ସକାଳୁ ଉଠିଲେ ମନେ ପଡ଼େନି। ଢେରେ ସମୟ ଚା’କୁ ଅପେକ୍ଷା କରି ରୁହନ୍ତି ସୁରଜ ବାବୁ। ଅଧ ଘଣ୍ଟାଏ ପରେ ସୀମା ସୀମା ବୋଲି ଡାକ ପକାନ୍ତି। ଉତ୍ତର ନ ମିଳିବାରୁ ବିରକ୍ତ ହୁଅନ୍ତି। ଭାବନ୍ତି ସୀମା ବୁଢ଼ୀ ହେବା ସହ ଅଳସୁଆ ବି ହୋଇଗଲାଣି ଦିନକୁ ଦିନ। ସେ ବାଧ୍ୟ ହୋଇ ହଲକୁ ଯାଆନ୍ତି ସୀମା ସୀମା ଡାକ ପକାଇ। ହଲର ଦକ୍ଷିଣ କାନ୍ଥରେ ଲାଗିଥିବା ଫଟୋଟି ହଠାତ୍ ପଡ଼େ ତାଙ୍କ ଆଖିରେ। ଆଖି କୋଣରେ ଜମି ଯାଏ ଲୁହ,ମନ ହୋଇଯାଏ ଓଜନିଆ। ଛୋଟ ପିଲାଟିଏ ପରି ସେ ଫଟୋ ତଳେ ଚକା ପକାଇ ବସନ୍ତି, ଲୁହ ନିଗାଡନ୍ତି, ଅଳି କରନ୍ତି, ଅଭିମାନ କରି ତଳକୁ ମୁହଁ କରି ବସି ରୁହନ୍ତି। ଆଠଟା ସାଢେ଼ ଆଠଟାରେ କାମବାଲୀ ଆସି କଲିଁ ବେଲ୍ ମାରିଲେ ଉଠନ୍ତି, ଲୁହ ଲୁଚାନ୍ତି, ମିଛରେ ହସନ୍ତି।
” ବାବୁ, ଉଠି ଗଲେଣି?ହଉ ଆପଣ ଯାଆନ୍ତୁ ଗାଧୁଆ ସାରି ଆସନ୍ତୁ ମୁଁ ଚା ଆଉ ଜଳଖିଆ କରୁଛି। ଆଜି ଉପମା କରି ଦେଉଛି।” ତା କଥାରେ ହଁ ଯୋଡ଼ନ୍ତି ସୁରଜ ବାବୁ। ସ୍କୁଲ ଶିକ୍ଷକର କଥାକୁ ପାଳିଲା ଭଳି ସେ ଯାଇ ଗାଧୁଆ ସାରି ଆସି ବସନ୍ତି ଦାଇନିଂ ଟେବୁଲ୍ ରେ। ବାସନ୍ତୀ ଗରମ୍ ଗରମ୍ ଚା ଆଣି ବଢେଇ ଦିଏ ହାତକୁ। ଚା ପିଇ ସାରିବା ପୂର୍ବରୁ ପ୍ଲେଟରେ ଆଣି ରଖିଦିଏ ଉପମା। ତାକୁ ସବୁଦିନ ଉପରେ ବସି ଖାଇବାକୁ କହିଲେ ସୁଦ୍ଧା ସେ ଶୁଣେନି, ବାବୁଙ୍କ ଗୋଡ଼ ପାଖେ ବସି ହିଁ ଖାଏ। ନଅ ଦଶ ବର୍ଷ ହେଲା ବାସନ୍ତୀ ତାଙ୍କ ଘରେ କାମ କରେ। ପରିବାରର ସଦସ୍ୟ ଭଳି ସେ। ବାବୁ ଆଉ ମାଆଙ୍କ କୋଉ କଥା ଅଛପା ନଥାଏ ତାକୁ।
××× ××× ×××
ଜୋରରେ ବର୍ଷା ହେଉଥାଏ ସେଦିନ। ନିଜର ସବୁ କାଗଜପତ୍ରକୁ ଭଲ କି ପଲିଥିନ ଭିତରେ ରଖି ବ୍ୟାଗ୍ ଭିତରେ ରଖି ବାହାରି ପଡ଼ିଲା ସୁରଜ। ରାତି ସାଢ଼େ ଦିଟା। ଏବେ ଗଲେ ଦଶ ମିନିଟ ଲାଗିବ ରାମ ମନ୍ଦିର ପାଖରେ ପହଞ୍ଚିବାକୁ। ସେଠି ଅପେକ୍ଷା କରିଥିବ ସୀମା। ୩ଟାରେ ଆସିବ ଭୁବନେଶ୍ୱର ବସ। ଜୋରରେ ପାଦ ପକାଇ ଚାଲିଲା ସୁରଜ, ବର୍ଷାକୁ ଖାତିର ନାହିଁ। ପ୍ରେମରେ ପଡ଼ିଥିବା ଲୋକଟି ଯେତେବେଳେ ମୃତ୍ୟକୁ ଖାତିର କରେନି ବର୍ଷା ସେତେବେଳେ କି ବଡ଼ କଥା! ପହଁଚିଗଲା ରାମ ମନ୍ଦିର ପାଖେ। ଚାରିଆଡେ ଦେଖିଲା କେହି କୁଆଡେ଼ ନାହାନ୍ତି। କୁଆଡେ ଗଲା ସୀମା? କିଛି କ୍ଷଣ ପରେ ମନ୍ଦିର ପଛପଟୁ ବାହାରିଲା ସୀମା। ପୁରା ଓଦା। ଦେହ ଶୀତେଇ ଯାଉଥିଲା। ବ୍ୟଗଟିକୁ ଛାତିରେ ଯାକି ଧରିଥିଲା। ଉଭୟ ଉଭୟଙ୍କୁ ଚାହିଁଲେ କିଛି ସମୟ ନିରବରେ। ପଛକୁ ବୁଲି ଚାହିଁଲେ ତାଙ୍କ ଗାଁ ଆଡ଼େ। କାହା ମୁହଁରେ ନଥିଲା ପଦଟିଏ କଥା ହେଲେ ହୃଦୟରେ ଥିଲା ଢେରେ ପ୍ରତିଜ୍ଞା; ସାରା ଜୀବନ ସାଥ ରହିବାର, ମିଶିକି ଦୁଃଖ ଆଉ ସୁଖ ଭୋଗିବାର, ପ୍ରେମକୁ ଜୀବିତ ରଖିବାର। ବସ ଆସିଲା, ଉଭୟ ଚଢ଼ିଗଲେ। ସେଦିନଠୁ ଆଉ ଗାଁ କଣ ଜାଣି ନାହାନ୍ତି ଦୁହେଁ। ଭୁବନେଶ୍ବରରେ ଏକ ନୂଆ ଜୀବନ ଆରମ୍ଭ ହୁଏ ଦୁହିଁଙ୍କର। ଚାକିରୀ ଖୋଜିବା ଠାରୁ ଘର ଖୋଜିବା ଯାଏଁ ଖାଲି ସଂଘର୍ଷ। ସୀମା ବେଳେ ବେଳେ ଭାବେ ପ୍ରେମ ବୋଇଲେ ତମାମ ସଂଘର୍ଷ ନୁହେଁ ତ ଆଉ ! ତଥାପି ଚାକିରୀ ମିଳେ ଘର ବି ମିଳେ। ହେଲେ ପରିବାରର ସମର୍ଥନ, ଶ୍ରଦ୍ଧା ଆଉ ମିଳେନି। ତଥାପି ଜୀବନ କିଛି ଅସୁନ୍ଦର ଲାଗେନି। ସାଲିସ କରୁଥିବା ଲୋକ ପାଇଁ ପୃଥିବୀ ଅସୁନ୍ଦର, ଯନ୍ତ୍ରଣାମୟ ହେଲେ ପ୍ରେମରେ ବଞ୍ଚୁଥିବା ଲୋକ ପାଇଁ ପୃଥିବୀ ଗୋଟେ ଗୋଲାପ ବଗିଚା ଯେଉଁଠି କଣ୍ଟା ଥିବ ହେଲେ ଫୁଲର ସୁନ୍ଦରତା ଆଗରେ ତାର ଅସ୍ତିତ୍ବ ମଳିନ ଥିବ। ତେଣୁ ଉଭୟ ପରିବାରର ସମର୍ଥନ, ସୁମନାସ, ସ୍ନେହ ଆଉ ଖୋଜି ହେଇ ଅବସୋସ କରନ୍ତି ନାହିଁ।
ବେଳେ ବେଳେ ଗାଁର କିଏ ଭୁବନେଶ୍ବରରେ ଦେଖା ହେଲେ କୁହନ୍ତି ବାପା ଆଉ ବଡ଼ ଭାଇ କୁଆଡେ଼ କହୁଛନ୍ତି ସୁରଜ ଆଉ ଏ ଘରର ପୁଅ ନୁହେଁ, ସେ ଆଉ ଏ ଘରେ ପାଦ ପକାଇ ପାରିବନି। ଶୁଣିଲେ ମନ ଓଜନିଆ ଲାଗେ ତଥାପି ସେ ଜାଣେ ବାପାଙ୍କ ଭଲ ପାଇବା ତା ପ୍ରତି ସାରା ଜୀବନ ରହିବ। ସେ ଅନେକ ଥର ବାପାଙ୍କୁ କହିଛି ସୀମା କଥା ହେଲେ ଜାତିର ଯୁକ୍ତି ବାଢ଼ି ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ବାପା। କଣ ଆଉ କରି ପାରିଥାନ୍ତା ସେ। ସୀମା ଘରେ ବି ସୀମାକୁ ଆଉ ଝିଅ ରୂପେ କେବେ ଗ୍ରହଣ କରିବେନି ବୋଲି ଗାଁ ସଭାରେ କହିଛନ୍ତି। ବେଳେବେଳେ ସୁରଜ ଭାବେ, ମଣିଷକୁ ନେଇ ଜାତି ନା ଜାତିକୁ ନେଇ ମଣିଷ?
ସବୁ ପରେ ବି ପିଲାଛୁଆ ନ ହେବାର ଦୁଃଖଟା ଘାରେ ଉଭୟଙ୍କୁ। ସୀମା ଅନେକ ଓଷା ବ୍ରତ ମାନସିକ କଲେ ସୁଦ୍ଧା ମା ଟିଏ ହେବାର ସାମାନ୍ୟତମ ସୁଯୋଗ ପାଏନି। ବେଳେବେଳେ କାନ୍ଦ କାନ୍ଦ ହୋଇ ସୁରଜକୁ କୁହେ ଏ ସବୁ ପରିବାର ଲୋକଙ୍କ ଅଶାନ୍ତି ଆଉ ଅଭିଶାପ ଯୋଗୁଁ ନୁହେଁ ତ ଆଉ!! ସୁରଜ କିଛି କୁହେନି ଚୁପ୍ ରୁହେ। ମନେ ପକାଏ ଗାଁ ନଦୀ କୂଳେ ବସି ପ୍ରେମ ଗଳ୍ପ ଗଢିଲା ବେଳେ କେତେ ଖୁସିରେ ସେମାନେ ନିଜର ଗୋଟେ ଝିଅ ହେବ ବୋଲି କଥା ହେଉଥିଲେ ଯାହାର ନାଁ ସେମାନେ ଶ୍ରାବଣୀ ରଖିବେ ବୋଲି ନିଶ୍ଚିତ ଥିଲେ।ଭାବନାରେ, ସ୍ୱପ୍ନରେ, ସମ୍ଭାବନାରେ ଜୀବନ ଯେମିତି ଦେଖାଯାଏ ପ୍ରକୃତରେ ଜୀବନ ସେମିତି ନୁହେଁ ଅନେକ ସମୟରେ।
×××× ×××× ×××
ଗୋଟେ ସାମାନ୍ୟ ଭୂତାଣୁ କେମିତି ଜୀବନକୁ ଅସ୍ତବ୍ୟସ୍ତ କରିଦେଇ ପାରେ ତାହାକୁ ବେଶ୍ ଅନୁଭବିଛନ୍ତି ସୁରଜ ବାବୁ। ନିଜର ସବୁଠୁ ପ୍ରିୟ ଲୋକକୁ ହରେଇଲେ ମଣିଷର ମୂଳଦୁଆ ହଲିଯାଏ,ସେ ଆଉ ସାହସ ଜୁତାଇ ପରେନି ଶକ୍ତ ହେବାର। ସୀମା ଯିବାର ଆଠ ମାସ ହେଲାଣି ହେଲେ ସୁରଜ ବାବୁ ଏବେ ବି ନିଜର ପୂର୍ବ ଅବସ୍ଥାକୁ ଫେରି ପାରୁ ନାହାନ୍ତି। ଏ କଥା ଜାଣେ ବାସନ୍ତୀ। ତେଣୁ କେବେ ସେ ବାବୁଙ୍କ ଆଗରେ ମାଆଙ୍କ କଥା ଉଠାଏନି। କିଛି ନ ହେଲା ଭଳି ଅଭିନୟ କରେ। ଏବେ ଘର କାମ ସରିଗଲେ ସୁଦ୍ଧା ଟିକେ ଅଧିକ ସମୟ ଘରେ ବାବୁଙ୍କ ସହ କଥାବାର୍ତ୍ତା ହୋଇ ଘରକୁ ଯାଏ।
“ବାବୁ ଆପଣଙ୍କ ମନ ଭଲ ନାହିଁ ବୋଧେ, ଟିକେ ବାହାରକୁ ଦୁଇ ଚାରିଦିନ ଯାଇ ବୁଲାବୁଲି କରି ଆସୁ ନାହାନ୍ତି? ମୁଁ ବି ଟିକେ ଛୁଟି ନେଇ ଗାଁକୁ ଯାଇ ମୋ ପୁଅ ବୋହୂ ଆଉ ନାତୁଣୀକୁ ଦେଖି ଆସନ୍ତି। ” ବାସନ୍ତୀ ବାବୁଙ୍କୁ ପୂର୍ବ ଭଳି ଦେଖିବାକୁ ଚାହେଁ ତେଣୁ ଏଇଟା ତାର ଗୋଟେ ବାହାନା। ତା କଥାକୁ କେବେ ଏଡାଇବାକୁ ଚାହାନ୍ତି ନାହିଁ ସୁରଜ ବାବୁ କାରଣ ସିଏ ହିଁ ତ ଏବେ ଜଣେ ନିଜ ଲୋକ ଏଡେ ବଡ଼ ପୃଥିବୀରେ। ସୁରଜ ବାବୁ କହିଲେ, ହଉ ପହର ଦିନଠୁ ତୁ ଗାଁକୁ ଯା। ଯେବେ ଆସିବୁ ଆସିବୁ। ମୁଁ ବି ଟିକେ ଗାଁକୁ ଯିବି, ତେର ବର୍ଷ ହେଲାଣି ଯାଇନି ଗାଁକୁ। ସୀମା ଗଲା ପରେ ଖୁବ୍ ଏକୁଟିଆ ଲାଗୁଛି।
ଗାଁ ବସରେ ଗାଁକୁ ବାହାରିଲେ ସୁରଜ ବାବୁ। ତିନି ଘଣ୍ଟା କିମ୍ବା ସାଢେ଼ ତିନି ଘଣ୍ଟା ଲାଗିବ ଗାଁରେ ପହଞ୍ଚିବାକୁ। ଝରକା ପାଖରେ ବସି ସେ ଚାହିଁଥାଆନ୍ତି ବାହାରକୁ। ସବୁ ବଦଳି ଗଲାଣି ; ରାସ୍ତାର ଓସାର , ରାସ୍ତା କଡ଼ରେ ପଡ଼ୁଥିବା ଗାଁମାନଙ୍କର କଳେବର, ବସର ଗତି, ଆମ୍ବ ତୋଟାର ଛାତି। ଗାଁରେ ଓହ୍ଲେଇ ସେ ଆଁ କରି ଚାହିଁ ରହିଥିଲେ ରାମ ମନ୍ଦିର ଆଡ଼େ। ଛୋଟିଆ ମନ୍ଦିରଟା ଏବେ ଗୋଟେ ପାଚେରୀ ଭିତରେ ନିଜକୁ ଘୋଡାଇ ରଖିଛି। ସଙ୍ଗେ ସଙ୍ଗେ ସେ ଚାଲିଲେ ନଦୀ କୂଳ ଆଡ଼େ, ଯେଉଁଠି ସେମାନେ ବସି ସ୍ବପ୍ନ ବୁଣୁଥିଲେ। ନଦୀ ପାଖେ ପହଞ୍ଚି ତାଙ୍କ ମନଟା କେମିତି ଗୋଟେ ହେଇଗଲା। ଯେଉଁ ନଦୀର ବାଲି ଉପରେ ବସି ସେମାନେ ଗପୁଥିଲେ ଘଣ୍ଟା ଘଣ୍ଟା ସେ ନଦୀ କୂଳ ଏବେ ଆବର୍ଜନାରେ ପୂର୍ଣ୍ଣ। ପାଣି ସୁଅ କମି ଯାଇ ଏକ ନାଳର ଭ୍ରମ ସୃଷ୍ଟି କରୁଛି। ଗାଧୁଆ ତୁଠରେ ଆଉ ପଥର ବି ନାହିଁ। ଅତଏବ ନଦୀଟି ମରି ମରି ଯାଉଛି।
କାହାର ପାଦ ଶବ୍ଦରେ ସେ ପଛକୁ ବୁଲି ଚାହିଁଲେ। ଜଣେ ଦାଢ଼ିଆ,ଛିଣ୍ଡା ପୋଷାକ ପିନ୍ଧା ପାଗଳଟିଏ ଗାଇ ଗାଇ ଯାଉଥିଲା,
” କିଛି ନାହିଁ ଚିର ଏଥି ସବୁ ଦିନେ ସରେ…
କାହିଁ ପାଇଁ ଦୁଃଖକୁ ତୁ ମନେ ଏତୁ ଭରେ…
ସବୁ ଦିନେ ଆସିଥିଲା ସବୁ ଦିନେ ଯିବ…
ଏତେ ନାଟ ତମସାର ମହତ ନଥିବ।”
କଣ ହେଲା କେଜାଣି କ୍ଷୀଣ ହସଟିଏ ଭରିଗଲା ସୁରଜ ବାବୁଙ୍କ ମୁହଁରେ ଆଉ ସେ ଚାଲିଲେ ସିଧା ଗାଁ ଘରଆଡ଼େ।।
ଦଶପଲ୍ଲା ନୟାଗଡ଼
୬୩୭୦୨୭୨୯୯୦





