ଅସୁର ମରିଲା ପରେ
” ଅସୁର ମରିଲା ପରେ କ’ଣ ହେଲା ମା ? “-ପଚାରିଲା କୁନି ଝିଅ ମୋର।
ମୁଁ ଚାରି କାନ୍ଥ ଭେଦୀ ଭିନ୍ନ ଆକାଶରେ ବିଚରଣ କରୁଥିବା ମୋ ହୃଦୟ କୁ ଆୟତ୍ତ କରି କହିଲି -” ଅସୁର ମରିଲା ପରେ ସବୁଥର ଈଶ୍ୱର ନଚେତ୍ ଈଶ୍ୱରୀ ଟିଏ ଜନ୍ମ ନିଅନ୍ତି ମା’ ।”
ସେ ଆଉ କିଛି ପ୍ରଶ୍ନ ସଜାଡୁ ସଜାଡୁ କହିଲି –
” ରାତି ଅନେକ ହେଲାଣି ମା’ ଶୋଇପଡ଼ ଏଥର ।”
ସେ ମୋ କୋଳକୁ ଆଉଟିକେ ଜାକି ହୋଇ ଶୋଇପଡ଼ିଲା ।
କିନ୍ତୁ ମୁଁ… ?
ନିଦ୍ରା ହୀନତା ଗ୍ରସ୍ତ ଯନ୍ତ୍ରଣା ଭୋଗି ଚିରକାଳ ଆକାଶରେ ବିଚରଣ କରୁଥିବା ଅଶାନ୍ତ ଗ୍ରହଟିଏ । ଯିଏ ଭଲ ଭାବେ ସେ କଳା ଟିକକ ଜାଣେ ଯେ କିପରି ସତ୍ୟ କୁ କାହାଣୀ ର ରୂପ ରଂଗ ମାଖି ଅବୋଧ କୁନି ଝିଅ କୁ ଶୁଣା ଯାଇପାରେ । ଏବଂ ଏକଥା ବି ଜାଣେ , ଦିନେ ଆକାଶ ର ପ୍ରଶାନ୍ତ ହୃଦୟ ରେ ରହି ସୁଦ୍ଧା ଛାର ଯୋଜନ ଦୂର କମଳିନୀ କୁ ଚାହୁଁଥିବା ମୁଁ ହତଭାଗିନୀ ବିଧୁ ଟିଏ।
ସବୁଥର ପରି ଏଥରକ ମଧ୍ୟ ଓହ୍ଲେଇ ଆସିଲି ମୁଁ ଅନ୍ଧାର ଡାଳରୁ ପ୍ରଶ୍ନଟିଏ ହୋଇ ଝୁଲିବାକୁ ମୋ ଜୀବନ କାନ୍ଧରେ । ଏ ଜୀବନ , ଏ ପ୍ରଶ୍ନ ସବୁ ଏକାନ୍ତ ବ୍ୟକ୍ତିଗତ ମୋର, ତଥାପି କେହି ଯେବେ ପଚାରେ , କହରେ , ଜୀବନ ତୋର ଝୁଲୁଛି କେଉଁଠି ? ମୁଁ କାନ୍ଧ କଥା କହେ
କହେ ଦେଖ
କାନ୍ଧ ଟେ ବୁଣୁଛି ପ୍ରେମ ବିଶ୍ୱାସ କ୍ଷେତରେ
କାନ୍ଧ ଟେ ଗଣୁଛି ଦିନ ନିଶ୍ୱାସ ଖାତାରେ
କାନ୍ଧ ଟେ ପିନ୍ଧୁଛି ମିଛ ଛଳନା ହାଟରେ ପୁଣି
କାନ୍ଧ ଟେ ଗମୁଛି ଲୋଭେ ଅମଡ଼ା ବାଟରେ ।
ତେଲ ଲୁଣ ସଂସାର ର ଯେତେ ପ୍ରଶ୍ନ ଉତ୍ତର ମୋହ ମାୟା ସବୁ ତ ଲେଖିଦେଇଛି ସେ କାନ୍ଧ ସିଲଟ ରେ । ପଢ଼ ।
ସେ ଦେଖିପାରନ୍ତି ମୋ ହୃଦୟ ଛାଇ ଦିଶେ ସେ କାନ୍ଧ ଭିତରେ । ହୁଏତ ନିଜ ହୃଦୟ କୁ ବି ଦେଖନ୍ତି ସେ କାନ୍ଧ ରୂପରେ,ସେ ଚାଲି ଯାଆନ୍ତି ଏ ଉତ୍ତର ପରେ ପରେ ।
ମୋ କାନ୍ଧରେ ଅନେକ ବୋଝ ଆଉ ଭାର ବି । କିଛି ବୋଝ ଆଜୀବନ ଓହ୍ଲେଇ ହୁଏନା ଅବସୋସ ଓ ଅନୁତାପ ପରି । ଏବଂ କିଛି ଭାର ସମ୍ଭାଳି ରଖିବାକୁ ହୁଏ ପ୍ରେମ ଓ ଦାୟିତ୍ଵ ପରି । ଯେପରି ମୁଁ ସଯତ୍ନେ ଧରି ରଖିଛି କାହା ପ୍ରେମ କୁ ହୃଦୟ ର ଈଶ୍ୱର କରି ।
ରୋନିତ….
କୁମାରୀ ବୟସର ଝିଅମାନେ ରାଜକୁମାର ଙ୍କ ସ୍ୱପ୍ନ ଦେଖିବା ଯେପରି ସେମାନଙ୍କ ଜନ୍ମଗତ ଅଧିକାର । ମୁଁ ମଧ୍ୟ ଦେଖିଥିଲି ମୋ ସ୍ୱପ୍ନ ର ରାଜକୁମାର ଙ୍କୁ କେବଳ ସ୍ୱପ୍ନ ରେ କିନ୍ତୁ କହନ୍ତି ନିମ୍ନ ମଧ୍ୟବିତ୍ତ ପରିବାର ର ଝିଅଟିଏ କୁ ରାଜକୁମାର ସ୍ୱପ୍ନ ବି ମନା । ତାଙ୍କ ଭାଗରେ ଲେଖାଥାଏ କେବଳ ବିଧିର ବିଧାନ। ମୋତେ କିନ୍ତୁ ବଦଳେଇବାର ଥିଲା ସେ ଅଦୃଶ୍ୟ ଈଶ୍ୱରଙ୍କ ନିଷ୍ପତି । ସେଥିପାଇଁ ତ ମୁଁ ଦିନ ରାତି ବୁଡି ରହିଲି ବହି ଦୁନିଆରେ । ହେଲେ ସ୍ନାତକୋତ୍ତର ଶେଷ ହେବା ଆଗରୁ ମୋର ବିବାହ ଶେଷ ହୋଇଗଲା । ଯାହା ମୋ ନିଷ୍ପତ୍ତି କୁ ଶକ୍ତ ଧକ୍କା ଟିଏ ଦେଇଥିଲା । ତଥାପି ମୁଁ ହସି ହସି ଗ୍ରହଣ କରୁଥିଲି ଈଶ୍ୱର ଙ୍କ ନିଷ୍ପତ୍ତି ,ଏକ ନୂଆ ମଣିଷ, ନୂଆ ପରିବାର ଓ ନୂଆ ପରିଚୟ କୁ ।
ଏବେ ମୁଁ ରୋନିତ୍ ରାୟ ଙ୍କ ଧର୍ମପତ୍ନୀ ଅଙ୍କିତା ରାୟ। ରୋନିତ୍ ଭାରତୀୟ ନୌସେନା ଟେକ୍ନିକାଲ ହେଡ୍ । ଯେଉଁଥିପାଇଁ ବିବାହ ପରେ ଖୁବ୍ କମ୍ ସମୟ ଆମେ ଦୁହେଁ ଏକାଠି ଖୁସିରେ କଟେଇଛୁ । ଛୁଟି ପରେ ସେ ଭାଇଜାଗ୍ ଚାଲିଗଲେ । ବାପାବୋଉ ଙ୍କୁ ପାଖକୁ ନେଇଯିବା ପାଇଁ ଅନେକ ଥର କହିଛନ୍ତି କିନ୍ତୁ ଗାଁ ଛାଡ଼ି ଯିବାକୁ ବାପାଙ୍କର ତିଳେହେଁ ଆଗ୍ରହ ନାହିଁ । ଏବେ ଘରେ ବାପାବୋଉ ଆଉ ମୁଁ । ୟା’ ଭିତରେ ଛ ମାସ ବିତିଯାଇଥିଲେ ମଧ୍ୟ ରୋନିତ୍ ଘରକୁ ଆସି ପାରିନଥିଲେ । ବାଧ୍ୟ ହୋଇ ପୁନଶ୍ଚ ମୁଁ ଫେରି ଯାଇଥିଲି ମୋ କଳ୍ପିତ ଦୁନିଆ ଓ ବହି ମେଳ କୁ । ସବୁକିଛି ଠିକ୍ ଠାକ୍ ଚାଲିଥିଲା କିନ୍ତୁ ସେଦିନ….
ନିଃସଙ୍ଗ ଜୀବନରୁ ଅବସର ନିମନ୍ତେ ମୁଁ ଇନଷ୍ଟଗ୍ରାମ ରିଲ୍ସ ଷ୍କ୍ରୋଲ କରୁ କରୁ ଦେଖିଲି ମୋ କବିତା ପୋଷ୍ଟ୍ ରେ ସବୁ ମତାମତ ଠାରୁ ଭିନ୍ନ ଏକ କମେଣ୍ଟ। ଲାଗିଲା ଯେପରି ସେ ମତାମତ ଟି ମୋ କବିତା କୁ ଉପଯୁକ୍ତ ସମ୍ମାନ ଦେଇଛି । ଚେକ୍ କରି ଦେଖେ ତ ମୋର ପ୍ରତ୍ୟେକ ଟି କବିତା ରେ ତାଙ୍କର ମତାମତ କିନ୍ତୁ ମୁଁ କେବେ ନୋଟିସ କରୁନଥିଲି କିପରି ?
ଏବେ ମୁଁ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରି ତାଙ୍କ ଆଇ .ଡି ଚେକ୍ କଲି … “ଦି ଅନନୋନ୍ ରାଇଟର୍”.. ଅନେକ ଗଳ୍ପ ଓ କବିତା ରେ ଭର୍ତ୍ତି ତାଙ୍କ ଆଇ.ଡ଼ି ।
ଏତିକି ପରିଚୟ ହିଁ ଯଥେଷ୍ଟ ଥିଲା ତାଙ୍କ ଆଇ ଡି କୁ ଫଲୋବ୍ୟାକ କରିବାକୁ । ତାଙ୍କର ପ୍ରତ୍ୟେକ ଟି କବିତା ଓ ଗଳ୍ପରେ ଥିଲା ଜୀବନ କୁ ଅତି ନିକଟରୁ ଭେଟିବାର ଅନୁଭବ । ନଇଁ ପଡୁଥିବା ଲତା ଟିଏ ଯେପରି କାନ୍ଥ ବାଡ଼ ର ସାହାର ଲୋଡ଼େ, ତାଙ୍କ କବିତା ଓ ଗଳ୍ପରେ ମୁଁ ପାଉଥିଲି ରୋନିତ ଙ୍କ ଅନୁପସ୍ଥିତି ଯନ୍ତ୍ରଣା ର ଉପଶମ ,ମୋ ଜିଇଁବାର ସାହାରା । ଦିନକୁ ଦିନ ମୁଁ ଅଧିକ ବୁଡି ରହିବାକୁ ଲାଗିଲି ତାଙ୍କ ଲେଖାରେ । ଏମିତି ଦିନ ଟିଏ ନାହିଁ ଯେଉଁଦିନ ତାଙ୍କ ଲେଖା ନପଢି ମୁଁ ବିଛଣା ଛାଡିଛି ଏବଂ ନିଦ୍ରା ଯାଇଛି। କହିବାକୁ ଗଲେ ତାଙ୍କ ଲେଖା ର ସଂଜୀବନୀ ମନ୍ତ୍ର ପୁନର୍ଜୀବିତ କରିଥିଲା ମୋ ଓଠର ହସ ଓ ହୃଦୟର ପ୍ରେମ ।
ୟା’ ଭିତରେ ରୋନିତ୍ ମୋତେ ଛାଡି ଯିବାର ଗୋଟିଏ ବର୍ଷ ପୁରି ଗଲାଣି କିନ୍ତୁ ତାଙ୍କ ଅନୁପସ୍ଥିତି ର ଯନ୍ତ୍ରଣା ଅପେକ୍ଷା ଏବେ ଅଧିକ କଷ୍ଟ ଦିଏ “ଦି ଅନନୋନ୍ ରାଇଟର୍” ଙ୍କ ବିଳମ୍ବିତ ପୋଷ୍ଟ ।
ହୁଏତ ମୋ ଅଜାଣତରେ ଏଇ କିଛିଦିନ ଭିତରେ ମୁଁ ତାଙ୍କୁ ପ୍ରେମ କରି ବସିଲିଣି । ମୁଁ ତାଙ୍କୁ ଆଉଟିକେ ନିକଟରୁ ଜାଣିବାକୁ ଓ ପାଇବାକୁ ଚାହୁଁଥିଲି । ମୁଁ ଭୁଲି ସାରିଥିଲି ମୁଁ କାହା ଝିଅ , କାହା ସ୍ତ୍ରୀ, କୂଳବଧୁ । ମୋ ଆଖପାଖରେ କେବଳ ଶବ୍ଦ ର ଦୁନିଆ, ଯେଉଁ ଶବ୍ଦ ର ସୂତ୍ରଧାର ଅଦୃଶ୍ୟ “ଦି ଅନନୋନ୍ ରାଇଟର୍”.
ଦିନେ ଭାବପ୍ରବଣ ହୋଇ ଏ ସବୁ କଥା ତାଙ୍କୁ ମେସେଜ ରେ ଜଣେଇଲି। ପ୍ରଥମ ଥର ସେଦିନ ଜାଣିଲି କିପରି ଡେଇଁ ଯିବାକୁ ହୁଏ ସମସ୍ତ ବାଧା ବନ୍ଧନ ପରକୀୟା ପ୍ରୀତିରେ । ମୋତେ କିଛି ଭୁଲ୍ ଦୃଶ୍ୟମାନ ହେଉନଥିଲା କାରଣ ମୁଁ ଭଲଭାବେ ଜାଣେ ଏଠି ସମସ୍ତଙ୍କ ଦୃଷ୍ଟିକୋଣ ଭିନ୍ନ ହେବା ଏକ ସ୍ୱଭାବିକ ପ୍ରକ୍ରିୟା । ଯଦିଓ ଆମେ ନିଜ ନିଜ କାହାଣୀ ର ମୁଖ୍ୟ ନାୟକ ଚରିତ୍ର କିନ୍ତୁ ଆମେ ସମସ୍ତେ ଅନ୍ୟ କାହା କାହାଣୀ ର ଖରାପ ଚରିତ୍ର ବା ଖଳନାୟକ ଏହା ଧାର୍ଯ୍ୟ। ତେଣୁ କାହା ଦୃଷ୍ଟିକୋଣରୁ ନିଜକୁ ସୁନ୍ଦର କରି ଗଢି ତୋଳିବାର ଆନ୍ତରିକତା ମୋର ସେଦିନ କିଞ୍ଚିତେ ମାତ୍ର ନଥିଲା ।
ମୁଁ ସାରା ରାତି ଉଜାଗର ରହି ଚାହିଁଥିଲି ତାଙ୍କ ହଁ ପ୍ରତ୍ୟୁତର କୁ। ସେଦିନ ହିଁ ବୁଝିଥିଲି ଗୋଟିଏ ଗୋଟିଏ ସେକେଣ୍ଡ ବି କେତେ ଲମ୍ବ ହୋଇପାରେ କାହା ପ୍ରତିକ୍ଷା ରେ ।
କିନ୍ତୁ ମୋର ମନେଅଛି ତାଙ୍କ ଉତ୍ତର ଥିଲା ସ୍ପଷ୍ଟ ଓ ଖୁବ୍ ଆଶ୍ଚର୍ଯ୍ୟଜନକ ।
ସେ କହିଲେ , –
” ଜନ୍ମ ଜନ୍ମାନ୍ତର ଯାଏଁ ରହିବାକୁ ଦିଅ ଏ ଭେଟିବାର ଭୋକ ଓ ରୋମାଞ୍ଚ ସଖି । ଆମ ପ୍ରଥମ ଓ ଅନ୍ତିମ ସାକ୍ଷାତ ହୁଏତ ଶେଷ କରିଦେଇ ପାରେ ଏ କାହାଣୀ ଅଥବା ଲେଖି ଦେଇପାରେ ନୂଆ ଉପନ୍ୟାସର ମୁଖବନ୍ଧ । ମୁଁ ବଞ୍ଚିବାକୁ ଚାହେଁ ଆମ ନାମହୀନ ସମ୍ପର୍କର ପୂର୍ଣ୍ଣତା ରେ । ଏ ଦୂରତା ର ଶୂନ୍ୟକାଳ ହିଁ ଆମ ସମ୍ପର୍କର ପବିତ୍ରତା , ଏକ ଦୁର୍ବଳ ମୁହୂର୍ତ୍ତର ନିମିତ୍ତ ଆକର୍ଷଣକୁ କଦାପି ପ୍ରେମ କୁହାଯାଇପାରେନା ସଖି। “
ଏବେ କେମିତି ବୁଝେଇବି ତାଙ୍କୁ ମୋ ଅର୍ଥହୀନ ଜୀବନର ବୋଝ ତୁମେ ହିଁ ତ ଓହ୍ଲେଇ ସାରିଛ କେବେଠୁ , ଆମ ଅଜାଣତରେ। କେବେଠୁ ଆକସ୍ମିକ ଭାବେ ମୃତ୍ୟୁ ଲଭିଅଛି ପରିଚୟ ଟିଏ ନୂଆ ସମ୍ପର୍କର ଜନ୍ମ ରେ। କେବେଠୁ ସମସ୍ତ ନୀତି ଅନୀତି ପରମ୍ପରା ଡେଇଁ ମୁଁ ପାଲଟି ସାରିଛି ପାଷାଣୀ ରୁ ଅହଲ୍ୟା । ମୋ ହୃଦୟର ଆବେଗ ଆବେଦନ ସମର୍ପଣ ସବୁ କ’ଣ ଭୁଲ୍ , ମୋ ଭ୍ରାନ୍ତି ଧାରଣା ?
ଠିକ୍ ଦୁଇ ଦିନ ପରେ ଘରକୁ ଆସିବାକୁ ରୋନିତ୍ ଖବର ଦେଲେ । କିନ୍ତୁ ମୋର ସମସ୍ତ ଆକର୍ଷଣ ଓ ଉଦ୍ଦୀପନା ଯେପରି ମୃତ୍ୟୁବରଣ କରିଛନ୍ତି କେଉଁ କାଳରୁ । ମୁଁ ମୋର ଯାବତ୍ ଉଦ୍ଦାମତା କୁ ସଂଯମତା ଶିକୁଳିରେ ବାନ୍ଧି ରଖିବାର ବୃଥା ପ୍ରୟାସ ଜାରି ରଖୁଛି।
ଆଖି ପିଛୁଳାକେ ଦୁଇ ଦିନ ବିତିଗଲା ।
ସେଦିନ ରୋନିତ୍ ଆସି ଘରେ ପହଞ୍ଚିବା ପୂର୍ବରୁ ନିଜ ହୃଦୟ କୁ ଯଥାସମ୍ଭବ ଆୟତ୍ତ ରେ ରଖି ସାରିଥିଲି । ସେ ଆସିଲେ ,ଆମ ପରିବାର ଉତ୍ସବ ମୁଖର ହୋଇ ଉଠିଲା କିନ୍ତୁ ସେଦିନ ସଂଜ ଯାଏଁ “ଦି ଅନନୋନ୍ ରାଇଟର୍” ଙ୍କ ର ଗୋଟିଏ ହେଲେ ପୋଷ୍ଟ ଆସିନଥିଲା । ଭିତର ଘରେ ରୋନିତ ବାପା ବୋଉଙ୍କ ସହିତ କଥା ହେଉଛନ୍ତି । ମୁଁ ଆମ ଶୋଇବା ଘରକୁ ଆସି ପୁଣିଥରେ “ଦି ଅନନୋନ୍ ରାଇଟର୍” ଙ୍କ ଆଇ.ଡ଼ି ଚେକ୍ କଲି, ନା ଏ ଯାଏଁ ଆସିନି ।
ଏଥର ସମସ୍ତ ଧୈର୍ଯ୍ୟ ହରାଇ ମୁଁ ପଚାରି ବସିଲି -” କ’ଣ କିଛି ଅସୁବିଧା ହେଇଛି କି ? ଆଜି ଆପଣଙ୍କର କିଛି ପୋଷ୍ଟ ଆସିନି ।”
ଉତ୍ତର ଅପେକ୍ଷା ରେ ମୁଁ ଚାହିଁ ରହିଲି ଭୟ ମିଶ୍ରିତ ଚାହାଣୀ ରେ । ହଠାତ ବିଛଣାରେ ଥିବା ରୋନିତ ଙ୍କ ମୋବାଇଲ ଉପରେ ମୋର ନଜର ପଡିଲା ।
ଏକ ନୂଆ ମେସେଜ ଆସିଲା..
କ୍ଲିକ କରି ଦେଖେ ତ ମୋବାଇଲ ସ୍କ୍ରିନ ଉପରେ ଯାହା ଥିଲା ମୋ ପାଦତଳ ପୃଥିବୀ ଖସେଇ ଦେବାପାଇଁ ଯଥେଷ୍ଟ ।
ସେ ପ୍ରେରକ ଜଣକ ଆଉ କେହି ନଥିଲେ ଥିଲି ନିଜେ ମୁଁ । ଆଶ୍ଚର୍ଯ୍ୟ ଓ ଆତ୍ମଗ୍ଲାନି ରେ ମୁଁ କାନ୍ଦିବି କି କେଉଁଠି ଯାଇ ଆତ୍ମଗୋପନ କରିବି କିଛି ଭାବି ପାରୁନଥିଲି ।
ତା’ ଅର୍ଥ “ଦି ଅନନୋନ୍ ରାଇଟର୍” ଜଣଙ୍କ ନିଜେ ରୋନିତ୍ । କିନ୍ତୁ ମୋ ସହିତ ଏ ଲୁଚକାଳି ଖେଳିବାର ମାନେ କ’ଣ ଥାଇପାରେ ? ସେ କ’ଣ ପ୍ରମାଣିତ କରିବାକୁ ଚାହୁଁଥିଲେ ?
କିଛି ସମୟ ପାଇଁ ମୋ ଚତୁଃପାର୍ଶ୍ଵରେ ଅନ୍ଧାର ଘୋଟିଗଲା । ମୁଁ ଚୁପ୍ ଚାପ୍ ବିଛଣାରେ ବସି ରହିଲି । କିଛି ସମୟ ପରେ ରୋନିତ୍ ରୁମ୍ କୁ ଆସିଲେ , ସେଯାଏଁ ମୁଁ ମୁହଁ ପୋତି ବସିଥାଏ । ସେ କବାଟ ବନ୍ଦ କରି ମୋ ପାଖରେ ବସି ପଚାରିଲେ ,-“ଏତେ ଦିନ ହେଲା ତୁମ ପାଖକୁ ଆସିନି ବୋଲି କ’ଣ ଅଭିମାନ କରିଛ? “
ମୁଁ ତାଙ୍କୁ ଜାବୁଡ଼ି ଧରି ଭୋ କରି କାନ୍ଦି ଉଠିଲି ।
ଡିଫେନ୍ସ ଚାକିରୀ ରେ ଏମିତି ହୁଏ ବୋଲି ସେ ଖୁବ୍ ବୁଝେଇଲେ ଏବଂ ଲମ୍ବା ବ୍ୟବଧାନ ରଖି ଘରକୁ ଆସି ନାହାନ୍ତି ବୋଲି ଭୁଲ୍ ମଧ୍ୟ ମାଗୁଥିଲେ ।
କିନ୍ତୁ ମୁଁ କାନ୍ଦୁଥିଲି ମୋ କର୍ମ ପାଇଁ , ଛିଃ… ସତରେ ମୁଁ କେଡେ ମୁର୍ଖ ଥିଲି ? ହାତ ପାହାନ୍ତାରେ ସମୁଦ୍ରେ ପାଣି ଅଥଚ ମୁଁ ଅନ୍ଧୁଣି ପାଣି ପାଣି ଚିତ୍କାର ଛାଡୁଥିଲି । କ୍ଷଣିକ କାମନା ର ଜାଲରେ ଛନ୍ଦି ହୋଇ ମୁଁ ପାଲଟି ଯାଉଥିଲି ଭିନ୍ନ ମଣିଷ । ଛିଃ…।
ରୋନିତ୍ ଫେରିଯିବା ଆଗରୁ ମୋତେ ସଜାଡିବାର ଥିଲା ଏ କାହାଣୀ ର ଯବନିକା ।
ସେଦିନ ରୋନିତ୍ ଶୋଇଯିବା ପରେ ମୁଁ ମୋବାଇଲ ବାହାର କରି ଟାଇପ୍ କଲି ,-” ସେଦିନ ଆପଣଙ୍କ ଅଗ୍ରାହ୍ୟ ପାଇଁ ଅଶେଷ ଧନ୍ୟବାଦ। ଆପଣ ଶିଖେଇ ଦେଲେ ବେଳେବେଳେ ନିଜ ଭିତର ରାକ୍ଷସ ମାନଙ୍କୁ ନିଜେହିଁ ଦମନ କରିବା ନିହାତି ଜରୁରୀ । ନଚେତ୍ ମଣିଷ ମୁଖା ତଳେ ସୁଯୋଗ ଅପେକ୍ଷା ରେ ଲୁଚି ରହିଥିବା ଅସୁର କେତେବେଳେ ବି ଆମକୁ ଦମନ କରିଦେଇ ପାରେ। ଏବେ ଏ ସମ୍ପର୍କ ଆଗ ଠାରୁ ଅଧିକ ସୁନ୍ଦର ଓ ପବିତ୍ର ହେଇସାରିଛି। ଆଜି ଠାରୁ ଆପଣ ମୋ ଗୁରୁ । ଚିରକାଳ ଆପଣଙ୍କ ଲେଖା ଅପେକ୍ଷା ରେ ଥିବା ଜଣେ ମୁଗ୍ଧ ପାଠିକା।”
ଏବେ ରୋନିତ୍ ଙ୍କ କୋଳରେ ଛୋଟ ଛୁଆ ପରି ମୁଣ୍ଡ ଗୁଞ୍ଜି ଶାନ୍ତିରେ ଶୋଇବାକୁ ଚେଷ୍ଟା କରୁଥିଲି ମୁଁ ।
ଏ ସମ୍ପର୍କ ଆଗରେ ସେ ସମ୍ପର୍କ , ସେମିତି ହିଁ ଜଣେ ଲେଖକ ଓ ପାଠକଙ୍କ ସମ୍ପର୍କ ଯାଏଁ ସୀମିତ ଥାଉ ।
କଡ଼ ଲେଉଟାଇ ଦେଖେ ତ ଚାରି ବର୍ଷର ଝିଅ ରାନୀ ମୋର ଶୋଇଛି ନୀରିହ କଣ୍ଢେଇ ଟିଏ ପରି । ଯିଏ ଟିକିଏ ଆଗରୁ ଜିଦ୍ କରି ଶୁଣୁଥିଲା ଗୋଟେ ଅସୁର ସଂହାର ର କଳ୍ପିତ କାହାଣୀ ।
ବଢ଼ିଆ ଲାଗିଲା ଗପଟି । ଏକ ଭିନ୍ନ ଧରଣର ଗପଟି । ଶୁଭେଚ୍ଛା !!
ଅଶେଷ ଧନ୍ୟବାଦ 🙏
ଭଲ ଲାଗିଲା । ଖୁବ ଆବେଗ।
ସଠିକ ଲେଉଟାଣି।
ଅଶେଷ ଧନ୍ୟବାଦ ଆଜ୍ଞା 🙏
ବାଃ ବଢିଆ ଲାଗିଲା ଗଳ୍ପ ଓ ଉପସ୍ଥାପନା
ଅଶେଷ ଧନ୍ୟବାଦ ଦିଦି 🙏