ଡିସେମ୍ବର ଏକତିରିଶ ତାରିଖ.। ଅନେକଙ୍କ ସ୍ବପ୍ନର ରାତି। ମତୁଆଲା ହେବାର ରାତି। ଗୋଟିଏ ବର୍ଷର ଅନ୍ତିମ ଦିନରେ ସତେ ଯେମିତି ବର୍ଷଟା ଯାକର ଦୁଃଖକୁ ଧୋଇଦେଇ ଖୁସିକୁ ଉପଭୋଗ କରିନେବେ ସମସ୍ତେ। ୟଙ୍ଗ ଷ୍ଟାର୍ କ୍ଲବ ପାଇଁ ଏ ରାତି ହୋଇଉଠେ ସ୍ବତନ୍ତ୍ର। ସେମାନେ ତାଙ୍କ କ୍ଲବର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସଭାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏ ରାତିଟିକୁ ଉପଯୁକ୍ତ ମନେକରନ୍ତି।ଅରୁଣିମା ଫୋନ ପାଇ ଏଠାକୁ ଆସିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ। ସକାଳୁ ସୁଲଳିତ କଣ୍ଠରେ ଜଣେ ଫୋନ କଲେ; “ମାଡାମ୍ ! ନମସ୍କାର, ଆପଣ ଆମ ୟଙ୍ଗ୍ ଷ୍ଟାର୍ କ୍ଲବ ତରଫରୁ ଲେଡି ଅଫ ଦ ଇଅର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆଜି ସନ୍ଧ୍ୟା ଠିକ୍ ୬.୦୦ଟାରେ ଆପଣଙ୍କୁ ସମ୍ବର୍ଦ୍ଧିତ କରିବାର ସୁଯୋଗଟିଏ ଆମକୁ ଦେବେ। ଆମ କ୍ଲବର ଲୋକେସନ ଆପଣଙ୍କୁ ସେଆର କରି ଦିଆଯିବ ।” ଅରୁଣିମାକୁ କିଛି କହିବାର ସୁଯୋଗ ନ ଦେଇ କଟିଗଲା ଫୋନ୍। କ୍ଲବକୁ ଯିବା ଓ ନ ଯିବାର ଦ୍ବନ୍ଦ ଭିତରେ ତାର ଉତ୍ସୁକତା ବଢୁଥିଲା। ୟଙ୍ଗ ଷ୍ଟାର୍ କ୍ଲବ ଓ ଲେଡି ଅଫ ଦ ଇଅର ଏସବୁ ତା ମସ୍ତିଷ୍କରେ ରହସ୍ୟର ଜାଲ ବୁଣୁଥିଲେ ।
ସେ ନିଜେ ଯେପରି ସାଧାରଣ ରହିବାକୁ ପସନ୍ଦ କରେ ଠିକ୍ ସେହିପରି ବେଶଭୂଷାରେ କ୍ଲବରେ ପହଞ୍ଚିଲା। ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦେଉଥିଲେ ୟଙ୍ଗ୍ ଷ୍ଟାର୍ କ୍ଲବର ସୁନ୍ଦରୀ ତନୁ ଓ ତାରୁଣ୍ୟରେ ଛଳ ଛଳ ତରୁଣୀମାନେ। ସେମାନଙ୍କ ଉଦ୍ୟମ ଓ ବୁଦ୍ଧିମତ୍ତାକୁ ମନେ ମନେ ପ୍ରଶଂସା କରୁଥିଲେ ଅରୁଣିମା।ତାଙ୍କର ନାମ ଘୋଷଣା କରିବା ପୂର୍ବରୁ ସେମାନେ ତାଙ୍କୁ ବିବର୍ତ୍ତନର ସ୍ବର, ସାମାଜିକ ଶୃଙ୍ଖଳ ଓ ଅନ୍ଧବିଶ୍ୱାସରୁ ଉର୍ଦ୍ଧ୍ବରେ ଏମିତି ଗୁଡାଏ ଉପାଧିରେ ଭୂଷିତ କରି ପରିଚୟ ଦେଉଥିଲେ। ଶେଷରେ କହିଲେ “ଆଗାମୀ ପିଢୀ ପାଇଁ ବିବର୍ତ୍ତନର ସ୍ବର ପାଲଟିଥିବା ମହିଳା ଆଉ କେହି ନୁହଁନ୍ତି, ସେ ଆମର ପ୍ରିୟ ଅଧ୍ୟପିକା ଅରୁଣିମା ପ୍ରିୟଦର୍ଶିନୀ । କରତାଳିରେ ହଲ କମ୍ପୁଥିବା ବେଳେ ଅରୁଣିମା ଷ୍ଟେଜ ଉପରକୁ ଚଢୁଥିଲେ.। ମନେମନେ ହସୁଥିଲେ, ସେ ଯେ ଗୋଟିଏ ବିନ୍ଦୁରେ ସ୍ଥିର ଅଛନ୍ତି ଓ ସମୟ ଚକ ଘୁରୁଛି ଏକଥା ସେ ଏକା ହିଁ ବୁଝନ୍ତି ।
ଷ୍ଟେଜକୁ ପହଞ୍ଚିବା ପରେ ଜଣେ ତରୁଣୀ ତାଙ୍କ ବେକରୁ ଡାହାଣ ପଟକୁ ଲେଡି ଅଫ ଦ ଇଅର ଲେଖାଥିବା ପଟିକୁ ଝୁଲେଇଲେ ।ହାତରେ ଦେଲେ ସୁନ୍ଦର ଫୁଲତୋଡା, ଏକ ମାନପତ୍ର ଓ ଏକ ସ୍ମୃତିଫଳକ । ଅନ୍ୟ ଜଣେ ତରୁଣୀ ପ୍ରଶ୍ନ କଲେ “ସମାଜର ତଥାକଥିତ ନିତି ନିୟମର ପ୍ରତିକୂଳ ସ୍ରୋତରେ ଗତିକରି ଆପଣ ଏତେ ଦୃଢ ନିଷ୍ପତ୍ତି ନେବାର ଶ୍ରେୟ କାହାକୁ ଦେବେ.? ଆପଣଙ୍କ ପ୍ରେରଣା କିଏ ?
ସେ କିଛି କହିବାକୁ ମନା କରିବାକୁ ଉଦ୍ୟତ ହେଲାବେଳେ ସେ ତରୁଣୀ ଜଣକ କହିଲେ “ଆପଣ ଲାଇଭ ସୋ ରେ ଅଛନ୍ତି ମେଡମ୍ । ଆମ କ୍ଲବର ଫେନ ମାନେ ଏ ଲାଇଭ ସୋ ର ଉତ୍ତରକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏ ତରୁଣୀମାନେ ତାଙ୍କୁ ଝଟକା ପରେ ଝଟକା ଦେଇ ଚାଲିଛନ୍ତି । ଉତ୍ତର ଫେରାଇଲେ ଅରୁଣିମା _”ମୁଁ ଏହାର ଶ୍ରେୟ ମୋ ଝିଅ ଶ୍ରେଷ୍ଠାକୁ ଦେବି, ମୋ ପ୍ରେରଣା ମୋ ସ୍ବାମୀ। ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ମୁଁ ଏ ନିଷ୍ପତ୍ତି ନେଇଛି। ବାସ୍ ଆଉକିଛି ପଚାରନ୍ତୁ ନାହିଁ.।”
ସମାଜ ଯାହାକୁ ପରଂପରା ବିରୋଧୀ କହେ ଆମେ ୟଙ୍ଗଷ୍ଟାର୍ ମାନେ ତାକୁ ବିବର୍ତ୍ତନ କହୁଁ । ଧନ୍ୟବାଦ ମେଡମ। ଆପଣ ହିଁ ପ୍ରକୃତରେ ଆଜିର ବିବର୍ତ୍ତନର ସ୍ବର। ଷ୍ଟେଜରୁ ଓହ୍ଲାଇବା କ୍ଷଣି ଅରୁଣିମା ‘ଝିଅ ଘରେ ଏକା ଅଛି’ କହି କ୍ଷମା ମାଗିନେଇ ବାହୁଡିଲେ । ସେ ଜାଣୁଥିଲେ ଏ ଲାଇଭ ସୋ ର ଭିଡିଓ ଟି ଘୁରି ବୁଲିବ । ତାଙ୍କ ପାଇଁ ଏ ଭିଡିଓ ଏକ ନୀରବ ଝଡକୁ ସ୍ବାଗତ କରିବନି ତ? ଆଶଙ୍କାରେ ଭରି ଉଠୁଥିଲା ତାଙ୍କର ମନ। ଭାବନାର ଅଡୁଆ ସୂତାରେ ଗୁଡେଇ ତୁଡେଇ ହୋଇ ଘରେ ପହଞ୍ଚିବା କ୍ଷଣି ବହୁଦିନରୁ ଅନେକ ଘଟଣାର ମୂକସାକ୍ଷୀ ଥିବା ଲ୍ୟାଣ୍ଡ ଲାଇନ୍ ଟି ବାଜିଲା ଟ୍ରିଂ….ଟ୍ରିଂ….ଟ୍ରିଂ ।ଅରୁଣିମାର ଆଶଙ୍କା ସତ ହେବାକୁ ଯାଉଛି ବୋଧହୁଏ । ସୁପ୍ତ ଆଗ୍ନେୟଗିରିରୁ ଏଥର ଲାଭା ନିଶ୍ଚୟ ଉଦ୍ଗୀରଣ ହେବ । ନହେଲେ ସେଲ୍ ଫୋନ୍ ଥାଉ ଥାଉ ଲ୍ୟାଣ୍ଡ ଲାଇନ୍ ରେ ଫୋନ୍……. ।
ପୂର୍ବରୁ ସେ ଅସିତ୍ କୁ ପ୍ରତିଦିନ ପଣିକିଆ ମୁଖସ୍ଥ କଲାପରି କହୁଥିଲେ “ଏ ଲ୍ୟାଣ୍ଡ ଲାଇନ୍ ଫେରାଇଦିଅ, ଆମର ତ ନିଜ ନିଜର ସେଲ୍ ଫୋନ ଅଛି ।” ଅନ୍ୟମନସ୍କ ହେଉଥିଲେ ଅସିତ୍, କିଛି କହୁ ନଥିଲେ। ଦିନେ ଅରୁଣିମା ବେଶୀ ବିରକ୍ତ ହେବାରୁ ମୁହଁ ଖୋଲିଲେ” ନା ଥାଉ, କେବେ ତ ଦିନେ ଏଥିରେ ଫୋନ୍ ଆସିବ, ଶେଷ ବେଳକୁ ରୁଦ୍ଧ ହୋଇଆସୁଥିଲା ତାଙ୍କ କଣ୍ଠସ୍ବର । ସେ ଦିନଠୁ ପଣିକିଆ ଭୂଲିଯିବା ପରି ପାଶୋରିଗଲେ ସେ କଥାଟିକୁ । ଆଜି ଅସିତ୍ ନ ଥିଲେ ବି ସତ ହୋଇଛି ତାଙ୍କ କଥାଟି ।
ଲଗାତାର ରିଂ ହେଉଛି ଫୋନଟି । ଦୀର୍ଘଶ୍ବାସଟିଏ ନେଇ ଫୋନ୍ ଉଠେଇଲେ ଅରୁଣିମା । ଏପଟର କୌଣସି ସ୍ବର ଅପେକ୍ଷା ନ କରି ସେପଟରୁ ଉତ୍ତେଜିତ ସ୍ବରଟିଏ ଆଦେଶ ଦେବା ପରି ଭାସିଆସିଲା “ମୁଁ ଅସିତ୍ ର ବାପା କହୁଛି କାଲି ଝିଅକୁ ନେଇ ଗାଁ କୁ ଆସ ।” ଉତ୍ତରକୁ ଅପେକ୍ଷା ନକରି କଟିଗଲା ଫୋନ୍ ।
ଠିକ୍ ଏତିକି ବେଳେ ଶ୍ରେଷ୍ଠା ଆସି କହିଲା_”ମାମା ! ଏ ଅଛିଣ୍ଡା ହରଣ ଭାଗଶେଷ ଶୂନ୍ ହିଁ ହେଉନି ।ଭାଗଶେଷ ଶୂନ୍ ନ ହେଲେ ମତେ ଭଲ ଲାଗେନି ।”ଅରୁଣିମା ନିଜ ମନକୁ ବୁଝେଇଲା ପରି ଶ୍ରେଷ୍ଠାକୁ ବୁଝେଇଲା ” ଭାଜ୍ଯ ଓ ଭାଜକ ଭିତରେ ସମସ୍ୟା ରହିଲେ ଭାଗଶେଷଟିଏ ରହେ ।ସମସ୍ଯାର ସମାଧାନ ହେଲେ ଭାଗଶେଷ ଶୂନ୍ ହୁଏ। “ଏତିକିବେଳେ ଶ୍ରେଷ୍ଠା ର ନଜର ପଡିଲା ୟଙ୍ଗ୍ ଷ୍ଟାର୍ କ୍ଲବ ଦେଇଥିବା ସ୍ମୃତି ଫଳକ ଉପରେ।
ଓ୍ବାଓ ମାମା ! ବିଉଟିଫୁଲ ବହୁତ ସୁନ୍ଦର ଦେଖାଯାଉଛି କହି ଦେଖିବାକୁ ଲାଗିଲା ।
ପରଦିନ ଗାଁ କୁ ଯିବାର ଯାତ୍ରୀବାହୀ ବସ୍ ରେ ଅରୁଣିମା, ସିନ୍ଥିରେ ସିନ୍ଦୂର, ହାତରେ କାଚ, ଗଳାରେ, ପାଦରେ ସବୁଠି ଅଳଙ୍କାର। ସେ ମନକୁ ଦୃଢରୁ ଦୃଢତର କରୁଛି । ଝଡର ଇଗଲ କୁ ସାମ୍ନା କରିବାକୁ ହିଁ ହେବ, ତାକୁ ଲଢିବାକୁ ହିଁ ହେବ। ଅସିତ୍ ଙ୍କ ଇଚ୍ଛାକୁ ସେ ନ୍ୟାୟ ଦେଇ ପାରିବତ ? ଅସିତ୍ ଙ୍କ ସହ ତାରି ପ୍ରେମ ବିବାହକୁ ତାଙ୍କର କୁଳୀନ ବ୍ରାହ୍ମଣ ପରିବାର ଗ୍ରହଣ କରି ନ ଥିଲେ ଯଦିଓ ଅରୁଣିମା ଭିନ୍ନ ଜାତିର ନ ଥିଲେ । ଦୁଇଜଣଙ୍କ ଚାକିରି ଜୀବନରେ ସଂସାରର ରଥ ଗଡିବାରେ ଅସୁବିଧା ନ ଥିଲା । ସୁଖ,ଦୁଃଖ ଦୁହିଁଙ୍କ ଭିତରେ ଥିଲା ସିମୀତ । ବିଭାଜିତ ହେଲା ପରିବାରର ନିଅଁ । ଅସିତ୍ ଯେତେ ବୁଝେଇଲେ ବି ସମସ୍ୟାର ସମାଧାନ ହେଉ ନ ଥିଲା କି ଭାଗଶେଷ ଶୂନ୍ ହେଉ ନଥିଲା.। ତାରି ଝିଅ ଶ୍ରେଷ୍ଠା ଅସିତ୍ ର ପରିବାର ପାଇଁ ଏକ ଅନାକାଂକ୍ଷିତ ଭାଗଶେଷ ।
ଦୁରାରୋଗ୍ୟ ବ୍ୟାଧିରେ ପିଡିତ ହୋଇ ବି ଅସିତ୍, ମନାକଲେ ନିଜ ପରିବାରର ଲୋକଙ୍କୁ ଜଣେଇବା ପାଇଁ। ସଂପର୍କ ରଖୁ ନଥିବା ଲୋକଙ୍କ ଠାରୁ ସାହାଯ୍ୟ ନେବା ଅପେକ୍ଷା ନିଜ ସ୍ବାଭିମାନକୁ ନେଇ ବଞ୍ଚିବାକୁ ପସନ୍ଦ କଲେ ଅରୁଣିମା। କେବଳ ଗାଁର ଜଣେ ସଂପର୍କୀୟଙ୍କ ଠାରୁ ଅସିତ୍ ନିଜ ଘର ଲୋକଙ୍କ ଭଲ ମନ୍ଦ ବୁଝି ନେଉଥିଲେ । କେଉଁ ଦାୟରେ ଆଜି ଅସିତ୍ ଙ୍କ ବାପା ଆସିବାକୁ କହିଲେ ବୁଝିପାରୁ ନ ଥିଲେ ସେ । ଆଜିବି ବସ୍ ଷ୍ଟାଣ୍ଡରୁ ଅସିତ୍ ଙ୍କ ସଂପର୍କୀୟ ହିଁ ତାଙ୍କୁ ତାଙ୍କ ଶଶୁରଘରକୁ ବାଟ କଢେଇ ନେଉଥିଲେ । ଶ୍ରେଷ୍ଠାର ଅନେକ ପ୍ରଶ୍ନର ଉତ୍ତର ଦେଇ ମାନସିକ ସ୍ତରରେ ସେ କ୍ଲାନ୍ତିକୁ ଆବୋରି ବସିଲେଣି ।
ଗାଁ ଦାଣ୍ଡରେ ଚାଲି ଚାଲି ଗଲାବେଳେ ଦରଜା ସେ ପାଖରୁ ଓଢଣା ତଳ ମୁହଁଟିମାନ ତାକୁ ଦେଖି ଆଖି ବିସ୍ଫାରିତ କରୁଥିଲେ । ଶାସନୀ ବ୍ରାହ୍ମଣ ଘରର ବୋହୂର ଏ କି ବେଶ, ଧର୍ମ ସହିବନି । କେହି କେହି ଛି ଛାକର କରୁଥିଲେ କାହା କାହାର କଟୁକ୍ତି ବି ତା କାନରେ ବାଜୁଥିଲା। କି ଯୁଗ ହେଲା କିଲୋ ମାଁ, ଏ ଭୂଆଷୁଣୀ ବେଶ ନା ଅଲକ୍ଷଣି ବେଶ ?ଶାସନୀ ବ୍ରାହ୍ମଣ ଘରର ଇଜ୍ଜତ ରହିଲାଟି ? ଆଜି ଦିନକ ଭଲା ଏ ବେଶ ହୋଇ ନ ଥାନ୍ତା ?
ସବୁ ଶୁଣି ଶୁଣି ନିଜ ହୃଦୟକୁ ଲୁହାଠାରୁ ବି ଆହୁରି ଟାଣ କରୁଥିଲେ ଅରୁଣିମା । ଏବେ ତ ପାହାଡ଼ ସଦୃଶ ନିତି, ନିୟମ,ଧର୍ମ, ଉପଦେଶ ପରି ଶବ୍ଦକୋଷର ଶବ୍ଦ ଓ ବାକ୍ଯ ସହ ତାଂକୁ ଲଢିବାକୁ ପଡିବ ।ଅସିତ୍ ଙ୍କ ସଂପର୍କୀୟ ତାଂକୁ ଦାଣ୍ଡ ଦୁଆରେ ଛାଡିଦେଇ ଶ୍ରେଷ୍ଠାକୁ ନିଜ ଘରକୁ ନେଇଗଲେ। ଦାଣ୍ଡଘରେ ଶଶୁର, ଦେଢଶୂର ଓ ଆହୁରି ପାଞ୍ଚଜଣ ସମାଜର ବଡପଣ୍ଡା ବୋଲାଉଥିବା ବ୍ରାହ୍ମଣମାନେ । ମୁଣ୍ଡିଆଟିଏ ମାରୁ ମାରୁ “ସେଇଠି ରୁହ” କଠୋର କଣ୍ଠରେ କହିଲେ ଅସିତ୍ ର ବାପା । ତାକୁ ଉଠିବାକୁ କେହି କହିଲେନି । ନିଜେ ନିଜେ
ମୁଣ୍ଡିଆ ମାରି ଉଠିଲା । ଆଖି ଘୁରେଇଲା ଦାଣ୍ଡ ଘରେ। ଥାକରେ ଏକ ପ୍ଲେଟ ଉପରେ କଇଁଛଟିଏ, କଇଁଛ ପୂଜାକଲେ ଆଜିକାଲି କୁଆଡେ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଉଛି। କଇଁଛଟିକୁ ଏକ ଲୟରେ ଅନେଇ ସେ ଭାବୁଥିଲେ ” ଏ ଖୋଳପାଟା କ’ଣ ତା ପାଇଁ ବୋଝ ନା ସମସ୍ଯାର ସମାଧାନ।
ଶଶୁର କଠୋର କଣ୍ଠରେ କହୁଥିଲେ _”ତୁମକୁ ଲଜ୍ଜ୍ୟା ଲାଗୁନି,ଅସିତ୍ ର ମୃତ୍ଯୁ ପରେ ବି ତୁମର ଶଙ୍ଖା, ସିନ୍ଦୂର ନାଇବାର ସୌକ୍ ଯାଇନି ।ତୁମେ ବ୍ରାହ୍ମଣ ଘରର ବୋହୂ, ଚାକିରୀ କରିଛ ବୋଲି ସମାଜର ନିତିନିୟମ ମାନିବନି। ବିବର୍ତ୍ତନର ସ୍ବର ପାଲଟିବ ବୋଲି ପରଂପରା ବିରୋଧରେ ଯାଇ ସ୍ବାମୀର ମୃତ୍ଯୁ ପରେବି ଶଙ୍ଖା ସିନ୍ଦୂର ପିନ୍ଧିବ । ଏବେ ଏଇଠି ତୁମେ ବିଧବା ହେବ, ତେବେ ତୁମକୁ ଓ ତୁମ ଝିଅକୁ
ଏ ଘରେ ଗ୍ରହଣ କରାଯିବ ।
ପରଂପରାଗତ ନିତି ନିୟମରେ ବନ୍ଧା ଲୋକଙ୍କ ପାଇଁ ନୂତନତାକୁ ଗ୍ରହଣ କରିନେବା ଏତେ ସହଜ କଥା ନୁହେଁ। ଏହା ଜାଣିବି ଖୁବ୍ ଧିର ଅଥଚ ଦୃଢ ସ୍ବରରେ ଅରୁଣିମା କହିଲେ ” ନା, ମୁଁ ସିନ୍ଦୂର ପୋଛି ପାରିବିନି କି ଶଙ୍ଖା ଓହ୍ଲାଇ ପାରିବିନି । ଶଙ୍ଖା, ସିନ୍ଦୂର ଓହ୍ଲାଇ ମୁଁ ଅସିତ୍ ର ବିଧବା ପତ୍ନୀ ହୋଇ ରହିବି ତ ? ଏବେ କ’ଣ ମୁଁ ତାଙ୍କର ପତ୍ନୀ ନୁହେଁ ? ମୃତ୍ୟୁ ପୂର୍ବରୁ ଆପଣଙ୍କ ପୁଅ କ’ ଣ କହିଥିଲେ ଜାଣନ୍ତି
ବାପା “ତୁମେ ଯେତେଦିନ ମୋ ନାଁ ରେ ଶଙ୍ଖା, ସିନ୍ଦୂର ନାଉଥିବ ମୁଁ ସତେଦିନ ବଞ୍ଚିଥିବି । ମୋର ଶେଷ ଇଚ୍ଛା ତୁମେ ବଞ୍ଚିଥିବା ଯାଏଁ ମଥା ଓ ହାତ ଖାଲି ରଖିବନି ।
ସ୍ରୋତର ଅନୁକୂଳରେ ଯାଇ ସମସ୍ତେ ସୁରକ୍ଷିତ ରହିପାରନ୍ତିନି ବାପା । ମୁଁ ତାଙ୍କରି ନାଁରେ ଶଙ୍ଖା, ସିନ୍ଦୂର ପିନ୍ଧୁଥିବା ଯାଏଁ ଆଗାମୀ ଜନ୍ମ ପର୍ଯ୍ୟନ୍ତ ଭଗବାନ ଅନ୍ୟ କାହାକୁ ତାଙ୍କର ପତ୍ନୀର ଆସନ ଦେଇପାରିବେନି । ମୋର ଶୂନ୍ଯ ସିନ୍ଥି ଓ ଖାଲି ହାତ ଦୁନିଆଁର ଚିଲ, ଶାଗୁଣାର ଦୃଷ୍ଟିରୁ ମତେ ରକ୍ଷା କରି ପାରିବତ? ଶଙ୍ଖା, ସିନ୍ଦୂର ନାରୀର ମନକୁ ଏକ ମଜବୁତ୍ ସୂତାରେ ବାନ୍ଧି ରଖେ । ଭାବିନିଅନ୍ତୁ ଏହା ମୁଁ ନିଜେ ନିଜ ପାଇଁ ଏକ ଲକ୍ଷ୍ମଣଗାର ଟାଣି ନେଇଛି । ମତେ ଏସବୁ ନେଇ ରହିବାକୁ ଦିଅନ୍ତୂ ନଚେତ୍ ଫେରିଯିବାକୁ ଅନୁମତି ଦିଅନ୍ତୁ। ଏତିକି କହି ଅରୁଣିମା ଶ୍ରେଷ୍ଠାର ଇପ୍ସିତ ଭାଗଶେଷକୁ ଅପେକ୍ଷା କରି ରହିଲେ ।
ବରଗଡ
ମୋବାଇଲ୍ ନଂ ୯୫୫୬୦୪୫୮





