ରୁଦ୍ଧ ଚେତନାର ଦିଗନ୍ତକୁ ଚିରି
ମୋର ରିକ୍ତ ହୃଦାକାଶ ପୁର୍ଣ କରି,
ତୁମେ ଲାସ୍ୟମୟୀ ଆସ ଅବତରି
ଆପଣା ପଣରେ ନିଅ ମୋତେ ବରି।
ଅନ୍ଧାରୀ ଜୀବନେ ତୁମ ଜ୍ୟୋତି ଭରି
ବଞ୍ଚିବାର ନବ ଆଶା ଦିଅ ଭରି,
ଆନନ୍ଦ ବିଧୁର ଚିତ୍ତ ତଟିନୀରେ
ସାଜ ମୋ ସ୍ୱପ୍ନର ରାଜକୁମାରୀ।
ନିଦ୍ରିତ ନୟନ ଗୋପନ ଅଞ୍ଚଳେ
ତୁମ ଆକାଂକ୍ଷିତ ସ୍ମୃତି ଧୀରେ ଦୋଳେ,
ମୁଦିତ ଚକ୍ଷୁର କଳ୍ପନା ଦୃଷ୍ଟିରେ
ତୁମେ ଉଇଁ ଆସ ସମ୍ଭାବନା ପୂର୍ବାଚଳେ।
ଛାତିରେ ଛାତିଏ ପ୍ରେମ ପୂର୍ଣ୍ଣ କରି
ରାତିଏ ରାତିଏ ସ୍ବପ୍ନ ଧନ ଭରି,
ରହିଛି ରହିବି ତୁମ ସାନ୍ନିଧ୍ୟରେ
ତୁମେ ମୋତେ ମୁଁ ତୁମକୁ ଆଶ୍ରା କରି।
ଅଭୁଲା ପାଲଟେ ତୁମ ସାଥେ ଯେତେ
ଅନ୍ତରଙ୍ଗ ସବୁ ଅନ୍ତରାଳ ଯେତେ,
ସେଥିପାଇଁ ସାଥୀ ତୁମ ସାଥେ ମୋର
ପଡ଼ିଛି ଯୋଟକ ରେଖାଙ୍କିତ ହସ୍ତେ।
ତୁମେ ହେ ଜୀବନ ମୋହିନୀ ଗୋ ଶୁଣ
ତୁମ ବିନା ଦିବା ରାତ୍ର ଏଠି ଶୁନ୍ୟ,
ହୁଅ ପଛେ ଇନ୍ଦ୍ରଜାଲର ଛଳନା
ଚେତନା ସେପାଖେ ତୁମେ ହିଁ ଜୀବନ।