ପ୍ରହସନ

ତିନି ତିନିଟା ଝିଅ ଆଉ ଗେଲବସରିଆ ପୁଅକୁ ଦୁନିଆ ଆଗରେ ଭଲ ମଣିଷଟେ କରି ଗଢି ତୋଳିବାପରେ ବିଦ୍ୟାଧର ବାବୁ ଏବେ ଶଯ୍ୟାଶାୟୀ | ପୁଅର “ବାଙ୍ଗାଲୋର ଚାଲିଆସ” ନାମୀ ଲକ୍ଷେ ଅନୁରୋଧ ଉପରେ ବାରଣର ମୋହର ମାରି ନିଜର ଭିଟାମାଟିକୁ ଜାବୁଡି ଧରି ଗାଁ ଘରେ ପଡିରହିଛନ୍ତି | ସାଙ୍ଗରେ ଅଛନ୍ତି ବୟସର ବୋଝରେ ଅଣ୍ଟାନଇଁ ଆସିଥିବା, ଚମ ଧୁଡୁ ଧୁଡୁ ହୋଇଯାଇଥିବା ପତ୍ନୀ ଜେମାମଣି | “ଆଉ କେଇଟା ଦିନରେ ପୁଅର ଚାକିରି ସରିଯିବ, ଆଉ ତା ପରେ ସ୍ତ୍ରୀ ପିଲାଙ୍କୁ ସାଙ୍ଗରେ ଘେନି ସେ ଓଡିଶା ଫେରିଲା ପରେ ଘର ପୁଣି ଆଗ ଭଳି ହସି ଉଠିବନି!”, ବୋଲି ବିଗତ କିଛି ବର୍ଷ ହେଲା ବିଦ୍ୟାଧର ବାବୁ ପତ୍ନୀଙ୍କୁ ବୁଝେଇ ଆସୁଥିଲେ | ମାତ୍ର ପୁଅର ଚାକିରି ଏକ୍ସଟେନସନ କରିବା ଖବର ପାଇବା ପରେ ବାର୍ଦ୍ଧକ୍ୟଟା ତାଙ୍କୁ ଖୁବ ବାଧିଲା | ଜୀବନର ବାକି ଏଇତକ ଦିନକୁ ପୁଅ ନୁହେଁ ବରଂ ମୃତ୍ୟୁର ଅପେକ୍ଷାରେ କାଟିବାକୁ ହେବ ତାହା ସେ ବୁଝି ଯାଇଥିଲେ | ଆଉ ତାପରଠୁଁ ହିଁ ବୟସଠାରୁ ଟିକେ ଅଧିକା ଦୁର୍ବଳ ହୋଇ ପଡିଛନ୍ତି ବିଦ୍ୟାଧର ବାବୁ |

ବିଦ୍ୟାଧର ବାବୁ ପାଖ ଗାଁ ଜହଳ ସ୍କୁଲରେ ହେଡ଼ ମାଷ୍ଟ୍ରେ ଥିଲେ | ଏଇ ଖଣ୍ଡମଣ୍ଡଳରେ ପ୍ରାୟ ସବୁ ଲୋକ ତାଙ୍କୁ ଚିହ୍ନନ୍ତି | ସୁରୁଖୁରୁରେ ଗୋଟିଏ ପରେ ଗୋଟିଏ ଝିଅକୁ ଉତ୍ତମ ପ୍ରସ୍ତାବ ଯୋଗେ ଶାଶୁଘର ବିଦା କରିବା ପରେ ନିଜ ଘର ପାଇଁ ମନଲାଖି ବୋହୂଟେ ବି ଜୁଟି ଯାଇଥିଲା | ପୁଅ, ଝିଅଙ୍କୁ ଯେଝା ଯେଝା ସଂସାର ରାସ୍ତାରେ ବାଟ କଢେଇ ଦେଇ ବିଦ୍ୟାଧର ବାବୁ କିଂଚିତ ଦାୟିତ୍ୱମୁକ୍ତ ମନେ କରୁଥିଲେ | ମାତ୍ର ପତ୍ନୀମାନଙ୍କ ଅଭିଯୋଗ ଆଉ ମା’ ମାନଙ୍କ ସ୍ନେହ, ଆଦରର ଲିଷ୍ଟ ଯୁଗେ ଯୁଗେ ଲମ୍ବାରୁ ମଧ୍ୟ ଅଧିକା ଲମ୍ବା ହେବାଟା ଥୟ | ଜୀବନର ଶାଗ ପଟାଳିରେ ମାଟି ହାଣୁ ହାଣୁ ବୟସର କୋଦାଳ ବାରବାର ଚୋଟ ମାରୁଥିଲେ ହେଁ ପତ୍ନୀଙ୍କ ପ୍ରେମ ତାଙ୍କ ପାଇଁ ଥିଲା ଆଣ୍ଟିସେପ୍ଟିକ | ପୁନେଇଁ ପରବରେ ଝିଅଜ୍ୱାଇଁ ଘରେ ବେଭାର ସହ ପତ୍ନୀଙ୍କ ମନଲାଖି କଦଳୀ ଫେଣା, ହାତତିଆରି ଆରିସା, ଖଜା, ଜିଲ୍ଲାପି ଆଦି ପହଂଚେଇଲା ବେଳେ, ଶୀତଦିନିଆ ଅଳ୍ପଉଷୁମ ଖରାରେ ଛାତରେ ବସି ବଡ଼ି ପାରିଲା ବେଳେ, ବାଡ଼ି ଆମ୍ବର ଆଚାର ଶୁଖେଇବା ବେଳେ, ବାଡ଼ିଘରେ ବାଇଗଣ, ଭେଣ୍ଡି, କଲରା ଆଦି ଫଳେଇଲା ବେଳେ, ରାମନବମୀ, ଜନ୍ମାଷ୍ଟମୀ, ଭାଗବତ ଜନ୍ମ ଆଦି ମହୋତ୍ସବ ପାଳିଲାବେଳ ବେଶ ଫୁର୍ତ୍ତି ଦିଶନ୍ତି ସ୍ୱାମୀ, ସ୍ତ୍ରୀ ଦୁହେଁ | ବାକି ଦିନ ମାନଙ୍କରେ ସକାଳ ଚା’ ଟା ସାଙ୍ଗରେ ପିଇବା ପରେ ପତ୍ନୀ ଗୁହାଳ ମୁହାଁ ହୁଅନ୍ତି ଆଉ ବିଦ୍ୟାଧର ବାବୁ ସଉପ ପକେଇ ବସିଯାଆନ୍ତି ଡାଏରୀ ଲେଖିବାକୁ | ସେଥିରେ କଣ ସବୁ ଲେଖନ୍ତି କେଜାଣି, ନା କେହି କେବେ ଖୋଲି ପଢିଛି ନା ସେ କାହାକୁ ପାଖରେ ବସେଇ ଶୁଣେଇଛନ୍ତି କେବେ, ସତେକି ତାଙ୍କ ମନ କଥା ଯାକ | କେବେ ଦିନେ ଜେମାମଣି ଜିଦ୍ କରିବାରୁ ତାଙ୍କୁ କହିଥିଲେ, “କି ଲୋଡ଼ା ତୁମର ସେ ଡାଏରୀ ଲେଖାତକ ପଢିବା ! ମୁଁ ଯେ ପାଖରେ ବସିଛି ତୁମର, ମୋତେ ପଢୁନା ! ମୁଁ ଯେବେ ନ ରହିବି ସେବେ ଡାଏରୀ ପଢ଼ିବ ସିନା !”| “ସେମିତି ଦିନ କାଇଁ ଆସିବ ଯେ! ଥାଉ, ରଖ ତୁମ ଡାଏରୀ |” ବୋଲି କହିବା ବେଳେ ଜେମାମଣିଙ୍କ କଣ୍ଠ ବାଷ୍ପରୁଦ୍ଧ ଓ ଆଖିରେ ଅଭିମାନ ଓଲ୍ହେଇ ଆସିଥିଲା | କେଇ ଘଡି ଉତ୍ତାରେ ବିଦ୍ୟାଧର ବାବୁ ପିଢା ପକେଇ ବସନ୍ତି ଭାତ ଥାଳି ପାଖରେ | ବିଗତ ଛପନ ବର୍ଷରୁ ସ୍ତ୍ରୀଙ୍କ ହାତ ରନ୍ଧା ହିଁ ଖାଇଆସୁଥିଲେ ହେଁ, ମନଜାଣି ଦରବ ବାଢିଲା ପରେ ସ୍ୱାମୀଙ୍କ ମତାମତକୁ ଅପେକ୍ଷିବା ଆଉ ସେଇ ସମାନ ସୁଆଦକୁ ନୀତି ନୂଆ ଅଳଙ୍କାର ଦେଇ ପ୍ରଶଂସିବା ଭଳି ପ୍ରେମ ବୋଧ ହୁଏ ଖୋକା ଭାଇର ଗୀତରେ ବି ଦେଖିବାକୁ ମିଳିବନି | ଧୁ ଧୁ ଖରାବେଳଟା ପଣସ ଗଛ ମୂଳରେ ବସି କଞ୍ଚି କାଟୁ କାଟୁ, ତାଳ ପତ୍ରରେ ଚଟେଇ ବୁଣୁ ବୁଣୁ, ନଡ଼ିଆ ଛଡେଇବାରେ ନତୁବା ନୂଆ ଉଠାଚୁଲି ଖଣ୍ଡେ ଗଢିବାରେ କଟିଯାଏ | ଆଉ ସଞ୍ଜ ବୁଡ଼େ ଦେହରେ ରାମାବଳୀ ପକେଇ, ହାତରେ କୁବୁଜି ଧରି, ଠାକୁର ଦୁଆରେ ହରିନାମ ଗାଇ ଗାଇ |

ଏଇମିତି ଉଠିପଡ଼ି ଆପଣେଇ ନେଇଥିବା ବଳକା ଜୀବନତକ କାଟୁ କାଟୁ କିଛି ଆପଣେଇ ନ ନେଇଥିବା ସତ ବିଦ୍ୟାଧରବାବୁଙ୍କୁ ବ୍ରେନଷ୍ଟ୍ରୋକର ଦ୍ୱାର ଦେଇ ମୃତ୍ୟୁ ଆଡକୁ ଚଞ୍ଚଳ ପାଦ ପକେଇବାକୁ ବାଧ୍ୟ କରିଥିଲା | ଦଦରା କାନ୍ଧରେ ଏହି ଅସହାୟତାକୁ ସେ ବୋହିନେଇଥିଲେ କିଛି ଦିନ | ମାତ୍ର ଦିନେ ସନ୍ଧ୍ୟାରେ ଶରୀରରେ ଅକ୍ସିଜେନର ମାତ୍ରା କମିଯିବାରୁ ବିଦ୍ୟାଧର ବାବୁଙ୍କ ଅବସ୍ଥା ଅସମ୍ଭାଳ ହୋଇ ପଡିଥିଲା | ଗାଁରେ ଥିବା କିଛି ଛାତ୍ରଙ୍କ ସହଯୋଗରେ ବିଦ୍ୟାଧର ବାବୁଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଗଲା | ଏଣେ ପତ୍ନୀ କାଳବିଳମ୍ବ ନକରି ଗାଁ ଠାକୁରାଣୀଙ୍କ ପାଖେ ୧୦୮ ନଡ଼ିଆ ମାନସିକ ଲଗେଇ ପୁଅ ଝିଅଙ୍କ ପାଖକୁ ଚଞ୍ଚଳ ଖବର ପଠେଇଦେଲେ | ଉତ୍ତରଧିକାରୀଗଣ ଅବିଳମ୍ବେ ନିଜର ପାରିସ୍ଥିତିକ କାରଣ ସବୁକୁ ଏଡାଇ ବାପା, ମା’ ଙ୍କ ପାଖରେ ଆସି ଉପସ୍ଥିତ ହୋଇଗଲେ | ଏକ ସପ୍ତାହ ଧରି ମେଡିକାଲରେ ରହିବା ପରେ ବିଦ୍ୟାଧର ବାବୁଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ନ ଦେଖା ଯିବାରୁ ଡାକ୍ତର ବାଧ୍ୟ ହୋଇ ପରିବାରବର୍ଗଙ୍କ ମନୋବଳ ଓ ଭଗବାନଙ୍କ ଇଚ୍ଛାରେ ସବୁକିଛି ସମର୍ପି ତାଙ୍କୁ ଘରକୁ ନେଇଯିବାକୁ କହିଲେ | ଘର ଦାଣ୍ଡ ପିଣ୍ଡାରେ ପଡ଼ିଥିବା ଖଟରେ ଦୁଇ ଦିନ ଶୋଇ ରହିବା ପରେ, ସମସ୍ତ ପ୍ରିୟ ପରିଜନଙ୍କ ହାତରୁ ଗଙ୍ଗା ପାଣି ଟୋପେ ଟୋପେ ପାଇବା ପରେ, ସମ୍ପୂର୍ଣ୍ଣ ଭାଗବତ ସାତ ଥର ବୋଲା ସରିବା ପରେ ବିଦ୍ୟାଧର ବାବୁ ଶରୀର ତ୍ୟାଗ କରିଥିଲେ | ସେଇ ଦୁଇଦିନ କାଳ ନିଜର ସମସ୍ତ ସନ୍ତାନ ସନ୍ତତିଙ୍କୁ ପାଖରେ ଦେଖି, ଶତ ମନୋମାଳିନ୍ୟ ସତ୍ତ୍ୱେ ସେମାନଙ୍କ ମଧ୍ୟେ ଥିବା ଏକତାପଣକୁ ପରଖି ବିଦ୍ୟାଧରବାବୁଙ୍କ ଆଖିରେ ଜୀଇଁବାର କରୁଣ ଇଚ୍ଛା ଟିକକ ପଢି ପାରିଥିଲେ ତାଙ୍କ ପତ୍ନୀ | ହେଲେ ସେ ବନ୍ଧା ପଡିଛନ୍ତି ବିଧି ପାଖରେ | ଯାହା ଘଟୁଛି ତାକୁ ଘଟିବାକୁ ଦେବା ବ୍ୟତୀତ ଅନ୍ୟ ଉପାୟ କିଛି ନାହିଁ | ସଧବା ହେଇ ମଶାଣିକୁ ଯିବା ଖୁବ୍ କମ୍ ଜଣଙ୍କ ଭାଗ୍ୟରେ ଥାଏ | ହାତରୁ ଚୁଡି ଖୋଲାଯିବାବେଳେ ଜେମାମଣି ଆଗାମୀ ଜନ୍ମରେ ବିଦ୍ୟାଧରଙ୍କର ହିଁ ପତ୍ନୀ ହେବାର କାମନା ରଖିଲେ ଭଗବାନଙ୍କ ପାଖରେ |

ଗ୍ରାମଦେବତୀ ମନ୍ଦିର ପଛଦେଇ ବହି ଯାଇଛି ନଈ | ସେଇ ନଈ କୂଳରେ ବିଦ୍ୟାଧର ବାବୁଙ୍କ ଅନ୍ତିମ ସଂସ୍କାର ସମାପିତ ହେଲା | ଖଣ୍ଡି ଓଡ଼ିଆ କହୁଥିବା ପୁଅ ମୁହଁରେ ସେଦିନ ଶୁଣିବାକୁ ମିଳିଥିଲା ମହାମୃତ୍ୟୁଞ୍ଜୟ ମନ୍ତ୍ର | ଜଳିଗଲା ଜୁଇ | ଜୀବନ କିଛି କ୍ଷଣେ ଧୂଆଁ ହୋଇ ପବନରେ ମିଶିଗଲା | ପୁଅଝିଅ ଏବଂ ବନ୍ଧୁପରିବାରବର୍ଗଙ୍କ ଏକମନ ତଥା ସହଯୋଗେ ଗୋଟିଏ ପରେ ଗୋଟିଏ କ୍ରିୟାକର୍ମ ସୂଚାର ରୂପେ ହୋଇଚାଲିଥିଲା | କୌଣସି ଏକ ଅଜଣା ଶକ୍ତି ବେଳକୁ ବେଳ ସଭିଙ୍କମନେ ବଳ ସଞ୍ଚାରି ଦେଉଥିଲା ସତେ ! ଏତେ ସବୁଲୋକଙ୍କ ଭିତରେ ବି ବିଦ୍ୟାଧର ବାବୁଙ୍କ ନଥିବପଣଟା ଖାଇ ଗୋଡ଼ାଉଥିଲା ପତ୍ନୀ ଜେମାମଣିଙ୍କୁ | ଘର କୋଣରେ ଏକୁଟିଆ ବସି ସେ ଭାବୁଥିଲେ କାହିଁ କେତେ କଥା | ଦଶ ଦିନିଆ ତୁଠ କାମ ସରିଲା, ବାରଦିନିଆ ଭୋଜି ମଧ୍ୟ ସରିଲା | ଗାଁ ଲୋକେ ମାଷ୍ଟ୍ରେଙ୍କ ଉଦ୍ଦେଶେ ପୁଷ୍ପ ଅର୍ପଣ କରି ଆତ୍ମାର ସଦ୍ ଗତି କାମନା କରୁଥିଲେ | ଖବରକାଗଜର ଆଞ୍ଚଳିକ ପୃଷ୍ଠାରେ ସନ୍ତାନସନ୍ତତିଙ୍କ ଶୋକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ବାର୍ତ୍ତା ଉପର ଛବିରେ ମୁରୁକି ହସୁଥିଲେ ବିଦ୍ୟାଧର ବାବୁ | ସେ ଆଉ ଡାକିଲେ ଶୁଣିବେନି, ଭୁଲ କଲେ ଆକଟ କରିବେନି କି ନେହୁରା ହେଲେ ବି ଉତ୍ତର ଫେରେଇବେନି | ସବୁ ସାଂସାରିକ ଦାୟିତ୍ୱ ଯେଝା ଯେଝା ହାତରେ ବାଣ୍ଟିଦେଇ, ବାପା, ସ୍ୱାମୀ, ଜେଜେ, ଭାଇ ଆଦି ବୋଲାଉଥିବା ମଣିଷଟା ସତେ ଆଜି ଈଶ୍ବର ପାଲଟିଯାଇଛି କି ଆଉ !
ଅଜବ ଦୁନିଆର ଅଜବ ନୀତିସବୁ | ଗୋଟେ ପଟେ ମାଗିନଥିବା ସୁଖଯାକ ଯାଚି ଅଜାଡି ଦେଉଥିବାବେକେ, ଅନ୍ୟପଟେ ଅନ୍ତରରୁ ଚାହୁଁଥିବା ଦରବତକ ଛଡେଇ ନିଅନ୍ତି ବିଧାତା | ଜେମାମଣିଙ୍କୁ ଲାଗୁଥିଲା କେହି ଯେମିତି ଜାଣିଶୁଣି ତାଙ୍କ ସୁଖର ଦିନଗୁଡିକୁ ଲିଭାଇ ଦେଉଛି ଭବିଷ୍ୟତର ପୃଷ୍ଠାରୁ | ମାତ୍ର ପିଲାମାନଙ୍କ ମଧ୍ୟରେ ଏକମନ ହୋଇ କାମ କରିବାର ପ୍ରବୃତ୍ତିକୁ ଅନୁଭବ କରି ତାଙ୍କୁ ଖୁବ ଆଶ୍ୱାସନା ବୋଧ ହେଉଥିଲା | ଯେ ଯେଉଁଠି ଯେମିତି ଭାବରେ ରହୁଥିଲେ ବି ନିଜର ମୌଳିକ କର୍ତ୍ତବ୍ୟ ପ୍ରତି ଯଥେଷ୍ଟ ସଚେତନ ଥିବାର ମନୋଭାବ ତାଙ୍କ ଭଙ୍ଗା ହୃଦୟକୁ ଆଉଁସୁଥିଲା ଧୀରେ ଧୀରେ |

କିଛି ଦିନ ଉତ୍ତାରେ ଆସି ପହଁଚିଲା ନିଷ୍ଠୁର ବାସ୍ତବତାକୁ ଭେଟିବାର ବେଳ | ଜଣେ ପରେ ଜଣେ ଆଗ ପଛ ହୋଇ ମାଆଙ୍କ ଆଶୀର୍ବାଦ ଏବଂ ବାପାଙ୍କ ଶେଷ ସନ୍ତକମାନର ପୁଟୁଳା ବାନ୍ଧି ବାହାରିଲେ ଯେଝା ଯେଝା କର୍ମସ୍ଥଳୀ ଅଭିମୁଖେ | ଯିବାଆଗରୁ ମାଆଙ୍କୁ ସାଙ୍ଗରେ ଘେନିଯିବାର ପ୍ରସ୍ତାବ ତଥା ଅନୁରୋଧ ସଭିଏଁ ବାଢିଥିଲେ ହେଁ ଜେମାମଣି କିନ୍ତୁ ସ୍ୱଇଚ୍ଛାରେ, ଗାଆଁ ଘରେ, ଆସ୍ଥା ଅଧୀନରେ ବଳକା ଦିନତକ କାଟିବାକୁ ଚାହିଁଥିଲେ | ଦାଣ୍ଡପିଣ୍ଡାରୁ ସଭିଙ୍କୁ ବିଦାୟ ଦେଇ ଘର ଭିତରକୁ ପଶିବାବେଳେ ଏକ ଅଜଣା ନିଃସଙ୍ଗତା ଖେଳିଗଲା ମନରେ | ନୂଆକରି ଗଢିଉଠିଥିବା ଏ ଖାଲିପଣର ଉପଚାର ସ୍ୱରୂପ ସେ ଖୋଲି ବସିଲେ କେବେ ହେଲେ କେହି ହେଲେ ପଢି ନଥିବା ସ୍ୱାମୀଙ୍କ ହାତଲେଖା ଡାଏରୀକୁ | ଶେଷ ପୃଷ୍ଠାକୁ ଅଣ୍ଡାଳି ଦେଖନ୍ତି ତ ଲେଖା ଥିଲା, “ସତ କଥା କହିବ ଗୋ ସତ କଥା କହିବ! ମୁଁ ଯଦି ମରିଯାଏ ଅକାଳେ କି ଗୋପନେ, ତୁମ କି ଗୋ ଢାଳିବନି ଲୁହ ବସି ବିଜନେ! ମୋ ସମାଧି ଦୁଆରେ କି ଦୀପଟିଏ ଜାଳିବ, ସତ କଥା କହିବ ଗୋ ସତ କଥା କହିବ..” | ବାସ୍ | ଗୋଟେ ନୂଆ ଉଠାଣି ହାତଠାରି ଡାକୁଥିଲା ତାଙ୍କୁ | ଦୀପଟିଏ ଜାଳି ଆପଣେଇ ନେଲେ ଏଇ ଅନ୍ଧକାରମୟ ମୋଡକୁ | ଜୀବନର ଏ ଛାଇ ଆଲୁଅର ମେଳ, ପଡି ଉଠି ଧାଇଁବାର ଖେଳ ତାଙ୍କୁ ଲାଗୁଥିଲା ସତେ ଯେମିତି ଏକ ତୁଚ୍ଛା ପ୍ରହସନ |

ପାଣିକୋଇଲି, ଯାଜପୁର

ମୋ -୭୭୫୧୯୧୯୭୪୮