ଆସିଛି ଆଜି ଯେ ରଜ

ବାରମାସେ ତେର ପରବ ପର୍ବାଣୀ
ହିନ୍ଦୁ ଘରେ ଘରେ ହୁଏ,
ବଡ଼ ପରବଟି ରଜ ଭାବେ ଖ୍ୟାତ
ଆନନ୍ଦ ଉଲ୍ଲାସେ ହୁଏ
ଉତ୍କଳୀୟଙ୍କ ଗୌରବ
ପ୍ରେମ‌ ଭକ୍ତି ପ୍ରୀତି ଜ୍ଞାନ ସଂସ୍କାରର
ନିର୍ଯ୍ୟାସ ଏହି ପରବ।

ପ୍ରଥମ ଦିନଟି ପହିଲି ରଜ ଯେ
ଦ୍ବିତୀୟେ ରଜ ସଂକ୍ରାନ୍ତି,
ଆଜି ତ ଅଟଇ ଭୂମି ଦହନ ଯେ
ବସୁମତୀ ସ୍ନାନ କାଲି
ନ ଭୁଲିକି ପରମ୍ପରା
ଆସ ଆମେ ରଜ ପରବ ପାଳିବା
ଆମପାଇଁ ଅପାଶୋରା।

ମାଆ ବସୁମତୀ ହୁଏ ରଜସ୍ୱଳା
ପହିଲି ଆଷାଢ଼ ମାସେ,
ହସେ ବନ ଲତା ହସେ ନଦୀ ନାଳ
ବର୍ଷା ରାଣୀ ଆଗମନେ
ବସୁମତୀ ସ୍ନାନ ପରେ
କୃଷକ ଛୁଟଇ କ୍ଷେତ ଅଭିମୁଖେ
ଚଷଇ ଲଙ୍ଗଳ ଧାରେ।

ବରଷକେ ଥରେ ଯେବେ ଆସେ ରଜ
କ୍ଷେତେ ସବୁଜିମା ହସେ,
ଜାତି ଜାତି ପୁଷ୍ପେ ଜାତି ଜାତି ଫଳେ
ମହ ମହ ଭୂରି ବାସେ
ନୂତନ ଶ୍ୟାମଳ ପତ୍ରେ
ଅଙ୍କୁରିତ ହୁଏ ବୀଜରୁ ବୃକ୍ଷଟି
ଧରଣୀ ମାତାର ପୃଷ୍ଠେ।

ପହିଲି ଆଷାଢେ ଝିପିଝିପି ଵର୍ଷା
ଭିଜିବେ ଯେ ବନମାଳୀ,
ରଥପଥ ସଵୁ ଅପେକ୍ଷାରେ ରତ
ଉଭାହେଵେ ଚକ୍ରଧାରୀ
ବିଶ୍ୱନିୟନ୍ତାଙ୍କ ଖେଳ
ଭକ୍ତ ଭଗବାନ ମିଳନ ହୋଇବ
ସର୍ବେ ହେବେ ଏକାକାର।

ଚାଷୀର ଭରସା ମୌସୁମୀ ବରଷା
ଏବେ ସିଏ ବାଟବଣା,
ଡ଼ହ ଡହ ଖରା ଅସହ୍ୟ ଗରମ
ଦିଏ ଜ୍ୱଳନ ଯନ୍ତ୍ରଣା
ଘିମିରି ଯେ ଦେହସାରା
ସହରଠୁ ଗାଆଁ ରୌଦ୍ରର ପ୍ରକୋପ
ଫାଟି ଆଆଁ ଦିଶେ ଧରା।

ଆଜି ଶେଷ ରଜ ନାହିଁ ତ ମଉଜ
ସରି ଯିଵ କିଛି କ୍ଷଣେ,
ଜୀବନ ମରଣ ଅଡ଼ୁଆ ସୂତାରେ
ବନ୍ଧା ଆମେ ପ୍ରତି କ୍ଷଣେ
ନାହିଁ ସେ ସ୍ନେହ ଆଦର
ଦୂର ଗାଆଁ ବନ୍ଧୁ ଦୂରେଇ ଗଲେଣି
ଆସନ୍ତିନି ବନ୍ଧୁ ଘର।

କାହିଁ ଗଲା ସେହି ବିଡ଼ିଆପାନ ଯେ
କାହିଁ ଗଲା ପୁଚି ଖେଳ,
ସମୟ ସୁଅରେ ସବୁ ଭାସିଗଲା
ଅତୀତର ସେ‌ହି ବେଳ
ସବୁ ବଦଳି ଯାଇଛି
ଗଣପର୍ବ ବୋଲି ରଜପର୍ବ ଯାହା
‌ ନାଆଁକୁ ମାତର ଅଛି।

ନିଜର ସଂସ୍କୃତି ନିଜ ପରମ୍ପରା
ସତେ ଯେ କେତେ ମହାନ,
ପାଶ୍ଚାତ୍ୟ ସଂସ୍କୃତି ଆଚରଇ ଯିଏ
ତା’ଠାରୁ ଆଉ କେ ହୀନ
ଉତ୍କଳୀୟ ରୀତି ନୀତି
ବିଶ୍ୱରେ ବିଖ୍ୟାତ ଓଡ଼ିଆ ସଂସ୍କୃତି
ତା’ଠାରେ ମୋହର ପ୍ରୀତି।

କେତେ ଯେ ସୁନ୍ଦର ଆମର ସଂସ୍କୃତି
ବାରମାସେ ତେର ଯାତ,
ଆଧୁନିକତାର ଣ୍ଡିଣ୍ଡିମି ପିଟିକି
ସଂସ୍କୃତି ନ କର ହତ
ପରମ୍ପରା ଗଲେ ଭୁଲି
ପରବ ନାମରେ ମଦ ମାଂସ ଖାଇ
ଘରକୁ ଆଣିଲେ କଳି।

ଵୋଉ ହାତ ପୋଡପିଠାର ମହକ
ଖୋଜିଲେ ତ ମିଳେ ନାହିଁ,
ପୋଡପିଠା ବାସ୍ନା କେମିତି ମିଳିବ
ଚୁଲି ପରା ଆଉ ନାହିଁ
‌‌ ଢ଼ିଙ୍କି ନାହିଁ ଶିଳ ନାହିଁ
ପୋଡପିଠା କଥା ଭୁଲି ତ ଗଲେଣି
ଆଧୁନିକ ଖାଦ୍ୟ ପାଇଁ।

ଢ଼ିଙ୍କି କୁଟା ଚୁନା ଶିଳବଟା ବିରି
ହାଣ୍ଡିରେ ଅଥାର ନାହିଁ,
ଗ୍ରାଇଣ୍ଡରେ ଆଜି ସବୁ ପେସା ହୁଏ
ସଅଳ ହୋଇବା ପାଇଁ
ରୋଗ ଯେ ବଢୁଛି ଵେଶୀ
ଯେବେଠୁ ମଣିଷ ମେସିନ ଉପରେ
ନ୍ୟସ୍ତ ଯେ ହେଲାଣି ବେଶୀ।

ଫିକା ଫିକା ଲାଗେ ରଜ ପରବଟା
ଫିକା ଫିକା ଲାଗେ ମନ,
ବରଷକେ ଥରେ ଆସିଥିଲା ସିନା
ନ ଥିଲା ସେ ମିଠା ଦିନ
ସ୍ୱାର୍ଥରେ ବନ୍ଧା ମନୁଷ୍ୟ
ଭାଇଚାରା ଭାବ ମନେ ଆସୁନାହିଁ
କିଭଳି ଆସିଲା ଯୁଗ।

ଆଜି ସରିଯିବ ରଜର ପରବ
କାଲିକି ଭୂଦେବୀ ସ୍ନାନ,
ହଳଦୀକାଠୁଆ କାଲି ଲୋଡା ହେବ
ବସୁମତୀ ହେବେ ସ୍ନାନ
ହଳଦୀ କାଠୁଆ ନାହିଁ
ଝିଅ ବୋହୂ ଆଉ ହଳଦୀ ଲଗେଇ
ଗାଧେଇବା ଦେଖୁ ନାହିଁ।

ଆଗାମୀ ଦିନରେ ରଜ ଯେ ନଥିବ
ଜଳ ଜଳ‌ ଦେଖାଯାଏ,
ଆଧୁନିକତାର ମୋହରେ ପଡିଣ
ରଜ ଯିବ ଵାଏ ବାଏ
ପଞ୍ଜିକାରେ ଲେଖା ଥିବ
ଆମ ପର ପିଢ଼ି କ୍ୟାଲେଣ୍ଡର ଦେଖି
ଜାଣିବେ ରଜ ପରବ।

ପାଶ୍ଚାତ୍ୟମୋହରେ ହୋଇଣ ପାଗଳ
ଆମ ଏ ଓଡ଼ିଆ ଜାତି,
କେତେଯେପରବ କେତେଯେ ଉତ୍ସଵ
ମାଟିରେ ଦେଲାଣି ପୋତି
ଓଡ଼ିଆ ସନ୍ତାନ ସର୍ବ
ଆଧୁନିକ ଦ୍ୱାହି ଦେଇ ଭୁଲନାହିଁ
ଏ ରଜ ଉତ୍ସଵ କେବେ।

ମଣିଷ ବସୁନି ମଣିଷ ପାଖରେ
ନାହିଁ ପୂର୍ବ ସହଯୋଗ,

ସମ୍ପର୍କର ସେତୁ ଦୁର୍ବଳ ହେଉଛି
ସ୍ଵାର୍ଥରେ ସଭିଏଁ ଲିପ୍ତ
ନାହିଁ ସେ ସମ୍ପର୍କ ଖିଅ
ପଦିଏ କଥାରେ ସମ୍ପର୍କ ତୁଟୁଛି
ପିତାକୁ ଭୁଲ ଯେ ପୁଅ।

ନାରୀ ଓ ପ୍ରକୃତି ଏକ ଯେ ଅଭିନ୍ନ
ସଦା ଦୁହେଁ ପୂଜନୀୟ,
ମାତୃ ତୁଲ୍ୟ ଦୁହେଁ ତାଙ୍କର ମହିମା
ଚିର କାଳ ସ୍ମରଣୀୟ
ଭୂମି ସ୍ପର୍ଶ ମନାଥାଏ
ହିନ୍ଦୁ ସଂସ୍କୃତିର ପ୍ରତୀକ ଯେ ନାରୀ
ରଜପର୍ବ ଶିକ୍ଷାଦିଏ।

ପରବର ରାଣୀ ଆସୁଥାଅ ତୁମେ
ପ୍ରତି ଆଦ୍ୟ ଆଷାଢ଼ରେ,
ତୁମ ସ୍ପର୍ଶ ପାଇ ଝୁମୁ ଥିବୁ ଆମେ
ହସ ଖୁସି ଆନନ୍ଦରେ
ମନରେ ଉଲ୍ଲାସ ଭରି
ଆସନ୍ତୁ ସଭିଏଁ ମିଳିମିଶି କରି
ପାଳିବା ରଜ ଆମରି।

ସଂସ୍କୃତି ବଞ୍ଚିଲେ ପ୍ରକୃତି ବଞ୍ଚିବ
ପ୍ରକୃତି ବଞ୍ଚିଲେ ଆମେ,
ଆମରି ସଂସ୍କୃତି ବଞ୍ଚାଇ ରଖିବା
ଶପଥ ନେବା ଯେ ଆମେ
ଉତ୍କଳର ନେତା ଜଣେ
ସବୁତ ଦେଖନ୍ତି ସେ ଚକାଆଖିରେ
ବସି ନୀଳାଚଳ ଧାମେ।
~~~~~~~~~~~~~~~~~~~~~

Leave a Comment

Your email address will not be published. Required fields are marked *