ଭଉଁରୀ

ଫାଳିକିଆ ଖରା ଅଧା ଗିଳି ସାରିଲାଣି ବାଲକୋନି କୁ | ସେଠି ପଡିରହିଛି ତାଙ୍କ ଅମଳରେ ଯୌତୁକରେ ଆସିଥିବା ବାଉଁଶ ଚେୟାର ଗୋଟିକ | ମଧ୍ୟ ଦିବସ ର ସମାପ୍ତି ଘୋଷଣା ପରେ ଉପରଓଳି ଖରାଟା  ଛିଗୁଲେଇ ହେଇ ଦେଖି ଚାଲିଛି ଘରର ମୁହଁ ଗୋଟାକ | ଘରଟା ଲାଜ ଲାଜ ହେଇ ଝାଉଁଳିପଡ଼ିଲାଣି ପ୍ରାୟ | ବାଲକୋନୀ  ସେପଟ ପାଖ ସବୁଜ ପ୍ରାନ୍ତର ତାକୁ ଦେଖି ହସିଉଠନ୍ତି କି ତାତ୍ସଲ୍ୟ କରି କ’ଣ ସବୁ କହିଚାଲନ୍ତି ତା ଆଜି ବି ସେ ବୁଝି ପାରେନା | ଅନେକ କିଛି ଭାବି ବସେ | କଥା ନ କହିପାରିଲେ ବି ତମାମ ଘଟଣାର ମୁକସାକ୍ଷୀ ସେ | ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ, ଦଶନ୍ଧି ପରେ ଦଶନ୍ଧି ଏମିତି ବିତିଚାଲେ; ପୁରୁଣା ରଙ୍ଗ କବର ପାଏ, ସେଇ କାନ୍ଥରେ ଦିଅ ହୁଏ ନୂଆ ରଙ୍ଗର ଲେପ | ହସିଉଠେ ଗୋଟାକ ଯାକ ଦେହ | ସତେ ଏବେ ସେ ଜୀବନ୍ତ ଜୀବନ୍ତ ମଣେ | ତା କାୟକଳ୍ପ ଭାବନା ଆରମ୍ଭ ହେଇ ଦି ପାଦ ଆଗକୁ ନ ବଢୁଣୁ ଅଶ୍ୱିନ ବାବୁ ଆସି ବସିପଡ଼ନ୍ତି ବାଉଁଶ ଚେୟାରରେ | ତା’ ପରେ ? ତା’ ପରେ ଆଉ କ’ଣ ? ଭାବନା ସବୁ ଗଣ୍ଠିଲି ବାନ୍ଧନ୍ତି |

                                                    ଅଶ୍ୱିନ ବାବୁ ନିଇତି ସ୍କୁଲରୁ ଫେରିବା ପରେ ଘଣ୍ଟେ ଦୁଇଘଣ୍ଟା ବିତାନ୍ତି ଏଇ ବାଲକୋନୀରେ | ମନର ଅଧାଗଢ଼ା, ଅସମାଧାନ ପ୍ରଶ୍ନରାଜିକୁ ଗୁଣୁଗୁଣୁ ହେଇ କହିଚାଲନ୍ତି |  ତେବେ କାହାକୁ ? ଆଉ କେଉଁ ସବୁ କଥା; ଯାହା ଆତ୍ମୀୟଙ୍କୁ ବି କହିପାରନ୍ତିନି ସେ ! ଅସମାଧାନ ପ୍ରଶ୍ନରାଜିର ଉତ୍ତର ଖୋଜୁ ଖୋଜୁ ସେ କେତେବେଳେ ଜୀବନର ସାୟାହ୍ନରେ ପହଞ୍ଚି ଗଲେଣି ତାହା ସେ ଜାଣିପାରନ୍ତି ନାହିଁ। ଗୁଣୁଗୁଣାଉଥିବା ବେଳେ ଭିତର ପାଖକୁ ଚାହାଁନ୍ତି | ଅନିମା ଦେବୀଙ୍କ ଅପଲକ ନୟନ ଆଉ ଦି ଧାର ହସ ସବୁ ପ୍ରଶ୍ନକୁ ସମାଧି ଦେଇଦିଏ ପରଦିନ ଯାଏଁ | ଘରଟା ସାରା ଅଳନ୍ଧୁ | ଅନିମା ଥିଲେ ଆଜି ଏସବୁ କରିବାକୁ ପଡ଼ିନଥାନ୍ତା ତାଙ୍କୁ | ସେ  ଥିବାବେଳେ ଅଶ୍ୱିନଙ୍କୁ କେଉଁ କାମ ରେ ହାତ ଦେବାକୁ ପଡୁନଥିଲା | ଏଇ ଗତ ପନ୍ଦର ବର୍ଷ ତଳେ ସେ ନଈ ପାର ହେଇ ଗଲେ ଯେ ଫେରିଲେ ନାହିଁ। ଛାଡ; ସେ କଥା ଭାବି ଲାଭ ବା କଣ! ଯେ ଯାଇଛ, ସେ କଣ ଫେରିବ; ଏହା କହି ନିଜକୁ ବୋଧ କରିଦିଅନ୍ତି ଅଶ୍ୱିନ ବାବୁ| “ସ୍ତ୍ରୀ ବିନା ଘରଟା ଶ୍ରୀହୀନ  ଶ୍ରୀହୀନ ଲାଗେ | ଯଦି ଆଜି ଅନିମା ଦେବୀ ଥାଆନ୍ତେ ସଂସାରର ସବୁ ସୁଖକୁ ତୋଳି ଦେଇଥା’ନ୍ତେ ତାଙ୍କ ପଣତରେ |”

                                                             ଅନିମେଷ ଆଠ ବର୍ଷ ଥିବା ବେଳେ ତା ମା’ ଚାଲିଗଲା | ମାଆଙ୍କ  ବିଷୟରେ ପ୍ରଶ୍ନ କଲେ ନାନା ପ୍ରକାର ଆଳ ଦେଖାଇ ଟାଳିଦିଅନ୍ତି ଅଶ୍ୱିନ ବାବୁ | ପାଖ ବିଦ୍ୟାଳୟ ରେ ପ୍ରଥମ ଓ ଶେଷ ସନ୍ତକ କୁ ପାଠ ପଢ଼ିବାକୁ ନାଁ ଲେଖାଇଲେ | ପିଲାଟି ବେଳୁ ଦୁଷ୍ଟ | ଦୁଷ୍ଟରୁ ଏକଜିଦିଆ ହେବାର ଅଶ୍ୱିନ ବାବୁଙ୍କ ମୁଖ୍ୟ ଭୂମିକା ଅଛି |  ଯଦି କେବେ ଅଧିକ ଜୋର  କରି  ଅନିମେଷ ପଚାରେ, ତେବେ ସେ ଗହନ ବନରେ ତା ମାଆ ଲୁଚିଥିବାର କୁହନ୍ତି | ଖୋଜିବାର ପ୍ରଶ୍ନ କଲେ, ବଡ଼ ହେଲେ ଖୋଜି ଆଣିବା ବୋଲି ଉତ୍ତର ଦେଇ ରୋଷେଇ ଘରକୁ ଚାଲିଯା’ନ୍ତି ଅଶ୍ୱିନ ବାବୁ | ଫ୍ରିଜ ଖୋଲି ଥଣ୍ଡା ପାଣି ଆଖିରେ ଛାଟିଦିଅନ୍ତି | ଜକେଇଆସୁଥିବା ଲୁହକୁ ଦେଖି ଯଦି କେବେ ଅନିମେଷ ପ୍ରଶ୍ନ କରିଦିଏ, ତେବେ କି ଉତ୍ତର ଦେବେ ସେ? ଏତେ ସବୁ କଥାକୁ ରୋମନ୍ଥନ କରୁ କରୁ ସ୍ଵତଃ ଆଖିରେ ପାଣି ଜକେଇ ଆସେ। ଏତିକି ବେଳେ ଚା ନେଇଆସେ ରିମା |

– ବାବୁ ଚା |

– ହଁ, ରଖିଦେ |

– କୋଉଠି ରଖିବି ?

–   ଏଁ … !

        ଛାଡ଼! ଦେ ମୋତେ | ଗିନା କ’ଣ? କପ ଟା  କାଇଁ ?

– ବାବୁ..!

        କାଲି ହାତ ରୁ ଖସିଗଲା | 

– ତୋର କେବେଠୁ ହାତ ରୁ ଜିନିଷ ଖସିଲାଣି  ମୁଁ ଶୁଣେ ? 

            ଆଜି ଯାଏ ଜିନିଷ ଏପଟୁ ସେପଟକୁ ଯାଇନି…     

              ଚା କପ କେମିତି ଖସିଲା ମୁଁ ଶୁଣେ? 

ରିମା କିଛି ଉତ୍ତର ନଦେଇ ଚାଲିଗଲା ବେଡ଼ରୁମ ଦେଇ ଅନିମା ଙ୍କ ଫଟୋ ପାର କରି ସେପଟ ରୋଷେଇ ଘରକୁ | ରିମା ର ଉତ୍ତର ନ ଦେବା ପରେ ବି ଉତ୍ତର ପାଇଯାଇଥିଲେ ଅଶ୍ୱିନ ବାବୁ | କେଉଁ ଉତ୍ତର? ଆଉ କାହାର? କେଉଁ ପ୍ରଶ୍ନର? ରିମା ତାଙ୍କ ଘରେ ରହୁଥିବା ଆତ୍ମୀୟ। ଅନିମା ଦେବୀଙ୍କ ଅମଳରୁ କାମ କରେ, ପଇସା ପାଏ, ତାଙ୍କରି ଘରେ ରୁହେ। ଅନିମା ଦେବୀ ତାକୁ ଭାରି ଭଲ ପାଆନ୍ତି। ପ୍ରତି ପୂଜା ପରବରେ ନିଜ ପାଇଁ କରନ୍ତୁ ନ କରନ୍ତୁ ରିମା ପାଇଁ ଗୋଟେ କଟନ ଶାଢ଼ୀ ନହେଲେ ଡ୍ରେସ ହଳେ। ସେ ଯିବା ପରେ ନା ଆଉ ସେ ସୁଖ ଅଛି ନା ପରବରେ ଘର ମହକୁଛି! ବାବୁ ଚା ପିଉ ପିଉ ସବୁଜ ପତ୍ର ସନ୍ଧିରୁ ଅନ୍ଧାର ମାଡି ଆସେ ପ୍ରତି ଥର | ସଞ୍ଜ ହେଲେ ବାଲକୋନୀ କବାଟ ବନ୍ଦ | ଘରେ ଦୀପ ଜଳେ | ସବୁ ସଞ୍ଜରେ ବାଲକୋନୀ ଦୁଆରେ ରାଶି ତେଲରେ ଦୀପ ଜାଳି ଦିଅନ୍ତି ଅଶ୍ୱିନ ବାବୁ |

                                                                 ଇତି ମଧ୍ୟରେ ଅନିମେଷର ଯୁକ୍ତ ତିନି ସରିବା ଉପରେ | ୟା ପରେ କ’ଣ କରିବ ନ କରିବ ତା ବିଷୟରେ ଭାରି ଚିନ୍ତା ଅଶ୍ୱିନ ବାବୁଙ୍କର |  ଘର କାମଠୁ ସ୍କୁଲ କାମ ବଳେଇ ଯାଏ | ସ୍କୁଲ ପଛରେ ବି  ଅନେକ ଅଫିସ କାମ, ସ୍କୁଲ ରେକର୍ଡ ନୋଟ କରିବା ଆଦି ଯାବତୀୟ କାମରୁ ମୁକ୍ତି ମିଳିଲେ ତ ତାକୁ ଦେଖନ୍ତେ | ତା’ ଭଲ ମନ୍ଦ କଥା ବୁଝନ୍ତେ | ବଢ଼ିଲା ପୁଅ ପାଖରେ ମା’ ନାହିଁ | ମନ କଥା ମନପେଡ଼ିରେ ରଖୁଥିବ ସେ ! “ଅମରପୋଇ ପତ୍ର ବହିରେ ରହି ଚେର ବାହାରିବା ପରି ଭାବନା ସବୁ ମନରେ ଜମି ଜମି ମହାଦ୍ରୁମ ପାଲଟିଯିବେଣି ବୋଧେ !ସ୍ନେହର ପରଷ ବିନା ବଢ଼ିଛି ଅନିମେଷ | ଇମୋସନ କହିଲେ ତା ପାଇଁ ଗୋଟେ ଗ୍ରେଟ ଥ୍ରେଟ୍ ଭଳି ! ସେ ନା ହସେ ନା କାନ୍ଦେ |” ତା ଜୀବନର ଅଭିଧାନରେ ଏ ଯାବତୀୟ ଭାବ ଅନୁଭବକୁ ଯୋଡି ନାହାଁନ୍ତି ଅଶ୍ୱିନ ବାବୁ ! “ଯେବେ କେହି ତା ଜୀବନ ଅଭିଧାନକୁ ଏଡାଏ ଏ ତମାମ ପ୍ରକ୍ରିୟାରେ ସେ ଖାଲି ଜୀଉଁଥିବାର ଲକ୍ଷ୍ୟ କରେ, ମାତ୍ର; ଭୋଗିପାରିନାହିଁ କିଛି, ଆକଣ୍ଠ ସୁଖ କ’ଣ ଜାଣେ ନାହିଁ,  ବୈଶାଖରେ ଭାଜିହେଇ ନାହିଁ, ଶ୍ରାବଣରେ ଭିଜି ନାହିଁ, ମାଘରେ କମ୍ବଳ ତଳେ ଦେଖି ନାହିଁ ସ୍ୱପ୍ନ, ଫଗୁଣରେ ଖେଳି ନାହିଁ ରଙ୍ଗ !  ଏହି ନିଷ୍କର୍ଷରେ ପହଞ୍ଚି ଅନେକ ଏଡାଇଯା’ନ୍ତି ତାକୁ |” 

                                                                       ଏମିତି ରେ ଆଉ ଦୁଇ ବର୍ଷରେ ତାଙ୍କ ଚାକିରୀର ଦିନ ସରିଯିବ |  ଗତ ମାସରେ ହେଡମାଷ୍ଟର ହେବା ପରଠୁ କାମର ଚାପ ଟିକେ ଅଧିକ ରହୁଛି | ଗାଁ ସ୍କୁଲ | ଶିକ୍ଷକ ପଦବୀ ଖାଲି ରହିବା ଏକ ସ୍ୱାଭାବିକ କଥା;  ହେଡମାଷ୍ଟର ଦାୟିତ୍ୱରୁ ସମୟ ବାହାର କରି ପିଲାମାନଙ୍କୁ ସମୟ ଦେବା, ତାଙ୍କ କ୍ଳାସ ନେବା, ସମଗ୍ର ବିକାଶ କୁ ଆଖି ଆଗରେ ରଖି ବିଭିନ୍ନ କାମ ଯେପରିକି ଗଛ ଲଗାଇବା, ପାଣି ଦେବା, ଶ୍ରେଣୀ ପ୍ରକୋଷ୍ଠ ସଫା ରଖିବା, ଟେରାକୋଟା ଚିତ୍ରରେ ନିଜ କାନ୍ଥ ସଜାଇବା, ବିଭିନ୍ନ ପର୍ବପର୍ବାଣି ର ଚିତ୍ର, ମହାମନୀଷୀଙ୍କ ଉକ୍ତି, ଖେଳ ପ୍ରତିଯୋଗିତା ବାକ ଚାତୁରୀ ର ଉତ୍କର୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ ବକ୍ତୃତା ପ୍ରତିଯୋଗିତା କରିବା କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଦିଅନ୍ତି ସେ | ଅନିମେଷ ନିଜ ପୁଅ ହୋଇ ବି ତାକୁ ଏହି ବିଦ୍ୟାଳୟ ରେ ପଢାଇଥିଲେ ସେ | ସପ୍ତାହକୁ ଦୁଇ ଦିନ ବଗିଚା କାମ | ବଗିଚାଟି ନାନା ଗଛ ସମୂହ ରେ ଭର୍ତ୍ତି | ଛୁଆଙ୍କ ସହ ସେ ମଧ୍ୟ ଫୁଲଗଛ ଲଗାନ୍ତି। ପାଣି ଦିଅନ୍ତି।  କଢ଼ରୁ ଫୁଲ ହେବା ଯାଏଁ ସମସ୍ତ ପ୍ରକ୍ରିୟାର ସେ ସାକ୍ଷୀ। ଫୁଲଗଛ ସବୁକୁ ଦେଖି ନିଜକୁ ରୋକିପାରନ୍ତିନି ସେ । କେବେକେବେ ତାଙ୍କ ବାଁ ଆଖି ଡ଼େଇଁଯାଏ; ଭାବିଉଠନ୍ତି ତାଙ୍କ ପରିବାରରୁ ଆଉ କେହି ହଜିଯିବେନି ତ ଏ ବଗିଚାଟି ଗହନ ବନରେ  ଆଚ୍ଛାଦିତ ହେବା ପରେ ! ମନରେ ଅନେକ କଥା ଚାପିରଖନ୍ତି| ଅନିମେଷ ସମ୍ପର୍କରେ ଭାବି ବସନ୍ତି | ଦେହ ଝାଳରେ ଗୋଟାପଣେ ଓଦା ହେଇଯାଏ। ବିନା କାରଣରେ ଏତେ ଚିନ୍ତା! ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରକୁ ଆସି ଖଇତାନ ଫ୍ୟାନକୁ ଲଗାଇ ବସିପଡ଼ନ୍ତି ସେ | ଘରେ ଥିଲେ ରିମା , ସ୍କୁଲରେ ଥିଲେ ମୁନାକୁ ଚା ଆଣିବାକୁ କୁହନ୍ତି | 

                                                                               କେବେକେବେ ସ୍କୁଲକୁ ବିନା ଖବର ରେ ଚାଲିଆସେ ଅନିମେଷ ! ସ୍କୁଲ ପିଲାଙ୍କୁ ଦେଖିଲେ ପ୍ରାୟ ଗରଗର ହୁଏ | ସେଦିନ ହଠାତ ବିନା ଖବରରେ ଅନିମେଷ ସ୍କୁଲକୁ ଚାଲିଆସିଥିଲା | ପିଲାଙ୍କୁ ଦେଖି ମୁହଁଟାକୁ ଆମ୍ବିଳା କରିଦେଲା | ସିଧା କାର୍ଯ୍ୟାଳୟରେ ପଶିଯାଇ,

– ବାବା ! ପଇସା ଦରକାର ଥିଲା |

– କ’ଣ ପାଇଁ? କ’ଣ ଦରକାର କହ?

– କହିଲି ନା ଦିଅ ବୋଲି! କାମ ଅଛି।

– କେତେ ଟଙ୍କା?

– ଏଇ ସାତ ଶହ।

– କ’ଣ କରିବୁ ସାତ ଶହ?

– ବାବା! ଚିଡଚିଡା କରାଅନି ମୋତେ। ଦିଅ ଜଲଦି।

                               ସେ ସବୁବେଳେ ଏମିତି। ବାବା ! ଆଜି ଏଇଟା ଦରକାର | ସେଇଟା ଦରକାର |

                                 ବାବା ! ଗାଁ ସାଙ୍ଗ ଭୋଜି କରିବୁ ଦିଅନି ହଜାରେ ଟଙ୍କା |

                      ଏହିପରି ଭାବଭଙ୍ଗୀ ଅଶ୍ୱିନ ବାବୁଙ୍କୁ ପସନ୍ଦ ନ ଆସିଲେ ବି ପୁଅକୁ ମନା କରିପାରନ୍ତିନି ସେ | ସ୍କୁଲର କର୍ମକର୍ତ୍ତାମାନେ ଅନିମେଷ ର ଏତାଦୃଶ ବ୍ୟବହାର ରେ ଶଙ୍କା କରନ୍ତି | ଏ ଘଟଣା ପରେ ମୁନା ଇଂରାଜୀ ପଢ଼ୁଥିବା ଶୁକା ସାର ଙ୍କୁ ତାଙ୍କ ପୁଅ ବିଷୟରେ କହୁଥିବାର ଶୁଣିଥିଲେ ଅଶ୍ୱିନ ବାବୁ |

– ହେଡ଼ବାବୁଙ୍କ ପୁଅ ଆଗରୁ ଏମିତି ନଥିଲା ମ !

– ଏତେ ବି ବେପରୁଆ ବି ତ ନଥିଲା |

– ନା ଯେ ଆପଣ ଲକ୍ଷ୍ୟ କରନ୍ତୁ ସାର, ମା ଛେଉଣ୍ଡ ପିଲାକୁ ମା’ ର ସ୍ନେହ ଦେଇ ବି ସେ ଆଜିକାଲି ଟିକେ ଅଧିକ ଜିଦିଆ ହେଇ ଯାଉନି ? ତା ସାଙ୍ଗ ହରି ସାଉ ପୁଅ ଶୁକୁଟା କହୁଥିଲା, ଏ ମାସ ରେ ସେ ପା କୁଆଡେ ଟିଭି ଭାଙ୍ଗିଦେଇଛି!

–  ବୟସ ବଢିବା ସହ ଏସବୁ କମ ହୁଅନ୍ତା, ହେଲେ ସେ କଣ ଏମିତି ହଉଛି ? ବୟସ ତ କୋଡ଼ିଏ ଛୁଇଁବଣି |

– ହଁ, ଏଇ ସନ ପା ବାଇଶ ପୁରି ତେଇଶ  ଚାଲିଲା | 

– ହେଡ ବାବୁ ତ ପ୍ରଥମେ ଆର ସ୍କୁଲ ରେ ଥିଲେ ; ବଦଳି ହୋଇ ଏଇ ସ୍କୁଲ କୁ ପରେ ଆସିଲେ….

 ହେଡବାବୁ ଏଇ ସମୟରେ ଭିତରୁ ଗୋଟାଏ କ୍ରୀଙ୍ଗ କ୍ରୀଙ୍ଗ ବଜାଇଲେ ଯେ ମୁନା ଶଙ୍କା କଲା | ହେଡବାବୁ  ଶୁଣିଦେଇନାହଁନ୍ତି ତ ! ତା ପରଠାରୁ ମୁନା ଆଉ କେବେ ଅନିମେଷ କିମ୍ବା ତାଙ୍କ ପରିବାର ସମ୍ପର୍କରେ ଚର୍ଚ୍ଚା କରେନାହିଁ | 

                                                                 ବୟସ ଅଧିକ ହେବା ସହ ରାତିରେ ଅନେକ ଥର ନିଦ ଭାଙ୍ଗେ। କେବେ କେବେ ରାତିରେ ଅଚାନକ ଶେଯରୁ ଉଠି ଅଶ୍ୱିନ ବାବୁ ଅନିମାଙ୍କ ଫଟୋ ସାମ୍ନାକୁ ଆସି କହିଉଠନ୍ତି, “ପୁରୁଷ ନାରୀର ସର୍ବାଙ୍ଗକୁ ଭୋଗ କରେ । ନାରୀ ସ୍ନେହ ଦିଏ, ପ୍ରେମ ଦିଏ। ଯଦି ଭୋଗ କରିବାର ଥିଲା; ତା ଅସରନ୍ତି ସ୍ନେହ, ପ୍ରେମକୁ ଭୋଗ କରିଥା’ନ୍ତେ। ଅନୁଭବି ଥା’ନ୍ତେ ପ୍ରେମର ଅଫୁରନ୍ତ ସୌନ୍ଦର୍ଯ୍ୟ, କାନ୍ଧରେ ପକାଇଥିବା ଗାମୁଛାରେ ଅନିମେଷର ଝାଳ ପୋଛିଥା’ନ୍ତେ! ତେବେ ଆଜି ସେ ମା’ ର ଅନୁପସ୍ଥିତିକୁ ଭୋଗୁନଥାନ୍ତା! କେବେ ବିନା କାରଣରେ ଚିଡଚିଡା ହେଇନଥା’ନ୍ତା ସେ। ଯଦି ସେ ତାକୁ ପଢ଼ିପାରିଥା’ନ୍ତେ ତେବେ ଶିକ୍ଷକତାକୁ ବି କିଛି ମାତ୍ରାରେ ସଫଳ କରାଇ ପାରିଥା’ନ୍ତେ। ପୁରୁଷ ଯଦି ମମତା-ଫୁଲ ର ଗୋଟେ ପାଖୁଡ଼ାକୁ ତା’ ସାର୍ଟ ପକେଟ ପଛ ଛାତିଟା ଭିତରେ ସାଇତି ଦିଅନ୍ତା, ଏ ସମାଜ ମା’ ଛେଉଣ୍ଡ ଶବ୍ଦକୁ ସମାଧି ଦେଇସାରନ୍ତାଣି କାହିଁ କେଉଁ ଶତାବ୍ଦୀରୁ!”

                            X                                                          X                                                             X

                                                                          କେବେକେବେ ଅନିମେଷ ତା’ ମାଉସୀ ଘରକୁ ଯାଏ | ମଉସା ଅରିନ୍ଦମ ବାବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର | ଅନିମେଷକୁ ସଭିଏଁ ଭାରି ସ୍ନେହ କରନ୍ତି | ମାଉସୀଙ୍କର ଦି ଝିଅ | ସମସ୍ତେ ଅନିମେଷଠୁ ବଡ଼ | ଝୁନା ଦିଦି ଯେ ମାଉସୀ ର ବଡ଼ ଝିଅ; ଅନିମେଷ ର ମା’ ପରି ଅବିକଳ ଦେଖାଯାଏ | ଏ ସନ ତା କଲେଜରେ ଗ୍ରୀଷ୍ମକାଳୀନ ଅବକାଶ ଘୋଷଣା ହେବା ପରେ ଅନିମେଷ କୁ ବସ ରେ ବସି ଖରାଛୁଟି କଟାଇବାକୁ ମାଉସୀ ଘର ପଠାଇଦେଲେ ଅଶ୍ୱିନ ବାବୁ |  ଅନିମେଷ ଫି’ ଥର ମାଉସୀ ଘରକୁ ଯାଏ, ସେଠି ଝୁନା ଦିଦି ସହ ଅଧିକ ମିଶେ | ଏଥର ଘରେ ପହଂଚିବା ପରେ ଅନିମେଷ ର ମଉସା ତା’ ଭିତରେ ଘଟିଥିବା ବ୍ୟତିକ୍ରମକୁ ସ୍ପଷ୍ଟ ଭାବେ ଲକ୍ଷ୍ୟ କରିପାରୁଥିଲେ | ସିମି ଦିଦି ଯେ ମାଉସୀ ର ସାନ ଝିଅ ତାସହ ଲୁଡୁ ଖେଳୁ ଖେଳୁ ବେଡ଼ ପାଖ ଡ୍ରୟର ରୁ ଝୁନା ଦିଦି କୁ କିଛି ଖୋଜୁଥିବାର ଦେଖିଲା | କଣ ଖୋଜୁଛୁ ପଚାରିଲା ରୁ କିଛି ଉତ୍ତର ନ ଦେଇ ମେଡିସିନ ସ୍କ୍ରିପ୍ଟ ଦେଖେଇ ହସି ରୁମ ବାହାରକୁ ଚାଲିଗଲା | 

– କ’ଣ ଝୁନା ଦେଇ ସେଇଟା ?

– ଆରେ ଏଇଟା ମେଡିସିନ ପା !

– ତୁ କାଇଁ ଖାଉଛୁ ? ଫୋପାଡ଼ି ତାକୁ ଜଲଦି ଫୋପାଡ଼ | ସେ ମେଡିସିନେ ଖାଆନା |

– ଆରେ ଏଇଟା ଡାଇବେଟିସ ମେଡିସିନ ମୋର 

କହୁ କହୁ ଫୋପାଡ଼ିଦେଲାଣି ଅନିମେଷ | ଧଇଁସଇଁ ହେଇଯାଉଥିଲା ମେଡ଼ିସିନ ଦେଖି |

– ବାରବାର କହୁଛି ମେଡ଼ିସିନ ଖାଆନା ।

ଏଇ ବିଚିତ୍ର ବ୍ୟବହାର ଦେଖି ତାଜୁବ ମାଉସୀ ମନୋରମା ଦେବୀ | ତା’ ବ୍ୟବହାର କୁ ଆଶାତୀତ କହି ସେଦିନ ରାତି ରେ ତାକୁ ପାଣି ପିଆଇ ବୁଝାଇ ସୁଝାଇ ଶାନ୍ତ କଲେ ଅନିମେଷର ମାଉସୀ ମନୋରମା ଦେବୀ | ବାରବାର ଥଙ୍ଗଉଥିଲା ସେ | ବାରଣ କରୁଥିଲା ମେଡ଼ିସିନକୁ | ଝୁନା ଦିଦି ତା’ ମାଆ ପରି ଦେଖାଯାଉଥିବାରୁ ତା’ ପାଇଁ ତା’ର ଅହେତୁକ ଭଲ ପାଇବା ଆଉ ଦୁର୍ବଳତା ମଧ୍ୟ | ମଉସା ଫେରୁ ଫେରୁ ରାତି | ଏହା ଭିତରେ ଶୋଇପଡ଼ିଥାଏ ଅନିମେଷ | ଅନିମେଷ ର ଏପରି ବ୍ୟବହାର କଥା ଶୁଣି ସେ ମଧ୍ୟ ମନୋରମା ଦେବୀଙ୍କୁ ତା’ ବ୍ୟତିକ୍ରମ ଦେଖିବା କଥା ସାମ୍ନାକୁ ଆଣିଲେ |

                                                                         ଅରିନ୍ଦମ ବାବୁ ଅନିମେଷ କେଉଁ ମେଡିସିନ କେଉଁଥିପାଇଁ ଖାଉଛି ତାର ଅନୁସନ୍ଧାନ ପାଇଁ ଅଶ୍ୱିନ ବାବୁ ଙ୍କୁ ପଚାରନ୍ତେ, ଅଶ୍ୱିନ ବାବୁ ଗତ ବର୍ଷ ତା ମୁଣ୍ଡରେ ଏକ ଛୋଟ ଆଘାତ ଆସିଥିବା କଥା କହି ଟାଳିଦେଲେ | ଅରିନ୍ଦମ ବାବୁଙ୍କର ସନ୍ଦେହ ଗାଢ଼ ହେଲା | 

    କିଛି ଦିନ ଉତ୍ତାରୁ ଅନିମେଷ ର ସମାନ ପ୍ରଶ୍ନ ,

       – ତୁ ସେ ମେଡ଼ିସିନ କଣ ପାଇଁ ଖାଉଛୁ ? 

        -ସେ ମେଡ଼ିସିନ ଖାଇ ତୁ ଆଉ ଆମ ଗାଁ ସେପାଖ ବାଁ ରେ ଲୁଚିଯିବୁନି ତ !

                                   ତେଇଶ ବର୍ଷ ପିଲାଠୁ ଏ ପ୍ରକାର ବିଚିତ୍ରମୟ କଥା ଶୁଣିବା ଏକ ପକ୍ଷେ ତାଙ୍କୁ ଶଙ୍କାଗ୍ରସ୍ତ କଲା | ଝୁନା ଦିଦି ତା ବଣ କୁ ଯିବା କଥା ବାପା ଅର୍ଥାତ ଅରିନ୍ଦମ ବାବୁଙ୍କ କାନରେ ପକାଇଲା | ଅରିନ୍ଦମ ବାବୁ ଅଶ୍ୱିନ ବାବୁଙ୍କ ଅଗୋଚର ରେ ତା ମସ୍ତିଷ୍କ ଓ ବୋଧଗମ୍ୟତା ପରୀକ୍ଷା ପାଇଁ ସାଇକ୍ରାଟିଷ୍ଟ ଙ୍କୁ ଅନୁରୋଧ କଲେ | ବହୁ ପରୀକ୍ଷା ପରେ ତାକୁ ପାଗଳ କରିବା ପାଇଁ ମେଡ଼ିସିନ ଦିଆଯାଉଥିବାର ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା | ଏ ସମ୍ପର୍କରେ ଅଶ୍ୱିନ ବାବୁ ଅବା କେମିତି ଜାଣିନଥିବେ ଭଲା !  ଅରିନ୍ଦମ ଓ ମନୋରମା ଦେବୀଙ୍କ ସନ୍ଦେହ ଘନୀଭୂତ ହେବାରେ ଲାଗିଲା | ତଥାପି ତାଙ୍କ ସନ୍ଦେହ କ’ଣ ଅଶ୍ୱିନ ବାବୁଙ୍କ ଉପରେ ଉଚିତ ହେବ ? ଅଶ୍ୱିନ ବାବୁଙ୍କ ପରି ଏକ ସରଳ ମଣିଷ ତଥା ଉତ୍ତମ ପିତା ଉପରେ ସନ୍ଦେହ କରିବା ଯେ ଭୁଲ ତାହା ତାଙ୍କର ହୃଦବୋଧ ହେଲା | ତଥାପି ସନ୍ଦେହ ର ମୁଖଶାଳା ରେ ଠିଆ ହୋଇ କେହି କେବେ ଏତେ ସହଜରେ ବିଶ୍ୱାସ କରିଦେଇପାରନ୍ତା ଭଲା ? ପରେ ସାଙ୍ଗସାଥି ମେଲ ରେ ଯଦି କିଛି ନିଶାପାଣି କରୁଥାଏ ଯାହା ତା ମସ୍ତିଷ୍କ ପକ୍ଷେ କ୍ଷତିକାରକ ..! ଇତ୍ୟାଦି  ସମ୍ଭାବନା କୁ ଆଖି ଆଗରେ ରଖି ତା ଠାରୁ କଥା ଆଦାୟ କରୁ କରୁ ତା ମା’ ମଧ୍ୟ ଡ୍ରୟାର ଖୋଲି କିଛି ମେଡ଼ିସିନ ଖାଉଥିଲା ବୋଲି କହିଲା ଅନିମେଷ | 

– କଣ ମେଡ଼ିସିନ ? ତୋ ମାଆ…! ତୁ କିଛି ଭୁଲଭାଲ ଦେଖିଛୁ |

– ନା ମାଉସୀ, ବାପା ପା ପ୍ରତି ସପ୍ତାହ ରେ ଦିଅନ୍ତି |

– ତାର କ’ଣ ହେଇଥିଲା ମୁଁ ଶୁଣେ , ସେ ମେଡ଼ିସିନ ଖାଇବ ?

ଚୁପ ରହିଲା ଅନିମେଷ |

                                                                            ମନୋରମା ଦେବୀ ଚିନ୍ତା ରେ ପଡିଗଲେ ଯଦି ତା’ ମାଆ ର କିଛି ରୋଗ ନଥିଲା ତେବେ ସେ କୋଉ ମେଡ଼ିସିନ ଖାଉଥିଲା ? ଆଉ କାହିଁକି ? କୋଉ ଡ଼କ୍ଟରଙ୍କଠୁ ? ଯଦି ବି ଖାଉଥିଲା ତେବେ କେବେ ନା କେବେ ତ ଜଣାଇପାରିଥା’ନ୍ତା | ଏହା ସମ୍ପର୍କରେ ଅଶ୍ୱିନ ବାବୁ ଙ୍କୁ ପ୍ରଶ୍ନ ପଚାରିବାକୁ ଯାଇ ଫୋନ କରନ୍ତେ, ଅରିନ୍ଦମ ବାବୁ ରୋକିଦେଲେ ତାଙ୍କୁ | ଏହି ଘଟଣା ମଧ୍ୟରେ କିଛି ନା କିଛି ରହସ୍ୟ ଲୁଚି ରହିଥିବା ସନ୍ଦେହ କରି ପ୍ରଥମେ ପୋଲିସରେ ଖବର କଲେ | ପୋଲିସ ଅନିମେଷକୁ ବହୁ କଥା ପଚରାଉଚୁରା ପରେ ଅନିମେଷ ଗାଁ ଯେଉଁ ଥାନା ଅଧୀନ ରେ ଯାଉଛି ସେହି ଥାନା ର ଆରକ୍ଷୀ ଅଧିକ୍ଷକ ଙ୍କ ସହ କଥା ହୋଇ ପ୍ରକୃତ ପକ୍ଷେ ଘଟଣା ର ସତ୍ୟାସତ୍ୟ ଜାଣିବାକୁ ପ୍ରୟାସ କରିବାକୁ ଅନୁରୋଧ କଲେ ଓ ଆବଶ୍ୟକ ପଡିଲେ ମିଳିତ ଭାବେ କାମ କରିବାକୁ ପ୍ରସ୍ତାବ  ଦେଲେ |

                                                                               ଅନିମେଷ ସହ ଅରିନ୍ଦମ ବାବୁ ଓ ମନୋରମା ଦେବୀ ଆସନ୍ତି ଅନିମେଷର ଗାଁ କୁ| ପ୍ରଥମ ଥର ଗାଁ ରେ ପୋଲିସ ଦେଖି ସମସ୍ତେ ତାଜୁବ |ବିବାହର ଏତେ ବର୍ଷ ପରେ ସେ ଅନିମେଷ ଗାଁକୁ ଆସିବା ସମସ୍ତଙ୍କୁ ଚକିତ କଲା। ଗାଁ  ତ ଗାଁ ସେ ବି ପୁଣି ହେଡ ସାର ଘରେ ପୋଲିସ..! ବହୁଥର ପୋଲିସ ଆସେ ପଚରାଉଚୁରା କରି ଚାଲିଯାଏ | କେହି କିଛି ଠୋସ ଖବର ସଂଗ୍ରହ କରିପାରେ ନାହିଁ | ଗାଁ ଲୋକ ନାନା ଚର୍ଚ୍ଚା କରନ୍ତି | ଗାଁ ଓ ଗାଁ ବାହାରେ ନା ନା ଚର୍ଚ୍ଚା | ହେଡ ମାଷ୍ଟରଙ୍କ ମୁଖ୍ୟ ଦ୍ଵାର ଆଜିକାଲି ବନ୍ଦ! ମୁନା ସବୁ ଖବର ନିଏ | ସେଦିନ ଚା’ ଦେଲା ବେଳେ ଏହି କଥା ଉଠେଇଲା ଯେ ଅଶ୍ୱିନ ବାବୁ ତାଙ୍କ ନୂଆ ସାଙ୍ଗ ବଦଳି ହୋଇ ଏଇ ଜିଲ୍ଲା କୁ ଆସିବା କଥା କହି ଏଡ଼ାଇଦେଲେ | ପୋଲିସ ଆସେ;ତଥ୍ୟ ସଂଗ୍ରହ କର ମୋ ଉପରେ ଆଙ୍ଗୁଳି ଉଠାଇବା ପୂର୍ବରୁ ନିଜକୁ ପରଖ | ଅଶ୍ୱିନ ବାବୁଙ୍କ ପ୍ରତିଥର ତାଙ୍କ ସାପେକ୍ଷରେ ଯୁକ୍ତି ବଢିବା ତଥା ତାଙ୍କ ଉପରେ ଲାଗିଥିବା ମିଛ ଆରୋପ ଗୋଟେ ଦିନ ମିଛ ପ୍ରମାଣିତ ହେବ କୁହନ୍ତି ସେ | କୁହନ୍ତି, ତାଙ୍କୁ ମୁହଁ ଉପରେ ଦୋଷ ନ ଦେଇ ପୋଲିସ ଆଗରେ ଏ ଉକ୍ତି କହି ଦେବାରୁ ନିଜକୁ ପରଖି ନେବାର ଥିଲା |

                                                                                ସେଦିନ ସ୍କୁଲ କୁ ଡାକି ଅଶ୍ୱିନ ବାବୁ ରିମା କୁ ଚାରିହଜାର ଟଙ୍କା ଦେଇ ବିଦା କରିଥିବାର ମୁନା ପ୍ରତ୍ୟକ୍ଷ ସାକ୍ଷୀ | ତା ପରଦିନ ବିଦ୍ୟାଳୟ ହେଡ ମାଷ୍ଟର କ୍ୟାବିନରୁ କମନ ରୁମ, କମନ ରୁମ ରୁ ଖେଳପଡିଆ, ପୁଣି ନଖିଆ ଚା’ ଦୋକାନ, ସେଠୁ ଅଶ୍ୱିନ ବାବୁଙ୍କ ଗାଁ, ଆଉ ଏବେ ଘରେ ଘରେ ଟୁପୁର ଟାପୁର ଅଶ୍ୱିନ ବାବୁ କିଛି ଭିତିରିଆ କାମ କରିଛନ୍ତି ବୋଧେ..! ତା ପରଦିନ ସଞ୍ଜ ରେ ପୋଲିସ ପଚରାଉଚୁରା କରିବାରୁ ରିମା ପୁଅର କଲେଜ ରେ ଆଡମିଶନ ଥିବାରୁ ଅଗ୍ରୀମ ଚାରିହଜାର ଟଙ୍କା ଦେଇଥିବା ସ୍ପଷ୍ଟ କଲେ ଅଶ୍ୱିନ ବାବୁ | କିଛି ଦିନ ଉତ୍ତାରୁ ଅଶ୍ୱିନ ବାବୁ କେଉଁ ଏକ ଦୂର ଜାଗାକୁ ବାହାରିଲେ ସ୍କୁଲ କାମରେ ରିମା ଘରେ ନଥାଏ | ଅରିନ୍ଦମ ବାବୁ ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ରେ ଖବର ଦେଲେ | ପୋଲିସ ର ଏକ ତିନିଜଣିଆ ଟିମ ଅରିନ୍ଦମ ବାବୁ ଙ୍କୁ ସାଙ୍ଗରେ ନେଇ ବାହାରିଲେ ଅଶ୍ୱିନ ବାବୁଙ୍କ ପଛେ ପଛେ | ପ୍ରକୃତ ଘଟଣା ସ୍ଥଳ ରେ ଯାହା ଦେଖିଲେ ସମସ୍ତେ ତାଜୁବ | ଅଶ୍ୱିନ ବାବୁ ସହର ର ଏକ ସାଇକ୍ରାଟିଷ୍ଟ ଙ୍କୁ ଦେଖା କରୁଥିବା ର ପ୍ରତ୍ୟକ୍ଷ ସାକ୍ଷୀ  ରହିବା ପରେ ସେ କେଉଁ ରୋଗ ପାଇଁ ଦେଖାଉଛନ୍ତି, କ’ଣ ହୋଇଛି, କେବେଠୁ ଦେଖାଉଛନ୍ତି, ରେଗୁଲାର ଚେକଅପ କି ନାହିଁ ଆଦି ପ୍ରଶ୍ନ ର ବାଣରେ ସବୁର ଉତ୍ତର ଦେବାକୁ ବାଧ୍ୟ ହେଲେ | ଅଶ୍ୱିନ ବାବୁ ବର୍ତ୍ତମାନ ମଲ୍ଟି ପରସନାଲିଟି ଡ଼ିସଅର୍ଡ଼ରରେ ପୀଡିତ  | ତାଙ୍କର ଚିକିତ୍ସା ଦୀର୍ଘ ବର୍ଷ ହେବ ଚାଲିଛି | ଅବସ୍ଥା ରେ କିଛି ପରିବର୍ତ୍ତନ ନଥିବା ସ୍ପଷ୍ଟ କଲେ ଡାକ୍ତର | 

– ଏବେ ଜାଣିଲି ସେ ମେଡ଼ିସିନ କିଏ ଖାଉଛି ଆଉ କାହାକୁ ଦିଆଯାଉଛି | ଚିଲେଇ ଉଠିଲେ ଅରିନ୍ଦମ ବାବୁ |

    ବୁଝିଲ ଅଶ୍ୱିନ ବାବୁ ବହୁତ ଖରାପ କରୁଛ ନିଜ ପୁଅ ସହ | 

                                                                               ପୋଲିସ ତାଙ୍କୁ ଭ୍ୟାନ୍ର ରେ ବସାଇ ନେଇଗଲା ପଚରାଉଚୁରା କରିବାକୁ। ଘରେ ଖବର ଦେଲେ ଅରିନ୍ଦମ ବାବୁ | ଅନିମେଷକୁ ସାଙ୍ଗରେ ଆଣି ଥାନା ରେ ପହଂଚିବାକୁ ତୁରନ୍ତ ନିର୍ଦ୍ଦେଶ ଦେଲେ। ଥାନାରେ ପ୍ରାୟ ଦଶ ଘଣ୍ଟାର ପଚରାଉଚୁରା ପରେ ଅଶ୍ୱିନ ବାବୁ; “ତାଙ୍କ ସ୍ତ୍ରୀ ଅନିମା ଦେବୀଙ୍କୁ ତାଙ୍କ ମେଡ଼ିସିନ ଖାଇବାକୁ ବାଧ୍ୟ କରିବା, ନ ଖାଇଲେ ମାଡ଼ ମାରିବା ଆଦି ସତ୍ୟତା କୁ ଉନ୍ମୋଚନ କଲେ | ଏବଂ ତାଙ୍କ ସହ ରିମାର ଥିବା ଅବୈଧ ସମ୍ପର୍କକୁ ସେ ସ୍ୱୀକାର କଲେ ଅଶ୍ୱିନ ବାବୁ | ଏହାର କାରଣରେ ସେ ନୁହେଁ; ଅନିମା ଦେବୀ ହିଁ ରୋଗରେ ପୀଡିତ ବୋଲି ଦୃଢୋକ୍ତି ପ୍ରକାଶ କରୁଥିଲେ। ଅଶ୍ୱିନ ବାବୁଙ୍କ ମତରେ, ଅନିମା ଦେବୀ ଆଉ ଆଗ ପରି ତାଙ୍କୁ ଶାରୀରିକ ସୁଖ ଦେଇପାରୁନଥିଲେ।   ପୁଅ ଜନ୍ମ ହେବା ସହ ବୟସ ଅଧିକ ହେବା ଯୋଗୁଁ ସେ ଦୁର୍ବଳ ହେବାକୁ ଲାଗିଲା। ରିମା ବୟସରେ ଯଥେଷ୍ଟ କମ୍ ଓ ଅବିବାହିତା ଥିବାରୁ ତା’ ପ୍ରତି ତାଙ୍କର ଶାରୀରିକ ଆକର୍ଷଣ ବଢିବା ଓ ରିମାର ମନ ତାଙ୍କ ପ୍ରତି ଢ଼ଳେଇଯିବା କୌଣସି ନୂଆ କଥା ନୁହେଁ| ଶାରୀରିକ ସୁଖ ହିଁ ଶରୀରର ଥକ୍କାପଣକୁ ଦୂର କରେ । ଏବଂ ଅନିମା ଦେବୀଙ୍କ ଶାରୀରିକ ଦୁର୍ବଳତା ହିଁ ପ୍ରମୁଖ କାରଣ ବୋଲି ସ୍ବୀକାର କଲେ। ଅନିମା ଦେବୀ ଯେବେ କୌଣସି କାମରେ ବାହାରକୁ ଯାଆନ୍ତି, ସୁଯୋଗ ଦେଖି ଥରେ ନୁହେଁ, ଅନେକ ଥର ସେମାନେ ଦୈହିକ ମିଳନକୁ ଉପଭୋଗ କରନ୍ତି, ସୁଖ ପାଆନ୍ତି।’’ 

                                ସଞ୍ଜ ଆଗତ ପ୍ରାୟ! ବୟସର ସାୟାହ୍ନ ଆଉ ଥାନା ଝରକା ସେପାଖର ସଞ୍ଜ ଠିକ୍ ଏକା ଭଳି ଅନୁଭୂତ ହେଉଥିଲା। ଭୟ ଓ ଅନୁତାପର ନିଆଁରେ ନିଜକୁ ଜାଳୁଥିଲେ ମଧ୍ୟ କିଛି କରିବାର ଉପାୟ ନଥିଲା। ତଦନ୍ତର ଅନ୍ତିମ ପର୍ଯ୍ୟାୟରେ ନିଜେ ଅଣନିଃଶ୍ବାସୀ ହୋଇପଡିଲେ। ଥାନା ବାବୁ କାଚଗ୍ଲାସ ରେ ପାଣି ବଢେଇଦେଲେ। କାଚ ଗ୍ଲାସରେ ତାଙ୍କ ଭୟଭୀତ ମୁହଁର ସ୍ପଷ୍ଟ ଛବି ଦେଖି ଗୋଟେ ଥରରେ ସବୁ ପାଣିକୁ ଢକ ଢକ କରି ପିଇ ଚାଲିଲେ ସେ। 

-ଆଉ ପାଣି ଦରକାର? ପଚାରିଲେ ଥାନା ବାବୁ।

-ନା ନା 

                    ଏହି ସମୟରେ ବହୁ ଖୋଜାଖୋଜି ପରେ ପାଖ ଗାଁ ଜଙ୍ଗଲ ରାସ୍ତାରୁ ରିମାର ମୋବାଇଲ୍ କୁ ଟ୍ରାକ କରି  ପୋଲିସ ତାକୁ ଜବତ କରିଥିବା ଖବର ପହଞ୍ଚିଲା। ଉଠାଇନେଲା ଥାନାକୁ ! ଥାନା ଆଗରେ ଗାଁ ଲୋକଙ୍କ ଭିଡ। ରିମାକୁ ଦେଖି କେହି ବିଶ୍ୱାସ କରିପାରିଲେନି। ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ,

ରିମା କ’ଣ ପାଇଁ  ଥାନା କୁ ଆସିଛି ? 

ଆସିଛି ବି ପୋଲିସର ହେପାଜତ ରେ?

 ସେ ତ ଗାଁରେ ନଥିଲା ?

 ପୁଣି ଆସିଲା କେତେବେଳେ?

 ରିମାକୁ ଅନେକ ପଚରାଉଚୁରା ପରେ ଅଶ୍ୱିନ ବାବୁଙ୍କ ସହ ଥିବା ନିତ୍ୟ ନୈମିତ୍ତ ଦୈହିକ ସମ୍ପର୍କକୁ ସ୍ୱୀକାର କଲା। ଅନିମା ଦେବୀଙ୍କ ମୃତ୍ୟୁକୁ ନେଇ ଛି ଛି ରେ ସେ ଥାନା ଫାଟିପଡୁଥିଲା..| ସେ ଥରେ ଅଶ୍ୱିନ ବାବୁ ଓ ରିମାକୁ ଅଶ୍ଳୀଳ ଅବସ୍ଥାରେ ଦେଖି ଚିଲେଇବାରୁ, ରିମା ବୁଲିପଡିଲା ଓ କ’ଣ କରିବ କିଛି ନ ଜାଣିପାରି ଅଶ୍ୱିନ ବାବୁଙ୍କ ଟେବୁଲ ଉପରେ ଥିବା ପେପରୱେଟ  ମୁଣ୍ଡକୁ ଫୋପାଡ଼ି ଦେବାରୁ ମୁଣ୍ଡରେ କାଚ ପଶି ରକ୍ତ ବହିଲା। କମିବାର ନା ନ ନେବାରୁ ଡାକ୍ତଖାନା ବାହାରନ୍ତେ, ରିମା ଅଶ୍ୱିନ ବାବୁଙ୍କ ହାତକୁ ଧରି ତାଙ୍କ ମଧ୍ୟରେ ଥିବା ଅବୈଧ ସମ୍ପର୍କକୁ ପ୍ରଘଟ କରିବାର ଧମକ ଦେବା ସହ ତାଙ୍କ ଚାକିରି ତଥା ଶିକ୍ଷକ ଜୀବନ ବେଶ ପ୍ରଭାବିତ ହେବ, ଏହା ସୂଚାଇଦେଲା। ଇତି ମଧ୍ୟରେ ଅତ୍ୟଧିକ ରକ୍ତସ୍ରାବ କାରଣରୁ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଚାଲିଯିବା କଥା ସ୍ୱୀକାର କଲେ ଅଶ୍ୱିନ ବାବୁ | ଘଟଣା କୁ ଚାପିଦେବାକୁ ଯାଇ ନଳକୂଅ ରେ ଖସି ପଡିଯିବାରୁ ମୁଣ୍ଡ ରେ ଲୁହା ମାଡ଼ ହୋଇ ଘଟଣା ସ୍ଥଳରେ ଦେହ ତ୍ୟାଗ କଥା ପ୍ରସାର କରିଥିଲେ ଅଶ୍ୱିନ ବାବୁ |  ଆଜି ଯେଉଁ ପୁଅ କୁ ଅଶ୍ୱିନ ବାବୁ ପଇସା ପଠାଉଥିଲେ ସେ ଆଉ କେହି ନୁହେଁ, ବରଂ ସେ ଅଶ୍ୱିନ ବାବୁ ଓ ରିମାର ପୁଅ |   ରିମା କୁ ପଚରାଉଚୁରା କରିବାରୁ ସେ ଅଶ୍ୱିନ ବାବୁଙ୍କ ରୋଗ ବିଷୟରେ ଜାଣିଥିଲେ ସୁଦ୍ଧା  ତାଙ୍କ ସମ୍ପତ୍ତି ପାଇଁ ତାଙ୍କ ସହ ଅବୈଧ ସମ୍ପର୍କ ରଖିବାକୁ ବାଧ୍ୟ ଥିଲା | ଏ ସବୁ କଥା ଶୁଣି ମନୋରମା ଦେବୀ ଓ ଅରିନ୍ଦମ ବାବୁ ନୁହେଁ, ବରଂ ଗାଁ  ଲୋକଙ୍କ ପାଦ ତଳୁ ମାଟି ଖସିଗଲା |

                                                                                      ଏଭଳି ଜଣେ ଶିକ୍ଷକଙ୍କ ଠୁ ଏହା ଆଶା କରାଯାଏନା | ପ୍ରଶ୍ନ ଉଠେ, ମୁନା ପାଖରେ ଥାଇ କେମିତି ଅଶ୍ୱିନ ବାବୁଙ୍କ ବ୍ୟବହାର ରେ ପରିବର୍ତ୍ତନ ଲକ୍ଷ୍ୟ  ନ କରିପାରିଲା | ଉପର ଅଫିସର ହୁଅନ୍ତୁ ବା ଅନ୍ୟ କେହି କେମିତି ସମାଜ ତାଙ୍କୁ ଦୃଷ୍ଟି ଆଢୁଆଳରେ ରଖିଦେଇ ପାରିଲା | ଅନିମା ଦେବୀଙ୍କ  ମୃତ୍ୟୁର ତଦନ୍ତ ବା ପୋଷ୍ଟମର୍ଟମ ହେଲା ନାହିଁ କାହିଁକି ? ଏହି ଅରିନ୍ଦମ ବାବୁ ଓ ମନୋରମା ଦେବୀ ସେତେବେଳେ କାହିଁକି ଚୁପ ଥିଲେ ? ଗୋଟେ ପିଲା କୁ ମା ଛେଉଣ୍ଡ  କରି କି ଲାଭ ପାଇଲା ସମାଜ ? ଏବେ ରିମା ତା ଠିକଣା ଜାଗାରେ। ରିଟାୟାର୍ଡ଼ କୁ ଦେଢ଼ ବର୍ଷ ବଞ୍ଚିଥିବା ସମୟରେ ଛୁଆଙ୍କ ଗହଣ ଛାଡି ଅଶ୍ୱିନ ବାବୁ ଏବେ ପାଗଳଙ୍କ ଗହଣ ରେ | “ଅନିମେଷ ଠିକ ହେବାର ଅପେକ୍ଷା ରେ ଗହନ ବଣକୁ ସେମିତି ଚାହିଁରହେ | ମାଆ ପଣତ ରେ ତାରା ଗଣିବା ବୟସରେ ଅନାଉଥିଲା ଛାତ ଉପରେ ଲୁଚିଯାଇଥିବା କଳା ମଚମଚ ଆକାଶକୁ, ପଢା ବହି ଲେଉଟାଇବା ବୟସରେ ପଢ଼ୁଥିଲା ଅନ୍ଧାରକୁ, ଗଣିତରେ ଏକ୍ସ ର ମାନ ବାହାର କରୁ କରୁ ତା ଜୀବନର ସାମାନ୍ୟ ମାନସାଙ୍କ ଆଜି ଅସମାଧାନ, ଇତିହାସ ପଢ଼ି ବି ଅତୀତରୁ ବହୁ ଦୂରରେ, କେବେ ଆଙ୍କିପାରିନଥିଲା ତା ଜୀବନର ମାନଚିତ୍ରର ଗୋଟିଏ ରେଖା! ବଳକା ବିଜ୍ଞାନ ଯାହା ଆଗତ ଭବିଷ୍ୟତ! ଗପ ଶୁଣିବା ବୟସରେ ତା ଜୀବନ ଯେ ଏକ ଭଉଁରୀ ପରି ହେଇଯିବ କେ ବା ଭାବିଥିଲା |” ଆଜି ବି ବାଲକୋନୀ ପଶ୍ଚିମକୁ ମୁହଁ କରି ଅନେକ ପ୍ରଶ୍ନ ପଚାରୁଛି | ଗହନ ବଣରେ ସଞ୍ଜ ନଇଁଆସେ | ବାଲକୋନୀ କବାଟ ମେଲା | ଅନିମା ଦେବୀଙ୍କ ଫଟୋ ବେଡରୁମରୁ ସିଧା ଦେଖିପାରୁଛି  ନଈ, ତା ଆରପାଖ ଲୁଚିଯାଇଅଥିବା ଗହନ ବଣ, ସେଥିରେ ଅସ୍ତଗାମୀ ସୂର୍ଯ୍ୟଙ୍କଠାରୁ ଆସୁଥିବା ତୀର୍ଯ୍ୟକ ରେଖା……||

ଭୁବନେଶ୍ଵର

ମୋ- ୯୮୬୧୭୦୧୭୧୪