ମଥା ଉପରେ ଜମାଟ ବାନ୍ଧିଛି ମୁଁହ ଲଦିଥିବା ମେଘ
ଆଖି ଖୋଲୁନି ଖରା ଓ ଭାରି ଗୁମ୍ ସୁମ୍ ଲାଗେ ପାଗ
କେଜାଣି କାହିଁକି ଆଖିକୁ ସବୁକିଛି ଜଳକା ଦିଶୁଛି
ଆଲୋକର ପୋଷାକ ପିନ୍ଧି ଅନ୍ଧାର ଭୁଆଁ ବୁଲାଉଛି।
ଠିକଣା ପଚାରିଲେ ଆଜିକାଲି ମୁହଁ ବୁଲାଏ ରାସ୍ତା।
ଭାବ ଏବେ ମହଙ୍ଗା ହେଲାଣି କିନ୍ତୁ ଅଭାବ ସବୁ ଶସ୍ତା।
କେହି ଜଣେ କହେ ମୁଁ ଏଠି ନିଇତି ମରି ମରି ବଞ୍ଚିଛି
ଆଉ ଏହାରି ଭିତରେ ସେ ଜିଇଁବାର ସଂଜ୍ଞା ଭୁଲି ବସିଛି।
ସମୟ କେବେ ନିଜର ହୋଇ ଆଉଁସି ଦେବାର ନାହିଁ
ବେଳେବେଳେ ନିଜେ ବି ନିଜ ପାଖରେ ନିଜର ହୁଏ ନାହିଁ।
ସ୍ବପ୍ନ ସବୁ ରାତି ହୋଇ ପାହାନ୍ତି ନିଦରେ ମିଳେଇ ଯାଉଛି
ପରିଶ୍ରମର ମୂଲ୍ୟ ସବୁ ଭାଗ୍ୟ ହାତରେ ନିଲାମ ହୋଇଛି।
ଭଳିକି ଭଳି ରିହାତି ଅଫର୍ ରେ ମଲ୍ ରେ ବିକ୍ରି ହୁଏ ଖୁସି
ଜୀବନ ପ୍ରଦୂଷିତ ଚାରିଚକିଆ ଦୁଃଖର ଭିଡ଼ରେ ଧୁଆଁ ଧୂଳି ମିଶି।
ସମ୍ପର୍କର ଗଣ୍ଠି ଢିଲା ପଡ଼ିଲାଣି କିଏ ବା କାହା କଥା ଚିନ୍ତା କରୁଛି,
ମୋବାଇଲ୍ ଟିଏ ହଜିଗଲେ କେହି ଚାଲିଗଲା ପରି ଲାଗୁଛି।
ଜିତିବାର ଅଜବ ନିଶାରେ ହାରିବା ଯେମିତି ଦୋଷଟିଏ
ଭୁଲ ଠିକ୍ ର ଭୁଲ ହିସାବରେ ନିଜ ପାଇଁ ଖଞ୍ଜେ ଫାଶଟିଏ
କିଏ କାହା ପାଇଁ ମରୁଛି ବା କିଏ ନିଜ ପାଇଁ ନିଜେ ବଞ୍ଚୁଛି
ମଣିଷ ଲେଖୁଛି ଅସରା କାହାଣୀ ଆୟୁଷ ତା ବାଟେ ସରୁଛି।
୯୯୩୮୧୬୬୪୯୪





