ଶିଥିଳାଗମନ

ଚାରିଆଡ଼େ କାଶତଣ୍ଡି ହସୁଛି। ଏକ ଅପୂର୍ବ ଶିହରଣ ମନକୁ ଆନ୍ଦୋଳିତ କରୁଛି।ମା’ ଦୁର୍ଗାଙ୍କର ଧରାବତରଣ ହେଉଛି…ହେଲେ…

              ଶରତ ମନରେ ବହୁତ ଦୁଃଖ । ତା’ର ଭୁଲ୍ ବା କଣ? ସେ ତ ଚିରାଚରିତ ରୀତିରେ ଠିକ୍ ସମୟରେ ଆସି ପହଞ୍ଚି ଯାଇଛି। ଯେମିତି ସବୁବେଳେ ଆସେ…ପ୍ରତ୍ୟେକଥର ପରି ଏଥର ମଧ୍ୟ ହୃଦୟ ଭରି ପୁଷ୍ପସମ୍ଭାର ନେଇ ସେ ଆସିଛି.. ସବୁଥର ପରି ଛାତି ଦଲକାଇ ଦେଲା ପରି ନିଜ ସ୍ପନ୍ଦନର ଆବେଗ ମଧ୍ୟ ପାଖରେ ରଖିଛି..ହେଲେ ଏଥର ଏ ବିଳମ୍ବ କାହିଁକି ?? ଅସହ୍ୟ ହେଲାଣି ଏ ପ୍ରତୀକ୍ଷା…ଅଜାଣତରେ କଣ ସତରେ ସେ କିଛି ଭୁଲ୍ କରି ବସିଛି ?? କିନ୍ତୁ ନ ଜଣାଇଲେ ସେ କିପରି ଜାଣିବ ଯେ ?? ଗୁମୁରି ଗୁମୁରି କାନ୍ଦି ଉଠୁଛି…ଅଭିମାନରେ ଫୁଲି ଫୁଲି ଲୁହ ଝରାଉଛି…କିନ୍ତୁ ଉତ୍ତର ପାଉନି…କାହିଁକି?? କାହିଁକି ଏ ଯାଏଁ ଆବିର୍ଭାବ ସମ୍ଭବ ହେଇନି…!!?? କାହିଁକି…କାହିଁକି…!!??

            ଆସିବା ସମୟଟା ହେଇଗଲେ ଅପୂର୍ବ ରୂପ ସମ୍ଭାର ନେଇ ସିଏ ଆପଣା ଛାଏଁ ଆସିଯାଏ । ମନ ମନକୁ ମନ ପ୍ରଫୁଳିତ ହୋଇଯାଏ…ସେ ଆସିଗଲା ମାନେ ଏକ ଅଦୃଶ୍ୟ ଶକ୍ତିର ବାର୍ତ୍ତା ତା’ ସହିତ ସ୍ଵତଃ ଆସିଯାଏ।କିନ୍ତୁ ଏ ଅପ୍ରାକୃତିକ ନିରବତା ସେ ସହି ପାରୁନି। ଅନ୍ତତଃ ତା ଆସିବା ଖବର ତ ମିଛ ନୁହେଁ..!!??

           ଲୁହଭରା ଆଖିରେ ସେ ଦେଖିବାକୁ ଚେଷ୍ଟା କଲା..କଣ ଖବର ଜାଣିବାକୁ ଟିକେ ଚେଷ୍ଟା କଲା…

           ବସ୍ତି ଭିତରେ ନିଶାଖୋର ପତି ଜଣକ ତା’ ପତ୍ନୀକୁ ପଶୁଙ୍କ ପରି ବାଡେଇ ଚାଲିଥାଏ…ବିକଳ ଚିତ୍କାର କରୁଥିଲେ ମଧ୍ୟ ନାରୀଟି ପ୍ରତିବାଦ କରିପାରୁ ନ ଥାଏ।ଭଗ୍ନସ୍ବାସ୍ଥ୍ୟ ତା’ର ତାକୁ ନିଜ ଭିତରେ ନିଜକୁ ବାନ୍ଧି ରଖିବା ପାଇଁ ବାଧ୍ୟ କରି ଦେଇଥାଏ।ଶରତ ଚେଷ୍ଟା କଲା।ନିଜ ଆଗମନ ସହ କିଛି ପ୍ରୀତି ମଳୟ ବିଞ୍ଛି ଦେବାକୁ…!!କିନ୍ତୁ ଶୀତଳ ପବନରେ ଦେହଟା ଥରି ଉଠିବା ଫଳରେ କ୍ରନ୍ଦନରତା ସ୍ତ୍ରୀ ଲୋକଟି ନିଜ ଦେହରେ ଗୁଡେ଼ଇ ହୋଇଥିବା କତରା ଲୁଗାକୁ ଆଉ ଟିକେ ଜାବୋଡି ଦେଇ ଜାକିଜୁକି ହୋଇ ବସିଗଲା।ଶରତ ହାର ମାନିଲା।ଗଲାବେଳେ କିନ୍ତୁ ସେ ଲୋକଟିର ଅଶ୍ରାବ୍ୟ ଭାଷା ତା’ କାନରେ ସ୍ପଷ୍ଟ ଶୁଣା ଯାଉଥିଲା…!!

            ଏକ ଭବ୍ୟ ଅଟ୍ଟାଳିକା ଦେଖି ଶରତ ଅଟକିଗଲା। ତା’ ବାଟ ବା କିଏ ରୋକି ପାରିବ !!??ଭିତରକୁ ଯାଇ ଏକ ଅପ୍ରୀତିକର ଦୃଶ୍ୟ ଦେଖି ନିଜେ ଘୃଣାରେ ନାକ ଟେକିଦେଲା।ବାର୍ଦ୍ଧକ୍ୟ ପାଦଦେଶରେ ପାଦ ଥାପି ସାରିଥିବା ଧନାଢ୍ୟ ବ୍ୟକ୍ତି ଜଣକ ଶୋଇ ରହିଥିଲେ।ଆଉ ଚତୁପାର୍ଶ୍ବରେ ସ୍ୱଳ୍ପ ବସ୍ତ୍ର ପରିହିତା ଲଳନାଗଣ ତାଙ୍କ ସେବାରେ ଲିପ୍ତ ରହିଥିଲେ…!! ଫେରି ଯିବାବେଳେ ଶରତ କିନ୍ତୁ ଠିକ୍ ଦେଖିଥିଲା..ଆର ବଖରାରେ ସେ ବ୍ୟକ୍ତିଙ୍କ ସହଧର୍ମିଣୀ ନିଜ ବାର୍ଦ୍ଧକ୍ୟ ସହ ଏବଂ ଏ ପରିସ୍ଥିତି ସହ କିପରି ସଂଗ୍ରାମ କରୁଥିଲେ…ତାଙ୍କ ନୀରବ ତତଲା ଲୁହରେ ସେ ବି ଭିଜି ଯାଇଥିଲା..!!

             ରାତ୍ରି ଅନ୍ଧକାରରେ କରୁଣ କଣ୍ଠସ୍ୱର ଶୁଣି ଶରତ ଆଗେଇ ଯାଇଥିଲା ଦେଖିବାକୁ…କିନ୍ତୁ ପଶୁଠାରୁ ହୀନ ସେ କାମାନ୍ଧ ମନୁଷ୍ୟ ରୂପୀ ଦାନବର ବିଭତ୍ସ ରୂପ ଦେଖି ତା’ ଆଖି ବନ୍ଦ ହୋଇଯାଇଥିଲା। ଡୁନିଆକୁ ଭଲରେ ଦେଖି ନ ଥିବା ଶିଶୁସୁଲଭ ପ୍ରାଣଟିକୁ ଖିନଭିନ କରି ନଷ୍ଟ କରି ଦେଉଥିବା ସେ ବିକଟାଳ ରୂପ ଦେଖି ତା’ ଅବୟବ ଶିଥିଳ ପଡି ଯାଇଥିଲା…!!

                  ବହୁ କଷ୍ଟରେ ଆଗକୁ ବଢିଥିଲା ଶରତ।ଆଗେଇଯିବା ହିଁ ଜୀବନର ସତ୍ୟ.. ଆଗେଇ ଯିବାକୁ ହିଁ ହୁଏ..ତା ଛଡା ଅନ୍ୟ ଉପାୟ ବି ତ ନାହିଁ।

                 ତେଣୁ ବଢି ଯାଉଥିଲା ସେ…କିନ୍ତୁ ଆଉ ଆଗକୁ ଯିବା ଇଚ୍ଛା ହେଉ ନ ଥାଏ.. ହଠାତ୍ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଥିବା ନିଜ ମା’କୁ ପୁଅଟି ନେଇ ବୃଦ୍ଧାଶ୍ରମ ସାମନାରେ ଛାଡ଼ି ଦେଇ ଆସିବା ଠାରୁ ଆହୁରି ଦୁଃଖ ଲାଗୁଥିଲା ତାକୁ…ସେ ମା’ର ବେଦନା ଦେଖି…ଯିଏ ପାଟି ଖୋଲି କାନ୍ଦୁ ନ ଥିଲା କାରଣ କାନ୍ଦିଲେ କାଳେ ତା ପୁଅର କ୍ଷତି ହେବ…!!କିନ୍ତୁ ଅନ୍ତର ତା’ର ଯେ ଚିତ୍କାର କରି ଚାଲିଥିଲା…!!

                  ଆଉ ପାରିଲାନି ଶରତ…ସେଇଠି ଆଣ୍ଠୁମାଡ଼ି ବସିଗଲା।

“ଠିକ୍ କରିଛ..ଠିକ୍ କରିଛ ତୁମେ …ଆସିନ ଜନନୀ…କାହା ପାଇଁ ଆସିବ ତୁମେ??କେଉଁ ରୂପରେ ମୋ ଆଗମନ ସହ ଧରା ବକ୍ଷରେ ପାଦ ଦେବ ତୁମେ…!!?? କାହିଁକି ବା ଆସିବ ମା’…!!?? ପ୍ରତି  ପଦକ୍ଷେପରେ ନାରୀକୁ ଅସମ୍ମାନ ଦେଉଥିବା ଏ ଜାତି ତୁମ ପାଦ ତଳେ କି ଭକ୍ତିଅର୍ଘ୍ୟ ଢାଳି ଦେବ..!!?? ଶକ୍ତିକୁ ଅସମ୍ମାନ କରି ଶକ୍ତିର ଆବାହନ କରି ଏ ଜାତି ଆଉ କି ପୁଣ୍ୟ ସାଉଁଟି ନେବ..!!??ବୁଝିଗଲି ମା’…ବୁଝିଗଲି…ତୁମ ନୀରବତାର ସ୍ଵର ଆଉ ଅଜଣା ନାହିଁ ମୋ ପାଖରେ…ଯେଉଁ ଶାରଦୀୟ ମହୋତ୍ସବ ଶକ୍ତି ଉପାସନା ଓ ମାତୃ ଆରାଧନାର ପ୍ରତୀକ ହେବା କଥା…ସେ ୠତୁ ଆଜି ଶକ୍ତିସ୍ୱରୂପା ନାରୀର ଅଶ୍ରୁରଞ୍ଜିତ ବିକଳ ଅନ୍ତର୍ଦାହରେ ଅବିଶ୍ରାନ୍ତ ଲୋତକ ଝରାଇ ଚାଲିଛି..ଆଉ କି ସ୍ବାଗତ ବାକିଥିଲା ମା’ ମୋର..!!?? ମୋ ଆଗମନ ତ ନାରୀମନର ପ୍ରଫୁଲ୍ଲ ବାର୍ତ୍ତା ଆଣେ…ଶକ୍ତି ବିନା ଶିବ ମଧ୍ୟ ଶବ…ଏ ଉଦାହରଣକୁ ଦେଇଥାଏ…କିନ୍ତୁ ଦେଖୁଛି ମା…ଦେଖୁଛି.. କିପରି ବଞ୍ଚିବା ପାଇଁ ନାରୀ ସଂଗ୍ରାମ କରି ଚାଲିଛି ଜୀବନର ପ୍ରତ୍ୟେକ ପାହାଚରେ..!!ମହିଷାସୁର ମର୍ଦିନୀର ଅଟହାସ୍ୟରେ କମ୍ପିତ ହେଉଥିବା ଏ ପବିତ୍ରଭୂମି ଆଜି କେତେ ହୃଦୟ ଥରାଇ ପତିତ ହୋଇଯାଇଛି…ତାହା ଦେଖିଲା ପରେ ମୁଁ ଭାଙ୍ଗିଯାଇଛି ମା’।ଫେରି ଯିବାକୁ ଚାହେଁ ମୁଁ…ଚିରଦିନ ପାଇଁ…ଫେରି ଯିବାକୁ ଚାହେଁ…!!”

                  ଶରତର ଏ ପ୍ରଳାପ ଆଉ ମର୍ମସ୍ପର୍ଶୀ ବିଳାପ ଦେଖି ଅବେଳ ମେଘଟି କେଜାଣି କି ଶାରଦୀୟ ପ୍ରଣତିଅର୍ଘ୍ୟ ଢାଳି ଚାଲିଥିଲା..ଅବିଶ୍ରାନ୍ତ…!!

                 ଆଉ ମା’ ଶାରଦାଙ୍କ ଆବିର୍ଭାବ..!!?? କେବେ ହେବ? କେମିତି ହେବ?କେମିତି??କାହିଁକି ??ଏ ପ୍ରଶ୍ନର ଉତ୍ତର କାହା ପାଖରେ ଅଛି କିଏ କହି ପାରିବ…!!??

1 thought on “ଶିଥିଳାଗମନ”

  1. ଗଳ୍ପର ଲେଖିବା ଶୈଳୀ ଆଉ ଶବ୍ଦ ବହୁତ ଭଲ ହୋଇଛି l ଆଖିରୁ ଦୁଇ ଟୋପା ଲୁହ ବି ବୋହିଗଲା ଗଳ୍ପଟି ପଢି l

Leave a Comment

Your email address will not be published. Required fields are marked *