ମଧୁବୋଧ

କାଳିଆ କଳାରେ କଳା ଭରିଦେଇ

କାଳ କରି କାବୁ କାଳିଆ କହଇ..

କଳାମୟ ହରି କଳେବର ହରି..

କଳାରେ କଳାରେ ଦୁଃଖ ହରିଥାଇ..l

ଖରେ ଖରା ଯହିଁ..ଖବର ବି ନାହିଁ…

ତଥାପି କ୍ଷଣେ ସେ ଥୟ ନ ଧରଇ..

କ୍ଷୀଣ ଆଶା କ୍ଷୀପ୍ରେ…ଖିଆଲ ଆଣଇ..

କ୍ଷୀଣ ତନୁ କ୍ଷଣେ କ୍ଷମା ମାଗିଥାଇ..l

ଗଲାଣି ତ ଗଲା କଥାରେ ..

ଗଲା ନାହିଁ କିନ୍ତୁ ବ୍ୟଥାରେ..

ଗଲା ପରେ ଯାହା ଗଲାନାହିଁ ତାହା..

ଗଲା କୁହ କେଉଁ ରାସ୍ତାରେ..!!??

ଘର ଚଟିଆଟି ଘର କରିଦେଇ

ଘରେ ରହି ଯାଇ ପାରେନା..

ଘର କରିଦେଲେ ଘୋର ସଂସାରଟି

ମୃତ୍ୟୁ କୁ ଘେରାଇ ପାରେନା..l

ଚକା ଆଖି କୁହେ ଚକ ଗଡିଚାଲେ..

ଚକା ପରି ଗୋଲ ଦୁନିଆ ରୀତି..

ଚକ ସହ ଯଦି ଗଡ଼ି ପାରିବନି..

ଚକା ତଳେ ଯିବ ଜୀବନ ବିତି..l

ଛକା ପଞ୍ଝା ଖେଳ ଖେଳି ଥାଏ କାଳ..

ଛକି ଥାଏ ଝାମ୍ପି ନିଏ ସକଳ..

ଛ ମାଣ ପଛରେ ଦଉଡ଼ି ଦଉଡ଼ି..

ଛୁ ହୋଇଯାଏ ଛାତିର ବଳ..l

ଜନମ ସହିତ ମରଣ ବନ୍ଧନ..

ଜନ୍ମ ଜନ୍ମ ଧରି ଜଗତେ ଅଛି..

ଜଗନ୍ନାଥ ପଦେ ଯଦି ଯାଅ ଲାଖି…

ଆଉ କି ମରଣ ଜନ୍ତା ଜଗିଛି..l

ଝଙ୍କାର ଝରାଇ ଝୁମି ଝୁମି ଆସେ..

ଝରା ଶ୍ରାବଣ ର ଝରା ମୌସୁମୀ..

ଝରାଇ ଝରଣା ପ୍ରୀତି ଅଗଣାରେ..

ଝୁରାଇ ଯାଏ ସେ ଝୀନ ବନ୍ଧନୀ..l

ନବ ଗୁଞ୍ଜରେ ସେ ନବ ଯୌବନ..

ନ କରେ କି ସତେ ମାନ ଭଞ୍ଜନ..

ନବକଳବରେ ନୂଆ ଦିଶୁଥାଏ..

ନୂତନ ପୁଲକେ ନାଟକୁ ଲଗାଏ..l

ଟୋପାଏ ରୁଧିର ଟୋପାଏ ଅବିର..

ଜୀବନୀ କାହାଣୀ ଟିପରେ ରୁହେ..

ଟୁପୁ ଟୁପୁ କରି ଟିପେ ଟିପେ ଚାଲି..

ଟଳମଳ ପ୍ରାଣ ଟିକକେ ଯାଏ..l

ଠକ ଠକିଦେଲେ ଠକାମୀ କୁହଇ..

ଠକ କେବେ ଠକାମୀରେ ନ ପଡଇ..

ଠାବ କରି ଦେଲେ ଠକର ଠିକଣା..

ଠିକ୍ ସମୟ ଟି କେବେ ନ ଠକଇ..l

ଡର ଭୟ ସହ ବନ୍ଧା ହେଲେ ଡୋରି..

ଡୋର କେବେ ଡର ପାଖ ନ ଛାଡ଼ଇ..

ଡ଼ାମରା କାଉର ଡାକ ଶୁଣିଦେଲେ..

ଡରୁଆ ମନରେ ଡର ନ ରୁହଇ..l

ଢଗ ଢମାଳି ରେ ମଣିଷ ଜୀବନ…

ଢୋଲ ପରି ବଡ଼ କଥା କହୁଥାଇ..

ଢମଣା ପରି ସେ ଫଣା ଟେକି ଟେକି..

ଢିଲା ଢାଲ ପରି ଢଳି ପଡୁଥାଇ..

ତରତର ହୋଇ ତର ମିଳେ ନାହିଁ

ତରବର ସଦା ଏ ଜୀବନ ତରୀ..

ତାହାରି ଚରଣେ ତା ପାଦ ଶରଣେ..

ତରି ଯିବା ଧରି ନାମ ତାହାରି..l

ଥକି ଗଲେ ଥରେ ଥଳ ମିଳେ ନାହିଁ..

ଥକା ମନ ଆଉ ବଳ ନ ପାଏ..

ଥମି ଗଲେ ଥରେ ମନ୍ଦ ସମୀରଣ..

ଆଉ କି ଥିରି ଥିରି ହୋଇ ଵୁହେ..!!??

ଦର ହସି ଦାରୁ ଦିଅଁ ହରିନିଏ..

ଦୁଃଖ ଯାତନା ଯେତେ ବି ଥାଏ..

ଦରିଆ ସେପାରି ଦିଶେ ଦଇତାରୀ..

ଦୁରେ ଥାଇ ସେ ତ ପାଖରେ ରୁହେ..

ଧୋବ ଫରଫର ଧବଳ ଠାକୁର..

ଧରଣୀ ଧର ସେ ଧନ ସୁନ୍ଦର..

ଧନ ଧାନ୍ୟ ଧରି ଧରା ଭରିଦିଏ..

ଧନ୍ୟ ଅଟେ ସେଇ ଧଳା ହଳଧର..

ନାମ ପଛେ ଧାଇଁ ନାମ ଭୁଲି ଯାଇ..

ନାମ ନିଏ ନର ନରକରେ..

ନାମର ମହିମା କେ ପାରେ କଳନା..

ନାମ ସିନା ସାର ସଂସାରେ..

ପାପୀ ପାପ ଭାର କରିବାକୁ ଦୂର..

ପାଷାଣ ସାଜିଲେ ପାତାଳ ଈଶ୍ୱର..

ପାପ ଭାର ଏତେ ବଢ଼ି ଗଲା ସତେ..

ପାପ ପଙ୍କେ ଡୁବେ ପୁଣ୍ୟ ଗଙ୍ଗା ଜଳ..

ଫୁତ୍କାର କରି ଫଣୀ ପରି ଆସେ…

ଫଣା ଟେକି ଫେରେ ବତାସ ମାନ..

ଫିତା ବନ୍ଧା ଏହି ଫୁଟିଏ ପ୍ରାଣରେ..

ଫୁଟା ଦେଖ କେତେ ଫଟା ଅଭିମାନ..

ବିନାଶ ନିଶ୍ଚୟ ବିଲୟ ବି ଥୟ…

ବିରାମ ତଥାପି ନାହିଁ ବାସନାରେ…

ବିନମ୍ର ବଚନ ସତେ ଦିବାସ୍ୱପ୍ନ..

ବିଭ୍ରାନ୍ତ ପଥକୁ ବରେ ବିଷୟରେ..

ଭକ୍ତ ହିତକାରୀ ଭକ୍ତ ଦୁଃଖହାରୀ..

ଭକ୍ତ ପାଇଁ ଭଗବାନଙ୍କ ସତ୍ତା..

ଭକ୍ତ ପ୍ରାଣ ବନ୍ଧୁ ଭକ୍ତ ଭାବ ଦେଖି..

ଭକ୍ତକୁ ହିଁ ଦିଏ ଭାଗବତ ଗୀତା..

ମନୁଆ ମାଲିକ ମନ ମଧ୍ୟେ ମୌନ..

ମନକୁ କରି ସେ ମାନ ସାଗର..

ମନ କଥା ସିଏ ମନରେ ବୁଝଇ..

ମନ ଦେଲେ ମିଳେ ସୁଖ ଅପାର..

ଯାହା ପାଇଁ ଯିଏ ଯେଉଁଠି ବି ଥାଏ..

ଯେତେ ଦୁରେ ଥିଲେ ଝପଟି ଧାଏଁ..

ଯାତନା ଯେତେ ବି ଜଗତରେ ଥିଲେ..

ଯାହା ମନ ଚାହେଁ ଯେଣିକି ଯାଏ..

ରୁଧିର ରଙ୍ଗରେ ରଙ୍ଗାଇ ମନକୁ..

ରାସ ସଙ୍ଗେ ରୁହେ କଳା ଠାକୁର..

ରକତ ହୋଇ ସେ ଧମନୀ ରକ୍ଷକ..

ରାତି କାଟିଥାଏ ରତିବତାର..

ଲାଲ ସୁରୁଜର ଲାଲିମାର ଗାରେ..

ଲାଜରେ ମୂର୍ଚ୍ଛାଇ ଲଳନା କହେ…

ଲାଲ ଶଙ୍ଖା ଆଉ ଲାଲି ସିନ୍ଦୂରରେ..

ଲେସି ହୋଇ ଯାଇ ଲୋକକୁ ଯାଏ..

ବାର ବାର ବରି ବରୁଣ ବରଇ..

ବର୍ଷା ବର୍ଶୀ ବାରେ ବାର୍ତ୍ତା ବୁହାଏ..

ବାରମ୍ବାର କଲେ ବିରକ୍ତି ବେଭାର..

ବିଭ୍ରାନ୍ତି ମନକୁ ବିଚଳିତ କରେ..

ଶଙ୍କା ତ୍ୟାଗ କଲେ ଶଙ୍କର ମିଳଇ..

ଶମ୍ଭୁ ପଦ ବିନା ସବୁ ଶୂନ୍ୟ ହୋଇ..

ଶାଳିନତା ବିନା ଶରଣ ନିଷ୍ଫଳ..

ଶଙ୍କର୍ଷଣ କେବେ ପ୍ରାପ୍ତ ନ ହୁଅଇ..

ଶୋଷ ରୁହେ ଯଦି ସଫଳତା ପାଇଁ…

ଶେଷରେ ନିଶ୍ଚୟ ସଫଳତା ମିଳେ..

କଷଣ ନ ସହି କିଏ ବା ଶେଷରେ..

ଶୋଷଣ ସମାପ୍ତି କରିପାରେ ହେଳେ..

ସଂସାରର ସାର କେବଳ ଶ୍ରୀହରି…

ଶ୍ରୀ ବିନା ସତରେ ହରି ହୁଏ ହରି..

ସ୍ତ୍ରୀ ସଂପତ୍ତିକୁ ହେୟ କରି ନର..

ସତେ ହୁଏ ଦିନେ ଶୂନ୍ୟେ ହ ତଶିରି..

ହାତ ଟେକିଦେଲେ ହାତ ଧରି ଦିଏ..

ହାତ କେବେ ସେ ଆଉ ନ ଛାଡ଼ଇ..

ହାତ ପାଦ ପଛେ ନ ଥାଉ ତାହାର..

ହାତ ଟେକି ଦୁଃଖ ହରି ହରି ଥାଇ..

କ୍ଷଣିକ ସୁଖରେ କ୍ଷଣିକ ଦୁଃଖରେ..

କ୍ଷୟ ନ କରି କ୍ଷୀଣ ମନର କ୍ଷମତା..

କ୍ଷଣେ ହେଲେ ଯଦି କ୍ଷିପ୍ରେ ନାମ ନେବା..

କ୍ଷମା କରିଦେବ ସେ ରକ୍ଷାକରତା..

ଲୟ ମୋର ନାହିଁ ଭୟ ଲାଗୁଥାଇ..

କ୍ଷୟ ହେଉଅଛି ନ୍ୟାୟ ପରେ ଆଶା..

ବିଲୟ ପରାୟେ ପ୍ରିୟଜନ ପ୍ରୀତି..

ସମୟ ହିଁ ଦିଏ ଅକ୍ଷୟ ଭରସା..l

ଲହଙ୍ଗା ଲତିକାର ଲାସ୍ୟମୟ ଲୀଳା..

ଲବଣୀ ଚୋର କି ଲଗାଇଛି ଖେଳା..

ଲୋହିତ ସୂରୁଜ ଲାଜରେ ମଉଳି..

ଲେଖେ ଲିପି ହୁଏ ଲେଲିହାନ ବେଳା..l

ଭୁବନେଶ୍ୱର

୯୪୩୮୪୭୦୮୦୭