ସାବିତ୍ରୀ ଓଷା ଦିନ ମନ୍ଦିର ଗଲାବେଳେ ମୁଁ ଆମ ଗାଁ କଥା ଗପୁଥିଲି । ମୋ ସ୍ବାମୀ ଶୁଣି ନଶୁଣିଲା ପରି ହଁ ଭରୁଥିଲେ। ମନେପଡୁଥିଲା କେତେ କଥା। ଆମ ଗାଁର ବୁଢା ବରଗଛ ଚାରିପାଖେ ସୂତା ଗୁଡାହୋଇ ପୂଜା ହୁଏ ।ସବୁ ସ୍ତ୍ରୀଲୋକଙ୍କ ଲମ୍ବା ହୁଳହୁଳିରେ ଗାଁ କମ୍ପୁଥାଏ । କଲେଜ୍ ବେଳେ ସାବିତ୍ରୀ ଓଷାରେ ଇଏ ଫୋନ୍ କରି କୁହନ୍ତି ,”କ’ଣ କରୁଛ , ଏଇ କପୁଲ୍ ମାନଙ୍କୁ ଦେଖି ଭାରି ଜେଲସ୍ ଫିଲ୍ ହେଉଛି। ମୁଁ ବି କେବେ ମୋ ସୁନ୍ଦରୀ ସ୍ତ୍ରୀ କୁ ଗାଡିରେ ବସେଇ କେବେ ମନ୍ଦିର ନେବି କେଜାଣି?” ମୁଁ ସେତେବେଳେ ଉତଫୁଲ୍ଲିତ ହୋଇ ଉଠେ । ଓଃ କି ପ୍ରେମ! ସେସବୁ କୁଆଡେ ଗଲା କେଜାଣି? ସେ ହମ୍ପ୍ସ ପାଖରେ ବ୍ରେକ୍ ମାରିଲେ,ଆଉ ମୁଁ ମୋ ଭାବନାରେ। ମନେପଡିଲା ମୋ ଶାଶୁ କହିଛନ୍ତି ଶଙ୍ଖା ପୂଜା କରି ନବାକୁ।ଆମ ପୂଜା ଥାଳିରେ ହଳେ ଅଧିକ ଶଙ୍ଖା ପୂଜା ହୁଏ ହେଲେ ଦୁଇବର୍ଷ ହେବ ଆଉ ହେଉନି।
ମୋ ଶାଶୁଘର ଗାଁରେ ମନୁଆ ଭାଇ କାମ କରେ ।ତା’ ସ୍ତ୍ରୀ ଦୁଇବର୍ଷ ହେବ କୁଆଡେ କାହା ସହ ଚାଲିଯାଇଛି। ମୋ ଶାଶୁ ସାବିତ୍ରୀ ଓଷାରେ ମନୁଆ ଭାଇର ସ୍ତ୍ରୀ ପାଇଁ ଶଙ୍ଖା,ଶାଢ଼ୀ ସବୁ ପୂଜାକରି ଦିଅନ୍ତି।ଗତବର୍ଷ ସାବିତ୍ରୀ ଓଷାରେ ବିଚରା ମନୁଆ ଭାଇଟା ଭାରି କାନ୍ଦୁଥିଲା ଆଉ କହୁଥିଲା ସେ ତା’ ସ୍ତ୍ରୀ କୁ ସୁନା କାନଫୁଲ ହଳେ ଆଣି ଦେଇଥିଲା ଆଉ ତାକୁ ବି ସେ ନେଇ ଚାଲିଯାଇଛି। ମନୁଆ ଭାଇର ସ୍ତ୍ରୀଟା ଆଉଥରେ କାହାପାଇଁ କେମିତି ସାବିତ୍ରୀ କରୁଥିବ କେଜାଣି? ବୋଧହୁଏ କରୁନଥିବ। ଏଇସବୁ ଭାବିବା ଭିତରେ ମନ୍ଦିର ପାଖରେ କେତେବେଳେ ପହଞ୍ଚିଯାଇଥିଲି କିଛି ଜଣା ପଡିନଥିଲା।
ମନ୍ଦିର ଦୁଇକଡରେ ଟଙ୍କା ମାଗିବାକୁ ଭିକାରୀ ମାନଙ୍କର ଭିଡ ।ଏଇ ପୂଜା ପର୍ବ ରେ ତ ବେଶି ଆଉ। ସେ ଭିକାରୀଙ୍କ ଗହଣରେ ଜଣେ ସ୍ତ୍ରୀ ଲୋକ ଭାରି କରୁଣ ଚାହାଁଣୀରେ ଭିକ ମାଗୁଥାଏ। ମୁଁ ମୋ ସ୍ବାମୀଙ୍କୁ କହିଲି,” ଦେଲ ଦେଲ ଦଶଟଙ୍କିଆ ଟିଏ ଦେଲ।” ସେ ଦଶଟଙ୍କିଆଟିକୁ ପର୍ସରୁ କାଢୁ କାଢୁ ତାଙ୍କ ହାତରୁ ନେଇ ସ୍ତ୍ରୀ ଲୋକଟିକୁ ଦେଲା ବେଳେ କାହିଁକି କେଜାଣି ପଚାରି ଦେଲି,” ତୁମେ ସାବିତ୍ରୀ ଓଷା କରିଛ?” ସ୍ତ୍ରୀ ଲୋକଟି ହସି ହସି କହିଲା ,” ମା, ମୋର ନିଇତି ସାବିତ୍ରୀ ।ଏଇ ଯୋଉ ଅନ୍ଧ ଲୋକଟିକୁ ଦେଖୁଛ ସିଏ ମୋ ସ୍ବାମୀ। ଯାହା ମାଗିଯାଚି ନିଏ ଜଣଙ୍କ ପେଟକୁ ନିଅଣ୍ଟ ପଡେ,ଓଳିଏ ଖାଇଲେ ଓଳିଏ ଉପାସ। ଆଉ କି ଓଷାବ୍ରତ କରିବି ମାଆ?” ଦୁଃଖ ଲାଗୁଥିଲେ ମଧ୍ୟ ଖୁସି ହେଉଥିଲି ଏ ସ୍ୱାର୍ଥପର ଯୁଗରେ ବି ସାବିତ୍ରୀଟିଏ ବଞ୍ଚିଛି ଆଉ ତା’ ସତ୍ୟବାନ୍ ପାଇଁ ଭିକ ମାଗୁଛି। ସୁନ୍ଦର -ଅସୁନ୍ଦର , ପସନ୍ଦ-ନାପସନ୍ଦ, ପ୍ରେମ-ପରିବାର ପରେ ଯିଏ ଆମର ସିଏ ଆମର,ଏ ବିବାହ ଖୁବ୍ ପବିତ୍ର। ସ୍ବାମୀଙ୍କ ଆଡ଼କୁ ଚାହିଁ ଦେଖେ ତ ସିଏ ମୋ ହାତକୁ ଟାଣିନେଇ ମନ୍ଦିର ଭିତରକୁ ଚାଲିଗଲେ ଆଉ କହିଲେ,” ତୁମେ ଯୋଉ ସ୍ତ୍ରୀ ଲୋକକୁ ଟଙ୍କା ଦେଲ ସିଏ ମନୁଆର ସ୍ତ୍ରୀ। ମନୁଆ ନିଜ ସ୍ତ୍ରୀର ନିଖୋଜ ବେଳେ ପୋଲିସ୍ ଷ୍ଟେସନରେ ଏଇ ସ୍ତ୍ରୀ ଲୋକଟିର ଫୋଟୋ ଦେଇଥିଲା।” ମୁଁ କିଛି କ୍ଷଣ ପାଇଁ ନିସ୍ତେଜ ହୋଇଗଲି। ଭାବୁଥିଲି ତା’ର ବା ଭୁଲ୍ କ’ଣ? ପ୍ରେମ ହିଁ ସମସ୍ତଙ୍କୁ ଭୁଲ୍ କରିବାକୁ ବାଧ୍ୟ କରେ। ଏଇ ଅନ୍ଧ ଲୋକଟି ପାଇଁ ସେ ସାବିତ୍ରୀ ସାଜି ପ୍ରତିଦିନ ଯେଉଁ ଦୁଃଖ ପାଉଛି ମନୁଆ ପାଖରେ ଅନ୍ତତଃ ଏତେ ଦୁଃଖ ପାଇନଥାନ୍ତା କିନ୍ତୁ ମନୁଆ ପାଖରେ ସେ କଣ ପ୍ରକୃତ ଖୁସି ପାଇପାରି ଥାଆନ୍ତା ? ସୁଖକୁ ତ୍ୟାଗ କରି ଦୁଃଖକୁ ଆଦରି ନେଇ ନିଜ ସତ୍ୟବାନ ପାଇଁ ସେ ସାବିତ୍ରୀ ସାଜିଛି। ସେ କଣ ସତରେ ସାବିତ୍ରୀ ? ଆଉ ସେ ଯଦି ସାବିତ୍ରୀ ହୋଇଥାଆନ୍ତା, କ’ଣ କେବେ ମନୁଆକୁ ଛାଡି ଆସିପାରି ଥାଆନ୍ତା? ସାବିତ୍ରୀ ଶବ୍ଦଟା କାହିଁକି କେଜାଣି ଭାରି ଭାରି ଲାଗୁଥିଲା। ମୋ ସ୍ବାମୀ ମନ୍ଦିରରୁ ମା’ଙ୍କ ସିନ୍ଦୂର ଆଣି ମୋ ମଥାରେ ଲଗାଇ ଦେଇଥିଲେ । ଆଖିବୁଜି ମୁଁ ମୋ ନିଜକୁ ସାବିତ୍ରୀ କ’ଣ ବୋଲି ବାରମ୍ବାର ପ୍ରଶ୍ନ କରୁଥିଲି।
କପାସି, ଯାଜପୁର
ମୋ -୭୯୭୮୧୪୯୪୧୬





