ପ୍ରେମ – ଏକ ମିଛେଇ ଝିଅର ନାଁ 

ପ୍ରେମ’- ଏକ ମିଛେଇ ଝିଅର ନାଁ 

ଖୋଜୁଛି କାହାକୁ ଜାଣିନି ତା ନାଁ 

      ପାଉନି ତାହାକୁ ଦେଖିନି ତା ଗାଁ  

ତଥାପି ଏ ମନ ବୁଝେନା …

          ପ୍ରେମ’- ଏକ ମିଛେଇ ଝିଅର ନାଁ ….

ଅକୁହା କଥାର ମରମ ଖୋଲିବ

          ଅଦେଖା ଚେହେରା ଦିନେ ପ୍ରିୟ ହେବ

ଅନାମିକା ଝିଅ ମୋ ନାଁ ଗାଇବ

           ଅଲୋଡା ଜୀବନେ ଇଛା ଭରିଦେବ

ଅମାନିଆ ମନ ଭାବନା ….

ଅଲିଭା ତା ସ୍ବପ୍ନ ମନରୁ ଯାଏନା 

              ପ୍ରେମ’- ଏକ ମିଛେଇ ଝିଅର ନାଁ ….

ନାହିଁ ଇନ୍ଦ୍ରଧନୁ ଆସି ନାହିଁ ହୋଲି

              ରଙ୍ଗରେ ମଜ୍ଜୁଛି ମନ ଖାଲିଖାଲି 

ନାହିଁ ତ ଅବିର ହେଇନି ଫଗୁଣ

             ଅକାରଣେ ମନ ରଙ୍ଗରେ ମଗନ  

ତଥାପି ଏ ମନ ମନେନା….

 ରଙ୍ଗେଇହେବାକୁ କେତେ ଯେ ଛଳନା

                 ପ୍ରେମ’- ଏକ ମିଛେଇ ଝିଅର ନାଁ ….

ଘନଅନ୍ଧକାର ମେଘ ତ ଆସିନି

               ଆକାଶକୁ କଳା ବଉଦ ଢାଙ୍କିନି 

ବେଙ୍ଗୁଲୀର ସ୍ବର ଏ ଯାଏଁ ଶୁଭିନି

               ସାଧବ ବୋହୁର ଲାଲିମା ଦିଶିନି 

ତଥାପି ଏ ମନ ମନେନା ….

ମନ ଖୋଜେ କିଆଁ ଭିଜିବା ବାହାନା 

               ପ୍ରେମ’- ଏକ ମିଛେଇ ଝିଅର ନାଁ….

ଆକାଶକୁ ଚାହିଁ ବିତିଯାଏ ରାତି

               ନିଦହେଲେ ସ୍ବପ୍ନ, ସପନେ ତା ମୂର୍ତ୍ତୀ 

ଅଶାନ୍ତ ଏ ମନେ ତା ଖିଆଲ ଶାନ୍ତି

              ସଂସାର ଦୁଃଖରୁ ଦେବ ଅବା ମୁକ୍ତି 

ତଥାପି ଏ ମନ ମାନେନା….

ହେଲେ ନବୁଝିବା କରେ ସେ ବାହାନା

                 ପ୍ରେମ’- ଏକ ମିଛେଇ ଝିଅର ନାଁ ….

ଅଜଣା ଅଶୁଣା ସପନ ନାୟିକା

               ଜୀବନେ ଗଢିବ ସ୍ବତନ୍ତ୍ର ଭୂମିକା 

କଥାରେ ହସରେ ନିଜର କରିବ

             ଅବେଳରେ ବାଟ ଭାଙ୍ଗି ଚାଲିଯିବ 

ତଥାପି ଏ ମନ ମାନେନା ….

ତା ପାଇଁ କିନ୍ତୁ ହେବ ପ୍ରେମ ଖେଳନା

                   ପ୍ରେମ’- ଏକ ମିଛେଇ ଝିଅର ନାଁ ….

1 thought on “ପ୍ରେମ – ଏକ ମିଛେଇ ଝିଅର ନାଁ ”

Leave a Comment

Your email address will not be published. Required fields are marked *