ଶରତ ଶୋଭିତା ଆକାଶର
ମନଖୋଲା ହସ,
ତା ଛାତିରେ ଶୁଭ୍ର ବସ୍ତ୍ରାନ୍ବିତା ଧଳାଧଳା ମେଘର
ଅପୂର୍ବ ମାଦକତା |
ଚହଲା ପାଣିରେ ଏଇ ମାତ୍ର,
ଝଲସି ଉଠୁଛି,
ପ୍ରତୀକ୍ଷାର ପୂର୍ଣ୍ଣ ଚନ୍ଦ୍ର |
ପ୍ରସ୍ଫୁଟିତ ଜିଜ୍ଞାସାର ପଦୁଅଁର
ମହମହ ଗନ୍ଧରେ,
ମାଟି ତୋଳୁଛି ନୂଆନୂଆ ପ୍ରତିଜ୍ଞା |
କିଛି ପ୍ରତିଶୃତି ତୋଳିଛି ଭୋର୍ ବେଳାରେ, ବୃନ୍ତଚ୍ୟୁତ ଝରା ଶେଫାଳି,
ଏଇନା ଏଇନା ବାଢ଼ିଛି ଶେଷ ସମାପିକା |
ବିଭୋର କାଶତଣ୍ଡୀରେ ଗୋଟେ ଋତୁ ର ଶାଶ୍ୱତ ଆଗମନ |
ମନ୍ତ୍ରାସିକ୍ତ ଆଜି ମାଟି ଓ ଆକାଶ |
ଦିବ୍ୟ ସୁଗନ୍ଧରେ ବେଢ଼ି ଯାଏ ଦଶଦିଗ,
ଭୂ ରୁ ଭୂମା ଶୁଭୁଛି ଆବାହନୀ ମନ୍ତ୍ର |
ପବନରେ ବେଦର ଗହଗହ ନାଦ |
ଅଧା ଖରା,ଅଧା ଛାଇ ଛାତିରେ
ଲୁଚେଇ ରଖି ସବୁ,
ଦୁଃଖ, ଯନ୍ତ୍ରଣା, ନିର୍ଯ୍ୟାତନା ଆଉ ରକ୍ତପାତ,
ଅବଗୁଣ୍ଠନରେ ସଅଁପି ଦେଉଛି,
ଭକ୍ତିପୂତ ନୈବେଦ୍ୟ |
ମନ୍ତ୍ରାସିକ୍ତ ବତୁରା ମାଟିରୁ,
କଅଁଳୁଛି, ବିଶ୍ୱାସର ଆବରଣ |
ଅଭିମନ୍ତ୍ରିତ ଆକାଶରୁ ଶୁଭୁଛି,
ନିଃସର୍ତ୍ତ ସମର୍ପଣ ର ମୁଗ୍ଧମନ୍ତ୍ର |
ତନୁତୀର୍ଥେ ଭରୁଛି ଶିହରଣ
ଇପ୍ସିତ ପ୍ରେମର,ହେଉଛି ସ୍ପଷ୍ଟ ଉଚ୍ଚାରଣ |
ହେ ଦେବୀ,
ତୁମେ ସବୁଋତୁ ର ସ୍ନିଗ୍ଧ ସମ୍ମୋହନ |
ହଜିଯାଉ ରକ୍ତଭିଜା ଓଠର
ଶେଷ ଚିତ୍କାର,
ଲିଭିଯାଉ ସବୁ ପୈସାଚିକ ହସ,
ବାରମ୍ବାର……ପ୍ରତିଥର…..,
ମନ୍ତ୍ରାସିକ୍ତ ହେଉ ଥାଉ
ମାଟି ଓ ଆକାଶ,
ମାଟି ଓ ଆକାଶ |
କବିତାଟି ମନକୁ ଛୁଇଁ ଦେଲା l
ଅଶେଷ ଧନ୍ୟବାଦ 🙏😊♥️