁହଁରେ ମୋ’ର
ନୂଆଁ ନୂଆଁ ରଙ୍ଗ ବୋଳି
ଜୀବନର ପାର୍ବଣ ପାଳୁଥାଏ।
କଲ୍ୟାଣୀନଗର,କଟକ
ମୋ:୭୦୭୭୫୦୪୭୧୧





