ମହିଷା’ର ରୂପ 

ଚେହରାରେ ଏତେ ଦିବ୍ୟତାଯେ ଦୃଷ୍ଟି ପଡିବା ମାତ୍ରେ ମନପବିତ୍ର ହେଇଯାଉଛି l ଯେତେସବୁ କଳୁଷିତ ଭାବନା ଆପେ ଆପେ ଦୂରେଇ ଯାଉଛି l କଣ ରହସ୍ୟ ଏ ମୂର୍ତ୍ତିର? କଣ ଅର୍ଥ ରହିଥାଇପାରେ ଏ ଚମକପ୍ରଦ ଚକ୍ଷୁର l ଠିକ୍ ମାନବୀପରି ଶରୀରରେ ଏଦଶଟି ହାତର ବିଶେଷତ୍ୱ କିଛି ଅଛି କି ନାହିଁ? 

         ଅନ୍ନପୂର୍ଣ୍ଣା ଦିଦିଙ୍କ ପ୍ରଶ୍ନର ଉତ୍ତର ମୋତେ ଜଣାନଥିଲା l କେବଳ କିଛି ପୌରାଣିକ ମତକୁ ତାଙ୍କ ପାଖରେ ଉପସ୍ଥାପନ କଲି l ମୋତେ ବୁଝାଇବା ପାଇଁ ଦିଦି କହିଲେ,”ହଁ ତୁମକଥା ସମ୍ପୂର୍ଣ ଭୁଲ୍ ନୁହେଁ କିନ୍ତୁ ସମ୍ପୂର୍ଣ ଠିକ୍ ମଧ୍ୟ ନୁହେଁ l ଏସବୁ ପ୍ରଥା, ପରମ୍ପରା, ପୂଜା ବିଦ୍ଧିର ଅର୍ଥକିଛି ଅଲଗା l ଆମେକିନ୍ତୁ କିଛି ଅର୍ଥ ଜାଣୁନା l କେବଳ ପାରମ୍ପରିକ ରୀତିନୀତିକୁ ଜାବୁଡି ଧରନ୍ତି l ଖୁବ୍ ଭଲଭାବରେ ଦେବୀଙ୍କର ପୂଜାକରନ୍ତି l ତାଙ୍କ ସନ୍ତୁଷ୍ଟି ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରନ୍ତି l କିନ୍ତୁ ବାସ୍ତବରେ ଦେବୀଙ୍କ ଉପାସନା ଆମକୁ ଜଣାନାହିଁ l ଯଦି ଆମେ ପ୍ରକୃତରେ ନାରୀକୁ ସମ୍ମାନ ଦେଉନା ତେବେ ନାରୀରୂପରେ ଶୋଭାପାଉଥିବା ଏ ଦେବୀଙ୍କୁ ପୂଜାକରି ଲାଭକଣ? ନାରୀମାନେ ନିଜେ ମଧ୍ୟ ନିଜର ମର୍ଯ୍ୟାଦା ଭୂଲି ବିପଥଗାମୀ ହେଉଛନ୍ତି l

‘ଭକ୍ତି’ ଆଉ ‘ଜ୍ଞାନ’ ଦୁଇଟି ଭିତରେ କିଛି ତାରତମ୍ୟ ଥାଏ l ଯେମିତି ଅଧିକ ଭକ୍ତି କରୁଥିବା ଲୋକମାନେ ଅନ୍ଧଭାବରେ ସବୁକିଛି ମାନିନିଅନ୍ତି l କିନ୍ତୁ ଜ୍ଞାନ ଆମକୁ ଉଚ୍ଚିତରାସ୍ତା ଦେଖାଏ l ଯଦି ମୁଁ ତୁମକୁ ଜ୍ଞାନ ମାର୍ଗରେ ଦେବୀଙ୍କ ଦଶଭୂଜାର ଅର୍ଥକହିବି l ତାହାହେଲା ଦୈବୀଗୁଣ l ଯେଉଁନାରୀ ପାଖରେ ଦୟା, କ୍ଷମା,ପ୍ରେମ,ପବିତ୍ରତା, ଜ୍ଞାନ ,ଶାନ୍ତି, ବୁଦ୍ଧି, ଧର୍ଯ୍ୟ ,ଶକ୍ତି, ସାହସ ଇତ୍ୟାଦି ଦଶଗୁଣ ରହିଛି ସେ ହେଉଛନ୍ତି ଦଶଭୁଜା ମା’ ଦୁର୍ଗା l ଯାହାଙ୍କ ଆଖିରେ ପବିତ୍ରତାର ତେଜଥାଏ l ପୁରୁଷ ହେଉଛି ସିଂହ l ଯିଏ ନାରୀକୁ ନିଜର ଭୋଗ୍ୟବସ୍ତୁ ଭାବେ l ତା ଶରୀରକୁ କ୍ଷତବିକ୍ଷତ କରି ନିଜ କାମପୂର୍ତ୍ତି କରିଥାଏ l ଦୁର୍ଗା ସେଇ ନାରୀ ଯିଏ ସିଂହରୁ୍ପୀ ମନୁଷ୍ୟକୁ ନିଜର ଦାସ କରିଦିଏ l ତାକୁ ଆଧାରକରି ବିଜୟମାର୍ଗୀ ହୁଏ l ନାରୀ ଭିତରେ ନାରାୟଣୀର ଦର୍ଶନ କରିଥିବା ପୁରୁଷ ସିଂହହୋଇ ତାକୁ ସାହାଯ୍ୟ କରେ l ଆସୁରି ଶକ୍ତିର ବିନାଶ ପାଇଁ ସେ ସହଯୋଗୀ ହୁଏ l କାମ, କ୍ରୋଧ, ଲୋଭ, ମୋହ, ଅହଂକାରରେ ଆଚ୍ଛନ ମନ ହେଉଛି ଅଶୁର l ସେଇ ମନରୂପୀ ଅଶୁରକୁ ହତ୍ୟାକରି ନାରୀ ମହିଷାମର୍ଦିନୀ ହୁଏ l ସିଂହରୂପୀ ପୁରୁଷ ତାର ଭାରକୁ ବହନକରି ସଫଳହେବାରେ ସାହାଯ୍ୟକରିଥାଏ l”

            ଏସବୁ ତଥ୍ୟ ହୁଏତ ସମସ୍ତଙ୍କୁ ଠିକ୍ ଲାଗିନପାରେ l ମୋତେ କିନ୍ତୁ ଦିଦିଙ୍କ କଥାରେ ବିଶ୍ୱାସ ଆସୁଥିଲା l ସତରେ ତ ସମାଜରେ ନାରୀର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ l ସେଥିପାଇଁ ନାରୀକୁ ସକଳ ଶକ୍ତିର ଆଧାର କୁହାଯାଏ l କିନ୍ତୁ ବର୍ତ୍ତମାନର ସମାଜରେ ନାରୀ ନିଜେହିଁ ନିଜର ଶକ୍ତିକୁ ଭୁଲିଯାଇଛି l ପୁରୁଷକୁ ନିଜ ଆୟୁଧ କରିବା ବଦଳରେ ତାକୁ ଶରୀରର ମାୟାରେ ଆକର୍ଷିତ କରୁଛି l

ଆଜିର ଇଣ୍ଟରନେଟ୍ ଯୁଗରେ ସମସ୍ତେ ନିଜକୁ ଅତ୍ୟାଧୁନିକତା ବୋଲି ଦର୍ଶାଇବାକୁ ଚାହାଁନ୍ତି l ସେଥିପାଇଁ ଝିଅ ମାନେ ମନ ଇଛା ଶରୀର ପ୍ରଦର୍ଶନ ରୂପକ ପୋଷାକ ପରିଧାନ କରୁଛନ୍ତି l ଝିଅ କୁ ଦେବୀ ଟିଏ ବୋଲି ଭାବ, ଏପରି କଥା କହୁଥିବା ବାପା, ମା’ ମାନେ କେତେଜଣ ନିଜ ଝିଅ କୁ ଦେବୀ ଙ୍କ ପରି ବେଶଭୂଷା ଦେଉଛନ୍ତି ? ଆଜିର ନାରୀ ଯଦି ଦେହ ଦେଖେଇ ପୋଷାକ ନପିନ୍ଧେ ତା’ର ପ୍ରତିଷ୍ଠା କମିଯାଏ l ତେବେ ସେତେବେଳେ କାହିଁକି ମନ ଦୁଃଖ ହୁଏ ଯେତେବେଳେ ଝିଅ ଟି କେଉଁ ପୁରୁଷ ଦ୍ୱାରା ଅପମାନିତ ହୁଏ l ଯଦି ଆମେ ନିଜକୁ ଆବଶ୍ୟକ ଠୁଁ ଅଧିକ ସଜାଉଛନ୍ତି ତେବେ ନିଶ୍ଚିତ ଭାବରେ ଅନ୍ୟ କୁ ଆକର୍ଷଣ କରିବାକୁ l ଯଦି କିଛି ଦୁର୍ଘଟଣା ଘଟିଲା ସେଥିପାଇଁ ଏତେ ଦୁଃଖ କାହିଁକି? ଯେଯାଏଁ ନାରୀନିଜକୁ ସମ୍ମାନ ଦେଇନି ସେ କେବେ କାହାଠୁଁ ସମ୍ମାନର ଅଧିକାରିଣୀ ହୋଇପାରିଵନି l ଯାହାଦ୍ୱାରା କେବଳ ନାରୀ ଧର୍ଷଣର ନୂଆନୂଆ ଫର୍ଦ ଯୋଡ଼ିହେବ ସିନା, ମାତ୍ର ମହିଷାମର୍ଦିନୀଙ୍କ ଶୁଭାଗମନ ହେବନି l

ଏବେ ପ୍ରଶ୍ନ ଉଠେ ଯଦି ଅଙ୍ଗ ପ୍ରଦର୍ଶନ ଏପରି ଅମାନୁଷିକ କାଣ୍ଡ ପାଇଁ ଦାୟୀ ତେବେ ଅନେକ କ୍ଷେତ୍ରରେ ଛୋଟ ଛୋଟ ଝିଅ ମାନେ ଦୁଷ୍କର୍ମ ର ଶିକାର ହୁଅନ୍ତି କାହିଁକି? ସେମାନେ ନିଜକୁ ପ୍ରଦର୍ଶନ କରନ୍ତିନି ଏବଂ ଅନ୍ୟକୁ ଆକର୍ଷଣ କରିବା ପାଇଁ ସେମାନଙ୍କ ଶରୀର ମଧ୍ୟ ବିକଶିତ ହେଇ ନଥାଏ l ଆଉ ଗୋଟେ କଥା ଭାବିବାକୁ ହେବ l ଯେତେବେଳେ ସାଧନ ଅଧିକ ମାତ୍ରାରେ ଥାଏ ବ୍ୟବହାର ସେଇ ମାତ୍ରାରେ ବୃଦ୍ଧି ପାଏ l ପୂର୍ଵ ଅପେକ୍ଷା ମଦ,ସିଗାରେଟ ଇତ୍ୟାଦି ନିଶା ଜିନିଷ ର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଉଛି l ତା’ର କାରଣ ହେଲା ଏହା ଏବେ ପ୍ରତି ସହରରେ ପ୍ରତି ଗାଁ ରେ ପ୍ରତି ଗଳି ର ଦୋକାନ ରେ ମିଳୁଛି l ଖୁବ୍ ଛୋଟ ବୟସର ପିଲାମାନେ ମଧ୍ୟ ଏହି ନିଶା ରାକ୍ଷସ ର ପଞ୍ଝା ରେ ଫସିଯାଉଛନ୍ତି l କେବଳ ସେଇ ନିଶା ପାଇଁ ସେମାନେ ଚୋରି ଡକାୟତି ଆଦି ଘୁର୍ଣ୍ୟ କାମରେ ନିୟୋଜିତ ହେଉଛନ୍ତି l

ସେମିତି ବର୍ତମାନ ସମୟ ର ପିଲା ଯାହା ପ୍ରାପ୍ତ ବୟସରେ ଜାଣିବା କଥା ତାହା ବହୁତ ଆଗରୁ ଜାଣି ପାରୁଛି l ଖାଲି ଜାଣୁନି ସେସବୁକୁ ଦେଖି ପାରୁଛି l ଯାହାର ଯେତେବେଳେ ଇଛା ନାରୀ ପୁରୁଷ ର ସମ୍ଭୋଗ କୁ ଅନାୟାସ ରେ ଦେଖିପାରୁଛି l ଅଗଣିତ ଭିଡିଓ, ଅସଂଖ୍ୟ ଫୁଙ୍ଗୁଳା ଦେହ l ନିଜକୁ ଆୟତ୍ତ କରିବା ସମସ୍ତ ଙ୍କ ପକ୍ଷେ ସମ୍ଭବ ହୁଏନି l ଅନେକ ପୁରୁଷ ଏମିତି ଭାବେ ପ୍ରଭାବିତ ହେଇ ଭୂଲ୍ କରନ୍ତି l ନିଜ କାମନା ଜ୍ୱାଳା କୁ ପ୍ରଶମିତ କରିବାକୁ ବ୍ୟସ୍ତ ହେଇ ଉଠନ୍ତି l ଅନତି ଦୂରରେ ଥିବା ଅପରିଚିତ ନାୟିକା ର ଅନାବୃତ୍ତ ଶରୀର ତାଙ୍କୁ ପାଗଳ କରିଦିଏ l ସେତେବେଳେ ସେମାନଙ୍କ ସାମ୍ନାରେ ଥିବା ଯେକୌଣସି ନାରୀକୁ ସେ କାମ ବିକାର ର ଶିକାର କରିବସେ l ସେଠି ନା ଥାଏ ବୟସର ବିଚାର ନା ସମ୍ପର୍କ ର ମୂଲ୍ୟ l ଅତ୍ୟଧିକ କାମ ବିକାର ଗ୍ରସ୍ତ ମନୁଷ୍ୟ ରାକ୍ଷସ ସହିତ ସମାନ l

ପୁରାଣ ବର୍ଣ୍ଣିତ କଥା ବସ୍ତୁ ସମ୍ପୂର୍ଣ ବିଶ୍ୱାସ ଯୋଗ୍ୟ ହେଇ ନପାରେ କିନ୍ତୁ ସେ କାହାଣୀ ପଛର ସାରମର୍ମ ନିତ୍ୟାନ୍ତ ଶିକ୍ଷଣୀୟ l ଦାନଵ ଚଣ୍ଡ ଆଉ ମୁଣ୍ଡ ଦେବୀ ଦୁର୍ଗା ଙ୍କ ରୂପ ଲାବଣ୍ୟ ରେ ବିମୋହିତ ହେଇ ନିଜର ହିତାହିତ ଜ୍ଞାନ ହରେଇ ବସିଲେ l ନିଜ ମୃତ୍ୟୁ ର ରହସ୍ୟ କୁ ଭୂଲି ପରସ୍ପର ମୁଣ୍ଡରେ ହାତ ରଖି ମୃତ୍ୟୁ ବରଣ କଲେ l ଠିକ୍ ସେମିତି ମହିଷାସୁର ର ମଧ୍ୟ ନିଧନ ହେଇଥିଲା ଦେବୀ ଙ୍କ ଵିଵସ୍ତ୍ର ରୂପ ଦର୍ଶନ ରେ l ଯାହା ଆମକୁ ଶିଖାଏ ନାରୀ କେବେ ଭୋଗ୍ୟ ବସ୍ତୁ ନୁହେଁ l ଏମିତି କୁସ୍ଚିତ ବିଚାର ରଖୁଥିବା ପୁରୁଷ ଯେତେ ପରାକ୍ରମଶାଳୀ ହେଇଥିଲେ ବି ତା’ର ବିନାଶ ନିଶ୍ଚିତ l

ପ୍ରଭୁ ରାମଚନ୍ଦ୍ର ରାବଣ ର ହତ୍ୟା ପାଇଁ ଦେବୀ ଙ୍କୁ ଉପାସନା କରିଥିଲେ l ଯେ ଯାଏଁ ରାବଣ ଲଙ୍କେଶ୍ୱରୀ ଙ୍କ ଆଶ୍ରୟ ରେ ଥିବ ତାକୁ ପରାସ୍ତ କରିବା ଅସମ୍ଭବ ଜାଣି ରାମ ଅତ୍ୟନ୍ତ ଭକ୍ତି ରେ ଦେବୀ ଙ୍କୁ ପୂଜା କରିଥିଲେ l ବିଜୟା ଦଶମୀ ରେ ଦେବୀ ରାବଣ କୁ ଛାଡ଼ି ରାମ ଙ୍କ ରଥରେ ଉପସ୍ଥିତ ହେବାରୁ ଦଶାନନ ର ମୃତ୍ୟୁ ହେଲା l

ନାରୀଙ୍କ ସମ୍ମାନ ଓ ଅସମ୍ମାନ କୁ ନେଇ ଅନେକ ପୌରାଣିକ କିମ୍ବଦନ୍ତୀ ମାନ ଶୁଣିବାକୁ ମିଳେ ଯାହା ଭାରତୀୟ ସଂସ୍କୃତି ରେ ନାରୀକୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ l ଦ୍ରୌପଦୀ ର ଅପମାନ ପାଇଁ କୌରବ ବଂଶ ର ନିପାତ ହେଇଥିଲା l ଦ୍ରୋଣ ଓ ଭୀଷ୍ମ ପରି ମହାନ ଯୋଦ୍ଧା ମାନେ ମଧ୍ୟ ପରାଜୟ ବରଣ କରିଥିଲେ l ନାରୀ ମଧ୍ୟ ବିପଥଗାମୀ ହେଲେ ଦଣ୍ଡିତ ହୁଏ ଅପମାନିତ ହୁଏ l ଯେପରି ଲକ୍ଷ୍ମଣ ଦ୍ୱାରା ସୁପର୍ନେଖା ର ନାସା, କର୍ଣ୍ଣ ଛେଦନ ହେଇଥିଲା l ହୋଲିକା ର ଦହନ ହେଇଥିଲା ଇତ୍ୟାଦି l

ଯେଉଁଦିନ ରାବଣ ପୋଡ଼ି ସମ୍ପର୍କ ରେ ଅନ୍ନପୂର୍ଣ୍ଣା ଦିଦିଙ୍କୁ ପଚାରିଥିଲି l ସେଦିନ ପୁଣି କିଛି ନୂଆ ତଥ୍ୟ ଜାଣିବାକୁ ପାଇଥିଲି l ତାଙ୍କ ମତରେ ରାବଣ ଏକ ଚରିତ୍ର ନୁହେଁ ଏକ ସ୍ଵଭାଵ l ଏପରି ଦଶମୁଣ୍ଡ ଯୁକ୍ତ କେହି ଜନ୍ମ ହେବା ଅପ୍ରାକୃତିକ ଏବଂ ଅସମ୍ଭବ ମଧ୍ୟ l ରାବଣ ଭିତରେ ନାରୀ ଓ ପୁରୁଷ ର ଦାନଵ ସ୍ଵଭାଵ କୁ ପ୍ରତିଫଳିତ କରାଯାଇଛି l ପୁରୁଷ ର ପାଞ୍ଚ ବିକାର ଏବଂ ନାରୀ ର ପାଞ୍ଚ ବିକାର ମିଶି ଦଶ ମୁଣ୍ଡ ଧାରୀ ଦାନଵ ର ସୃଷ୍ଟି l କାମ, କ୍ରୋଧ ଲୋଭ, ମୋହ, ଅହଂକାର ଆଦି ପାଞ୍ଚ ବିକାର ର ବଶବର୍ତ୍ତୀ ହେଇ ମନୁଷ୍ୟ ନିଜର ଓ ଅନ୍ୟର ଅମାପ କ୍ଷତି ସାଧନ କରିଥାଏ l ମଣିଷ ବିକାର ର ବଶବର୍ତ୍ତୀ ହେବା ସ୍ୱାଭାବିକ କିନ୍ତୁ ଯଦି ତାହା ଚରମ ସୀମାରେ ପହଞ୍ଚିଯାଏ ସେତେବେଳେ ସେ ରାକ୍ଷସ ପାଲଟିଯାଏ l ଏହି ପାଞ୍ଚ ବିକାର ମଧ୍ୟରୁ ଯେଉଁ ଗୋଟିଏ ବି ଆମ ଭିତରେ ଅତ୍ୟଧିକ ମାତ୍ରା ରେ ବୃଦ୍ଧି ପାଇବ ଆମେ ନିଶ୍ଚୟ ନିଜର ହିତାହିତ ଜ୍ଞାନ ହରେଇ ବସିବା l ଯାହା ର ଫଳ ସ୍ୱରୂପ ହତ୍ୟା, ଲୁଣ୍ଠନ, ଧର୍ଷଣ ପରି ସମସ୍ୟା ମାନ ବୃଦ୍ଧି ପାଇବ l

ବର୍ତ୍ତମାନ ର ସମାଜ ଏକ ପ୍ରତିକୂଳ ସମୟ ଭିତରେ ଗତି କରୁଛି l ନାରୀ ହେଉ ଅବା ପୁରୁଷ ଯିଏ ବି ନିଜର ହିତାହିତ ଜ୍ଞାନ ହରେଇ ବସେ ସେ ଭୂଲ୍ କରେ l ଆମେ ସମସ୍ତେ ସେଥିପାଇଁ ଦାୟୀ ଏବଂ ପ୍ରଭାବିତ ମଧ୍ୟ l ଏ ସୃଷ୍ଟି ନିଜେ ନାରୀ ସ୍ୱରୂପ l ଆମେ ସମସ୍ତେ ଛୋଟ ବେଳୁ ପୃଥିବୀ କୁ ମା’ ବୋଲି ସମ୍ବୋଧନ କରି ଆସିଛନ୍ତି l କିନ୍ତୁ ଯଦି ସୁସ୍ଥ ମସ୍ତିଷ୍କ ରେ ଚିନ୍ତା କରିବା ତେବେ ଅନୁତାପ ରେ ମୁହଁ କଳା ପଡ଼ିଯିବ l ଆମେ କେତେଜଣ ଆମ ପୃଥିବୀ ଓ ପରିବେଶ ର ସୁରକ୍ଷା ପାଇଁ ଚିନ୍ତିତ? ପ୍ରତିଦିନ ପ୍ରତି ମୁହୁର୍ତରେ ଆମେ ଏହାର କ୍ଷତି ସାଧନ କରୁଛନ୍ତି l ମାଟି, ପାଣି, ପବନ ସବୁକିଛି ବିଷାକ୍ତ କରୁଛନ୍ତି ନିଜ ଦ୍ୱାରା l ଆମ ସମସ୍ତଙ୍କ ଭିତରେ ଆଶୁରି ପ୍ରବୃତ୍ତି ବଢ଼ି ବଢ଼ି ଚାଲିଛି l ପରିବେଶ ଦିନ କୁ ଦିନ ପ୍ରଦୂଷିତ ହେବାରେ ଲାଗିଛି l ଆମକୁ ବଦଳିବାକୁ ହେବ l ଦାନଵ ଗୁଣ କୁ ଛାଡ଼ି ଦୈବୀ ଗୁଣକୁ ଆପଣେଇବାକୁ l ନିଜ ନିଜର ସ୍ଵଭାଵ ସଂସ୍କାର ପରିବର୍ତ୍ତନ କରିବାକୁ ହେବ l ତେବେଯାଇ ମନୁଷ୍ୟ ଭିତରେ ଦେବୀ ଦେବତାଙ୍କ ମୂର୍ତ୍ତି ପ୍ରତିଫଳିତ ହେବ l

ଏ ପୃଥିବୀ ଦିନେ ପ୍ରଦୂଷଣ ମୁକ୍ତ ହେବ l ଆମ ନୂତନ ପୀଢ଼ି ହୁଏତ ଏଥିପାଇଁ ଯତ୍ନବାନ ହେବେ l ଗାନ୍ଧିଜୀ ଙ୍କ ରାମରାଜ୍ୟ ର ସ୍ବପ୍ନ ହେଉ ଅଥବା ପୁରାଣ ବର୍ଣ୍ଣିତ ସତ୍ୟଯୁଗ ହେଉ l ପରିବର୍ତ୍ତନ ନିଶ୍ଚୟ ହେବ l ନିଜ ମନ ଭିତରେ ଥିବା ଆସୁରି ପ୍ରବୃତ୍ତି କୁ ହତ୍ୟାକଲେ ଆମେ ମହିଷାମର୍ଦିନୀ ଙ୍କ କୃପାଲାଭ କରିପାରିବା l ସେଇଦିନ ଏ ପୃଥିବୀ ହୁଏତ ସମ୍ପୂର୍ଣ ଭାବେ ଦାନଵ କବଳରୁ ମୁକ୍ତି ପାଇବ l ଏ ସୃଷ୍ଟିର ନୂତନ କଳେବର ରେ ସ୍ୱର୍ଗ ର ଅନୁଭବ ହେବ l ନିଶ୍ଚୟ ହେବ ଏ ବିଶ୍ୱାସ ଆମ ଭିତରେ ରହିବା ଉଚ୍ଚିତ୍ l ସ୍ୱ ପରିବର୍ତ୍ତନ ରେ ବିଶ୍ୱ ପରିବର୍ତ୍ତନ ର ଇଛା ରଖି ଆମକୁ ବଦଳିବାକୁ ହେବ l ଦେବୀ ଙ୍କ ନିକଟରେ କୁସ୍ମାଣ୍ଡ ଅଥବା କେଉଁ ଜୀବ ଜନ୍ତୁ ଙ୍କୁ ବଳୀ ନଦେଇ ବରଂ ନିଜ ନିଜର ଆସୁରି ସ୍ଵଭାଵ ର ବଳୀ ଦେବା ଦରକାର l ମା’ ଦୁର୍ଗା ଙ୍କ ପାବନୀ ଦୃଷ୍ଟି ଏ ସୃଷ୍ଟିର ପରିବର୍ତ୍ତନ କରୁ l ମଣିଷ ଭିତରେ ବଂଚିଥିବା ମହିଷାସୁର ର ସମ୍ପୂର୍ଣ ନିଧନ ହେଉ ଏତିକି ହିଁ ଜଗଜ୍ଜନନୀ ଙ୍କ ନିକଟରେ ପ୍ରାର୍ଥନା l

          ଭଦ୍ରକ ,ମୋ – ୭୩୨୭୦୨୪୧୧୯