ଦେବୀପକ୍ଷ

ଶାଗୁଣା ଖୋଲ ଢ଼ିମ୍ବିରାରୁ ବିଛେଇ ହୋଇ ପଡ଼ିଥାଏ ଅଶିଣର ଏକ ରତ ରତ ସଞ୍ଜ | ପାହାଡ଼ର ଏକ ଚଟାଣ ଉପରେ  ମୁହଁ ପୋତି ବସିଥାଏ ରଇବାରୁ | ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ପୁଣ୍ୟତୋୟା ବାହୁଦାର ବୁଡ଼ି ଅଞ୍ଚଳ | ବାଘ,ଭାଲୁ ଭଳି ହିଂସ୍ର ଜନ୍ତୁ ମାନଙ୍କ ଭୟରେ ତାଟି କବାଟ ପଡ଼ିଯାଏ ସମଗ୍ର ବୁଡ଼ି ଅଞ୍ଚଳରେ | କିନ୍ତୁ ସେମିତି ସକାଳ ପହରୁ ଏକାକୀ ବସିଥାଏ ରଇବାରୁ, ପଶ୍ଚିମା ଦିଗନ୍ତକୁ ଚାହିଁ ଚାହିଁ.. ସାଉଣ୍ଟୁ ଥାଏ ତାର ସେ ହଜିଲା ଦିନର ସ୍ମୃତିକୁ  |

ଦଳେ ବିଲୁଆ ପଲର ହୁକେ ହୋ.. ହୁକେ ହୋ..ଶବ୍ଦରେ ପ୍ରକୃତିସ୍ଥ ହୁଏ ରଇବାରୁ, ଆଖିରୁ ଝରି ଶୁଖି ଯାଇଥିବା ଲୁହକୁ ଗାମୁଛାରେ ପୋଛିନିଏ ଏବଂ କିଛି ଦୂରରେ ଗଡେଇ ଆସିଥିବା ତାର ରକ୍ତର ପିଣ୍ଡୁଳାକୁ ପରଖିବାକୁ ଚାଲିଯାଏ |ପାହାଡ଼ ପାଦ ଦେଶରେ ଏକ ବିରାଟ କାୟ ନିମ୍ବ ଗଛ | ମଙ୍ଗଳବାର ରାତି ସହଜେ ଅଶିଣର ଦେବୀ ପକ୍ଷ ପଡ଼ିଛି ସେଦିନ | ସେଠାରେ କଣ ଗୁଣୁ ଗୁଣୁ ହୋଇ କାନ୍ଦେ କେଜାଣି…ପୁଣି କିଛି ସମୟ ପରେ  ଫେରେ ପୁନଶ୍ଚ ସେହି  ଜାଗାକୁ, ମନକୁ ମାରି ବସେ… ପୁଣି ହଜିଯାଏ.. ତାର କେଉଁ ଛାଡ଼ି ଆସିଥିବା ପୃଥିବୀରେ |

ହୋ.. ରଇବାରୁ ,ହୋ… ରଇବାରୁ ଶବ୍ଦ  ଶାଗୁଣା ଖୋଲ ପାହାଡ଼ରୁ ପିଟି ହୋଇ ଫେରେ  ରଇବାରୁ କାନକୁ | ହେଲେ ରଇବାରୁ ଉତ୍ତର ଦିଏନା..ସେ ତ ଆଜି ଶଣିକ ( ମାନସିକ ) ରଖିଛି, ଦେବୀ ପକ୍ଷରେ.. ଅଖଣ୍ଡ ଦୀପ ଜାଳିଛି ତା’ର ଆରାଧ୍ୟା ଲିମେଇଶୁଣୀ  ଙ୍କ ପାଖରେ |  ତାକୁ ଅବା କାହିଁ ଶୁଣାଯିବ କାହା ଡ଼ାକ | ବଣ ଏବେ ଶୋଇଗଲାଣି | ମୁଣ୍ଡ ଉପରକୁ ଅଶିଣର ଜହ୍ନ ଉଠିଆସିଲାଣି ଏବେ..ସାରା ଜଙ୍ଗଲରେ ନୀରବତା  କିନ୍ତୁ ରଇବାରୁ ସେମିତି ଚାହିଁ ରହିଥାଏ ସେ ଜଳେଇଥିବା ଅଖଣ୍ଡ ଦୀପ ଟିକୁ |  ଗାଁ ର.. କିଛି ସାହି ଭାଇ ଆସି ପହଞ୍ଚିଲେଣି ରଇବାରୁ ପାଖରେ, ସେଥିରୁ ବିଶୁ କହିଲା… କେତେ ଆଉ.. ଜଗି ରହିବୁ ରେ ରଇବାରୁ..! ଯା’.. କହି ଦେଇ ଆ.. ଲିମେଇଶୁଣୀ କୁ.. 

” ଜୀବନ ଯଦି ଦବୁ.. ଦେ.. ନହଲେ ନେଇଯା !

 ତୋର ଆମର ଏତିକି ହିଁ |

ଚାଲେ.. ଏବେ ଏଠୁ ଯିବା  ଅଧ ରାତି ହେଲାଣି, ଦେବୀପକ୍ଷ ପରା..ଚଣ୍ଡୀ, ଚାମୁଣ୍ଡା ବୁଲିବାର ବେଳ ! ତା’ ଛଡ଼ା.. ଏଠି ଦିନରେ ବାଘ ବୁଲନ୍ତି | ସହଜେ ପୁଣି ରାତି… ବିଶୁ ପାଟିରୁ କଥା ସରିଛି କି ନାହିଁ.. ରଇବାରୁ କହିଲା କେମିତି ଛାଡ଼ି ଯିବିରେ… ସୁକୁ(ତା ଘରଣୀ)କୁ ଯିବାର ମାସେ ହେଇନି.. ପିଲାଟାକୁ ମୋ ଅଣ୍ଟିରେ ଛାଡ଼ି ଗଲାଠାରୁ ମାହାପୁରୁ(ବସନ୍ତ) ହୋଇଛି ଯେ.. ହୋଇଛି | କେତେ ପଣା ପାଣି (ଭୋଗ ) ଠାକୁରାଣୀକୁ ଦେଲି, ମାର୍ଜନା କଲି.. ବଇଦ ପାଖରେ ଝଡ଼ା  ଫୁଙ୍କା କଲି..ହେଲେ କାମ ଦେଲାନି |  ଆଜି ସକାଳୁ ପିଲା ଉଁ.. ଚୁଁ.. କିଛି ବି କଲାନାହିଁ… ଆଖି ପତା ଉଠାଉନି | କଣ ଆଉ କରି ଥାନ୍ତି… ରାଗରେ ଆସି ଲିମେଇଶୁଣୀ ପାଖରେ ଗଡେଇ ଦେଲି | ଆଖି ମଳି ମଳି ରଇବାରୁ ବିଶୁକୁ କହୁଥିଲା ଏସବୁ | 

ଏବେ ପାହାନ୍ତି ପ୍ରହର ପ୍ରାୟ, ସିନ୍ଦୁରା ଫୁଟିବ ଫୁଟିବ ହେଉଥିଲେ | ପୂରୁବ ଦିଗନ୍ତରେ ଏବେ ଇସତ୍ ରକ୍ତିମ ଲାଲିମାର ଆବରଣ, ଖବର ନଦେଇ ଆସିଯାଏ ଏକ ଅଣଚାଶ ପବନ | ଶାଗୁଣା ଖୋଲର ଶାନ୍ତ ପରିବେଶକୁ ଅଶାନ୍ତ କରି ଧୂଳି ଝଡ଼ରେ ଭରିଦେଇ ଚାଲିଯାଏ ଅଣଚାଶ | 

 ରଇବାରୁ ବ୍ୟସ୍ତ ହୁଏ.. ବିଶୁ ସହ ଯାଏ ଲିମେଇଶୁଣୀ ପାଖକୁ ସେ ଗଡେଇ ଆସିଥିବା କୋମଳ ଶିଶୁ ପୁତ୍ର ପାଖକୁ, ଦୁହେଁ ଅବାକ ହୁଅନ୍ତି ଖୁସୀ ବି ହୁଅନ୍ତି.. ସେଠାରେ ଦେଖନ୍ତି ଦୀପ ଲିଭି ପୁଣି ଜଳୁଛି ଆଉ ଶିଶୁଟି କୁଆଁ କୁଆଁ ହୋଇ କାନ୍ଦୁଛି…|

କିଛି ଦିନର ନୀରବତା ପରେ.. ଗୋଟେ ସକାଳରେ ଗାଁ ନଉକର ଭଗିଆ ର ଡେଙ୍ଗୁରା ଶବ୍ଦରେ ରଇବାରୁ ଜାଗ୍ରତ ହେଲା..

ଶୁଣ.. ଶୁଣ.. ଶୁଣ  !

ଟମକ୍ ଟମକ୍ କରି ଡେଙ୍ଗୁରା ବାଜୁଛି | ଆର ସପ୍ତାହରେ ବୁଡ଼ି ଅଞ୍ଚଳ କୁଆଡ଼େ ଖାଲି ହେବ ବୋଲି ଘୋଷଣା ହଉଛି | ବୁଡ଼ି ଅଞ୍ଚଳ କହିଲେ.. ବାଘଲଟି, ସିରିସୀ ଗଣ୍ଡ, ବେହେରା ପୁଟ, ମଝିବଣ ଏବଂ ବେଙ୍ଗେଇ ସାହି ଆଦି କେତୋଟି ଛୋଟ ଆଦିବାସୀ ଅଧୁଷିତ ଗାଁ କୁ ବୁଝାଏ | ଉପାନ୍ତ ଅଞ୍ଚଳରେ ଡ଼ାକିବାଜି ଯନ୍ତ୍ର ଦ୍ୱାରା ସରକାର ସମାନ ଘୋଷଣା ମଧ୍ୟ କରିଥିଲେ | ବୁଡ଼ି ଅଞ୍ଚଳର ଜୀବନ ରେଖା ବାହୁଦାକୁ ବାନ୍ଧି ସରକାର କୁଆଡ଼େ ଏଠି ଏକ ନଦୀବନ୍ଧ ଯୋଜନା କରିବେ | ଆମ ଅଞ୍ଚଳର ଉନ୍ନତି ହେବ | ଚାଷୀ ମାନଙ୍କ ମୁହଁରେ ହସ ଫୁଟିବ ଆଉ ଆମ ବିଲରେ ସୁନା ଫଳିବ | 

ବିଧାୟକ ସାମନ୍ତରାୟ ବାବୁ ଆସି ଥଇଥାନ ଓ କ୍ଷତି ପୂରଣ ବାବଦକୁ ଘରବାରି ପଟ୍ଟା ମଧ୍ୟ ବାଣ୍ଟି ସାରିଲେଣି | କିନ୍ତୁ’ ରଇବାରୁ  ମୁହଁରେ ହସ ଉଭେଇ ଯାଇଛି କଥା ଟା ଶୁଣିଲା ଦିନ ଠାରୁ |  କେତେ କଣ କ୍ଷତି ପୂରଣ ମିଳିଲା ବୋଲି.. କିଏ କଣ ସାତ ପୁରୁଷର ଭିଟା ମାଟିକୁ ଛାଡ଼େ..!

 ନା.. ଚିହ୍ନା ବଣ ଜଙ୍ଗଲ.. ନଈ ଆଉ ତା ସ୍ତ୍ରୀ ହଜିଥିବା ଗାଁ ମସାଣି କୁ ପାସୋରି ଯିବ କେମିତି !  ଆଉ ବାକି ରହିଲା ଲିମେଇଶୁଣୀ | ରଇବାରୁ ତ ‘ବଞ୍ଚି ପାରିବନି  ଶାନ୍ତିରେ | ସେ ତ ମୁରୁଖ ଆଦିବାସୀ ଟିଏ,  ସରକାର ପାଇକ ପୁଲିସି ଆଗରେ କଣ ବଳି ଯିବ !  

     ଯାହା ଡର ଥିଲା ତାହା ହେଲା | ଗୋଟେ ଗୋଟେ କରି ସମସ୍ତେ ଗାଁ ଛାଡିଲେଣି, ବୁଡ଼ି ଅଞ୍ଚଳ ଖାଲି ହେବାକୁ ବସିଲାଣି | ପିଲାଟା ମା କ୍ଷୀର ଛାଡ଼ି ନଥିଲା.. ସୁକୁ ଆର ପାରିକୁ ଚାଲିଗଲା, କଅଁଳ ପିଲାଟାକୁ ଧରି କୋଉଠି ବସା ବାନ୍ଧିବି.. ଏମିତି ଭାବି ଭାବି ରଇବାରୁ କୁ ନିଦ ନାହିଁ କି ଭୋକ ନାହିଁ |  ସିନ୍ଦୁରା ପହିଲା ବେଳକୁ.. ଲୋକେ ଛେଳି, କୁକୁଡ଼ା, ଗାଈ ଗୋରୁ.. ନେଇ ଛାଡ଼ି ଆସିଲେଣି, କେହି କେହି ଆସିଥାନ୍ତି ଛାଡିଥିବା ଆସବାବ ପତ୍ର ନେବାକୁ | 

ଓଃ.. କି ଗହଳି!  

ଯେମିତି ସୁରଙ୍ଗୀ ରଥ ଟାଣି ଯାଉଛନ୍ତି | 

ଏତିକି ବେଳେ ଦୁଆର ମୁହଁରୁ ବିଶୁ ରଡ଼ି କଲା.. ରଇବାରୁ ରେ… ଜିନିଷ ଧରେ ଆଉ ବାହାରେ | ସମସ୍ତେ ଗଲେଣି ଗାଁରୁ… ତୁ ହିଁ ଅଛୁ ! ଚାଲ ସଅଳ ବାହାରେ | ରଇବାରୁ ର ଇଚ୍ଛା ନଥିଲେ ବି.. ବିଶୁ ବୁଝେଇଲା, ସେଠାରେ ସ୍କୁଲ ଅଛିରେ  ଆମ ପିଲାମାନେ ପାଠ ପଢ଼ିବେ, ମଣିଷ ହେବେ.. ଆମେ ତ ସ୍କୁଲ ବାରଣ୍ଡା ଉଠିନେ… ଆମ ପିଲାମାନେ ବି ସେଇଆ ହେବେ ନା କଣ ? ଶେଷରେ ପିଲାଟିକୁ ପିଠିରେ ଦୋଳା ବାନ୍ଧି ରଇବାରୁ ଆଉ ବିଶୁ ଗାଁ ଛାଡିଲେ | ଛାଡ଼ି ଆସିଲେ ସେମାନଙ୍କ ସାତ ପୁରୁଷର ଭିଟା ମାଟି, ନା ଦେଇଥିବା ଡ଼ଙ୍ଗର, ବଣ ପାହାଡ଼ ଆଉ ନଈକୁ | କିନ୍ତୁ ବାଟରେ  ପଥର ହୋଇ ବସି ରହିଥିବା ଲିମେଇଶୁଣୀ କୁ ସହଜରେ ଛାଡ଼ି ଆସି ପାରିନଥିଲା ରଇବାରୁ | ପିଲାଟିକୁ ପିଠିରୁ ଓଲ୍ହାଇ ଲିମେଇଶୁଣୀ ଆଗରେ ଦାନ୍ତରେ କୁଟା ଧରି.. ସାଷ୍ଟାଙ୍ଗେ ପଡିରହିଲା, ଶେଷରେ ମା’ କୁ କ୍ଷମା ମାଗି ବୁଡ଼ି ଅଞ୍ଚଳ ଛାଡିଲା |

ସେଦିନର ଘଟଣାକୁ ଆଜି ଅନେକ ବର୍ଷ ବିତିଛି | ବୁଡ଼ି ଅଞ୍ଚଳ, ଲିମେଇଶୁଣୀ, ସୁକୁ.. ଏସବୁ ରଇବାରୁ ମନରେ ସ୍ମୃତି ହୋଇ ଓହଳି ଅଛନ୍ତି | ରଇବାରୁ ର.. ପୁଅ ଏବେ ହାକିମ ହୋଇଛି, ରଇବାରୁ ର  ଏବେ ଟଙ୍କା ପଇସାରେ ଅଭାବ ନାହିଁ  | ତା ଗାଁରେ ଏବେ ଓଡିଶା ସରକାରଙ୍କ ଦ୍ୱାରା ବାଘଲଟି ନଦୀ ବନ୍ଧ ଯୋଜନା ନିର୍ମାଣ ହୋଇଛି | ନଦୀବନ୍ଧ ଟି ବୁଡ଼ି ଅଞ୍ଚଳ, ତା ପ୍ରିୟର ଶାଗୁଣା ଖୋଲ ଡ଼ଙ୍ଗର ଏମିତି କି.. ମା ଲିମେଇଶୁଣୀ କୁ ମଧ୍ୟ ଗିଳି ଦେଇଛି | 

ରଇବାରୁ ଏବେ ବୟସର ଅପରାହ୍ନରେ.. ହେଲେ ମଧ୍ୟ କେବେ କେମିତି ଡ୍ୟାମ୍ ଉପରକୁ ଯାଏ.. ନିରିଖେଇ ଆଖି ବୁଲାଏ ତା ଜନ୍ମଭୂମି ଆଡ଼େ.. ଶାଗୁଣା ଖୋଲ ଡ଼ଙ୍ଗରକୁ ଏବଂ ଲିମେଇଶୁଣୀକୁ କିନ୍ତୁ.. ଆଉ ଚିହ୍ନି ପାରେନି କିଛି ,କି ତାକୁ ଦୃଶ୍ୟ ହୁଏ ନାହିଁ.. କେବଳ ଦେଖେ… ଦିଗନ୍ତକୁ ବ୍ୟାପି ଥିବା ଅକାତ ଅକାତ ନୀଳ ଜଳ ରାଶି | କିନ୍ତୁ ମାସକୁ ଥରେ ଅଧେ.. ବାଘଲଟି ଡ୍ୟାମ୍ କୁ ଘେରାଏ ନ ବୁଲି ଆସିଲେ  ତାକୁ ମଣିଷ ପଣିଆ ଲାଗେନା |

କିନ୍ତୁ ଏବେ ଦୀର୍ଘ ପଚାଶ ବର୍ଷ ପରେ  ତା ଜୀବନରେ ଆସିଛି ଆଉ ଏକ ଦେବୀପକ୍ଷ | କିନ୍ତୁ ଏଥରର ଦେବୀପକ୍ଷ ତା’ ପାଇଁ.. ଭିନ୍ନ ଧରଣର | ସେ ରହୁଥିବା ଉପାନ୍ତ ଅଞ୍ଚଳରେ ଏ ବର୍ଷ ମରୁଡ଼ି ପଡ଼ିଛି, ମରୁଡ଼ି ନୁହେଁତ ନ’ଅଙ୍କ ଦୁର୍ଭିକ୍ଷର ପୁନରାବୃତ୍ତି ଘଟିଛି | ଚାଷ ଜମି ସବୁ ଫାଟି ଆଁ କରିଛି | କେନାଲ, ପୋଖରୀ.. ମୁକୁଳା ପଡ଼ିଛି | ଚାଷୀ ମାନଙ୍କ ମୁଣ୍ଡରେ ଚଡକ ଏବେ, ଚାରିଆଡେ ହା ହା କାର | କିନ୍ତୁ ଏସବୁ ରଇବାରୁ କୁ କିଛି ପ୍ରଭାବ ପଡୁନାଥାଏ, ତା ପୁଅ ହାକିମ   ପରା ! ଡାଲି, ଚାଉଳ ସବୁ ଅଗ୍ରୀମ ରଖି ନେଇଛି |ସେଦିନ ଚୈତ୍ର ମାସର ଏକ କ୍ଲାନ୍ତ ଅପରାହ୍ନ ଶାଗୁଣା ଖୋଲ ପାହାଡ଼ ଉପରେ ଅଳସ ଭାଙ୍ଗୁଥାଏ | ଚୈତ୍ର ମାସର ବୋଧେ ସେଦିନ ଶେଷ ମଙ୍ଗଳ ବାର, ପଣା ପାଣି ମାର୍ଜନା ପାଇଁ ଏକ ବିଶେଷ ଦେବୀପକ୍ଷ ସେଦିନ | ସେଦିନ ରଇବାରୁ ପୂର୍ବବତ୍ ଭଳି ବାଘଲଟି ଡ୍ୟାମ୍ ଉପରକୁ ଚଢିବାକୁ ଏବେ ଅସୁବିଧା ହେଉଥାଏ, ଏବେ ସେ ସମ୍ପୂର୍ଣ୍ଣ ବୃଦ୍ଧ ପ୍ରାୟ | ଆଖିଡୋଳା କୋରଡ଼ରେ ପଶିଗଲାଣି, ଚାଲିଲେ ଗୋଡ଼ ଘୋଷାରି ହଉଛି, ପିଞ୍ଜରା ରେ ହାଡ଼ କଙ୍କାଳ ଛଡ଼ା ମାଉଁସ ଟିକେ ନାହିଁ…ତଥାପି ବଂକୁଲି ବାଡ଼ି ସହାୟତା ନେଇ ଚଢି ଆସିଛି ଡ୍ୟାମ୍ ଉପରକୁ | ଅବଶ୍ୟ ପୂର୍ବ ଅପେକ୍ଷା ନଦୀବନ୍ଧ ରାସ୍ତା ଘାଟ ଉନ୍ନତି ହେଇଛି ଏ ବର୍ଷ | 

ଛାଇ ଟିକେ ମଉଳି ଆସୁଥାଏ | ପବନରେ ତାକୁ ଶୀତୁଆ ଶୀତୁଆ ଲାଗେ | ଅନେକ ଦିନ ହେବ ରଇବାରୁ ଆସି ନଥାଏ ଡ୍ୟାମ ଉପରକୁ |

ଏ କ’ଣ ବିସ୍ତିର୍ଣ୍ଣ ମଇଦାନ .. ଖୋଦ୍ ନଦୀବନ୍ଧ ପାଣି ଭଣ୍ଡାର ଆଜି ଟୋପାଏ ଜଳ ପାଇଁ ଆର୍ତ୍ତ ଚିତ୍କାର କରୁଛି। ଚାରିଆଡେ ମାଟି ଫାଟି ଆଁ ହେଇଛି , ହଜାର ହଜାର ଥୁଣ୍ଟା ଗଛ ସେମିତି ଠିଆ ହୋଇଛନ୍ତି, ଯେମିତି ରଇବାରୁ ଆଗରୁ ଛାଡ଼ି ଆସିଥିଲା | ଜଳ ଶୁଖିଗଲା ପରେ ପୁଣି ପରିବେଶ ଫେରିଯାଇଚି ଦୀର୍ଘ ପଚାଶ ବର୍ଷ ତଳର ସେଇ ଅତୀତର ଦୃଶ୍ୟକୁ । ବର୍ତ୍ତମାନ ସେମାନେ ରଇବାରୁ କୁ କିଛି କହିବାକୁ ଯେମିତି ମୁକସାକ୍ଷୀ ହୋଇ ଜଗି ରହିଛନ୍ତି | ରଇବାରୁ ଖୁସି ହୋଇ ଧିରେ ଧିରେ ପାଦ ବଢାଏ ତା ଗାଁ ଆଡ଼କୁ | ସେ ବହୁତ ଖୁସି, ଏତେ ଖୁସି ସେ କେବେ ହୋଇନଥିଲା | ଅନତି ଦୂରରୁ ଶାଗୁଣା ଖୋଲ ଯେମିତି ତାକୁ ଡାକୁଛି.. ହୋ ରଇବାରୁ…. ହୋ ରଇବାରୁ  ଆସ ବୋଲି |    

ରଇବାରୁ ଧିରେ ଧିରେ.. ଶାଗୁଣା ଖୋଲ ଡ଼ଙ୍ଗରରେ ପହଞ୍ଚିଲା ବେଳକୁ    ସେହି ପଚାଶ ବର୍ଷ ତଳର ପରି ଏକ ରତ ରତ ସଞ୍ଜ , ଚୈତର ଦେବୀପକ୍ଷ   |ଡ଼ଙ୍ଗର ଚଟାଣକୁ ଆଉଁସେ.. ମୁଣ୍ଡରେ ହାତ ଲଗେଇ ଗଡ଼ିଯାଏ ସେଠାରେ |

ଓଃ କି ଶାନ୍ତି…!

ସତରେ ତାକୁ ଯେମିତି ମୋକ୍ଷ ମିଳିଗଲା 

ମାଛି ମାଛି (କିଟି କିଟି )ଅନ୍ଧାର  ଏବେ, ଆଖିକୁ କିଛି ଦେଖା ଯାଏନି ରଇବାରୁର | ଏଥର ସେ ଅନ୍ଧାରରେ ଖୋଜିବୁଲେ ଲିମେଇଶୁଣୀ କୁ କିନ୍ତୁ ସେ ପାରେନା, ପୁଣି କାନ୍ଦି କାନ୍ଦି ଆସି ବସିଯାଏ ତାର ସେ ଅତି ପରିଚିତ ଚଟାଣରେ | ଦେବୀପକ୍ଷରେ ଏବେ ମୁଣ୍ଡ ଉପରେ ଜହ୍ନ | ରାତିର ନୀରବତାରେ ପବନ ସୁ.. ସୁ ବୋଧେ ଗୀତ ଗାଉଥାଏ | ରଇବାରୁ ଆଖି ଖୋଲେ.. ଅନତି ଦୂରରେ ଦେଖେ ଏକ ଦୀପ ଜଳୁଥାଏ | ଦୀପକୁ ଅନୁସରଣ କରି ରଇବାରୁ ଆଗକୁ ଆଗକୁ ଯାଏ, ଦେଖେ’ ତ ଦୀପ ପାଖରେ ଅତି ପ୍ରିୟର ମା ଲିମେଇଶୁଣୀ | କେଜାଣି କଣ ସବୁ ଗୁଣୁ ଗୁଣୁ ହୋଇ କହି ଯାଉଥାଏ ମା କୁ,  ସେଦିନର ଦେବୀପକ୍ଷ ଭଳି | 

ଦେବୀପକ୍ଷର ରାତି ପାହେ, ସିନ୍ଦୁରା ଫାଟେ.. ରଇବାରୁ କୁ ହାକିମ ପୁଅ ଖୋଜି ବୁଲେ, କିନ୍ତୁ ପାଏନା | କିଛି ଗାଈ ଜଗୁଆଳିଙ୍କ ଠାରୁ ଖବର ଆସେ ରଇବାରୁ ର ଠିକଣା | ରଇବାରୁ ର ପୁଅ ପହଞ୍ଚେ ସେ ଶାଗୁଣା ଖୋଲ ଡ଼ଙ୍ଗରର ଥୁଣ୍ଟା ନିମ୍ବ ଗଛ ମୂଳେ | ସେଠାରେ ଦେଖେ’ତ ରଇବାରୁ କେବେଠୁ ଶୋଇ ସାରିଛି ତା’ର ଶେଷ ନିଦ୍ରାରେ, ଆଉ ରଇବାରୁ ର ପୁଅ  ଅବୋଧ ଶିଶୁଟେ ପରି  ବସି ଚିତ୍କାର କରୁଛି ସେ ପଚାଶ ବର୍ଷ ତଳର ଦେବୀପକ୍ଷ ଭଳି..!!  

20 thoughts on “ଦେବୀପକ୍ଷ”

  1. ଅତି ସୁନ୍ଦର ଭାବରେ ବର୍ଣ୍ଣନା ହୋଇ ଅଛି।
    ମନୋଜ ବାବୁ ଏତେ ସୁନ୍ଦର ଲେଖା ଟିକୁ ବର୍ଣ୍ଣନା କରିଥିବାରୁ ଧନ୍ୟବାଦ।

  2. ଅତି ସୁନ୍ଦର ଭାବରେ ବର୍ଣ୍ଣିତ ଗଳ୍ପ ହେଇଛି ଆକୁ ପଢ଼ି ମୁଁ
    ମନମୁଗ୍ଧ ହେଇଛି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
    ମନୋଜ ବାବୁ

  3. ରଇବାରୁ ଭଳି ଗାଁ ମନସ୍କା ଚରିତ୍ର ବେଶ କିଛି ସମୟ.. ମୋତେ ଆନ୍ଦୋଳିତ କଲା
    ଯେମିତି ମୁଁ ନିଜେ..ସେ ଅଞ୍ଚଳରେ ବୁଲୁଥିଲି,
    ଧନ୍ୟବାଦ ମନୋଜ.. ତୁମ କଲମ ଆହୁରି ଆଦିବାସୀଙ୍କ ଏମିତି କଥା କହୁଥାଉ.. 🙏

  4. Santosh Kumar Sahu

    ଅତି ସୁନ୍ଦର ଭାବରେ ଲେଖିଛନ୍ତି ।
    ଏମିତି ନିଆରା ଏକ ଗଳ୍ପ ମନ କୁ ଛୁଇ ଦେଲା |
    ମନୋଜ ଆଗକୁ ଏମିତି ଅଲଗା ଧରଣ ଗପକୁ ଧ୍ୟାନ ଦିଅନ୍ତୁ ।

  5. ଶୁଭକାନ୍ତ

    ଆପଣଙ୍କ ରଚନା ସବୁବେଳେ ଅନନ୍ୟ। ହୃଦୟକୁ ସ୍ପର୍ଶ କଲା ପରି ରଚନା।ମା ସରସ୍ବତୀ ଆପଣଙ୍କ କଲମ ଉପରେ କୃପା ଦୃଷ୍ଟି ସଦୈବ ରଖିଥାଆନ୍ତୁ।

  6. Raibaru bhali Janma Bhumiku bhala Pauthiba Charitra ti aji kali khub Birala …….
    Glapatire Branana Mantara Mudhadha kala 😊
    Auhuri agaku Bhadha ntu aneka lekhantu…… God bless you 🙏🙏🙏

  7. ଅତି ଉଚ୍ଚକୋଟିର ବର୍ଣ୍ଣନା । ବହୁତ ସୁନ୍ଦର ଗପଟି । ଶୁଭେଚ୍ଛା ।

  8. ଗୀତିସ୍ମିତା ରାଜ୍

    ଲେଖା ମାଧ୍ଯମ ରେ ଆପଣ ଗଳ୍ପ କୁ ଜୀବନ୍ତ କରିଛନ୍ତି। 🙏
    ଆପଣଙ୍କ ଲେଖନୀ ଏମିତି ଚମତ୍କାରିତା ରେ ଭରି ଯାଉ। ☺

  9. HIMANSHUBHUSHAN SAHOO

    ଆଃ…👌 ବଢ଼ିଆ ଲାଗିଲା କାହାଣୀଟି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୋଟିଏ କ୍ଷଣ ମଧ୍ୟ ମୁଁ ଅଟକି ରହିପାରିଲି ନାହିଁ । ଚମତ୍କାର..👌👍

  10. ଅତି ଉଚ୍ଚକୋଟୀର ବର୍ଣ୍ଣନା । ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟସ୍ପର୍ଶୀ ହେଇଛି କାହାଣୀଟି । ଶୁଭେଚ୍ଛା ମନୋଜ

  11. DOLAMANI TRIPATHY

    ଖୁବ ଛଳଛଳ। ମନକୁ ପୂରା ବତୁରାଇ ଦେଲା।
    ଆତ୍ମାକୁ ଦହିଦେଲା।

  12. ଶିବଦତ୍ତ ମହାରଣା

    ଅତ୍ୟନ୍ତ ହୃଦୟସ୍ପର୍ଶୀ ….ଗଳ୍ପ ଟି ପଢିଲା ପରେ ଏହା ବୁଝିବାକୁ ମିଳୁଛି କି ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ..

Leave a Comment

Your email address will not be published. Required fields are marked *