ମାଟିରେ ଗଢା ଦେହ
ଦେହକୁ ନେଇ ଜୀବନ
ଏତେ ବ୍ୟାପକ ଏ ମାଟିର ବାସ୍ନା
ଖେଳାଇପାରେ ଚଞ୍ଚଳତା
ମର୍ତ୍ତ୍ୟ, ନର୍କ, ବୈକୁଣ୍ଠେ,
ଓଟାରିପାରେ କୁରୁସଭାରୁ କୁରୁକ୍ଷେତ୍ର
ଆଙ୍କିପାରେ ସୃଷ୍ଟି ଓ ବିଲୟର ଚିତ୍ର
ତା’ ସ୍ଥିତିରେ ଦେଖାଇପାରେ
କେତେ ଯେ ପ୍ରତିରୂପ !
ସୃଷ୍ଟିର ଆଦ୍ୟ ଝଙ୍କାର ଅବା
ଯବନିକାର ଚାଖଣ୍ଡେ ଭୂଇଁ
ଆଦିରୁ ଅନ୍ତ ମୁଠାଏ ମାଟି ପାଇଁ
କେତେ ଯେ ହାହାକାର।
ବିଦ୍ରୋହ କି ଦ୍ରୋହ ପାଇଁ
ଶବ୍ଦସବୁର ଲଢେଇ
ନିଗିଡିଯାଏ ବେଦନାର ଅଶ୍ରୁ
ବ୍ୟର୍ଥତାର ବୋଝ ବୋହି ବୋହି
ଅସହାୟତକୁ ପ୍ରତିହତ କରି କରି
ନିଜ ଅପାରଗତାର ଗ୍ଳାନିରେ
ଚାଲିଥାଏ ତମାମ୍ ଜୀବନ।
କଳା କଳା ଆଖି ତଳେ
ଲଣ୍ଠନର ଛାଇ ପରେ
ପିଠିକୁ ସାଉଁଳାଏ
ଅତୀତର ହାତ
ଆଲୁଅର ଶେଷ କଣିକାରେ
ସେ ହାଜିର୍ ହୁଏ
ଅନ୍ଧାର ତାର ପ୍ରିୟ ବୋଲି
ସୁଯୋଗ ଖୋଜେ।
ଉଇହୁଙ୍କା ପରି ବଢିଚାଲିଥିଲା ଅନ୍ଧାରରେ
ତେଜିଆସେ ତାର ଜିଇଁବାର
ଅଦମ୍ୟ ଇଚ୍ଛା,
ସ୍ମୃତିକୁ ସାଉଁଟି ଗଣ୍ଠିପାରେ
ଭର୍ତ୍ତି କରେ ପକେଟ୍
ସୁଖ-ଦୁଃଖର ହିସାବ କରେ
ପାପ-ପୁଣ୍ୟର ଭାର ବୋହେ ।
ଉତ୍ତର ବୟସ ହେବ କି
କଅଁଳ ଯୌବନ
ଲଗ୍ନ ଖୋଜୁ ଖୋଜୁ
ଜୀବନର ଇସ୍ତାହାରରେ
ମନେପଡେ ପୁଣି ସେଇ ମାଟି…….
ଯେଉଁଠି ଶୋଇବାକୁ ହେବ
ତାକୁ ଚିରକାଳ।





