କହିଥିଲ ଆସିବାକୁ,
ଆସିବ ନିଶାର ଅନ୍ଧାର ଚିରି,
ପାଖେ ବସିବ ଆଉ କହିବ ଅନ୍ତରର କଥା
ଏତେ ଦିନୁ ମନରେ ସାଉଁଟା ଦୁଃଖକୁ
ଭାବିଥିଲି ସେ ହସରେ ଫେଣ୍ଟି ଦେବି ବୋଲି ।
ତୁମେ କହିଥିଲ ଆସିବାକୁ,
ବସନ୍ତର ପରେ ଝଡ଼ ଶାନ୍ତ ହେବା ପରେ,
ମୁଁ ଲୁଚିଯିବି ନିଜ ଛାତି ତଳେ –
ଯେଉଁଠି ଅନୁପସ୍ଥିତ ଶବ୍ଦର ଝଙ୍କାର,
କିନ୍ତୁ ନୀରବତା ନିତି ଆଳିଙ୍ଗନ କରେ ।
ମୁଁ ଏଠି ଅପେକ୍ଷା କରୁଥିଲି,
ମୋ ଘରର କବାଟ ଝରକା ଖୋଲି,
ଏକ ଦୀପ ଜାଳି ରଖୁଥିଲି ପ୍ରତି ରାତି –
ତୁମେ ହୁଏତ ଆସିବ ବୋଲି,
ସହଜେ ପାଇବ ଦିଗ ଦେଖି ଏ ଆଲୋକ।
ତୁମେ କହିଥିଲ ଆସିବାକୁ,
ଶ୍ରାବଣ ବର୍ଷାର ଦିନ ଥିଲା ସେ ତ –
ମୋ ମନର ସବୁ ତନ୍ତ୍ରୀ ଗାଉଥିଲେ ଗୀତ
ପିନ୍ଧି ନୂଆ ପରିଧାନ, ଅପେକ୍ଷା ମୁଁ କଲି ଗଛ ତଳେ ବସି –
ପାଖେ ଥିଲା ଫୁଲ ମାଳା ସ୍ବାଗତ ନିମନ୍ତେ।
କହିଥିଲ ଆସିବାକୁ,
ଘୁରାଇ ପଛକୁ ମୁହଁ ସମୟ ହସିଲା,
ଯେବେ ଦେଖୁଥିଲେ ଲୋକେ ବୁଡୁଥିଲା ଭେଳା
ଅନ୍ୟ ମାନେ ବୁଝିଥିବେ ମୋ ଅଭାବ କଥା
ତୁମେ ଆସିବ ଆସିବ ନିଶ୍ଚେ
ମୁଁ ଏକ ସଂପୂର୍ଣ୍ଣ ବାକ୍ୟ ଯୁକ୍ତ ମାତ୍ରା ଫଳା।
କିନ୍ତୁ ଆସିଲା ବର୍ଷା, ଆସିଲନି ତୁମେ
ବାସିହେଲା ଫୁଲମାଳା ମଉଳିଲା ଫୁଲ,
ପତ୍ରଝଡ଼ା ଦେଲା ଗଛ ପତ୍ର ମାଳ ମାଳ,
କହିବେ କହିବେ କିନ୍ତୁ ସବୁ ନିରୁତ୍ତର
ମୋ ଚକ୍ଷୁ ଖୋଜିଲା କିଛି ପ୍ରଶ୍ନର ଉତ୍ତର।
କହିଥିଲ କେତେ ଚିଠି ମୁଁ ଲେଖିଲି,
ପ୍ରତି ଶବ୍ଦ ରହିଗଲା ମୁଖ ବନ୍ଧା ପାନଖିଲ ପରି
ଉଚ୍ଚାରଣ ହୋଇନଥିବା ଦୁଃଖର ସିନ୍ଦୁକ ଭିତରେ,
ତୁମେ କେବେ କାହିଁ ଉତ୍ତର ଦେଲନି –
ମୁଁ କିନ୍ତୁ ଚାଲିଗଲି ପହଞ୍ଚିଲି ଚିଠି ଧରି ଡାକ ବାଲା ପରି।
ଏବେ ଯାଉଛି ସମୟ, ଫେରୁଛନ୍ତି ଲୋକେ,
ମୁଁ ଅଛି ଗଛ ତଳେ ଧରିତ୍ରୀ କୋଳରେ
ଶୂନ୍ୟ ନୟନ ଆଉ ନେଇ ଅସ୍ପଷ୍ଟ ହସର ସାହାରା,
ଏବଂ ନେଇ ଏକ ଅପରିପୂର୍ଣ୍ଣ କଥା
ମୋ ଭାବନାର ଆକାଶ ତଳେ
ଏବେ ମୁଁ କହେ –
ତୁମେ ଆସିବାକୁ କହିଥିଲ, ମୁଁ ଏଠି ଅପେକ୍ଷା କରୁଛି
ଜୀବନକୁ ବୁଝିବା ପାଇଁ ନିରନ୍ତର ପରୀକ୍ଷା କରୁଛି।
ଅଶ୍ଵପୂରମ , ତେଲେଙ୍ଗାନା





