ସେ କାଲି ଆସିଥିଲା ସ୍ୱପ୍ନରେ
ମୁଁ ଦେଖିଥିବା ସ୍ବପ୍ନର ମହଲକୁ ନେଇ,
ଆସ୍ତେ କରି ଆସି ମୋ ପାଖେ ବସି
ମୋ ହାତରେ ଧରେଇଦେଇ ଘରଟିକୁ
କହିଲା ,” ଦେଖ୍ ତୋ ହିସାବରେ ଦେଇଛି ମୁଁ ଗଢେଇ।”
ଥରେ ବୁଲେଇ ଆଣିଲି ହାତ ସେ ଛୋଟିଆ ମହଲରେ
ଅବିକଳ ସେମିତି ଯେମିତି ମୁଁ ଦେଖିଥିଲି
ସେଇ ବୃନ୍ଦାବତୀ, ବୃନ୍ଦାବତୀ ଆଗରେ ହାତେ
ଓଢ଼ଣା ଟାଣି ପାଣି ଦେଉଥିବା ମୁଁ
ସେଇ ବଗିଚା ଯୋଉଠି ଆମେ
ବଢାଉଛୁ କେତେ କଢି ଯତ୍ନରେ।
ମୁଁ ଚାହିଁଥିବା ପରି ଶାଶୁ ଶ୍ୱଶୁର
ରାଜ ମହଲ ନ ହେଲେ ବି ଖୁସିର ସଂସାର
ଝିଅଟିଏ ଏଇଆ ହିଁ ତ ଚାହେଁ
ମୁଁ ବି ଚାହିଁଥିଲି ସ୍ୱପ୍ନକୁ ମୋର
ଜୀବନ୍ୟାସ ଦେବାକୁ,
ସାଇତିବାକୁ ତା ସହ ଥିବା ସ୍ମୃତି ସବୁକୁ
କାନ୍ଥର ଛାତିରେ।
ଇଚ୍ଛା ଥିଲା,
ତା ସହ ଜୀବନର ଶେଷ ପ୍ରହର ଯାଏଁ ଜିଇଁବାକୁ
ବୟସର ସୂର୍ଯ୍ୟାସ୍ତକୁ ଉପଭୋଗ କରିବାକୁ
ପୁଣି ତାରି କୋଳରେ ସଧବା ହେଇ ଏ ଆଖି
ସବୁଦିନ ବୁଜିବାକୁ।
ସବୁ ସ୍ୱପ୍ନ କ’ଣ ହେଇପାରେ ପାହାନ୍ତିଆ
ନା ସବୁ ପ୍ରେମ ନେଇପାରେ ବିବାହର ରୂପ,
ତା ଏରୁଣ୍ଡି ବନ୍ଧ ଡେଇଁବା ବୋଧେ ନାହିଁ
ମୋ ହାତ ରେଖାରେ ଲେଖା
ସେଥିପାଇଁ ତାକୁ ମୁଁ ଖୋଜେ ମୋ ପ୍ରତିଟି ସ୍ୱପ୍ନରେ
ସେ ସ୍ୱପ୍ନ ଦିଏ ମତେ କ୍ଷଣିକ ଖୁସି ପୁଣି ଦୁଃଖ ଅମାପ।
ତଥାପି ମୁଁ ଧୈର୍ଯ୍ୟ ଆଗେ ହାତ ପତାଏ
ଆଉ ଟିକିଏ ରହିଯିବାକୁ,
ମୁଁ କହିପାରେନା ତାକୁ ଆଉ ବୁଣିବୁନି ସ୍ୱପ୍ନର ମଞ୍ଜି
କି ଦବୁନି ପାଣି ସେଠି ଆଉ
ତୋ ମୋ ପ୍ରେମ ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ,
ଯାହାର ଆରମ୍ଭ ଥାଇପାରେ କୋଉ ଗୋଟିଏ ତାରିଖ
ନାହିଁ କିନ୍ତୁ ଶେଷ,ଯଦି କିଛି ଥାଏ
ତେବେ ତୋ ସହ ମୋ ଭାଗ୍ୟ ନ ଯୋଡିବାର ଅବଶୋଷ।
ତୋ ସହ ମୋ ଭାଗ୍ୟ ନ ଯୋଡିବାର ଅବଶୋଷ।
ଭଲ ଲାଗିଲା …