ବଣମଲ୍ଲୀ

ସେଦିନ ସୃଷ୍ଟି ନିଜ ଝିଅ ପିହୁ ଓ ସ୍ୱାମୀ ପ୍ରଣବ ଙ୍କ ସହିତ ମେଳା ବୁଲିବାକୁ ଯାଇଥାଏ l ପହଂଚିବା ପରେ ପ୍ରଣବ ଗାଡ଼ିକୁ ପାର୍କିଂରେ ରଖିବାକୁ ଗଲେ l ଖୁବ୍ ଅଧିକ ଭିଡ଼ ଯୋଗୁଁ ତାଙ୍କୁ ଧାଡ଼ିରେ ରହିବାକୁ ହେଲା l ସୃଷ୍ଟି ଓ ପିହୁ ଅପେକ୍ଷା କରିଥିଲେ ପ୍ରଣବଙ୍କ ଫେରିବାକୁ l

ସାମ୍ନାରେ କିଛି ଲୋକଙ୍କ ଭିଡ଼ ଥିଲା ଆଉ ଭିଡ଼ ଭିତରୁ ସୁନ୍ଦର ଗୀତ ଶୁଭୁଥିଲା l ପିହୁ ସୃଷ୍ଟିଙ୍କ ହାତକୁ ଧରି ଭିଡ଼ ଆଡକୁ ଟାଣିଲା l ମା’ଝିଅ ଦୁହେଁ ପାଖକୁ ଯାଇ ଦେଖନ୍ତି ତ ଗୋଟେ ଦଶ ବାର ବର୍ଷର ଝିଅଟେ ଦଉଡି ଉପରେ ବାଡ଼ିଟିଏ ଧରି ଚାଲୁଚି ଆଉ ଗୀତର ତାଳରେ ତା ଅଂଟା ବି ନାଚୁଛି l ତଳେ ତା ଠୁଁ ଟିକେ ସାନଝିଅଟେ ଖୁବ୍ ସୁନ୍ଦର ଭାବେ ନାଚୁଛି l ବୋଧେ ଦୁଇଜଣ ଦୁଇଭଉଣୀ l ତାଙ୍କ ବାପା, ମା’ ମଧ୍ୟ ପାଖରେ ଥିଲେ l ପିହୁ ଖୁସି ହେଇକି କହିଲା, “ମାମା ଦେଖ! ଏ ଦୁଇଜଣ କେତେ ସୁନ୍ଦର ନାଚୁଛନ୍ତି l ଏ କୁନି ଝିଅଟା ତ ମୋ ଠୁଁ ବି ସୁନ୍ଦର ନାଚୁଛି l ଆମ କ୍ଲାସର ‘ଲଗ୍ନା’ଯିଏ ସବୁବେଳେ ନାଚରେ ପ୍ରଥମ ପୁରସ୍କାର ପାଉଛି ତା ଠୁଁ ବି ସୁନ୍ଦର ନାଚୁଛି “l

ଏତିକି ବେଳେ କୁନି ଝିଅଟି ହାତରେ ଗୋଟେ ରସ ବାସନ ଧରି ସମସ୍ତଙ୍କୁ ପଇସା ମାଗିଲା l ପିହୁ ସୃଷ୍ଟିଙ୍କୁ ଅନୁରୋଧ କଲା କିଛି ଟଙ୍କା ସେ ଝିଅକୁ ଦେବାପାଇଁ l ସେତେବେଳକୁ ପିହୁର ବାବା ସେମାନଙ୍କ ପାଖରେ ପହଂଚି ସାରିଥିଲେ l ସେ ନିଜ ପର୍ସ ଖୋଲି ଦଶ ଟଙ୍କାଟେ ପିହୁ ହାତକୁ ଦେଇ କହିଲେ ସେ ଝିଅକୁ ଦେଇଦେ l ପିହୁ ଧୀରେ ସୃଷ୍ଟି ଙ୍କୁ ଚାହିଁ କହିଲା ,”ଏଇ ମାତ୍ର ଦଶଟଙ୍କା ଦେବି? ସେ ଝିଅକୁ ସମସ୍ତେ ଏତେ କମ୍ ପଇସା କାହିଁକି ଦେଉଛନ୍ତି? ମୁଁ ଯେତେବେଳେ କିଛି କାର୍ଯ୍ୟକ୍ରମରେ ନାଚେ ମୋତେ ତ ଅଧିକ ଟଙ୍କା ପୁରସ୍କାର ଦିଆଯାଏ l ମାମା!ଏମାନେ ଏମିତି ରାସ୍ତାରେ କାହିଁକି ନାଚୁଛନ୍ତି, ସେମାନଂକୁ ତାଙ୍କ ସ୍କୁଲରେ ପୁରସ୍କାର ଦିଆ ଯାଏନି କି ?

 ପ୍ରଣବ ପିହୁର ହାତକୁ ଧରି ମେଳା ଭିତରକୁ ଟାଣି ନେଇଗଲେ l ସୃଷ୍ଟି ଆଡକୁ ଚାହିଁ କହିଲେ “ଶୀଘ୍ର ଆସ ମେଳା ବୁଲିବାକୁ ଆସିଛ ନା ଏ ରାସ୍ତା କଡରେ ବାଉଁଶରାଣୀ ଖେଳ ଦେଖିବାକୁ?” ସୃଷ୍ଟିଙ୍କ ହୃଦୟ କିନ୍ତୁ ଆନ୍ଦୋଳିତ ହେଉଥିଲା ପିହୁ ର ସେଇ ଅବୁଝା ପ୍ରଶ୍ନ ଭିତରେ l ଅତୀତର କିଛି ଅସ୍ପଷ୍ଟ ଚିତ୍ର ଭାସି ଯାଉଥିଲା ଆଖି ସାମ୍ନାରେ l ଛାତିରେ କୋହ ଜମି ଆସୁଥିଲା l ନ ଚାହିଁବି ଆଖି ଦୁଇଟା ଭିଜି ଯାଉଥିଲା l ମନେ ପଡୁଥିଲା କେବେ ଓଡ଼ିଆ ପଦ୍ୟରେ ପଢ଼ିଥିବା ପଂକ୍ତି ଟିଏ –

           “ଭାରି ହୀନିମାନ ଗରିବ ବେଢ଼ି

                ମଉଳାଇ ଦିଏ ପ୍ରତିଭା କଢ଼ି”

ଭଦ୍ରକ, ମୋ – ୭୩୨୭୦୨୪୧୧୯