ଅସୁର ମରିଲା ପରେ
ଦଶରା
ପୁରୁଣା ଚିତ୍ର
………….…..
ବାଣ ଯେ ବାଣ ।
ବାଜା ଯେ ବାଜା।
ଧୁମ୍ ଧଡାକା, ମସ୍ତାନିଆ ନାଚ। ସଭିଙ୍କ ଚେହେରାରେ ଉଜ୍ବଳ ଆଶ୍ଚର୍ଯ୍ୟ ମିଶା ଖୁସି। ତାଳରେ ତାଳ ପଡୁଛି,ପାଦ ଉଠୁଛି ,ଅଣ୍ଟା ଦୋହଲୁଛି ରୋଶଣି , ଝୁମରରେ ପ୍ରଶେସନ ଚମଚମ ଚମକୁଛି
ମହମହ ଝୁଣା, ଟହଟହ ମନ୍ଦାର ସାଙ୍ଗରେ ବୋତଲ ଗଡୁଛି। କସି ଖାସି ଗଣ୍ଡେ ଆଉ ଦେଶୀ କୁକୁଡା ଦି ଗଣ୍ଡା ନିଖୋଜ ଅଛନ୍ତି।
କିଛି ଜଣା କିଛି ଅଜଣାରେ। ଯୂପ ସଜଡା ସରିଛି ..
ପୁଞ୍ଜେ ପାଞ୍ଚୁଟା ଏଠି ସେଠି। ସବୁଆଡେ ଭବ୍ୟ ଆୟୋଜନ ।ଢୋଲ ତୋରଣ । ଅକ୍ଷୟ ମହାନ୍ତି ଗୀତରେ ଦୁଲୁକୁଛି ନଈ ବନ୍ଧ ଆଉ ନରାଜ ପାଣି। ତଣ୍ଟିକଟା ଗଳି ରାସ୍ତାରେ ଛକି ବସିଛନ୍ତି କିଛି ଗଣ୍ଡଗୋଳ ପସନ୍ଦ ଖାଣ୍ଟି ଟୋକା। ପୋଲିସ ପେଟ୍ରୋଲିଂ ଚାଲିଛି ସାଇରନ୍ ବଜେଇ ତା ବାଟରେ। ତାଙ୍କୁ ଜଣା ଭସାଣି ଦିନ କର୍ଫ୍ୟୁ ଲାଗିବା ଥୟ। ଚାରିଶ ଚଉରାଳିଶ୍।ପୁରୀଘାଟରୁ ଯେ ପୁରା କଟକ ଅଗରୁ ଅଗରୁ ବାସୁଛି। ଖାନତଲାସୀ ହେଉଛି ଖାନନଗରରେ କିଛି ଅକୁହା କଥା ।
ମାଆ ଆସିଛି । ବରଷକୁ ଥରେ ମାଆ ଆସୁଛି। ତାକୁ ମୁଣ୍ଡେଇଥିବା ଭଡାଟିଆ ଜରିଲଗା ନାଲିଆ କୁର୍ତ୍ତାମଡା ,ଶସ୍ତା ପାଉଡର ମଖା , ମଳିମୁଣ୍ଡିଆ ଦିନ ମଜୁରିଆଙ୍କ ଅନ୍ତନାଡି ତଳ ଭୋକ କାହାକୁ ବା ଦିଶେ କି ? ଦିଶିବାର ନାହିଁ ଚାକଚକ୍ୟରେ ଝାଳବୁହା ପାଣିଆ ରକ୍ତ।
ତା ଅଗଣାରେ ମଇଳା ଛୁଆ ଦିଟା ହାଣ୍ଡି ଗଡ଼ଉଛନ୍ତି
ବଳକା ଖୁଣ୍ଟି ଖାଇବାରେ ସକାଳ ତାଙ୍କର ପାହିପାରେ ।
ଖିରି ଖିରି ବାସୁଛି ମଠ ଅଗଣା।
ନାଭିନାଡ ଖରା ପୁଉଁଛି
ହଜିଯାଉଛି ବରଷକର ଦଶହରା ।
ପୁଣି ଜୀଁ’ ଥିଲେ ବରଷେ ।
ମୃଣ୍ମୟୀ ଗୋ
ତୁ ଏମିତି ଆସୁଥା…. ଯାଉଥା ।
◆◆◆
ଦଶରା
ନୂଆ ଚିତ୍ର
……………
ସେଲଫି ନିଆ ଚାଲିଛି, ରିଲ୍ସ ସୁଟିଂ ଚାଲିଛି ଠାକୁରାଣୀକୁ ପଛ କରି ।
ମାଦକତା, ହିଂସା ଏବେ ଗୁଣସୂତ୍ରରେ। ଡିଜେ ବାଜୁନି ତ ଫାଟୁଛି । ଲଙ୍ଗଳା ନାଚ ଫିଟୁଛି । ଲୁଗା ତ ନାହିଁ…. ମୁକୁଳିବ କିଏ !
ଠାକୁରାଣୀର ଭାବ ଆଶ୍ଚର୍ଯ୍ୟ ଦିଶୁଛି। ତା’ ତନୁରେ ଏବେ ବି ଅଠର ହାତ ଲୁଗା। ଅଗ୍ନିଡେଣା ତା ଦେବୀପକ୍ଷର।
ମୁଁ ଠିଆ ହେଇଛି କାକୁସ୍ଥ ହୋଇ ଗୋଟିଏ କୋଣକୁ। ଘରକୁ ଫେରିବାକୁ ବାଟ କାଇଁ ? ମେଢ ଉଠୁଛି। କୁକୁରଟେ ପ୍ରବଳ ଥରୁଛି ମୋ କଡ଼ରେ। ବାଟ ଖୋଜୁଛି ଲୁଚିବାକୁ।
” ଲୁଚେଇହନ୍ତା କି କୋଉଠି ନିଜକୁ” ଭାବୁଛନ୍ତି ଗାଈ ଷଣ୍ଢ ମାନେ । ପକ୍ଷୀ ତକ ଲୁଚି ସାରିଛନ୍ତି। ଶବ୍ଦ ପ୍ରହାର ତାଙ୍କର ଦେହସୁହା ହେଇନି। ଦଳାଚକଟା ଭିତରେ ପିଲାଟେର ହାତ ମାଆଠୁ ଖସି ଯାଇଛି । ମୋ ଆଖିରେ ଜକେଇଥିବା ଲୁହ ବନ୍ଧ ଭାଙ୍ଗୁନି।ସମ୍ବାଳିବା ଶିଖୁଛି।
ଲାଠି ଚାର୍ଜ ଆଉ ହଉନି । ଆଜିକାଲି
ଟିଅର୍ ଗ୍ୟାସ୍ ପାଇପର ଡର ବି ନାହିଁ ।କୋଉ କଥାର ଡର ଅଛି ଯେ ? ଏ ଛାର ଥାନ୍ତା!
ମୁଁ ଦେଖୁଛି ।
ଏଡେ ବଡ ଭିଡକୁ ପଛ କରି ଝିଅଟେ ଠିଆ ହେଇଛି ।
ମତେ ତା ମୁହଁ ଦିଶୁନି। ମୁଖା ବି ଦିଶୁନି ।ଦିଶୁଛି ଗାରେ ଅସ୍ତବ୍ୟସ୍ତ ଭାବ। ଶରୀରର ପୁଣି ଗୋଟେ ଭାଷା ଥାଏ କି ନା! ଉଜ୍ଜ୍ବଳ ରଶ୍ମୀଟେ ପରି ଦିଶୁଛି ଝିଅଟା ।
ମୁଁ ତା ଆଡକୁ ଟାଣି ହେଉଛି । ତାର ଅଙ୍ଗଭଙ୍ଗୀ, ଜାନୁଲମ୍ବ ଘନ କେଶ, ଗୋରା ତକ୍ ତକ୍ ଗୋଇଠି ମତେ ଟାଣୁଛି। ହଠାତ୍ ମୁଁ ଲକ୍ଷ୍ୟ କରୁଛି ତା ପାଦର ଦାଉଦାଉ ଅଳତା ଲାଲି ଗାର। ସିଏ ପିନ୍ଧିଛି ଗାଢ ନୀଳ ସାଲୁଆର ସହ ଗାଢ ଲାଲିରେ ସବୁଜ ବଡର୍ ଓଢଣୀ । ମୋ ପାଦ ଆପେ ତା ଆଡକୁ ବଢୁଥାନ୍ତି । କିଛି କଥା ନିଜ ଅକ୍ତିଆର ବାହାରେ ।
ମୁଁ ଗାଉଛି,”ଯା ଦେବୀ ସର୍ବ ଭୂତେଷୁ” ମୋ ଅଜାଣତେ ।
ସିଏ ଏଣେ ତେଣେ କିଛି ଖୋଜିଲାପରି ଚାଲୁଛି । ମୋ ଆଡେ ତାର ନିଘା ନାହିଁ ।
ତା ବ୍ୟସ୍ତତା ମୋ ଭିତରକୁ ସଞ୍ଚରୁଛି। ମୋ ଭିତରେ କିଛି ଅନ୍ୟ ଭାବ ଚହଟୁଛି ବି ।ମାନେ ? ମାନେ ନାରୀଟିଏ ଚିରକାଳ ଆକର୍ଷୈ।
ମନ କହୁଥାଏ,” ତା ମୁହଁଟି ଦିଶନ୍ତା କି ଟିକେ ” ।
ବେଳେ ବେଳେ ଆଗ୍ରହ ମାନେ ଉଚ୍ଚାଟ କରାନ୍ତି।
ସିଏ ଆଗେଇ ଯାଇ ଗୋଟେ କୋଣରେ ଛାତି ଧରି ବସିପଡିଥିବା ଜଣେ ବୟସ୍କ ମଣିଷକୁ ନୋଇଁପଡି କିଛି ପଚାରୁଛି। ମଣିଷଟିର ମୁହଁ ସାରା ବଟା ହଳଦୀ ପରି ଅସହାୟତା ଲେପି ହେଇଯାଇଛି ଯେମିତି। ପାଣ୍ଡୁର ଦିଶୁଛି ଲୋକଟା। ବିକଳ ଲାଗୁଛି ବୋଧେ ତାକୁ।
ଧମ୍ ଧମ୍ ଡିଜେ ଶବ୍ଦରେ ମାଟି ଥରୁଛି କଲିଜା କଥା କିଏ ପଚାରେ ..
ତା ପିଠରେ ମୁଁ ହାତ ମାରିବାକୁ ଯାଉଛି କି ସିଏ ବୁଲି ଚାହିଁଲା ମତେ।
ମୁଁ ଦୁଇପାଦ ଫେରି ଆସିଲି ପଛକୁ.. ଆପେ ।
ଚମକି ପଡିବା ଏକ ସ୍ବାଭାବିକ ପ୍ରକ୍ରିୟା ।
ଅପ୍ରତ୍ୟାଶିତ କେବଳ ନୁହେଁ ପ୍ରତ୍ୟାଶିତ କିଛି ମଧ୍ୟ ତୁମକୁ ଚମକେଇ ଦେଇପାରେ । ସ୍ବତଃ ପ୍ରତିକ୍ରିୟା।
ଧେତ୍ ମୁଁ କେତେ ଲେଖୁଛି ଯେ ?
ତେଣେ ଦେବୀ ନିଜକୁ ବିସର୍ଜିତ କରି ସାରିଛି ବୋଲି ଖବର ଆସୁଛି ବାରଂବାର। ଖୋଜିବା ଲୋଡା ନାହିଁ। ଚାରିଆଡ ତ ଜଳୁଛି।
ତୀର୍ଥ ନଈ ଛାତିରେ ଭଙ୍ଗା ଆଶିଷ ମୁଦ୍ରାର ହାତଟେ ଭାସୁଛି ଯାହା।
କିଛି କହୁଛି କି ସେ ହାତ ଭସାଣି ଗଡାରେ ?
ଅଭୟ,ଅଭୟ।
ହଁ ହଁ
କହୁଛି
” ସରିଗଲା ଦଶରା ‘, ଯା
ଜୀଁ’ ଥିଲେ ପୁଣି ବରଷେ
ଅସୁର ମଲା ପରେ ।
◆◆◆
ଦୁଇଟି ଯାକ ସ୍କେଚ ମର୍ମସ୍ପର୍ଶୀ । ପ୍ରଥମ ଟି ପଢ଼ିଲା ପରେ ମୋତେ ଦୃଶ୍ୟମାନ ହେଉଥିଲେ ସେଇ ଗଞ୍ଜି ଖଣ୍ଡେ ପିନ୍ଧି ରାସ୍ତା କୁ ଚାତକ ପରି ଚାହିଁ ରହିଥିବା ରିକ୍ସାଵାଲା ଟି । କେଜାଣି ଆଜି କେହି ମିଳିଥିବେ କି ନାହିଁ । ଘରୁ ବାହାରିଲା ବେଳେ ଭାବିଥିବ ନିଶ୍ଚିତ ପୂଜା ବଜାର ଆଜି ଦୁଇ ପଇସା ଅଧିକ ରୋଜଗାର ହେବ । ଛୁଆଙ୍କ ପାଇଁ କିଛି ନହେଲେ ପେଙ୍କାଳି ଟେ ନେଇଆସିବ । ହେଲେ ଏତେ ଭିଡ଼ରେ ବି କେହି ମିଳିଲେନି ତାକୁ । କେଜାଣି କଣ କରିଥିବ?
ଦ୍ୱିତୀୟ ସ୍କେଚ –
କଣ କହିବା ଆଉ । ଦିନେ ଦିନେ ଭାବେ ସତରେ କଣ ଏଇ ଦେବା ଦେବୀ ମାନେ କହିଥିଲେ DJ ନହେଲେ ଆମେ ବିସର୍ଜନ ପାଇଁ ଯିବୁନି ।
ବହୁତ ସୁନ୍ଦର କଳ୍ପନା ଓ ବର୍ଣ୍ଣନା ଏଥିରେ ।
ମସ୍ତ ଲାଗିଲା । Good wishes !!
ଧନ୍ୟବାଦ 💕💞 ସର୍ବାଣୀ
ବଢିଆ ଲାଗିଲା ସ୍କେଚ୍ ଦୁଇଟି👏💖🌹
ଧନ୍ୟବାଦ 💕
Good
ବଢିଆ ଲେଖିଛ ଲୋପୁ । ସ୍କେଚ୍ ଦୁଇଟି ଖୁବ ଛୁଇଁଲା ମନକୁ ❤️😘
ଦୁଇଟି ଯାକ ଚିତ୍ର ଖୁବ୍ ଜୀବନ୍ତ ଓ ବାସ୍ତବ …. 🙂👌👌👌