ନାରୀବାଦ

ଜଣେ ନାରୀ ନିଜକୁ ତିଲତିଳ ଜାଳି ଅନ୍ୟକୁ ଖୁସି ଦିଏ।ସେ ସ୍ବପ୍ନ ଦେଖି ପାରେ ଓ ସ୍ୱପ୍ନକୁ ପୂରଣ କରିବାକୁ ପଦକ୍ଷେପ ମଧ୍ୟ ନେଇ ପାରେ।ସେ କେବଳ ଜଣଙ୍କ ପାଇଁ ସ୍ବପ୍ନ ଦେଖେ ନାହିଁ ସେ ତା ସଂପୂର୍ଣ୍ଣ ପରିବାର ପାଇଁ ସ୍ବପ୍ନ ଦେଖେ।ସେହି ଭଳି ଥିଲା ଅନନ୍ୟା।

ଅନନ୍ୟାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଆରମ୍ଭ ହୁଏ—ଅଫିସ୍ ଯିବା ଆଗରୁ ଟିଫିନ୍ ପ୍ୟାକ୍ କରି ସ୍ବାମୀ ଓ ଶିଶୁର ଖାଦ୍ୟ ପେୟ ବନ୍ଦୋବସ୍ତ କରି ଅଫିସ ପାଇଁ ବାହାରି ଯାଏ।ପୁଣି ଅଫିସରେ କିଛି ଜରୁରୀ କାର୍ଯ୍ୟ ଶେଷ କରି ଦୁଇ ପ୍ରହରେ ତରତର ହୋଇ ଘରକୁ ଫେରି ଦୁଇ ତିନି ଘଣ୍ଟା ଅପେକ୍ଷାରେ ଥିବା ତା କୁନି ଶିଶୁକୁ ଆଲିଙ୍ଗନ କରି ସଂପୂର୍ଣ୍ଣ ମାଆ ଟିଏ ହୋଇଯାଏ। ପୂଜା,ପର୍ବ,ଘର ସଫା, ଛୋଟ ଛୁଆର କାର୍ଯ୍ୟ ଆଦି ସହିତ ସମୟ ଚାଲି ଚାଲି ଦର୍ଶାଇ ଥାଏ ହେଇଟି ରାତି ହେଲାଣି।

ରାତ୍ରିର ନିର୍ଜନ ବାହୁରେ ସଭିଏଁ ଶାନ୍ତିରେ ନିଜ ନିଦ୍ରାକୁ ଆନନ୍ଦରେ ଉପଭୋଗ କରିବା ବେଳେ,ସେ ପୁଣି ଲ୍ୟାପଟପ୍ ଖୋଲି—ଡେଡ୍ଲାଇନ୍‌ ଗୁଡ଼ିକୁ ପୂରଣ କରେ।ତା ସହିତ ଥାଏ ମାଆର ଅଳ୍ପ କର୍ତ୍ତବ୍ୟ।ଛୁଆକୁ କ୍ଷୀର ପିଆଇବା ଡାଇପର ବଦଳେଇବା ସାରି ଯେବେ ଘଣ୍ଟା ଦେଖେ ରାତି ଦୁଇ କି ତିନି।।ବେଳେବେଳେ ତା ଦିନ ଶେଷ ନ ହୋଇ ନୂତନ ଦିନଟି ସାଙ୍ଗରେ ଆରମ୍ଭ ହୁଏ।ତଥାପି ମନରେ ପ୍ରଶ୍ନଟିଏ ଉଙ୍କି ମାରେ

“ମୁଁ ପର୍ଯ୍ୟାପ୍ତ କି? ମୁଁ ଆହୁରି କିଛି କରି ପାରନ୍ତି।ମୁଁ କଣ ଯେତିକି କରୁଛି ତାହା ଯଥେଷ୍ଟ??”

ଦିନେ ଏକ ସନ୍ଧ୍ୟାରେ, ନିଜ ସନ୍ତାନକୁ କୋଳରେ ଶୁଆଇ ଦେବା ବେଳେ ତା ମୁହଁକୁ ଦେଖି ସେ ପ୍ରେମର ନଦୀରେ ଉବୁଟୁବୁ ହେଉଥାଏ।ଈଶ୍ୱରଙ୍କୁ ଧନ୍ୟବାଦ୍ ଦେଉଥାଏ ଶିଶୁଟି ପାଇଁ। ପୁଣି କିଛି ସମୟ ମଧ୍ୟରେ ମନର ନିଭୃତ କୋଣରେ ଭାବନା ଆସେ
“ମୁଁ ଯାହା କରୁଛି ସତରେ କଣ ଯଥେଷ୍ଟ??? ମୁଁ କଣ ଜଣେ ନାରୀ ଯିଏ ଖାଲି କାମ କରିବାକୁ ଜନ୍ମ ହୋଇଛି???ମୋର କଣ ସ୍ଵାଧୀନତା ନାହିଁ ବଞ୍ଚିବାକୁ???”
ସେହି ସମୟରେ ପାଖ ଦୂର୍ଗାଙ୍କ ମନ୍ଦିରରୁ ଭାସି ଆସୁଥାଏ ଆଳତୀର ସ୍ୱର।ସେ ହାତ ଯୋଡ଼ି ମାଆଙ୍କୁ ପ୍ରଣାମ କରିବା ବେଳେ ମନରେ ଭାବନା କେଜାଣି କାହିଁକି ବଦଳି ଯାଇ ଅନ୍ୟ ଏକ ପ୍ରକାର ଆସିଲା।
—”ସ୍ଵୟଂ ଦୁର୍ଗା ମା’ଙ୍କ ଶକ୍ତି ବି ସୃଷ୍ଟି ହୋଇଥିଲା, ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ସମ୍ମିଳିତ ଶକ୍ତିରେ। ସେଦିନ ଯଦି ତିନି ଦେବ ନିଜ ସାହାସ ଓ ଶକ୍ତି, ଦେବୀଙ୍କ ଶକ୍ତି ସହିତ ସମ୍ମିଳିତ କରିନଥାନ୍ତେ ତେବେ କଣ ମହିଷ ବଧ ହୋଇ ଥାଆନ୍ତା???
ସେହି ସମୟରେ ସେ ଅନୁଭବ କରି ପାରିଲା ଶକ୍ତିଙ୍କ ପାଇଁ ଦେବଙ୍କ ଅବଦାନ।ସେ ଅନୁଭବ କରି ପାରିଲା ଜଣେ ନାରୀ ହିସାବରେ ସେ ଆଜି ଯାହା କରୁଛି ତା ପଛରେ ଅବଦାନ ମାନଙ୍କୁ।ଯେତେବେଳେ ସ୍ୱାମୀ ମଧ୍ୟରାତ୍ରୀରେ ଅଧା ନିଦରେ ଉଠିଥିବା ଶିଶୁକୁ କୋଳରେ ନେଇ କହିଥାନ୍ତି, “ତୁମେ ବିଶ୍ରାମ କର, ମୁଁ ଶୁଆଇ ଦେଉଛି,”—ସେ ଶକ୍ତି ମଧ୍ୟରେ ଶିବଙ୍କୁ ଅନୁଭବ କରିଲା। ଯେତେବେଳେ ଅଫିସ ରେ ଥିବା ସମୟରେ ସ୍ବାମୀ ଶିଶୁର ସଂପୂର୍ଣ୍ଣ ଦାୟିତ୍ବ ଖାଲି ପିତା ନୁହେଁ ମାଆ ଭଳି ତୁଲାଇ ନିଅନ୍ତି ସେ ପ୍ରେମକୁ ଅନୁଭବ କରିଲା।
ଯେତେବେଳେ ପୁରୁଷ ସହକର୍ମୀମାନେ ବିଚାର ନୁହେଁ, ସମ୍ମାନ ଦେଇ ସାହାଯ୍ୟ କରନ୍ତି—ସେ ସମର୍ଥନକୁ ଅନୁଭବ କରିଲା।
ଯେତେବେଳେ ତା ଚତୁର୍ପାର୍ଶ୍ଵରେ ଥିବା ସମାଜ ତାକୁ
“ ଆଃ ବିଚାରି ,ଗୋଟିଏ ସଂଘର୍ଷ କରୁଥିବା ନାରୀ” ବୋଲି ନୁହେଁ, ବରଂ “ଏକ ସଫଳ ନାରୀ” ବୋଲି ଦେଖେ—ସେ ମୂଲ୍ୟକୁ ଅନୁଭବ କରିଲା।
ସେଦିନ ସନ୍ଧ୍ୟାରେ, ଲୁହ ମଧ୍ୟରେ ହସିଲା ଅନନ୍ୟା—ବୁଝିଲା, ନାରୀବାଦ କେବେ ପୁରୁଷଙ୍କ ବିରୋଧରେ ଯୁଦ୍ଧ ନୁହେଁ।
ନାରୀବାଦ ହେଉଛି ସାଙ୍ଗ ହୋଇ ଚାଲିବାର ପ୍ରତିଜ୍ଞା ,ଏହା ହେଉଛି ନାରୀ ଓ ପୁରୁଷର ସମ୍ମିଳିତ ଶକ୍ତି, ନୀରବ ତ୍ୟାଗ, ଯାହା ନାରୀକୁ ଅପରାଜିତ କରେ। ଭାରତ ଇତିହାସ ତାହାହିଁ ତ କୁହେ,ମାଆ ସୀତା ଜାଣିଥିଲେ ସେ ଦିନେ ଅପହରଣ ହେବେ,ନଚେତ୍ ଛୋଟ ବାଳିକା ଜାନକୀ ଯିଏ ପର୍ଶୁରାମଙ୍କ ଧନୁ ଉଠେଇବାର ଶକ୍ତି ରଖିଥିଲେ ସେ କଣ ମାୟା ମୃଗକୁ ଚିହ୍ନି ପାରିନଥିଲେ.. ସେ ରାବଣ ବଧ ପାଇଁ ସ୍ଵୟଂ ଅପହରଣ ହୋଇଥିଲେ।ଏହା ତ ଏକ ଉଦାହରଣ ମାତ୍ର,ଏହି ଭଳି ଅନେକ କାହାଣୀ ଓ ସତ୍ୟତା ଅଛି ଯାହା ନାରୀବାଦକୁ ସଠିକ୍ ଭାବରେ ଦର୍ଶାଏ।ଏହା ଭାବି ସେ ନିଜ ସ୍ଵାମୀଙ୍କ ପାଖକୁ “ଧନ୍ୟବାଦ୍”
ବୋଲି ମେସେଜ ଟିଏ ଦେବାକୁ ଫୋନ୍ ଉଠାଉଥିଲା ।।

ବାଙ୍ଗାଲୋର ,ମୋ – ୯୭୩୯୨୦୬୬୪୬