ସ୍ୱଚ୍ଛ ତଡାଗର କମଳ ପୃଷ୍ଠରେ
ଝଲସେ ତୁମର ଅଳତା ବୋଳା ସେ ପାଦଚିହ୍ନ,
ଏଠି ଆବାହନ ମିଛ ହେଉ ପଛେ ତୁମ ଆସିବା ସତ୍ୟ
ପ୍ରକୃତି ରାଣୀର ଅଙ୍ଗବଲ୍ଲରୀରେ ଶୋଭା ପାଇଲାଣି ଶିହରଣ।
ସର୍ବ ଭୂତରେ ଥାଇ ମଧ୍ୟ
ତୁମେ ଖୋଜାପଡ଼ ଶରତର ଶୁଭ୍ର ନଦୀପଠାରେ
ମାଆ ହୋଇ ମାୟା ରଚ କେଜାଣି କାହିଁକି
ମନ ବୁଦ୍ଧି ବାଟବଣା ହୁଏ ସଂସାରର ବିପରୀତ ଲୁଣା ପବନରେ।
ଶକ୍ତି ହୋଇ ରହିଥାଅ ସିନା ଅନ୍ତରେ ଗୋପନେ
ଅବଶ ପୌରୁଷ ଆଜି ମଥା ପିଟେ କାମନାର ବିବଶ ପୀଠରେ
ମାତୃତ୍ୱର ସ୍ପନ୍ଦନ ହୋଇ ବାଜ ସିନା କର୍ଣ୍ଣ କୁହରରେ
ତଥାପି ନିହତ ହୁଅ ନିଷ୍ଠୁରତାର କଠୋର ଖଡ୍ଗରେ।
କାହିଁକି ଆସିଛ କୁହ
ବିସର୍ଜିତ ହେବ ଯଦି କେଇ ଦିନ ପରେ
କି ଲାଭ ପାଇଛ କୁହ ଆଶ୍ଵିନରେ ଆସି
ବାସ୍ କିଛି ଭିଡ଼ କୋଳାହଳ ଓ ଆମୋଦ ଭିତରେ !
ହୁଅନ୍ତନି ଜାଗରିତ ମହାଇଛାରେ ତୁମ
ଶକ୍ତି ହୋଇ ଭକ୍ତି ହୋଇ ଅଧ୍ୱମୁଖୀ ଚେତନାର ଆସକ୍ତି ଭିତରେ !
ଜାଗିଉଠୁ କୁଣ୍ଡଳିନୀ ସୁପ୍ତ ମୂଳାଧାରଠାରୁ
ପ୍ରକଟିତ ହୁଅ ମାତା ଦେବୀ ହୋଇ ଅନ୍ତରେ ଅନ୍ତରେ।
ଆକାଶର ନିଳୀମା କିନ୍ତୁ ରଚି ପାରିନାହିଁ
ତୁମ ଦିବ୍ୟତାର ସଂରଚନା ମାନବର ଜଟିଳ ବୁଦ୍ଧିରେ
ଶୁଭ୍ର କାଶତଣ୍ଡି ଲିଭାଇ ପାରିନି କେବେ
ଏଠି ଯେତେ ଲେଖା କଳା କାବ୍ୟକୃତି ହୃଦ କାଗଜରେ।
ଆସ ମାତା ରହିଯାଅ ନୋହି ବିସର୍ଜନ
ନଭୁଲୁ ଏ ଧରା କେବେ ସ୍ମରିବାକୁ ପର ଆଶ୍ଵିନରେ
ହେଉ ପଛେ କରୁଣା କି ରୁଦ୍ର ମୂର୍ତ୍ତି ଧରି
ତୋଳି ନିଅ କୋଳି ନିଅ କିମ୍ବା ସଂହାର କର ଆସୂରୀ ଯା ଅଛି ହୃଦୟରେ।
ଦଶାନନ ଥିଲା ସିନା କେଉଁ ଏକ ଲୁପ୍ତ ତ୍ରେତୟାରେ
ଆଜି ଏଠି ଅଗ୍ନି ବର୍ଷେ ଅଗଣିତ ସହସ୍ରାନନରେ
ଆସ ମାତା ଅନନ୍ତଭୂଜା ହୋଇ ଏ ଧରା ଧାମରେ
ପରାଜିତ ହେଉ ଯେତେ ବିକାରର ଘୋର ସଂକ୍ରମଣ ଆଜି ପାର୍ବଣରେ।
ନାରୀର ପଣତ ଛୁଇଁ ଝରିଆସୁ
ତୁମ ନାରାୟଣୀ ବାତ୍ସଲ୍ୟର କରୁଣାର ଧାରା
ଅଳତା ବୋଳା ଯେତେ ପାଦଚିହ୍ନ ସବୁ ବଖାଣି ବସୁ
ତୁମେ ଅଛ ତୁମ ପାଇଁ ଅଛି ଏଇ ଅବିକୃତ ଧରା।
ଖୁବ୍ ଭଲ ଲାଗିଲା କବିତା ଟି ଭାଇ ❣️
, beautiful ❤️