ଦେବୀ

ସୁଲତା ସେଦିନ ସ୍କୁଲରେ ଭାରି ଅନ୍ୟମନସ୍କ ଥିଲା । ହସ୍ତାକ୍ଷର ଖାତା ସାରଙ୍କୁ ଦେବାକୁ ଭୂଲିଗଲା । ସାଧାରଣ ଶତକଡ଼ା ଅଙ୍କଟିଏ ତାର ବାରମ୍ବାର ଭୁଲ ହେଲା । କାତ ଧରି ଧୀରେ ନାଉରି  କବିତା ଆବୃତ୍ତିରେ  ବାରମ୍ବାର ଝୁଣ୍ଟିଲା ଆଉ ପଛକୁ ଫେରିଲା ।””  ଆଉ ପାଠପଢାରେ ମନ ନାହିଁ “‘ , କଥାଟା ସାରଙ୍କ ଠାରୁ ପ୍ରଥମ ଥର ପାଇଁ ଶୁଣିଲା ।

  ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଶ୍ରେଣୀରେ ଦ୍ୱିତୀୟ ସ୍ଥାନ ରଖୁଥିଲା ସିଏ । ଭାରି ଶାନ୍ତ ଶିଷ୍ଟ । ମୁଁ ତାକୁ ବାରମ୍ବାର ପଚାରିଲି କଣ ହେଇଛି ବୋଲି । ତା ଆଖି ଛଳଛଳ ହେଇଗଲା ।

 – ଜାଣିଛୁ , ମୋର ପୁଷ୍ପା  ନାନୀ ମରିଯିବ । 

     ପୁଷ୍ପା  ନାନୀ, ସୁନ୍ଦରୀ ପୁଷ୍ପା ନାନୀ , 

        ଗର୍ଲସ୍ ହାଇସ୍କୁଲରେ ପଢୁଥିଲା । ସେ ବି ସୁଲତା  ପରି ଶାନ୍ତ ଶିଷ୍ଟ । ପାଠରେ ଅବଶ୍ୟ ପଛ ଧାଡ଼ିର । ହଠାତ ଦିନେ ଗାଁ ସାରା ଚହଳ ପଡ଼ି ଗଲା , ମହାନ୍ତି ଘରକୁ ମାଆ ମଙ୍ଗଳା ଆଇଛନ୍ତି । ତାଙ୍କ ଝିଅ ଉପରେ ସବାର ହେଇଛନ୍ତି ।  ସବୁ ଆଗତ ଭବିଷ୍ୟତ କଥା କହି ଦେଉଛନ୍ତି । 

  ସତକୁ ସତ ଗାଁ ଟା ସାରା ତାଙ୍କ ଘରକୁ ଧାଡ଼ି ବାନ୍ଧିଲେ । ଧୂପ ଦୀପ ନୈବେଦ୍ୟ ଧରି । ଅଧିଆ ପଡ଼ିଲା ପରି ଦୁଆରେ ପଡ଼ି ରହିଲେ ।

  ଗାଁରେ ହାଟ ହେଲା ।

* ଅମୁକ ଲୋକର ଦଶବର୍ଷ ବା ଘର ଗଲାଣି ହେଲେ ପିଲା ପିଚିକା ନଥିଲେ । ଦେଖିବ ଯା ତା ମାଇପ ବାନ୍ତି କଲାଣି ।

* ଢମୁକ ଲୋକ ଆଣ୍ଠୁ ଗଣ୍ଠି ବାତରେ ଉଠି ପାରୁ ନଥିଲା , ମାଆଙ୍କ ଦୟାରୁ ଧଉଡି଼ଲାଣି ।

* ସମୁକ ଲୋକ କୋଟ କଚେରୀ ହେଇ ହେଇ ନିଢାଲ ହେଇ ଯାଇଥିଲା , ହେଇ କୋଟରେ ତାର ଡିଗିରି  ହେଇଛି । 

 ଏମିତି ନାନା ଲୋକଙ୍କ ନାନା କଥା ।  ଆମ ସାହିଟା ତାଙ୍କ ସାହିଠାରୁ ଦୂର । ତେଣୁ ଆମଘରୁ କେହି ଯାଇ ନଥିଲେ । ଭାଇମାନେ ପାଠଶାଠ ପଢି଼ଥିବାରୁ ଆମ ଘରକୁ ଆଧୁନିକ ସଭ୍ୟତା ଟିକେ ଟିକେ ପଶି ଆସିଥିଲା । ତେଣୁ କୁପ୍ରଥା , କୁରୀତି , କୁସଂସ୍କାର , ଅନ୍ଧ ବିଶ୍ୱାସ ଇତ୍ୟାଦି ଶବ୍ଦ ଗୁଡିକ ସହ ଆମେ ନୂଆ ନୂଆ ପରିଚିତ ହେଉଥିଲୁ । ମାଆ କିନ୍ତୁ ଶୁଣିଲା ପରେ ଅନ୍ଧାର ଘରେ ଯାଇ ଢପ ଢପ ତିନି ଥର ମୁଣ୍ଡିଆ ମାରିଥିବାର ମୁଁ ଦେଖିଥିଲି । ତାର ଭାରି ଇଚ୍ଛା ଥିଲା ଟିକେ ଯାଇ ମାଆଙ୍କୁ କିଛି କିଛି କଥା ପଚାରିବାକୁ । 

  ପୁଅ ମାନେ ଯେ  ବଡ଼ ହେଇଗଲେ ମାଆ ମାନଙ୍କର ବାପା ପାଲଟିଯାଆନ୍ତି , ଏକଥା ସମସ୍ତେ ମାନିବେ  ।

  ତାଙ୍କ ଭୟରେ ସେ କହି ପାରୁ ନଥାଏ କି ଯାଇ ପାରୁ ନଥାଏ ।  କାମିନୀ ପିଇସୀ ଠାରୁ ବଡ଼ ମନ ଦେଇ ମାଆ ମଙ୍ଗଳା  କଥା ଶୁଣେ । କେତେ କେତେ ଆଶ୍ଚର୍ଯ୍ୟ ଜନକ କଥା ସେ କହୁଛି । ମନକୁ ମାରି ରୁହେ । ତାର ପ୍ରଶ୍ନ ଆଉ କଣ କି ? ସେ କାଚ ସିନ୍ଦୁର ନାଇ ମରିବ ନା ନାହିଁ । ତା ଛୁଆମାନେ ନିରୋଗା ରହିବେ ନା ନାହିଁ । ଆଉ ତାର ଫାଇଲେରିଆ ଗୋଡ଼ଟା ଠିକ୍ ହବ ନା ନାହିଁ ।

  ମାଆ ସିନା ଭୟରେ ଯାଇ ପାରୁ ନଥିଲା । ହେଲେ ନାନୀକୁ କୋଉ ପୁଅ ଘରେ ବାନ୍ଧି ପାରିବ ?  ବାପାଙ୍କର କି କୋଉ ଭାଇଙ୍କର ସାଇକଲ ଖଣ୍ଡେ  ଯଦି ହାତରେ ପଡ଼ିଛି ତେବେ ସାଇକଲ ସହ ସେ ବି ଅନ୍ତରଧ୍ୟାନ । କୁଆଡେ କୁଆଡେ ଖେପି ଯାଉଥିଲା ସିଏ ମନ୍ଦିରରୁ ମଶାଣି ଯାଏ । ଡର ଭୟ କିଛି ଜାଣି ନଥିଲା । ଦୁଇ ଦିନରେ ଥରେ ସେ ଝିଅ କାହ୍ନାର କମ୍ପ୍ଲେନ୍ ଆସୁଥିଲା । କାହାର କାକୁଡ଼ି ଚୋରି ତ କାହାର ଫୁଲଚୋରି ।  କେବେ କେବେ ଆଉ କାହାର ସାଇକଲ ଧରି ଚମ୍ପଟ ।  ସାଢ଼େ ଚାରିଫୁଟିଆ ନାନୀ ଆଉ ଚବିଶ ଇଞ୍ଚିଆ ଏଟଲସ୍ ଜେଣ୍ଟସ୍ ସାଇକଲ , ଭାବିଲେ କାବା ଲାଗେ ।

  ସେ ଯାଇ ପହଞ୍ଚି ଗଲା ତାଙ୍କ ଘରେ ମୋତେ ସାଇକଲ ରଡ଼ ଉପରେ ବସାଇ । ଦୁହିଁଙ୍କର ଭାରି କୌତୁହଳ ହେଉଥାଏ । ଦେବୀ ହେଇ ପୁଷ୍ପା  କେମିତି ଦେଖା ଯାଉଥିବ ।  ଜଙ୍ଘ ପର୍ଯ୍ୟନ୍ତ ବାଳ ଖୋଲା , ଲାଲ୍ ବଡ଼ ବଡ଼ ଆଖି , ମଥାରେ ଏଡ଼େ ବଡ଼ ସିନ୍ଦୁର ଟୋପା , ଗଳାରେ ରକ୍ତିମ ମନ୍ଦାରର ତଟକା ମାଳ । 

  ତାଙ୍କ ଦୁଆରେ ନାହିଁ ନଥିବା ଭୀଡ଼ । ଘଣ୍ଟ ଘଣ୍ଟା କରତାଳ , ଶଙ୍ଖ ହୁଳହୁଳିରେ ଜାଗାଟା ଉଠୁଥାଏ ପଡୁଥାଏ । ଅନେକ ସ୍ତ୍ରୀ ଲୋକ , ପୁରୁଷ ଲୋକ ଦାଣ୍ଡରେ ଲମ୍ବ ହେଇ ହାତକୁ ମନ୍ଦାର ଫୁଲ ସହିତ ଉପରକୁ ଜୋଡି଼ ଅଧିଆ ପଡ଼ି ଥାଆନ୍ତି । ଧୂପ ଝୁଣା ବାସ୍ନାରେ ଖଣ୍ଡ ମଣ୍ଡଳ ଚହଟୁଥାଏ । ରିକ୍ସାରେ , ଗୋରୁଗାଡି଼ରେ ବେମାରିଆ ଲୋକ , ଛୁଆ ବୁହା ହେଇ ଆସି ଥାଆନ୍ତି ।  ମାଆ ଗୋ , ମାଆ ମଙ୍ଗଳା ବୋଲି ରଡି଼ ଛାଡୁଥାଆନ୍ତି ଲୋକେ ।  ଗୋଟେ ଜୋଡେ କୁକୁଡ଼ା , ବତଖ , ଛେଳି ବି ବନ୍ଧା ହେଇଥାନ୍ତି ।  ଏତେ ଭୀଡ଼ ଭିତରେ ପଶି ପାରୁ ନଥିଲୁ ଆମେ । ତଥାପି ଗୋଡ଼ ହାତ ମାରି ଲୋକଙ୍କ ଗୋଡ଼ ସନ୍ଧିରେ ଗଳି ପହଞ୍ଚି ଗଲୁ ତାଙ୍କ ଘର ଭିତରେ । ଭିତରର ଦୃଶ୍ୟ ଦେଖି ମୋତେ ବେହୋଶ ହେଲା ଭଳି ଲାଗିଲା । ପୁତୁଲ ନାନୀ ବିଛଣାରେ ଶୋଇ ଥାଏ । ଗୋଲଗୋଲ ଅଙ୍ଗୁର କୋଳି ପରି ଚେହେରାଟା ତାର କିଶମିଶ ପରି ଲୋଚାକୋଚା ହେଇ ଯାଇଥାଏ । କାତର ଦୃଷ୍ଟି । ଆଖି ଡୋଳା କେଉଁ ଭିତରେ । ଓଠ ଶୁଖି ଚମ ସବୁ ଖାଡୁରିଆ ଦେଖା ଯାଉଥାଏ । ଆମର କଳ୍ପନା କେବଳ ତାର ଖୋଲା କେଶ , ବଡ଼ ଲାଲ୍ ସିନ୍ଦୁର ଟୋପା ଆଉ ବେକରେ ସଦ୍ୟ ରକ୍ତଜବାର ମାଳ ସତ ଲଗୁଥାଏ । କଣ ସବୁ  ଅବରଜବର ଗପୁଥାଏ ସେ । ମୁଁ ତ କିଛି ବୁଝି ପାରିଲି ନାହିଁ । କିନ୍ତୁ ତାର ବଡ଼ବାପା ସବୁ ବୁଝି ଯାଉଥାନ୍ତି ଆଉ ଭକ୍ତ ମାନଙ୍କୁ ବୁଝେଇ ଦେଉ ଥାଆନ୍ତି । ଭକ୍ତେ ବି ବୁଝି ଯାଇ ସନ୍ତୁଷ୍ଟ ହେଇ ମୁଣ୍ଡ ହଲେଇ  ଦାନ ଦକ୍ଷିଣା ଦେଉଥାଆନ୍ତି ।

 କାଲ ଠାର କାଲ ମାଆ ସିନା ବୁଝିବ ।

   ପୁଷ୍ପା ନାନୀର କିନ୍ତୁ ମାଆ ନଥିଲେ , ବାପା ବି ନଥିଲେ । ସେ ଛୋଟ ଥିଲା ବେଳେ ମରି ଯାଇଥିଲେ ହଇଜାରେ ।

    ମୁଁ ବେଶି ସମୟ ସେଠାରେ ରହି ପାରିଲି ନାହିଁ । ଡରକି ଥିଲି । ନାନୀକୁ ଝିଙ୍କି ଝିଙ୍କି ନେଇ ଆସିଲି । ତାକୁ ଭାରି ମଜା ଲାଗୁଥିଲା । ମୁଁ ଧମକେଇଲି ତାକୁ , ଭାଇଙ୍କୁ କହିଦେବି ବୋଲି । ନହେଲେ କୋଉ ଆସିଥାନ୍ତା ? 

   ସେଦିନ ରାତିରେ ମାଆ ଖଟରେ ତାକୁ କୁଣ୍ଢେଇ ଧରି ବି ନିଦ ଆସି ନଥିଲା । ଖାଲି ପୁଷ୍ପା ନାନୀ କପାଳର ନାଲ ଟହଟହ ସିନ୍ଦୁର ଟୋପା ଆଉ ଗଳାରେ ନାଲ୍ ଟହଟହ ମନ୍ଦାର ମାଳା ଦେଖା ଯାଉଥିଲା । 

   ସୁଲତା  କାନ୍ଦି କାନ୍ଦି କହୁଥିଲା , 

– ମୋ ନାନୀ ସତରେ ମରିଯିବ । ମୋ ବାପା ତାକୁ ମାରିଦେବେ । ତାଠାରେ ଆଉ ମାଆ ମଙ୍ଗଳା ନାହାନ୍ତି । ଛାଡ଼ି ଚାଲି ଗଲେଣି । ହେଲେ ମୋ ବାପା ତାକୁ ମଙ୍ଗଳା ହେବାକୁ କହୁଛନ୍ତି । ନ ମାନିଲେ ତେନ୍ତୁଳି ଛାଟରେ ମାରୁଛନ୍ତି । ନାନୀ କହୁଥିଲା , ସପନରେ ତା ବାପା ମାଆ ତାକୁ ଡାକୁଛନ୍ତି । 

 ମୁଁ କହିଲି ,

– ତୁ ତୋ ବାପାଙ୍କୁ କହୁନୁ ସେ ଭଲ ହେଇ ଗଲାଣି ବୋଲି । 

– ସେ ତ ମାଆ କଥା ଶୁଣୁ ନାହାନ୍ତି , ମୋ କଥା କୋଉ ଶୁଣିବେ ?  

  ମୁଁ ଛୋଟ ପିଲା , ଛୋଟ ମସ୍ତିଷ୍କ । ଖାଲି ଭାବିହେଲି ସିନା କିଛି ଉପାୟ ବତେଇ ପାରିଲି ନାହିଁ । ଶେଷକୁ ଏହି ନିଷ୍କର୍ଷରେ ପହଞ୍ଚିଲି ଯେ ମାଆ ମଙ୍ଗଳା ସମ୍ପୂର୍ଣ୍ଣ ଛାଡ଼ି ନଥିବେ । ସୁଲତାର ବାପା ବଡ଼ ଲୋକ । ସେ ବେଶି ଜାଣିବେ ନା । ତାକୁ ବି ବୁଝେଇଦେଲି । ଭୂତ ପ୍ରେତ ଛଡେଇବାକୁ ତେନ୍ତୁଳି ଛାଟ  ନହେଲେ କେମିତି ହେବ ? 

  ତା ପରଦିନ ଠାରୁ  ସୁଲତା ସ୍କୁଲ ଆସି ନଥିଲା । ଇଆଡେ ନାନୀ ଓ ମୋ ଉପରେ କଡ଼ା ପହରା ଲାଗି ଯାଇଥିଲା । କିଏ ଗୋଟେ ଚୁଗୁଲି କରିଥିଲା ନିଶ୍ଚୟ । କାମିନୀ ପିଇସୀ ବି ତା ଝିଅ ଘରକୁ ଯାଇଥିଲା । 

  ଖବର ଜାଣିବାକୁ ଆଉଟୁ ପାଉଟୁ ହେଲେ ବି ଉପାୟ ନଥିଲା ।

  ଦିନେ ଭାଇ ଆସି ଖବର ଦେଲେ , ମଙ୍ଗଳା ମାଆ ସବାର ହେଇଥିବା ଝିଅଟା କୁଆଡ଼େ ଫେରାର ହେଇ ଯାଇଛି । ତାଙ୍କ ସାହିରେ ଭଡ଼ାରେ କ୍ଲିନିକ କରିଥିବା ହେମିପାଥି ବଙ୍ଗାଳି ଟୋକା ଡାକ୍ତର ସହିତ । ତାକୁ ସ୍କିଟଜୋଫିନିଆ ହେଇଥିଲା  । ତାଙ୍କ ଘର କଣ ଖାନତଲାସି ହେଇଥିଲା । ସୁଲତା ବାପାକୁ ଜେରା କରାଯାଇଛି କୋର୍ଟରେ ।

  ସ୍କିଟଜୋଫିନିଆ କଣ ମୁଁ  ବୁଝି ପାରି ନଥିଲି ।

  ମାଆ ମଙ୍ଗଳା କଥାଟା ଫିକା ପଡ଼ି ଆସିଲା । ଅନେକ ଦିନ ପରେ ସୁଲତା ଆସିଲା ସ୍କୁଲ । ଭାରି ଖୁସି ଥିଲା । ମୋତେ ଦୂରକୁ ନେଇଯାଇ କାନରେ ଫିସ୍ ଫିସ କହିଲା ,

– ଜାଣିଛୁ , ମୋ ପୁଷ୍ପା ନାନୀକୁ ମୁଁ ଆଉ ମାଆ ମିଶି ଭଗେଇ ଦେଲୁ ସେ ଡାକ୍ତର ସହିତ । ମୋ ନାନୀକୁ ସେ ଭଲ ପାଉଥିଲା ତ  । ଶ୍ ଶ୍  କାହାକୁ କହିବୁନିଇଇଇ ।

  ଆପଣ ମାନଙ୍କୁ ବି ଅନୁରୋଧ ଶ୍ ଶ୍  କାହାକୁ କହିବେନିଇଇଇଇ ।

2 thoughts on “ ଦେବୀ”

Leave a Comment

Your email address will not be published. Required fields are marked *