ଅସୁର ମରିଲା ପରେ

ମୋନା ତା ଝିଅ ନେହାକୁ ଦୂର୍ଗାପୂଜା ସମୟରେ ଅସୁର ଆଉ ମା ଦୂର୍ଗାଙ୍କ କାହାଣୀ ଶୁଣଉଥାଏ।ନେହା ପଚାରିଲା,” ମାମା ଅସୁର ମରିଗଲା ପରେ କ’ଣ ହେଲା?” ମୋନା କହିଲେ ସବୁ ଦେବତା ମାନେ ମା ଙ୍କୁ ହାତ ଯୋଡି ଧନ୍ୟବାଦ ଦେଲେ ଆଉ ଖୁସିରେ ରହିଲେ।ନେହା କହିଲା,” ଏଥର ଦୂର୍ଗା ପୂଜା ଦେଖିବାକୁ ଆମେ ଯିବାନି କି?”
ମୋନା କହିଲା ,” ନା ଏଥର ଆମେ ଗାଁ କୁ ଯିବା। କାଲି ଅଷ୍ଟମୀ। ଗାଁରେ ପିଠା ହେବ ,ଜେଜେ ବାପା ଜେଜେମା ଥିବେ।ତୋ ପିଉସି ନାନୀ ଆସିଥିବେ। ଖୁବ୍ ମଜାହେବ। ଏଠି ବହୁତ ଭିଡ଼ ହେଉଛି ତତେ ନେଇ ମୁଁ ଏକା ବୁଲେଇପାରିବିନି।ତୋ ବାପାଙ୍କର ତ ଅଫିସ ଛୁଟି ନାହିଁ।ଗାଁ ରେ ଜେଜେ ତତେ ନେଇଯିବେ ପାଖ ମଣ୍ଡପକୁ।
ନେହାର ଏକା ଯିଦ୍ ସେ ଆଜି ଦୂର୍ଗାପୂଜା ବୁଲିବ ,ଏଇ ସହରରେ ବୁଲିବ। ମୋନା ବୁଝାଇବାକୁ ଯାଇ କହୁଥାଏ ,”ଦୂର୍ଗାପୂଜାରେ କଟକର ସବୁ ଗଳି କନ୍ଦି ବହୁତ ଭିଡ଼ ହୁଏ,ପାପା ଅଫିସ୍ କାମ ସାରନ୍ତୁ ତାଙ୍କ ସହ ଆମେ ନହେଲେ ସାଙ୍ଗ ହୋଇ ଯିବା ।ତୁ ଯୋଉ ଯିଦଖୋର ଝିଅ ଯଦି ହାତରୁ ଖସି ଯାଉ କୁଆଡେ?”
ନେହା କହୁଥାଏ,”ନା ମାମା, ମୁଁ ଯମା ଯିଦି କରିବିନି ସୁନା ପିଲା ପରି ତମ ହାତ ଧରି ଯିବି ।କିଛି ବି ଖେଳନା ନବାକୁ କହିବିନି।”
ମୋନା ନେହା ଗାଲରେ ଚୁମା ଟିଏ ଦେଇ ସ୍ୱାମୀଙ୍କୁ ଫୋନ୍ କରି କହିଲା,”ଶୁଣୁଛ , ତମ ଝିଅର ଏକା ଯିଦ୍ ସେ ଦୂର୍ଗାଦେଖିବାକୁ ଯିବ ,ତମେ ତ ଜାଣିଛ ତମ ଝିଅ କେମିତି ଯାହା ଯିଦ୍ କରିବ ସାଙ୍ଗେ ସାଙ୍ଗେ ନହେଲେ ପ୍ରଳୟ କରିଦେବ । ହଉ ଆମେ ବାହାରିକି ଯାଉଛୁ ବାଦାମବାଡ଼ି ପାଖ ପୂଜା ମଣ୍ଡପକୁ, ତମେ ଅଫିସରୁ ସିଧା ସେଇଠିକି ଆସିବ ଆଉ ଟିକେ ଜଲଦି ଆସିବ।”ଏତିକି କହି ଫୋନ୍ କାଟିଦେଇ ଦୁହେଁ ବାହାରିଗଲେ ମଣ୍ଡପ ବୁଲି। ସନ୍ଧ୍ୟା ସମୟ , ତେଣୁ ମଣ୍ଡପ ପାଖେ ଛାତି ଫଟାଫଟି ଭିଡ଼। ମୋନା ନେହାର ହାତକୁ ଜାବୁଡ଼ି ଧରିଥାଏ। ଆଗକୁ ଆଗକୁ ଦେବୀ ଦର୍ଶନ ନିମନ୍ତେ ଦୁହେଁ ଚାଲିଥାନ୍ତି ଏତିକିବେଳେ କୁଆଡୁ ଆସିଲେ ଦଳେ ପିଲା ପଛ ପଟୁ ଠେଲିଦେଇ ଚାଲିଗଲେ ମୋନାକୁ। ଖଣ୍ଡେ ବାଟ ମୋନା ଠେଲି ହୋଇ ଚାଲିଗଲା ଆଗକୁ। ପଛକୁ ବୁଲି ଦେଖିଲାବେଳକୁ ପାଖରେ ନେହା ନାହିଁ। “ନେହା,ନେହା” ଡାକି ଡାକି ପୂରା ମଣ୍ଡପ ବୁଲି ଆସିଲା କୋଉଠି ବି ପାଇଲାନି। ମାଇକ୍ ରେ ଆନାଉନ୍ସ ବି ହେଲା । ଦି ଜଣ ପୋଲିସ ବି ତା ସହ ବୁଲି ପାଖଆଖ ଯାଗା ଖୋଜିଲେ ପାଇଲେନି। କୋଉ ଖେଳନା ଦୋକାନ ଦେଖି ରହିଯାଇଥିବ କହି ପୋଲିସ ଦୁଇ ଜଣ ମୀନା ବଜାର ଆଡ଼େ ଖୋଜିବାକୁ ଚାଲିଗଲେ।
ଏଣେ ମା ମନ ବୁଝୁ ନଥାଏ । କାନ୍ଦି କାନ୍ଦି ପଡ଼ିଆରୁ ବାହାରି ଆସି ସ୍ୱାମୀଙ୍କୁ ଫୋନ୍ କରି ସବୁ କଥା କହିଲା । ଫୋନ୍ କାଟି ପୁଣି ଖୋଜିବାକୁ ବାହାରିଛି ନଜର ପଡିଲା ପଡିଆଠାରୁ ଟିକେ ଦୂରରେ ଗୋଟିଏ ଅନ୍ଧାରୁଆ ଜାଗାରେ ଥିବା ଗୋଟିଏ ଝିଅ ଉପରେ। ସେପଟକୁ ମୁହଁ କରି ଝିଅଟି କାହାକୁ ଗୋଟିଏ ମାରୁଥାଏ । ପାଖକୁ ଯାଇ ଦେଖିଲା ଜଣେ ନୁହେଁ ଦୁଇଜଣଙ୍କୁ ଏକାସାଙ୍ଗରେ ପଥରରେ ମାରୁଥାଏ । ପିଲା ଦୁଇଜଣ ରକ୍ତାକ୍ତ ହୋଇ ପଡିଛନ୍ତି। ପିଲା ଦୁଇଜଣ ଟିକେ ଚିହ୍ନା ଚିହ୍ନା ଲାଗିଲେ । ହଁ ମନେ ପଡ଼ିଲା , ଧକ୍କା ଦେଇଥିବା ପିଲାମାନଙ୍କ ସହ ଏ ଦୁଇଜଣ ବି ଥିଲେ। ଟିକିଏ ଦୂରରେ ପଡ଼ିଥାଏ ନେହା ବେହୋସ୍ ଅବସ୍ଥାରେ । ମୋନା ଦଉଡ଼ି ଯାଇ “ମୋ ନେହା ,ମୋ ଧନ ” କହି କୋଳକୁ ଉଠାଇ ନେଇ ଖୁବ୍ କାନ୍ଦିଲା । ସେଇ ଝିଅଟି ଆସି ନେହା ଗାଲରେ ହାତ ମାରି କହିଲା ,”ତମ ଝିଅର କିଛି ହେଇନି , ସେମାନେ ତା’ର କିଛି କରିବା ଆଗରୁ ମୁଁ ସେମାନଙ୍କୁ ଢେଲା ପଥର ମାରି ରକ୍ତାକ୍ତ କରି ପକେଇଛି। ତମ ଝିଅ ଖାଲି ଏସବୁ ଦେଖି ବେହୋସ୍ ହେଇଯାଇଛି। ” ଭ୍ୟାନିଟିରୁ ପାଣି ବୋତଲ କାଢି ମୋନା ନେହା ମୁହଁରେ ଛିଞ୍ଚି ତାକୁ ହୋସକୁ ଆଣିଲା। ନେହା ଚେତନା ପାଇଲା ପରେ ମୋନା ତାକୁ କୁଣ୍ଢେଇ ଧରି ବୋକ ଦେଲା। ସେ ଟିକେ ଭଲ କରି ଝିଅଟିକୁ ଚାହିଁଲା। ନୁଖୁରା କେଶ,ମଇଳା ଚିରା ପୋଷାକ । ବେଶଭୂଷା ଦେଖି ଲାଗୁଛି କୋଉ ବସ୍ତି ଘର ଛୁଆ ବୋଧେ । ମୋନା ତାକୁ ଲୁହ ଓ ଖୁସିର ମିଶ୍ରଣରେ କୁଣ୍ଢେଇ ପକାଇଲା ଆଉ କହିଲା,” ତୁ ନଥିଲେ ମୋ ଝିଅର କ’ଣ ହେଇଥାନ୍ତା! ଝିଅଟି ହସିଦେଲା।
ମୋନା ପଚାରିଲା,” ତୋ ଘର କୋଉଠି? “
ଝିଅଟି କହିଲା ,”ଏଇ ପାଖ ବସ୍ତିରେ।”
ଝିଅଟି ଉଠି ପଳେଇବାକୁ ଉଦ୍ୟତ ହୁଅନ୍ତେ ମୋନା ପୁଣି ପଚାରିଲା,”ତୋ ନାଁ କ’ଣ?”
ଝିଅଟି ଯାଉ ଯାଉ ହସି ଦେଇ କହିଲା,” ଦୂର୍ଗା।”
ମୋନା ଆଉ କିଛି ପଚାରିବା ଆଗରୁ ଝିଅଟି କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା।”ନେହା ଧୀର କଣ୍ଠରେ କହୁଥାଏ,” ମାମା, ଯେଉଁ ଅଙ୍କଲମାନେ ମୋ ପାଟିକୁ ଜାବୁଡ଼ି ଧରି ମତେ ନେଉଥିଲେ ସେମାନେ କ’ଣ ଅସୁର? ସେ ଦିଦି ଯୋଉ ମାରିଲେ ସେ କ’ଣ ଦୂର୍ଗା ମା? ଆଚ୍ଛା ସେ ଅଙ୍କଲମାନେ କ’ଣ ମରିଗଲେ? ” ମୋନା କ’ଣ ଉତ୍ତର ଦେବ ଭାବିପାରୁନଥାଏ ଖାଲି କରୁଣ ଚାହାଣୀରେ ଚାହିଁ ରହିଥାଏ ସେ ଝିଅର ଯିବା ବାଟକୁ…।

122 thoughts on “ଅସୁର ମରିଲା ପରେ”

Leave a Comment

Your email address will not be published. Required fields are marked *