ଦେବୀପକ୍ଷ

  ସେଦିନ ସାନବୋହୂ କହିଲା ଗଙ୍ଗୋତ୍ରୀଙ୍କୁ , ” ମା , ଏ ବର୍ଷଠାରୁ ମୁଁ ବି ନବରାତ୍ରୀ କରିବି ବଡ଼ ଅପାଙ୍କ ସହ ମିଶି।” ଗଙ୍ଗୋତ୍ରୀ ମୁଣ୍ଡ ଟୁଙ୍ଗାରିଲେ ଚା’ ପିଉ ପିଉ। ବୋହୂ ମାନଙ୍କ ଖୁସିରେ ତାଙ୍କର ଖୁସି। କେବେ କୌଣସିଟାକୁ ମନା କରନ୍ତିନି ସେ। କିନ୍ତୁ ଘରେ କୌଣସି ପୂଜା ପାର୍ବଣ ଆସିଲେ ମନଟା ତାଙ୍କର ଭାରି ଭାରି ହୋଇପଡେ।ଘରେ ଝିଅ ନଥିଲେ କି ପର୍ବ ଯେ ! ସେ ରଜ ହେଉ କି କୁମାରପୂର୍ଣିମା, ତାଙ୍କ ଘର ଆଗଦେଇ ଯେତେବେଳେ ଝିଅଟିଏ ନୂଆଡ୍ରେସ ପିନ୍ଧି, ସଜବାଜ ହୋଇ l, ପାଦରେ ଅଳତା ପାଉଁଜି ନାଇ ଝୁମୁଝୁମୁ ହୋଇ ଚାଲିଯାଏ, ସେତେବେଳେ ତାଙ୍କ ପାଟିରୁ ସ୍ୱତଃ ବାହାରିଯାଏ , ” ଆହାଃ .. ଝିଅମାନେ ସିନା ଘରକୁ ସାଜନ୍ତି!”

         ଗଙ୍ଗୋତ୍ରୀଙ୍କର ଦୁଇଟି ପୁଅ।  ଅବଶ୍ୟ ବୋହୂମାନେ ଆସିଲା ପରେ ସେ ଅଭାବ ତାଙ୍କର କିଛିକାଂଶରେ ପୂରଣ ହୋଇଛି। କିନ୍ତୁ ବୋହୂ ଦୁଇଟିଙ୍କର ବି ପୁଅ ଯୋଡିଏ, ଝିଅ ନାହିଁ। ନବରାତ୍ରୀ ପୂଜା ବେଳେ ବଡ଼ବୋହୂ ଯେତେବେଳେ ପଡିଶାଘର ମାନଙ୍କରୁ କୁନିକୁନି ଝିଅ ମାନଙ୍କୁ ସଙ୍ଖୋଳି ଆଣେ କୁମାରୀ ପୂଜନ ପାଇଁ, ଆଉ ସେମାନଙ୍କୁ ନୂତନ ବସ୍ତ୍ର ପିନ୍ଧେଇ ଦେବୀ ରୂପରେ ପୂଜା କରେ, ସେତେବେଳେ ଗଙ୍ଗୋତ୍ରୀଙ୍କର ମନକୁ ଆସେ, ମୋର କୁନି ନାତୁଣୀଟିଏ ନଥାନ୍ତା ! ଏଇ କୁନିଦେବୀ ମାନଙ୍କ ଭିତରେ ଦେବୀଟିଏ ସାଜି ପୂଜା ପାଇଥାନ୍ତା ଆଜି।

           ସେଦିନ ହଠାତ ଭୋର୍ ଭୋରରୁ ଗୋଟାଏ ସ୍ଵପ୍ନ ଦେଖିଲେ ଗଙ୍ଗୋତ୍ରୀ। ତାଙ୍କ ଘରଦ୍ୱାର ସବୁଆଡେ କାଶତଣ୍ଡି ଫୁଲ ଛାଇ ଯାଇଛି । କିଛି ଗୋଟେ ମହୋତ୍ସବ ଲାଗିଲା ପରି ଘରେ ଆୟୋଜନ ଚାଲିଛି । ଘର ଆଗରେ ପୂର୍ଣ୍ଣକୁମ୍ଭ ବସିଛି। ପିଠାପଣା, ଦୀପ ଧୂପ ଝୁଣା ବାସ୍ନା ନାକରେ ବାଜୁଛି। ନିଦ ଭାଙ୍ଗିଗଲା ତାଙ୍କର, ଝର୍କା ଖୋଲି ବାହାରକୁ ଚାହିଁଲେ ସେ। ସିନ୍ଦୁରା ଫାଟି ଆସିଲାଣି, ତାଙ୍କ ପାଚେରୀ କଡ଼ ଟଗର ଗଛଟାରେ ତାରା ପଡିଲା ପରି ଫୁଲ ଲଦି ହୋଇ ଫୁଟିଛି। ରାସ୍ତା ସେପାଖ ଅଧାତିଆରି ଘରଟାରେ ସେ ପାଗଳୀଟା ବସି ନିଜେ ନିଜେ କଣ ବିଡ଼ବିଡ଼୍ ହୋଇ ଗପୁଛି ଆଉ ମନକୁମନ ହସୁଛି।

          ପାଗଳୀଟା ଏଇ ମାସେ ହେବ କୁଆଡୁ ଆସିଛି କେଜାଣି! ଆଶ୍ରା ନେଇଛି ସେଇ ଦରଗଢା ଘରଟା ଭିତରେ। ଚିରା ଶାଢି ଖଣ୍ଡେ ପିନ୍ଧି ଆଉ କାନ୍ଧରେ ନାଲି ଗାମୁଛା ଖଣ୍ଡେ ପକେଇ ଦିନରାତି ସେଇ ଘରଟା ଭିତରେ ପଡିଥାଏ ସେ! ଶରୀରର ଗଢଣ କହୁଛି ଯେ ସେ ସନ୍ତାନ ସମ୍ଭବା। ” ଆହାଃ! କେଡେ ଦୁଃଖିନୀଟିଏ ବିଚାରୀ ” କହି ପ୍ରାୟଦିନ ତାକୁ କିଛି ନା କିଛି ଖାଇବାକୁ ଦିଅନ୍ତି ଗଙ୍ଗୋତ୍ରୀ । ଅନ୍ୟ ସାଇପଡିଶା ବି କେତେବେଳେ କଣ ଟିକେ ଖାଇବାକୁ ଦେଇ ଦିଅନ୍ତି ତାକୁ। ପାଗଳୀଟି କିନ୍ତୁ କେତେବେଳେ ବି କାହା ଘର ଦୁଆରେ ପଶିଯିବା କି କାହାକୁ ହଇରାଣ କରିବା କେହି ଦେଖିନି ଆଜିଯାଏ। ନିଜ ସୁଖଦୁଃଖକୁ ନେଇ ସେ ନିଜ ଭିତରେ ବିଭୋର ଥାଏ ସବୁବେଳେ।

        ଗତ କିଛିଦିନ ହେବ ପ୍ରାୟ ସେଇ ସମାନ ସ୍ୱପ୍ନ ଦେଖି ଆସୁଛନ୍ତି ଗଙ୍ଗୋତ୍ରୀ ଭୋର ଭୋରରୁ। ନିଦ ଭାଙ୍ଗି ଯାଉଛି। କିଛି ବୁଝି ପାରୁ ନାହାନ୍ତି ସେ। ସ୍ୱାମୀ ନରୋତ୍ତମଙ୍କୁ ସେ ଏକଥା କହିଲେ ଯେ , ସେ ତାଙ୍କ କଥାକୁ ହସରେ ଉଡେଇ ଦେଲେ । ଆହୁରି ପୁଣି ବୋହୂ ମାନଙ୍କ ଆଗରେ ହୋ ହୋ ହୋଇ ହସିକି କହିଲେ ଯେ “ଦେବୀପକ୍ଷ ଆହୁରି ତିନିମାସ ଅଛି , ଆଉ ଆଜିଠାରୁ ତୁମ ଦାଣ୍ଡବାଡ଼ି ସବୁଆଡେ କାଶତଣ୍ଡି ଫୁଟିଗଲା ! ” ଚିଡ଼ିକି ଉଠିଲେ ଗଙ୍ଗୋତ୍ରୀ ।

       ରାତି ଖାଇବା ଖାଇସାରି କିଛି ବଳକା ରୁଟି ତରକାରୀ ନେଇକି ପାଗଳୀଟିକୁ ଦେବାକୁ ଗଲେ ଗଙ୍ଗୋତ୍ରୀ। ତାଙ୍କୁ ଲାଗିଲା ଯେମିତି କିଛି ଗୋଟେ ଶାରୀରିକ କଷ୍ଟ ଭୋଗୁଛି ପାଗଳୀଟି। ପ୍ରସବ ସମୟ ଉପନୀତ କି! କାହାକୁ ପଚାରିବେ? ତାକୁ ତ ପଚାରିଲେ ସେ ଖାଲି ଡବ ଡବ କି ଏଡ଼େ ଏଡ଼େ ଆଖିରେ ଚାହୁଁଛି , କିଛି ବି କହୁନି। ଘରକୁ ଯାଇ ସ୍ୱାମୀଙ୍କ ଆଗରେ କହିଲେ ସେ ନିଜ ମନକଥାକୁ। 

      ସ୍ୱାମୀ ନରୋତ୍ତମ କହିଲେ , ” ହଉ ରାତି ପାହୁ ଦେଖିବା । ଏତେ ରାତିରେ କୁଆଡେ ଯିବା । ବରଂ ସକାଳ ହେଲେ ତା ଅବସ୍ଥା ଦେଖି ତାକୁ ଏଇ ସରକାରୀ ଡାକ୍ତରଖାନା ନେବା କି କେଉଁ ସ୍ବେଚ୍ଛାସେବୀ ସଂଗଠନ ସହ ଯୋଗାଯୋଗ କରିବା , ସେ ବିଷୟରେ ଚିନ୍ତା କରିବା ।”

                ରାତିଯାକ ଆଉ ଭଲ ନିଦ ନାହିଁ ଗଙ୍ଗୋତ୍ରୀଙ୍କୁ । ପାହାନ୍ତା ପହରୁ ନିଦ ଟିକେ ଲାଗୁ ଲାଗୁ ସେ ପୁଣି ସେଇ ସ୍ୱପ୍ନ ଦେଖି ଉଠି ବସି ପଡିଲେ।ଆଉ ଝର୍କା ଖୋଲି ବାହାରକୁ ଚାହିଁଲେ ପାଗଳୀକୁ ନିରୀକ୍ଷଣ କରିବା ଉଦ୍ଦେଶ୍ୟରେ ।ପାଗଳୀଟି କେଉଁଠି ଦିଶୁ ନଥିଲା । କୁଆଡେ ଗଲା ! ଘରର ଦରଜା ଖୋଲି ବାହାରକୁ ଆସିଲେ ଗଙ୍ଗୋତ୍ରୀ । ଆଉ ଦାଣ୍ଡ ବାରଣ୍ଡାରେ ପାଦ ଥୋଉ ଥୋଉ ଏଡ଼େ ବଡ଼ ପାଟି କରି ଚିଲ୍ଲେଇଲେ ଯେ ଘରର ସମସ୍ତ ସଦସ୍ୟ ଉଠିଆସି ବାହାରେ ହାଜର । କାହାରି ପାଟିରେ ଭାଷା ନାହିଁ । ସମସ୍ତେ ସ୍ଥାଣୁ । ଦାଣ୍ଡ ଦୁଆରମୁହଁ ପାଖରେ ଚାରି ଚଉତା ହୋଇ ପଡିଛି ପାଗଳୀର ନାଲି ଗାମୁଛାଟି ଆଉ ତା ଉପରେ ଶୋଇଛି ନବଜାତ ଶିଶୁକନ୍ୟାଟିଏ ।

             ଗଙ୍ଗୋତ୍ରୀଙ୍କର ଘର ଆଗରେ ସାଇପଡ଼ିଶା ଜମା ହୋଇଗଲେଣି । ନରୋତ୍ତମ ଆଉ ତାଙ୍କ ପୁଅମାନେ ଖୋଜି ଖୋଜି ହାଲିଆ ହୋଇ ଗଲେଣି କିନ୍ତୁ ପାଗଳୀଟିର କୌଣସି ଖୋଜ ଖବର ନାହିଁ ।ଛୁଆଟି ଆଗ ଆଗ ଟିକେ ନିସ୍ତେଜିଆ ହୋଇ ଶୋଉଥିଲା ଏବେ କିନ୍ତୁ ରାହା ଲେଇଟାଇ କାନ୍ଦିଲାଣି । ପରିସ୍ଥିତି ଅସମ୍ଭାଳ ହେବାରୁ ବାଧ୍ୟ ହୋଇ ନରୋତ୍ତମ ଫୋନ ଲଗେଇବାକୁ ବାହାରିଲେ ନିକଟସ୍ଥ ‘ଅରଫାନେଜ୍’ କୁ । କିନ୍ତୁ ତାଙ୍କୁ ଅଟକେଇ ଦେଲେ ଗଙ୍ଗୋତ୍ରୀ । କହିଲେ , ନା  ନା .. ଥାଉ .. ମୋ ସ୍ୱପ୍ନ ସତ ହୋଇଛି । ଦେବୀପକ୍ଷରେ ଦେବୀ ଆସିଛନ୍ତି ମୋ ଘରକୁ । ତାଙ୍କୁ ମୁଁ ମୋ ଦୁଆରମୁହଁରୁ ଫେରେଇ ଦେବି କେମିତି !! 

      ଆଶ୍ଚର୍ଯ୍ୟ ହେଲେ ନରୋତ୍ତମ । 

  _ଦେବୀପକ୍ଷ ! ଆଷାଢ଼ ମାସରେ !

 __ ନୁହେଁ ତ ଆଉ କ’ଣ  ? ଖାଲି କ’ଣ ଦେବୀପକ୍ଷ ହେଲେ ଦେବୀ ଆସନ୍ତି !! ନାଃ .. ଯେତେବେଳେ ବି ଦେବୀ ଏ ଧରାଧାମରେ ପାଦ ରଖନ୍ତି ସେଇଟା ହୋଇଯାଏ ଦେବୀପକ୍ଷ । ମୋ ଘରେ ଆଜିଠାରୁ ସବୁ ପକ୍ଷ ହେଉଛି ଦେବୀପକ୍ଷ ।

8 thoughts on “ଦେବୀପକ୍ଷ”

  1. ସତରେ ଦେବୀ କେବଳ ଦେବୀ ପକ୍ଷରେ ଆସନ୍ତି ନାହିଁ ‌ଯେତେବେଳେ ଏ ଧରାଧାମରେ ପାଦ ରଖନ୍ତି।ସେଇଟା ହିଁ ଦେବୀପକ୍ଷ । ସୁନ୍ଦର ଗପ 💕👏

  2. ଚତ୍ମକାର ଗଳ୍ପ.. ସୁନ୍ଦର ବାର୍ତ୍ତା ଯେବେ ବି ଦେବୀ ଆସନ୍ତି ସେଇଟା ଦେବୀ ପକ୍ଷ ❤️❤️

  3. ଗପ ମାଧ୍ୟମରେ ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ଚମତ୍କାର ରଚନା ।

Leave a Comment

Your email address will not be published. Required fields are marked *