ହେଲୋ…ବାଗ୍ମୀ ମ୍ୟାଡାମ କହୁଥିଲେ କି ?
ପ୍ରିୟଦର୍ଶୀ ସାରଙ୍କ ଭଉଣୀ ?”
ପ୍ରଶ୍ନଟା ଶୁଣିବା ପରେ ପଚିଶ ବର୍ଷ ତଳର ପୁରୁଣା ଘା’ ଉପରେ କିଏ ଜଣେ ଏସିଡ୍ ଛିଞ୍ଚାଡ଼ି ଦେଲା ଭଳିଆ ଲାଗୁଥିଲା ବାଗ୍ମୀଙ୍କୁ। ଉତ୍ତରରେ ହଁ କହିବେ କି ନାହିଁ କହିବେ ବୋଲି ଭାବିଲା ବେଳକୁ l
ସେପଟୁ ପୁଣି ସେଇ ବ୍ୟକ୍ତିଙ୍କ ପ୍ରଶ୍ନ – ” ଆଜ୍ଞା ! କଣ କିଛି କହୁ ନାହାନ୍ତି ? ଠିକ୍ ଜାଗାରେ ଲାଗିଛି ତ ଫୋନଟା ? ଆପଣ ପ୍ରିୟଦର୍ଶୀ ସାରଙ୍କ ସାନ ଭଉଣୀ ବାଗ୍ମୀ ପ୍ରିୟଦର୍ଶିନୀ ତ ?”
ଦୋ – ଦୋ – ପାଞ୍ଚ ହେଇ ଏପଟରୁ ହଁ ଭରିଲେ ବାଗ୍ମୀ । ଅଳ୍ପ କିଛି ସମୟର କଥାବାର୍ତ୍ତା ପରେ ନିଜ ହ୍ୱାଟସଆପ୍ ନମ୍ବର ଦେଇ ସେଇ ନମ୍ବରରେ ଠିକଣାଟା ଲେଖି ପଠେଇବାକୁ କହି ଫୋନ୍ ରଖିଲେ। ସକାଳୁ ସକାଳୁ ଏ ଫୋନ୍ କଲ୍। ପୀୟୂଷ ଏ ଯାଏଁ ଫେରିନି। ସେଇ ଲୋକଟାର କଥାକୁ ବିଶ୍ୱାସ କରି ଏତେଗୁଡ଼ା ବାଟ ଯିବେ କି ନାହିଁ ଭାବୁ ଭାବୁ ଟୁଁ ..ଟୁଁ ..ହେଇ ହ୍ୱାଟସଆପରେ ଭର୍ତ୍ତି ହେଇଗଲା ମେସେଜ କିଛି । ସେଇ ଲୋକଟା ପଠେଇଚି।
ହ୍ୱାଟସଆପରେ ସେଇ ମେସେଜ କିଛି ଦେଖିବା ପରେ ଅସ୍ଥିର ହୋଇ ଉଠିଥିଲା ବାଗ୍ମୀଙ୍କ ମନ। ଯେତେ ବୁଝେଇଲା ପରେ ବି ଅମାନିଆ ହେଇ ପଡ଼ୁଥିଲା। ପୀୟୂଷକୁ ଅପେକ୍ଷା କରି କରି ରୋଷେଇ ସାରିଦେଲେ।ସେଇ ଲୋକ ପଠେଇଥିବା ଠିକଣା ଅନୁସାରେ ବୃଦ୍ଧାଶ୍ରମଟା ବୋଧହୁଏ ପୁରୀରେ କେଉଁଠି ଅଛି।
ସାଢେ଼ ୯ଟା ଆଡ଼କୁ ଘରେ ପହଞ୍ଚିଲା ପୀୟୂଷ। ହେଇ ତ,ଦୂରରୁ ସାଇକେଲ୍ ଷ୍ଟାଣ୍ଡ ମାରିବାର ଶବ୍ଦ। ଖଡ୍ ଖାଡ୍ ଶବ୍ଦ କରି ଏଇ ବାଗରେ ହିଁ କବାଟ ଖୋଲେ ସିଏ। ଅପା ଅପା ଡାକି ଏଇନେ ଘର କମ୍ପେଇ ଦବ ସେ ଟୋକା ଖଣ୍ଡକ।
ଫୁଲବାଣୀ ସରକାରୀ କଲେଜର ସୁନାମଧ୍ୟେୟ ଗଣିତ ଅଧ୍ୟାପିକା ହେଉଛନ୍ତି ବାଗ୍ମୀ। ଆଖପାଖ ଅଞ୍ଚଳରେ ତାଙ୍କ ସୁଖ୍ୟାତି କାହିଁରେ କ’ଣ। ନିଜ ପରିଚୟ ସେ ନିଜେ ସୃଷ୍ଟି କରି ସାରିଛନ୍ତି। ଅତି ପୁରୁଣା କାଳିଆ ଲୋକ ହେଇଥିଲେ, ତାଙ୍କୁ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ବାବୁଙ୍କ ଝିଅ ହିସାବରେ ଜାଣନ୍ତି । ଏଇ ପ୍ରିୟଦର୍ଶୀ ସାରଙ୍କ ସାନ ଭଉଣୀ ହିସାବରେ ତାଙ୍କୁ ଖୁବ୍ ଭଲରେ ଚିହ୍ନିଥିଲେ କେବଳ ଜଣେ ବ୍ୟକ୍ତି ; କିନ୍ତୁ ସେ ତ…!! ପୀୟୂଷ – ସମ୍ପର୍କରେ ଏକମାତ୍ର ପୁତୁରା – ନନା (ବଡ଼ଭାଇ)ଙ୍କ ପୁଅ। ପୀୟୂଷ ଜନ୍ମର ଅଳ୍ପବର୍ଷ ପରେ ହିଁ ତା ମା’ଙ୍କ ମୃତ୍ୟୁ।ତେଣୁ ଛୋଟବେଳୁ ହିଁ ସେ ବାଗ୍ମୀଙ୍କ ପାଖରେ।
ପୀୟୂଷକୁ ହ୍ୱାଟସଆପର ମେସେଜ ସବୁ ଦେଖେଇଲେ ବାଗ୍ମୀ। ଆଜିକାଲିକା ପିଲା ସେ।ଭଲମନ୍ଦ ସବୁ ବୁଝୁଛି, ଜାଣୁଛି। “କଣ କହୁଚୁ?ଯିବା ପୁରୀ? ଉଇଲ୍ ରେ ଯାହାସବୁ ଲେଖା ହେଇଚି ସବୁ ତ ପଢିଲୁ।ଏବେ କଣ କରିବାଟା ଠିକ ହେବ?” ବାଗ୍ମୀ ପଚାରିଲେ। ତା’ର ଉତ୍ତର ନ ଦେଇ ପୀୟୂଷ ଓଲଟା ପ୍ରଶ୍ନ କଲା ,” ଅପା, ଏଇ ଅନୁଭା କିଏ? ମୋତେ କାଇଁ ତାଙ୍କ ନାଁ କେବେ ଶୁଣିଲା ଭଳିଆ ଲାଗୁନି। ସେ ଉଇଲ୍ ରେ ଗୋଟିଏ ଅଟାଚିର ଜିନିଷ ତୁମକୁ ଦେବା ପାଇଁ କୁହାଯାଇଛି।ଏ କୌଣସି ଫ୍ରଡ୍ ନୁହେଁ ତ?”
କୌଣସି ପ୍ରଶ୍ନର ଉତ୍ତର ଦେବା ପାଇଁ ବୋଧହୁଏ ମାନସିକ ଭାବେ ପ୍ରସ୍ତୁତ ନ ଥିଲେ ବାଗ୍ମୀ।ଚୁପ୍ ଚାପ୍ ନିଜ ଜିନିଷ ସହ ପୀୟୂଷର ଜିନିଷ ପ୍ୟାକିଂ କରିବାରେ ନିଜକୁ ବ୍ୟସ୍ତ କଲେ ସେ।ଅପାଙ୍କୁ ଠିକ୍ ଚିହ୍ନିଚି ପୀୟୂଷ।ତା ସହ ଖୁବ୍ ଭଲ ଭାବେ ଚିହ୍ନିଚି ଅପାଙ୍କ ନୀରବତାକୁ।ବାହାରକୁ ଅତି ସାଧାରଣ ଦିଶୁଥିବା ଏଇ ନୀରବତା ପ୍ରକୃତରେ ଦର୍ଶାଏ ବାଗ୍ମୀ ଅପାଙ୍କ ମନରେ ଚାଲୁଥିବା ମାନସାଙ୍କ ଗଣିତ ସବୁକୁ।ଜୀବନର ପ୍ରଶ୍ନଗୁଡ଼ା ମଧ୍ୟ ତାଙ୍କ ପାଇଁ ଗୋଟାଏ ଗୋଟାଏ ଗଣିତ।କେଉଁ ଉପାୟରେ ଅଙ୍କଟା କଷିଲେ ଅଳ୍ପ ପରିଶ୍ରମରେ ଉତ୍ତର ମିଳିଯିବ,ସେଇ ଉପାୟଟା ଅପାଙ୍କୁ ବେଶ୍ ଜଣା।ଜୀବନରେ ଉପୁଜିଥିବା ସମସ୍ୟା ସବୁର ସମ୍ଭାବ୍ୟତା ଓ ପରିସଂଖ୍ୟାନକୁ ଦୃଷ୍ଟିରେ ରଖି ; ଲିମିଟ୍, ଡେରିଭେଟିଭ୍ ଓ ଇଣ୍ଟିଗ୍ରେସନ୍ ର ଫର୍ମୁଲା ପକେଇ ସମାଧାନ କାଢିବାରେ ସେ ସତରେ ଜଣେ ଓସ୍ତାଦ। ତେଣୁ ତାଙ୍କୁ ଅଯଥା ପ୍ରଶ୍ନ ନ କରି ଗାଧୁଆ ଘରକୁ ଚାଲିଲା ପୀୟୂଷ।
ନନାଙ୍କ ଖାଇବା ପିଇବାର ବ୍ୟବସ୍ଥା କରିଦେଇ ତାଙ୍କୁ ଛୋଟିଆ ମେସେଜଟିଏ କରି ଦେଇ ପୁରୀ ବାହାରିଲେ ବାଗ୍ମୀ। ସାଙ୍ଗରେ ପୀୟୂଷ।ନିଜେ କଷିଥିବା ଅଙ୍କରେ ସେ ଜାଣି ସାରିଛନ୍ତି,ଏତିକି ବାଟ ଯିବାବେଳେ ପୀୟୂଷ ନିଶ୍ଚେ ପଚାରିବ ଅନୁଭାଙ୍କ କଥା। ତାକୁ ଜଣେଇ ଦେବାଟା ବି ଠିକ୍।
– ଅନୁଭାଙ୍କୁ ତୁ ଜାଣି ନ ଥିବୁ।ତୋ ବାପା,ତୋ ଜେଜେ ଆଉ ମୁଁ – ଖୁବ୍ ଭଲରେ ଚିହ୍ନିଚୁ ତାଙ୍କୁ। ସେ ଏମିତି ଗୋଟିଏ ଇତିହାସ,ଯାହାକୁ କେହି କେବେ ଖୋଜିବା ପାଇଁ ଇଚ୍ଛା ହିଁ କରି ନାହାନ୍ତି। ମଣିଷ ଯେ କେତେ ପ୍ରକାର ମୁଖା ପିନ୍ଧି ଅଲଗା ଅଲଗା ଚରିତ୍ରରେ ଖୁବ୍ ନିଖୁଣ ଭାବେ ଅଭିନୟ କରି ପାରେ,ସେ ଥିଲେ ତାର ଜ୍ୱଳନ୍ତ ଉଦାହରଣ।
– ଆରେ ୱାଃ…ତୁମ କଥାଗୁଡ଼ା ଭାରି ଇଣ୍ଟ୍ରେଷ୍ଟିଂ ଶୁଭୁଚି ଅପା। ମତେ ମୂଳରୁ କୁହ। କଣ ହେଇଥିଲା ? ସେ କଣ ଆମର ସମ୍ପର୍କୀୟ?
ଫୁଲବାଣୀର ଘାଟି ରାସ୍ତା ଦେଇ କାର୍ ଚାଲୁଥିଲା ପୁରୀ ଅଭିମୁଖେ। ଆଉ ବାଗ୍ମୀ ମନେ ପକଉଥିଲେ ୨୫ ବର୍ଷ ତଳର ତାଙ୍କ ଜୀବନର ସେଇ ବଡ଼ ଘାଟିଟାକୁ ଯାହାର ବୁଲାଣି ବଦଳେଇ ଦେଇଥିଲା ତାଙ୍କ ପୁରା ପରିବାରର ଭବିଷ୍ୟତକୁ।
– ଫୁଲବାଣୀରେ ସେତେବେଳେ ଏତେ ଭଲ ହାଇସ୍କୁଲ ନ ଥିଲା । ପୁଣି ଗଣିତ ଶିକ୍ଷକଙ୍କ ପଦବୀ ଖାଲି। ତୋ ଜେଜେ ମୋତେ କଟକ ପଠେଇ ଦେଲେ।ସେଠି ହଷ୍ଟେଲରେ ରହି ମୁଁ ପଢ଼ୁଥାଏ। ନନା ସେତେବେଳକୁ ରେଭେନ୍ସାରେ।ହଠାତ୍ ଦିନେ ଅନୁଭାଙ୍କୁ ସାଥିରେ ନେଇ ସେ ପହଞ୍ଚିଲେ ମୋ ପାଖରେ। କହିଲେ – ଇଏ ତୋ ନୁଆବୋଉ। ମୁଁ ଚମକି ପଡିଲି। ନନା କଣ ବାପାଙ୍କୁ ନ ଜଣେଇ ବାହା ହେଇ ପଡିଛନ୍ତି !! ନନା ବୁଝେଇଲେ – ଦୁହେଁ ଅପେକ୍ଷା କରିଛନ୍ତି ସରକାରୀ ଚାକିରି ପାଇଁ। ଚାକିରି ପାଇଗଲେ ଘରେ ଜଣେଇ ବାହା ହେବେ। ସେଇଠୁ ଆରମ୍ଭ ହେଇଥିଲା ଅନୁଭାଙ୍କ ସହ ମୋର ବନ୍ଧୁତା। ନା,ତାକୁ ବନ୍ଧୁତା କହିଲେ ଠିକ୍ ହବନି । ସେଇଟା ଥିଲା ସଂପୂର୍ଣ୍ଣ ପାରିବାରିକ ସମ୍ପର୍କ। ତାଙ୍କୁ ମୁଁ ନୂଆବୋଉ ଡାକୁଥିଲି।ପିଲାଦିନୁ ବୋଉର ସ୍ନେହ କେବେ ପାଇ ନ ଥିଲି।ସେ ସତରେ ମୋତେ ମୋ ବୋଉ ଭଳି ଲାଗୁଥିଲେ।ନନାଙ୍କ ପସନ୍ଦକୁ ବି ମାନିବାକୁ ପଡ଼ିବ।ନୂଆବୋଉ ଖୁବ୍ ସୁନ୍ଦର ଥିଲେ। ତନୁ ପାତଳୀ ଶରୀର,ହଳଦିଆ ଚମ୍ପା ରଙ୍ଗର ଦେହ,ତୀକ୍ଷ୍ଣ ନାକ। ଆଉ ସେଇ ମୁହଁକୁ ଖୁବ୍ ମାନୁଥିଲା ଦୁଇ ଭ୍ରୁଲତାର ଠିକ୍ ମଝିରେ ଟିକିଲି ଭଳିଆ ଗୋଟିଏ ଛୋଟିଆ କଳାଜାଇ।ସବୁଠୁ ସୁନ୍ଦର ଥିଲା ତାଙ୍କ ଉପର ବାଆଁ ପଟ ବାହାଡ଼ା ଦାନ୍ତଟା।ହସି ଦେଲେ ଗୋଟିଏ ଅଲଗା ପ୍ରକାର ଆତ୍ମୀୟତା ଝଲସି ଉଠୁଥିଲା ତାଙ୍କ ମୁହଁରେ।ସେଇ ହସ କେବଳ ନନାଙ୍କୁ ନୁହେଁ,ମତେ ବି ପାଗଳ କରି ପକେଇଥିଲା।ନନାଙ୍କ ଭଳି ସୌମ୍ୟ ସୁଦର୍ଶନ ପୁରୁଷଙ୍କ ପାଇଁ ଯେ କେବଳ ନୂଆବୋଉ ହିଁ ଠିକ୍,ତାଙ୍କ ଯୋଡ଼ି ଦେଖିବା ମାତ୍ରେ ହିଁ ଏ କଥା ମୋ ମନକୁ ଆସି ଯାଉଥିଲା। ନନା-ନୂଆବୋଉଙ୍କ ଯୋଡ଼ି ଥିଲା ମୋ ପାଇଁ ସାକ୍ଷାତ ଲକ୍ଷ୍ମୀ ନାରାୟଣଙ୍କ ଯୋଡ଼ି। ଏକଥା ମୁଁ ଅନେକ ଥର ନୂଆବୋଉଙ୍କ ଆଗରେ ପ୍ରକାଶ ମଧ୍ୟ କରିଥିଲି। ଆଉ ପ୍ରତିଥର ସେ ମୋ ଗାଲ ଚିମୁଟି ଦେଇ କହୁଥିଲେ, ” ହଁ ହଁ; ଆମେ ଦୁହେଁ ଲକ୍ଷ୍ମୀ ନାରାୟଣ ହେଲେ ତୁମେ ଆମ ସୁଭଦ୍ରା ଆଉ।’
କଥାତକ କହି ସାରି ପୀୟୂଷକୁ ଅନେଇଲା ବେଳକୁ ପୀୟୂଷ ଆଖିରେ ଆଖିଏ ନିଦ ନେଇ ଅନେଇ ରହିଥିଲା ତାଙ୍କୁ।ବୋଧହୁଏ ତାଙ୍କ କଥାର ସମାପ୍ତିକୁ ଅପେକ୍ଷା କରିଥିଲା ସେ। କାର ରେ ବସିବା ମାତ୍ରେ ଛୁଆଟାକୁ ବାନ୍ତି ଉଠାଏ।ତେଣୁ ବାନ୍ତି ନ ହେବା ପାଇଁ କାରରେ ବସିବା ପୂର୍ବରୁ ହିଁ ବାଗ୍ମୀ ତାକୁ ଆଭୋମିନ୍ ଟାବଲେଟ୍ ଗୋଟିଏ ଖୁଆଇ ଦେଇଥିଲେ।ସେଇ ମେଡିସିନ ପ୍ରଭାବରେ ଏଇ ନିଦ।ହଉ, ଶୋଇପଡ଼ୁ ଛୁଆଟା।ତାକୁ କୋଳରେ ଶୁଏଇ ଦେଇ ନିଜେ ମଧ୍ୟ ଟିକିଏ ଶୋଇବା ପାଇଁ ଚେଷ୍ଟା କଲେ ବାଗ୍ମୀ।ଗୀତର ଭଲ୍ୟୁମ୍ କମେଇ ଦେଇ କାର ଚଳେଇବା ପାଇଁ ଡ୍ରାଇଭରକୁ ନିର୍ଦ୍ଦେଶ ଦେଲେ।
ନୟାଗଡ଼ ପାଖାପାଖି ପହଞ୍ଚିଲା ବେଳକୁ ନିଦ ଭାଙ୍ଗିଲା ପୀୟୂଷର।
– ହୁଁ…କୋଉଠି ଥିଲେ ଆମେ ଅପା? ମୋ ବାପା ଆଉ ତୁମ ନୂଆବୋଉଙ୍କ ଲଭ୍ ଷ୍ଟୋରୀ ! ଏୟା ତ?? ତୁମ ଭାଷାରେ ସେମାନେ ଦୁଇଜଣ ଥିଲେ ପୁରା ପରଫେକ୍ଟ କପଲ୍।ମାନେ ମେଡ୍ ଫର୍ ଇଚ୍ ଅଦର୍।ତା ପରେ ?
ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ ବାଗ୍ମୀ।
– କେବଳ ମୋ ପାଇଁ ନୁହେଁ।ମୋ ସାଙ୍ଗସାଥୀ,ସେଇ ଦୁଇ ଜଣଙ୍କ ସାଙ୍ଗସାଥୀ – ଯେଉଁ ଅଳ୍ପ କିଛି ଲୋକ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣି ଥିଲେ; ସମସ୍ତଙ୍କ ପାଇଁ ସେମାନେ ଦୁହେଁ ଥିଲେ ଆଦର୍ଶ।ଏମିତି ନୁହଁ ଯେ ସେମାନଙ୍କ ଭିତରେ ମନାନ୍ତର ମତାନ୍ତର ହେଉ ନ ଥିଲା।କିନ୍ତୁ ବୁଝାଶୁଣା ପରେ ଦୁହେଁ ଠିକ୍ ବଗୁଲା ବଗୁଲୀ ପରି ଚଳି ଯାଉଥିଲେ।ବେଳେବେଳେ ନନାଙ୍କ ଉପରେ ଖୁବ୍ ଅଭିମାନ କରି ମୁହଁ ଫୁଲେଇ ବସୁଥିଲେ ନୂଆବୋଉ।ନୁଆବୋଉଙ୍କୁ ମନେଇବା ପାଇଁ ଛେନାପୋଡ଼ ଆଣିକି ଆସୁଥିଲେ ନନା।ସେଇ ଛେନପୋଡ଼ ଖୁଏଇ ନୂଆବୋଉଙ୍କ ମାନଭଞ୍ଜନ କରିବାକୁ ପଡ଼ୁଥିଲା।ଦିନେ ମୁଁ ପଚାରିଲି,” ନୂଆବୋଉ, ବାହାଘର ପରେ ତୁମେ ଯଦି ନନାଙ୍କ ଉପରେ କୌଣସି କାରଣରୁ ରାଗିଯାଅ,ତା ହେଲେ କ’ଣ ମୋ ସହ ମଧ୍ୟ କଥାବାର୍ତ୍ତା ବନ୍ଦ କରିଦେବ?” ହସି ଥିଲେ
ନୂଆବୋଉ।କହିଲେ ” ଲକ୍ଷ୍ମୀ ପୁରାଣରେ ଲକ୍ଷ୍ମୀ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଉପରେ କ୍ରୋଧ କରି ତାଙ୍କୁ ବାରବର୍ଷ ଭୋକିଲା ରହିବାର ଅଭିଶାପ ଦେଲେ,ସେତେବେଳେ ସେ ସୁଭଦ୍ରାଙ୍କୁ କୌଣସି ଅଭିଶାପ ଦେଇ ନ ଥିଲେ। ଜାଣିଛ କାହିଁକି?କାରଣ ସେ ତାଙ୍କ ନଣନ୍ଦଙ୍କୁ ସବୁଠୁ ବେଶି ଭଲ ପାଉଥିଲେ।ସୁଭଦ୍ରାଙ୍କୁ ସେ ମାଉସୀ ମା’ଙ୍କ ଘରେ ଜିମା ଦେଇ ଚାଲି ଯାଇଥିଲେ ବୋଲି କଥା ଅଛି।ତୁମେ ମଧ୍ୟ ମୋର ଗୋଟିଏ ବୋଲି ନଣନ୍ଦ।ଆଉ ମୁଁ ତୁମ ଉପରେ ରାଗିବି କେମିତି ଯେ?”
– ଓଃ… ହଉ ହେଲା।ସେତିକି ଥାଉ ତୁମ ନୂଆବୋଉଙ୍କ ପ୍ରଶଂସା ।ତା ପରେ କଣ ହେଲା କୁହ ଅପା।
– ତା ପରେ ଆଉ କଣ?ପାଖାପାଖି ତିନି ବର୍ଷ ପରେ ଦୁହିଁଙ୍କର ସରକାରୀ ଚାକିରି ହେଇ ଗଲା।ସେ ପୁଣି ଅଧ୍ୟାପକ ପଦବୀରେ।ସେତେବେଳକୁ ନନାଙ୍କ ବିବାହ ବୟସ ହେଇ ଯାଇଥିଲା।ତେଣୁ ତାଙ୍କ ବାହାଘର ପାଇଁ ବାପା ଭାରି ବ୍ୟସ୍ତ ଥିଲେ।ନନାଙ୍କ ଚାକିରି ପରେ ଝିଅ ଖୋଜା ପାଇଁ ତତ୍ପର ହେଇ ଉଠିଥିଲେ।କିନ୍ତୁ ଅନୁଭାଙ୍କ କଥା କହି ତାଙ୍କୁ ହିଁ ବିବାହ କରିବା ପାଇଁ ବାପାଙ୍କ ପାଖରେ ଅଳି କରିଥିଲେ ନନା।ଅବଶ୍ୟ ବାପାଙ୍କର କୌଣସି ଆପତ୍ତି ନ ଥିଲା।ହେଲେ ବିବାହ ପ୍ରସ୍ତାବ ନେଇ ଆମେ ଯେତେବେଳେ ତାଙ୍କ ଘରକୁ ଗଲୁ,ସେତେବେଳେ ନନାଙ୍କ ସହ ବାହାଘର ପାଇଁ ସିଧା ସିଧା ମନା କରିଦେଲେ ନୂଆବୋଉ।
– ଏଁ….କଣ ପାଇଁ? ହଠାତ୍ କଣ ହେଲା?
– ସେକଥା ନନା ମଧ୍ୟ ବାରମ୍ବାର ପଚାରିଥିଲେ ସେଦିନ ନୂଆବୋଉଙ୍କୁ।କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ ସେ। ନନାଙ୍କର କାନ୍ଦ କାନ୍ଦ ମୁହଁ ଦେଖି ସେଦିନ ମୁଁ ଆଉ ରହି ପାରିଲିନି।ତାଙ୍କୁ ପଚାରିଲି, “ନନାଙ୍କ ଉପରେ ଅଭିମାନ କରି ତୁମ ନଣନ୍ଦକୁ କାହିଁକି ଏଇ ଭଳିଆ ଦଣ୍ଡ ଦେଉଛ ନୂଆବୋଉ?” ସେ କହିଲେ,”ତୁମେ ହେଉଛ ପ୍ରିୟଦର୍ଶୀଙ୍କ ଭଉଣୀ। ବାସ୍।ତୁମର ଆଉ ମୋର ପରିଚୟ କେବଳ ଏତିକି। ଇମୋସନାଲ ଫୁଲ୍ ଙ୍କ ଭଳି କଥାବାର୍ତ୍ତା କରନି।ପ୍ରିୟଦର୍ଶୀଙ୍କ ସହ ସମ୍ପର୍କ ତୁଟେଇବା ପରେ ତାଙ୍କ ଭଉଣୀଙ୍କ ସହ ମୋ ସମ୍ପର୍କର କଣ କିଛି ମାନେ ଅଛି?” ସେଦିନ ତାଙ୍କ ଘରେ ଖୁବ୍ ଅପମାନିତ ହେଇଥିଲେ ବାପା।ମତେ ଆଉ ନନାଙ୍କୁ ଧରି ଫେରିବା ରାସ୍ତାରେ ନନାଙ୍କ ସହ ଆଦୌ କଥା ହେଇ ନ ଥିଲେ।ନୂଆବୋଉଙ୍କ ଉପରେ ମୁଁ ବି ଖୁବ୍ ରାଗିଥିଲି।ନନାଙ୍କ ସହ ବିବାହ ପ୍ରତ୍ୟାଖ୍ୟାନ କରି ସେ ସାରା ଜୀବନ ଦୁଃଖ ପାଇବେ ବୋଲି ମୁଁ ଦୃଢ଼ ନିଶ୍ଚିତ ଥିଲି।ଏତେ ବଡ କ୍ଷତିର ଭରଣା ସେ କେବେ ବି ନ କରି ପାରିବା ପାଇଁ ମନେ ମନେ ବହୁତ ଅଭିଶାପ ଦେଇ ଥିଲି।ଅଳ୍ପ ଦିନ ପରେ ହିଁ ନନାଙ୍କ ପାଇଁ ତୋ ବୋଉଙ୍କ ପ୍ରସ୍ତାବ ଆଣି ଆସିଲେ ତୋ ଜେଜେ।ଉଁ.. ଚୁଁ.. କିଛି ନ କହି ବାପାଙ୍କ କଥା ମାନି ଭାଉଜଙ୍କୁ ବାହା ହେଲେ ନନା।ହେଲେ ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ତାଙ୍କୁ ଆଉ ନୂଆବୋଉ ଡାକି ପାରିଲିନି କି ନୂଆବୋଉଙ୍କ ଭଳି ତାଙ୍କୁ ଭଲ ପାଇ ପାରିଲିନି।ସେଇ ଗୋଟାଏ ବିରାଟ ଅବଶୋଷ ଯାହା ମୋ ଜୀବନରେ ରହି ଗଲା।ତା ପରେ ତୋ ଜନ୍ମ… ତା ପରେ ଭାଉଜଙ୍କର ହଠାତ୍ ଆକ୍ସିଡେଣ୍ଟରେ ମୃତ୍ୟୁ… ।ଜୀବନଟା ହିଁ ଏମିତିରେ..। ଭାରି ଅନ୍ ପ୍ରେଡିକ୍ଟେବଲ୍…।
– ଆଚ୍ଛା..ଆଚ୍ଛା…।ବୁଝିଲି।ତା ହେଲେ ଅନୁଭା ଥିଲେ ବାପାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍।ସତରେ ଧୋକାବାଜ୍ ଖଣ୍ଡେ।
– ହଁ,ସେ କଣ ଗୋଟିଏ ଉଇଲ୍ କରିକି ଯାଇଛନ୍ତି ମୋ ନାଆଁରେ।ଆଉ ମୋ ପରିଚୟରେ ଲେଖିଛନ୍ତି – ପ୍ରିୟଦର୍ଶୀଙ୍କ ସାନ ଭଉଣୀ।ଅଧିକ କଣଟା ବା ଆଉ ଲେଖିଥାନ୍ତେ ?
ପ୍ରାୟ ସନ୍ଧ୍ୟା ସମୟ ବେଳକୁ ପୁରୀରେ ପହଞ୍ଚିଲେ ସେମାନେ ।ମହାପ୍ରଭୁଙ୍କ ଦର୍ଶନ ସାରି ମହାପ୍ରସାଦ ଖାଇ ରାତିରେ ବିଶ୍ରାମ ପାଇଁ ହୋଟେଲ ରୁମ୍ ରେ ପହଞ୍ଚିଲେ। ଏତେବାଟ ଟ୍ରାଭେଲିଂ ପୁଣି ତା ପରେ ଶ୍ରୀ ମନ୍ଦିର ବୁଲାବୁଲି କରି ଥକି ପଡ଼ିଥିଲା ପୀୟୂଷ।ତେଣୁ ସାଙ୍ଗେ ସାଙ୍ଗେ ଶୋଇ ପଡ଼ିଲା ସେ।ହେଲେ ବାଗ୍ମୀ? ତାଙ୍କ ଆଖିରେ ନିଦ ନ ଥିଲା।ଇଚ୍ଛା ନ ଥିଲେ ବି ବାରମ୍ବାର ନୂଆବୋଉଙ୍କ ସେଇ ହସ ହସ ମୁହଁଟା ତାଙ୍କ ଆଖି ଆଗରେ ନାଚି ଯାଉଥିଲା।ତାଙ୍କର ମନେ ପଡ଼ିଲା – ପୁରାଣ ଶାସ୍ତ୍ରରେ ଅଗାଧ୍ୟ ପାଣ୍ଡିତ୍ୟ ଥିଲା ନୂଆବୋଉଙ୍କର।ପୌରାଣିକ ଚରିତ୍ର ସବୁର ସଂଶ୍ଳେଷଣ ବିଶ୍ଳେଷଣ କରି ଅକାଟ୍ୟ ଯୁକ୍ତି ପ୍ରସ୍ତୁତ କରି ପାରୁଥିଲେ ସେ।ସେଇ ଭଳିଆ ମଣିଷଟା ଏତେ ବଡ ଧୋକାବାଜ୍ କେମିତି ହେଇ ପାରିଲା କେଜାଣି? ବାହାଘର ପ୍ରତ୍ୟାଖ୍ୟାନ ପରେ ଘର ଠିକଣା,ହଷ୍ଟେଲ ଠିକଣା ,ଚାକିରି ଠିକଣା – ସବୁ ଚେଞ୍ଜ୍ !! ହଠାତ୍ ଉଇଲ୍ କଥା ଭାବିଲେ ବାଗ୍ମୀ।କଣ ଥିବ ସେଇ ଆଟାଚିରେ ? ନିଶ୍ଚୟ କିଛି ପୁରୁଣା କାଳିଆ ଛୋଟମୋଟ ଫଟୋ ଥିବା।ତା ସାଙ୍ଗରେ ନନାଙ୍କ ଉଦ୍ଦେଶ୍ୟରେ କ୍ଷମାପତ୍ର। ନନାଙ୍କ ସହ ବାହାଘରଟା ଭାଙ୍ଗି ସେ କେବେ ମଧ୍ୟ ଖୁସିରେ ରହି ନ ଥିବେ।ସେଇ ଅନୁତାପ, ପଶ୍ଚାତାପ ଭରା ଚିଠି କେତେଟା ଥିବ। ଏଇୟା ସବୁ ଭାବୁ ଭାବୁ କେତେବେଳେ ତାଙ୍କୁ ନିଦ ଆସିଗଲା ସେ ଆଦୌ ଜାଣି ପାରିଲେନି।
ତା ପରଦିନ ସକାଳୁ ଉଠି ଗାଧେଇ ପାଧେଇ ଦୁହେଁ ଜଳଖିଆ ଖାଇ ନେଲେ। ହ୍ୱାଟ୍ସ୍ଆପରେ ଯୋଗାଯୋଗ କରିଥିବା ସେଇ ବ୍ୟକ୍ତିଙ୍କୁ ପଚାରି ପଚାରି ନିର୍ଦ୍ଦିଷ୍ଟ ବୃଦ୍ଧାଶ୍ରମରେ ପହଞ୍ଚି ଗଲେ।ନୂଆବୋଉ ( ଅନୁଭା)ଙ୍କ ଓକିଲ କିଛି ସମୟ ପରେ ଆସିଲେ। ଅନୁଭାଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଅନୁସନ୍ଧିତ୍ସୁ ହେଇ ଉଠୁଥିଲା ବାଗ୍ମୀଙ୍କ ମନ।କିନ୍ତୁ ପୀୟୂଷର ମନ ଥିଲା ଯାଇ ଆଟାଚିଟା ପାଖରେ।ସେ ଆଦୌ କିଛି ଅନୁମାନ ଲଗେଇ ପାରୁ ନ ଥିଲା । କଣ ଥିବ ସେଇ ଆଟାଚିରେ?କଣ ବାପାଙ୍କ ଉଦ୍ଦେଶ୍ୟରେ ସେ ଛାଡ଼ି ଯାଇଥିବେ ତାଙ୍କର କିଛି ମୂଲ୍ୟବାନ ଅଳଙ୍କାର?
ଓକିଲବାବୁ ସେଇ ବୃଦ୍ଧାଶ୍ରମର କିଛି ମୁଖ୍ୟ ପୁରୋଧାଙ୍କ ଉପସ୍ଥିତିରେ ଗୋଟିଏ ଛୋଟ ରୁମ୍ ରେ ଅନୁଭାଙ୍କ ଉଇଲଟିକୁ ପଢ଼ି ଶୁଣେଇଲେ ବାଗ୍ମୀଙ୍କୁ।ଓକିଲବାବୁଙ୍କ କହିବା କଥା ଅନୁସାରେ ଅନୁଭାଙ୍କ ମୃତ୍ୟୁ ଠିକ୍ ୧୨ ଦିନ ତଳେ ହେଇଥିଲା ଏଇ ବୃଦ୍ଧାଶ୍ରମରେ।ସେ ଥିଲେ ଏଇ ବୃଦ୍ଧାଶ୍ରମର ମାଲିକାଣୀ।ନିଜର ଦଶାହ କର୍ମ ପରେ ଏଇ ଆଟାଚିକୁ ବାଗ୍ମୀଙ୍କୁ ଦେବା ପାଇଁ ଉଇଲରେ ଲେଖିଥିଲେ ଅନୁଭା।ଆଉ ବେଶୀ କିଛି ଲେଖା ହେଇ ନ ଥିଲା ସେଥିରେ। ଅନୁଭାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଓକିଲବାବୁଙ୍କୁ ପଚାରି ଥିଲେ ବାଗ୍ମୀ। ତେବେ ନିଜ ବ୍ୟକ୍ତିଗତ ତଥ୍ୟ ସବୁକୁ ସଂପୂର୍ଣ୍ଣ ଗୋପନ ରଖିବା ପାଇଁ ଅନୁଭାଙ୍କ ଶେଷ ଇଚ୍ଛା ବିଷୟରେ ବାଗ୍ମୀଙ୍କୁ ଜଣେଇ ଥିଲେ ତାଙ୍କ ଓକିଲ।ଶେଷରେ ଆସିଲା ସେଇ ଅପେକ୍ଷିତ ମୁହୂର୍ତ୍ତ। ଆଟାଚିଟା ଆସୁ ଆସୁ ଓକିଲଙ୍କ ହାତରୁ ଆଟାଚିକୁ ଚଟାପଟ୍ ନେଇ ଆସିଲା ପୀୟୂଷ।ସେତେବେଳକୁ ସମସ୍ତଙ୍କ ଆଖି ସେଇ ଆଟାଚି ଉପରେ।ବାଗ୍ମୀଙ୍କର ହୃଦ୍ ସ୍ପନ୍ଦନ ବଢ଼ିବାକୁ ଲାଗିଥିଲା।ପୁରୁଣା କାଳିଆ ଆଟାଚି।ଲକ୍ ସିଷ୍ଟମରେ ଟିକେ ବହୁତ୍ କଳଙ୍କି ଲାଗି ସାରିଥିଲା।ଖୋଲିବାକୁ କିଛି ସମୟ ବି ଲାଗିଗଲା।କିନ୍ତୁ ଆଟାଚି ଖୋଲି ଦେଖିବା ପରେ ମୁହଁରେ କେମିତି ଗୋଟିଏ ବିରକ୍ତି ଭାବ ଉକୁଟି ଆସିଲା ପୀୟୂଷର। ଏ କଣ? ପାଖାପାଖି ୧୫-୨୦ ଖଣ୍ଡ ପୁରୁଣା କାଳିଆ ଜରି ଲଗା ରାକ୍ଷୀ।କଣ ଏଇ ରାକ୍ଷୀ ପାଇଁ ଏତେ ଦୂର ଟ୍ରାଭେଲ୍ କରି ଆସିଥିଲେ ସେମାନେ? ଆଟାଚିଟାକୁ ବାଗ୍ମୀଙ୍କ ହାତରେ ଧରେଇ ଦେଇ ବାହାରେ ପାର୍କିଂ ଜାଗାରେ ଠିଆ ହେଇଥିବା କାର ପାଖକୁ ଚାଲିଲା ପୀୟୂଷ।ଆବଶ୍ୟକୀୟ କାଗଜପତ୍ର କାମ ଶେଷ କରି ଆଟାଚିକୁ ନେଇ ପୀୟୂଷ ପାଖକୁ ଆସିଲେ ବାଗ୍ମୀ। ଲଞ୍ଚ ଟାଇମ୍ ହେଇ ସାରିଥିଲା।ପାଖ ହୋଟେଲରେ ଲଞ୍ଚ କରିନେଲେ ସମସ୍ତେ।ଆଜିର ଦିନଟା ମଧ୍ୟ ପୁରୀରେ କଟେଇ ଟିକିଏ ସି ବିଚ୍ ରେ ବୁଲାବୁଲି କରି ଆସନ୍ତାକାଲି ଘରକୁ ଫେରିବାର ନିଷ୍ପତ୍ତି ନେଲେ ବାଗ୍ମୀ।ପୀୟୂଷକୁ ହୋଟେଲ ରୁମ୍ ରେ ଛାଡି ତାଙ୍କୁ ନେଇ ସି ବିଚ୍ ରେ ଛାଡି ଆସିବା ପାଇଁ ଡ୍ରାଇଭରକୁ କହିଲେ।
ଦିନ ଅଢେଇଟା ଖଣ୍ଡେ ହବ।ବିଚ୍ ରେ ଅନ୍ୟ ସମୟ ଅପେକ୍ଷା ଲୋକ ଗହଳି ଟିକିଏ କମ୍ ; କିନ୍ତୁ ପ୍ରବଳ ଖରା।ଆଖପାଖରେ ଛାଇ ବି ନାହିଁ।ଟିକିଏ ବାଟ ଚାଲି ଚାଲି ଗଲା ପରେ ଗୋଟିଏ ଛତା ଷ୍ଟାଣ୍ଡ ମିଳିଗଲା ତାଙ୍କୁ।ବୋଧହୁଏ କେଉଁ ଦହିବରା ବାଲାର ଦୋକାନ।ଦହିବରା ବିକ୍ରି କରି ସାରି ଘରକୁ ଚାଲି ଯାଇଛି।ସେଇ ଛତାତଳ ଛାଇରେ ବାଲି ଉପରେ ବସି ପଡିଲେ ବାଗ୍ମୀ।ସାଙ୍ଗରେ ଆଣିଥିବା ଆଟାଚିକୁ ଆଉ ଥରେ ଖୋଲିଲେ ।କାହିଁକି କେଜାଣି ମହ ମହ ବାସ୍ନା ଉକୁଟି ଆସୁଥିଲା ସେଇ ଆଟାଚି ଭିତରୁ।ମନେ ପଡ଼ିଲା ପିଲା ଦିନର ତାଙ୍କ ଝୁନୁ ଆଈ କଥା -” ସିଏ ସାଧାରଣ ପୁଟୁଳି ନୁହଁ ଲୋ ବାଗ (ବାଗ୍ମୀଙ୍କୁ ସେ ଗେହ୍ଲାରେ ବାଗ ଡାକୁଥିଲେ),ନଣନ୍ଦ ପୁଟୁଳି ସିଏ।ସେଠି ଭରି ରହିଥିବ ତୋ ନୂଆବୋଉର ମେଞ୍ଚା ମେଞ୍ଚା ଭଲ ପାଇବା।ସେଇ ପୁଟୁଳି ଟାକୁ ଖୋଲି ଦେଲେ ଆଖପାଖ ମହକି ଯାଉଥିବା।ସେଇ ମହକ କିନ୍ତୁ ଭାରି ରହସ୍ୟମୟ ଲୋ।କେବଳ ସିଏ ହିଁ ସେଇ ମହକ ଠଉରେଇ ପାରିବ,ଯିଏ ପ୍ରକୃତ ନଣନ୍ଦ ହେଇ ଥିବ।ସେଇ ପୁଟୁଳି ଭିତରର ଜିନିଷ ସବୁକୁ ଛୁଇଁ ଦେଲେ ନୂଆବୋଉଙ୍କ ନରମ ନରମ ହାତ ଛୁଇଁଲା ଭଳିଆ ଲାଗୁଥିବ ।”
ଆଟାଚି ଭିତରର ରାକ୍ଷୀଗୁଡ଼ାକ ଉପରେ ଟିକିଏ ହାତ ବୁଲେଇ ଆଣିଲେ ବାଗ୍ମୀ।ଧୀରେ ଧୀରେ ଅନୁଭବ କରି ପାରୁଥିଲେ ନୂଆବୋଉଙ୍କ ସେଇ ଚମ୍ପାକଢ଼ ଭଳିଆ ସୁନ୍ଦର ଓ ନରମ ଆଙ୍ଗୁଠି ସବୁକୁ।ନିଜ ଅଜାଣତରେ ସେ ଫେରିଗଲେ ପଚିଶ ବର୍ଷ ତଳର ସେଇ ସ୍ଵତନ୍ତ୍ର ଦିନଟିକୁ।ସେଦିନ ଥିଲା ରାକ୍ଷୀ ପୂର୍ଣ୍ଣିମା।ନୂଆବୋଉଙ୍କୁ ସାଙ୍ଗରେ ଧରି ନନା ଆସିଥିଲେ ତାଙ୍କ ହଷ୍ଟେଲକୁ। ରାକ୍ଷୀ ବନ୍ଧା ସରିଲା।ତା ପରେ ହଠାତ୍ ତାଙ୍କ ହାତରେ ରାକ୍ଷୀଟିଏ ବାନ୍ଧିଦେଲେ ନୂଆବୋଉ।ଚମକି ଉଠିଲେ ବାଗ୍ମୀ।ଏ କଣ କରୁଛନ୍ତି ନୂଆବୋଉ ? ତେଣୁ ତାଙ୍କୁ ବାରଣ କରି କହିଲେ,” ରାକ୍ଷୀ ଭଉଣୀ ବାନ୍ଧେ,ଭାଇ ହାତରେ।” ଆତ୍ମୀୟତାର ହସଟିଏ ମୁହଁରେ ମାଖି ନୂଆବୋଉ କହିଲେ,” କିଏ କହିଲା?ତୁମେ କଣ ଭବିଷ୍ୟ ପୁରାଣ ପଢ଼ିନ?ସେଠି ପରା ଲେଖା ଅଛି – ସେତେବେଳକୁ ଦୈତ୍ୟରାଜ ବଳିର ଉତ୍ପାତରେ ଦେବଗଣ ଥରହର।ଦେବ – ଦାନବ ମଧ୍ୟରେ ଯୁଦ୍ଧ ଥମିବାର କୌଣସି ନାଆଁ ଗନ୍ଧ ନ ଥିଲା।ଯୁଦ୍ଧରେ ଯେନତେନ ପ୍ରକାରେ ବଳିକୁ ବଧକରି ଇନ୍ଦ୍ରାସନ ଫେରେଇ ଆଣିବାର ଗୁରୁଦାୟିତ୍ବ ଥିଲା ଦେବରାଜ ଇନ୍ଦ୍ରଙ୍କ ଉପରେ।ନିଜ ପତିଙ୍କ ବିଜୟ ପାଇଁ ଇନ୍ଦ୍ରଙ୍କ ପତ୍ନୀ ଶଚୀ ଶରଣ ପଶିଲେ ଦେବଗୁରୁ ବୃହସ୍ପତିଙ୍କ ନିକଟରେ।ତାଙ୍କ ଉପଦେଶ ଅନୁସାରେ ଇନ୍ଦ୍ରଙ୍କ ହାତରେ ରକ୍ଷା ସୂତ୍ରଟିଏ ବାନ୍ଧିଦେଲେ ଶଚୀ।ସେହି ପବିତ୍ର ରକ୍ଷାସୂତ୍ରର ପ୍ରଭାବରେ ବଳିକୁ ଯୁଦ୍ଧରେ ହରାଇ ଇନ୍ଦ୍ରାସନ ଫେରି ପାଇଲେ ଇନ୍ଦ୍ର।ସେଦିନ ଥିଲା ଶ୍ରାବଣ ପୂର୍ଣ୍ଣିମା।ତା ପର ଠାରୁ ଆରମ୍ଭ ହେଲା ରାକ୍ଷୀ ପୂର୍ଣିମା ପ୍ରଥା।ବୃହସ୍ପତିଙ୍କ ଆଶୀର୍ବାଦ ରହିଛି ଏଇ ରକ୍ଷାସୂତ୍ରରେ।ଲିଙ୍ଗଗତ ଭେଦ ନ କରି ଯେକୌଣସି ବ୍ୟକ୍ତି ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ଅନ୍ୟ ବ୍ୟକ୍ତିର ହାତରେ ରକ୍ଷାସୂତ୍ରଟିଏ ବାନ୍ଧି ଦେଇ ତା’ ମଙ୍ଗଳ କାମନା କରି ପାରିବ।ଆଜି ତୁମ ହାତରେ ଏ ରାକ୍ଷୀ ମୁଁ ବାନ୍ଧିଦେଲି।ବାହାଘର ପରେ ତୁମ ନନାଙ୍କ ସହ ମୋର ଅପଡ ହେଲେ ମୋତେ ରକ୍ଷା କରିବା ଦାୟିତ୍ଵ ତୁମର।ତେଣୁ ତୁମ ମଙ୍ଗଳ କାମନା କରି ମୋର ଏଇ ରାକ୍ଷୀ।”
ରାହା ଧରି କାନ୍ଦିବାକୁ ଇଚ୍ଛା ହେଉଥିଲା ବାଗ୍ମୀଙ୍କର।ଜୀବନସାରା ସେ ନୂଆବୋଉଙ୍କ ଅମଙ୍ଗଳ କାମନା କରିଛନ୍ତି।ନନାଙ୍କ ମାନସିକ ଦୁଶ୍ଚିନ୍ତା ପାଇଁ ନୂଆବୋଉଙ୍କୁ ହିଁ ଦୋଷ ଦେଇଛନ୍ତି।ନୂଆବୋଉଙ୍କ ଏଭଳି ଧୋକା ପରେ ସେ ନିଜେ ପ୍ରେମ ଉପରୁ ବିଶ୍ବାସ ଉଠେଇ ଦେଇଛନ୍ତି।ଧୋକା ମିଳିବା ଭୟରେ ଜୀବନ ସାରା ଅବିବାହିତ ରହିବାର ନିଷ୍ପତ୍ତି ନେଇଛନ୍ତି।ହେଲେ ଆଜି କଣ ତାଙ୍କର କୌଣସି ଗଣିତ କାମ କରୁନି ?ଯେତେ ଲାଭକ୍ଷତି ହିସାବ କଲେ ମଧ୍ୟ ତାଙ୍କ ପଟଟାରେ ହିଁ କ୍ଷତି କାହିଁକି ଦେଖଉଛି କେଜାଣି? ଯେତେ ସୁଧ କଷିଲେ ବି ତାଙ୍କ ପଲାରେ ହିଁ ଋଣର ବୋଝ ଦେଖଉଛି କାହିଁକି?ନୂଆବୋଉ କ’ଣ ସତରେ ନନାଙ୍କଠୁଁ ଅଧିକ ମୋତେ ଭଲ ପାଇଥିଲେ? ନନାଙ୍କୁ ହରେଇ ସେ ନୁହେଁ ବରଂ ନୂଆବୋଉଙ୍କୁ ହରେଇ ନନାଙ୍କର ଅଧିକ କ୍ଷତି ହେଇଛି – ଏଇ କଥାଟା ଯେତେ ନୂଆ ନୂଆ ଉପପାଦ୍ୟର ସୂତ୍ର ପକେଇଲେ ବି ବାରମ୍ବାର ଠିକ୍ ପ୍ରମାଣିତ ହେଇ ଯାଉଛି କାହିଁକି କେଜାଣି?
ଲୁଣି ପବନ ବାଜି ବାଜି ଗାଲରେ ଶୁଖି ଆସିଥିବା ଲୁହ ଦାଗକୁ ଲିଭେଇବା ପାଇଁ ଚେଷ୍ଟା କଲେ ବାଗ୍ମୀ ; କିନ୍ତୁ ତା’ କଣ ସମ୍ଭବ? ଏଇ ଲୁହ – ତାଙ୍କ ଆଖିର ନୁହେଁ,ତାଙ୍କ ଆତ୍ମାର.. !!ମନେ ମନେ ପ୍ରଶ୍ନ କରୁଥିଲେ ନିଜକୁ।ଜୀବନର ଏଇ ବଡ଼ ଦୁର୍ଘଟଣା ପାଇଁ ଏଣିକି ଦୋଷ ଦେବେ କାହାକୁ? ନନାଙ୍କୁ? ନୂଆବୋଉଙ୍କୁ ? ନିଜକୁ ନା ଭଗବାନଙ୍କୁ? ପଛକୁ ଥରେ ବୁଲି ଚାହିଁଲେ ବାଗ୍ମୀ।ହେଇ ତ,ଦୂରରୁ ଦିଶୁଛି ପତିତ ପାବନ।ଏଥର ସବୁ ପ୍ରଶ୍ନ ଥିଲା ଶ୍ରୀଜଗନ୍ନାଥଙ୍କ ଉଦ୍ଦ୍ୟେଶ୍ୟରେ।କୁହନ୍ତୁ ପ୍ରଭୁ – ଆପଣ ପରା ଭାଗ୍ୟ ବିଧାତା ! କାହାର ଭାଗ୍ୟ ଭବିଷ୍ୟ ଲେଖିବା ବେଳେ ଆପଣ ଗୋଟିଏ ସମ୍ପର୍କକୁ ହିଁ ବାରମ୍ବାର ଉପେକ୍ଷା କରି ଦିଅନ୍ତି କାହିଁକି? ବାପା-ମାଆ, ଭାଇ-ଭଉଣୀ , ପ୍ରେମିକ-ପ୍ରେମିକା ,ସ୍ଵାମୀ-ସ୍ତ୍ରୀ ର ସମ୍ପର୍କ ସବୁ ମୁଖ୍ୟ ଥିବା ବେଳେ ନଣନ୍ଦ-ଭାଉଜ ସମ୍ପର୍କଟା ଆପଣଙ୍କ ପାଇଁ ଏତେ ଗୌଣ ହେଇ ପଡ଼ିଛି କାହିଁକି? ପୁଣି ନିଜକୁ ନିଜେ ବୁଝେଇଲେ ବାଗ୍ମୀ।କାହାକୁ ସେ ପଚାରୁଛନ୍ତି ? ନିଜ ଲୀଳାଖେଳାରେ ଶ୍ରୀଜଗନ୍ନାଥ ମଧ୍ୟ ବାରମ୍ବାର ଉପେକ୍ଷା କରିଛନ୍ତି ନଣନ୍ଦ-ଭାଉଜ ସମ୍ପର୍କକୁ।ଦ୍ଵାପର ଯୁଗରେ ଋକ୍ମିଣୀଙ୍କ ସହ ବିବାହ ପରେ ଋକ୍ମିଣୀ -ସୁଭଦ୍ରାଙ୍କ ସମ୍ପର୍କ ବିଷୟରେ କାହିଁ କେଉଁଠି ହେଲେ ଉଲ୍ଲେଖ ନାହିଁ ! ଆରେ ସେକଥା ଛାଡ଼।ତ୍ରେତୟା ଯୁଗରେ ଶ୍ରୀରାମଙ୍କ ଭଉଣୀ ଶାନ୍ତାଙ୍କ ବିବାହ ଋଷ୍ୟଶୃଙ୍ଗଙ୍କ ସହ ହେବା ପରେ ସୀତା-ଶାନ୍ତାଙ୍କ ସମ୍ପର୍କ ବିଷୟରେ କିଛି ତଥ୍ୟ ନାହିଁ କାହିଁକି? ଯିଏ ନିଜ ଲୀଳାଖେଳାରେ ଗୋଟିଏ ଏତେ ବଡ଼ ସମ୍ପର୍କକୁ ପ୍ରାଧାନ୍ୟ ଦେଇ ନାହାଁନ୍ତି,ସାଧାରଣ ମଣିଷର ଭାଗ୍ୟ ଭବିଷ୍ୟ ଲେଖିବା ବେଳେ ସେଇ ସମ୍ପର୍କ ବିଷୟରେ ସେ ଭାବିବେ ବା କାହିଁକି? ସେ କେମିତି ବୁଝିବେ, ନଣନ୍ଦ- ଭାଉଜଙ୍କ ବିଚ୍ଛେଦର ଦୁଃଖ !!
ଆଟାଚିରୁ ରାକ୍ଷୀ ସବୁ ଧରି ସମୁଦ୍ର ଆଡ଼କୁ ବଢ଼ୁ ଥିଲେ ବାଗ୍ମୀ।ଗୋଟିଏ ଉଚ୍ଚ ଲହଡ଼ି ଦେଖି ରାକ୍ଷୀ ସବୁକୁ ସେଇ ସମୁଦ୍ର ଭିତରକୁ ନିକ୍ଷେପ କଲେ।କିଛି ରାକ୍ଷୀ ଚାଲିଗଲା ସମୁଦ୍ର ଭିତରକୁ,ଆଉ କିଛିକୁ ଲହଡ଼ି ଆଣି ଫେରେଇ ଦେଇ ଗଲା।ଫେରି ଆସିଥିବା ରାକ୍ଷୀ ସବୁକୁ ଗୋଟାଇ ପୁଣି ସମୁଦ୍ର ଭିତରକୁ ବାରମ୍ବାର ଫିଙ୍ଗୁଥିଲେ ବାଗ୍ମୀ।ସାରା ଦେହ ଓଦା ହେଇ ଆସୁଥିଲା ବାଗ୍ମୀଙ୍କର ।ଚଷମାରେ ଲୁଣି ପାଣି ବାଜି ଧୀରେ ଧୀରେ ଅସ୍ପଷ୍ଟ ହେଇ ଆସୁଥିଲା ଦୃଶ୍ୟ ସବୁ।ପାଟିରେ ବାଜୁଥିଲା ଲୁଣି ପାଣି; ସେ ପାଣି ଆଖିର ଥିଲା ନା ସମୁଦ୍ରର କିଛି ଜାଣି ପାରୁ ନ ଥିଲେ ବାଗ୍ମୀ।ଶେଷ ରାକ୍ଷୀ ଖଣ୍ଡକ ଦୂରକୁ ଫୋପାଡ଼ି ସମୁଦ୍ରକୁ ପ୍ରଣାମ କଲେ ସେ।
ଏତେ ବର୍ଷ ଧରି ଲାଭକ୍ଷତିର ହିସାବ କରି ଶେଷରେ କ୍ଷତି ସହିବାର ଦୁଃଖକୁ ସାଥିରେ ନେଇ ଫେରୁଥିଲେ ବାଗ୍ମୀ।ମନକୁ ବୁଝଉ ଥିଲେ।ସମୁଦ୍ର କେବେ କାହାର କୌଣସି ଜିନିଷ ରଖେ ନାହିଁ,ଫେରେଇ ଦିଏ।ମୋତେ ବି ଫେରେଇଵ ନିଶ୍ଚୟ।ମୋ ରାକ୍ଷୀ ସବୁକୁ… ମୋ ନୂଆବୋଉଙ୍କୁ… ହୁଏତ ଆର ଜନ୍ମରେ। ଡ୍ରାଇଭରକୁ ଫୋନ୍ କରି ସାରି ବଡ଼ ବଡ଼ ପାହୁଣ୍ଡ ପକେଇ ଏଣିକି ମୁଖ୍ୟ ରାସ୍ତାରେ ଚାଲୁଥିଲେ ବାଗ୍ମୀ।ପୀୟୂଷକୁ ନେଇ ଜଲଦି ଘରେ ପହଞ୍ଚିବାକୁ ପଡ଼ିବ.. ନନାଙ୍କୁ ସବୁକଥା ବୁଝେଇ କହିବାକୁ ପଡ଼ିବ…ପୁଣି ନୂଆବୋଉଙ୍କ କ୍ରିୟାକର୍ମର ଦାୟିତ୍ଵ ମଧ୍ୟ ତାଙ୍କୁ ହିଁ ନେବାକୁ ପଡ଼ିବ..।ଯେତେ ହେଲେ ବି ସେ ପରା ନୂଆବୋଉଙ୍କ ନଣନ୍ଦ !!
ବାଲିଗୁଡା,କନ୍ଧମାଳ
ମୋ – ୯୬୯୨୨୬୩୦୮୭





