କୈଶୋର ଏଵଂ ଇଣ୍ଟରନେଟ; ପବନ ହାତରେ ନିଆଁହୁଳା

କୈଶୋର ଏଵଂ ଇଣ୍ଟରନେଟ; ପବନ ହାତରେ ନିଆଁହୁଳା!

ଜୀବନ ପ୍ରଦୀପ ପ୍ରଧାନ

ମଣିଷ ସମାଜ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପରିସ୍ଥିତି ଦେଇ ଗତି କରେ ତାହା ମାନବୀୟ ହେଉ କିମ୍ବା ଦୈବିକ। ସେଇ ପରିସ୍ଥିତିକୁ ନେଇ ସମାଜରେ ଦେଖାଯାଏ ବିବର୍ତ୍ତନ। ଇଣ୍ଟରନେଟ୍ ଆସିବା ପରେ ସାରା ବିଶ୍ୱରେ ଗୋଟେ କ୍ରାନ୍ତି ଆସିଛି କହିଲେ ଭୁଲ ହେବ ନାହିଁ। ବିବର୍ତ୍ତନର ଗତି ଖୁବ୍ ଧିର, ଇଣ୍ଟରନେଟ୍ ମଧ୍ୟ ସେମିତି ଧିରେ ଧିରେ ହିଁ ବଢ଼େଇଛି ନିଜର କାୟା। ରାତାରାତି ଯେ ସାରା ବିଶ୍ବ ଇଣ୍ଟରନେଟର ବ୍ୟବହାରକୁ ଆପଣେଇ ନେଇଛି ତାହା ନୁହେଁ। ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତରେ ମୁଖ୍ୟତଃ ଇଣ୍ଟରନେଟର ବ୍ୟବହାର ବଢ଼ିଛି ମୋବାଇଲ ବ୍ୟବହରକାରୀମାନଙ୍କ ଦ୍ବାରା। ବର୍ତ୍ତମାନର ପିଢ଼ି ( ୨୦୦୫ ପରବର୍ତ୍ତୀ ଜନ୍ମିତ) ହିଁ ପାଇଛି କୈଶୋର କାଳରୁ ଇଣ୍ଟରନେଟ୍। ତେବେ ଏ ଇଣ୍ଟରନେଟ୍ କୈଶୋରକୁ ବାନ୍ଧି ଦେଇନି ତ ଗୋଟେ ନିର୍ଦ୍ଦିଷ୍ଟ ସରହଦ ଭିତରେ!

     ଗୋଟିଏ ଦୁଇଟି ପିଢ଼ି ପଛକୁ ଗଲେ କୈଶୋର ଅବସ୍ଥା ଯେଉଁ ଯେଉଁ ପାରିପାର୍ଶ୍ବିକ ସକ୍ରିୟତା ଦେଇ ଗତି କରୁଥିଲା ତାହା କ୍ରମେ ଖୁବ ସଙ୍କୁଚିତ ହୋଇ ଯାଇଛି ଗୋଟିଏ ମୋବାଇଲ ଫୋନ୍ ଭିତରେ। ସେ ଭିତରେ ଗୋଟେ ସମାନ୍ତରାଳ ପୃଥିବୀରେ ବଞ୍ଚୁଛନ୍ତି ଅନେକ ଲୋକ। ସେଠି ବି ଅଛି ପ୍ରେମ, ଅପ୍ରେମ, ପ୍ରଶଂସା, ଭୟ, ଉଦ୍ଦୀପନା ଆଦି ମାନବୀୟ ଆବେଗ। ହେଲେ ଏ ଆବେଗ କାହା ପାଇଁ ଆଉ କାହା ସହ ? 

     ପିଲାଟିଏ ଖାଉ ନଥିବା ବେଳେ ଦୁଇ ପିଢ଼ି ପୂର୍ବରୁ ମାଆ ଅଗଣାରେ ବୁଲେଇ ବୁଲେଇ ଜହ୍ନକୁ ଦେଖେଇ ଖୁଆଉଠିଲା ଛୁଆକୁ। ପିଲାଟି ଟିକେ ବଡ଼ ହେଲା ପରେ ତା ହାତରେ ଦେଉଥିଲା ଝୁମୁକା। ପିଲାଟି ଆଉ ଟିକେ ବଡ଼ ହୋଇ ଭୟ କଣ ଜାଣିଲା ପରେ ତାକୁ ବାୟା ଆସିବ କହି ଭୟ ଦେଖାଇ ଖୁଆଇ ଦିଆ ଯାଉଥିଲା ଖାଦ୍ୟ। ହେଲେ ଏବେର ମାଆମାନେ ଏସବୁର ବିକଳ୍ପ ଭାବେ ପିଲାଙ୍କ ହାତରେ ଦେଇ ଦେଇଛନ୍ତି ମୋବାଇଲ ଫୋନ। ସେ ଫୋନରେ ପିଲାଟି ଖେଳୁଛି, ହସୁଛି, ପଢୁଛି କହିବାକୁ ଗଲେ ସେ ଭିତରେ ଚାଲିଛି ପିଲାଟିର ଆଉ ଗୋଟେ ଜୀବନ। 

     ଏ ସବୁ ଭିତରେ ପିଲାଟି ନିଜର ଗୋଟେ ଇଣ୍ଟରନେଟ୍ ଇକୋ ସିଷ୍ଟମ୍ ତିଆରି କରୁଛି ଆଉ ସେ ଭିତରେ ବିତାଉଛି ଜୀବନ। ହେଲେ ସେ ଜୀବନ କେତେ ଜୀବନବାଦୀ? ସେ ଧିରେ ଧିରେ ଭୁଲି ଯାଉଛି ନିଜର ପରିବେଶକୁ, ଚଉହଦିକୁ। ତା ଅଜାଣତରେ ତା ଭିତରେ ତିଆରି ହେଉଛି ଗୋଟେ ସ୍ଵବିଦ୍ୟମାନତା ସଙ୍କଟ। ସେ ଭୁଲି ଯାଉଛି ପ୍ରକୃତ ଦୁନିଆ ପ୍ରତି ତାର କର୍ତ୍ତବୟବୋଧ। 

    ପ୍ରକୃତ ଜୀବନକୁ ଉପଭୋଗ କରିବା ପାଇଁ ସେ ସମୟ ପାଉନି ବା ସେ ସମୟ ତାକୁ ଉତ୍ପାଦନକ୍ଷମ ଲାଗୁନି। ପ୍ରତ୍ୟେକ ପରିସ୍ଥିତିରେ ସେ ଚାହୁଁଛି ଇଣ୍ଟରନେଟ ସହ ବଞ୍ଚିବାକୁ, ନିଜର ସମସ୍ତ ମାନବୀୟ ଆବେଗ ଇଣ୍ଟରନେଟ୍ ସହ ବାଣ୍ଟିବାକୁ। ଛୋଟ ହେଇହେଇ ଯାଉଛି ତା ପରିସୀମା ତା ଅଜାଣତରେ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ସେ ଭିଡ଼ି ନେଉଛି ଇଣ୍ଟରନେଟର ଇକୋ ସିଷ୍ଟମ୍ ଭିତରକୁ। 

     ଉଦାହରଣ ଭାବେ ଯେବେ ସେ ଗୋଟିଏ ସମ୍ପର୍କୀୟ ବିବାହରେ ଯୋଗ ଦେବାକୁ ଯାଉଛି ସେତେବେଳେ ସେ ଘରୁ ବାହାରୁ ବାହାରୁ ନିଜର ଗୋଟିଏ ଫଟୋ ସୋସିଆଲ ମିଡିଆରେ ସେଆର କରୁଛି। ପୁଣି ରାସ୍ତାରେ ଗଲାବେଳେ କୋଉଠି ଖାଇବ ତାହା ମଧ୍ଯ ଇଣ୍ଟରନେଟର ସହାୟତାରେ ନିର୍ଦ୍ଦିଷ୍ଟ କରୁଛି। କେଉଁ ରାସ୍ତା ଦେଇ ଗଲେ ସହଜରେ ପହଞ୍ଚିବ, କଣ ଡ୍ରେସ୍ ପିନ୍ଧିଲେ ଖରା ଦିନେ ଭଲ ଲାଗିବ,କଣ ଉପହାର ଦେଲେ ବରକନ୍ୟାଙ୍କ ମନକୁ ଛୁଇଁବ ଏ ସବୁ ପାଇଁ ସେ ଇଣ୍ଟରନେଟର ଭରସା କରୁଛି। କ୍ରମଶଃ ସେ ମାନସିକ ଆଉ ସାମାଜିକ ଭାବେ ଅପାରଗ ହୋଇ ପଡ଼ୁଛି। ସେ ଫେରିଲା ବେଳେ ବି ରାସ୍ତା ମନେ ପକେଇ ପାରୁନି ଅଥବା ମସ୍ତିଷ୍କକୁ ଜୋର୍ ଦେଉନି। ସେ ତା ଚାରିପାଖର ଲୋକଂକ ସହ ଯୋଗାଯୋଗରେ ରହି ପାରୁନି। ଏ ଯୋଗାଯୋଗହୀନତାକୁ ପୁଣି ସେ ନିଜର ଏକ ଜନ୍ମଗତ ଗୁଣ ଭାବୁଛି ଏବଂ ନିଜକୁ ଇଣ୍ଟ୍ରଭର୍ଟର ନାମ ଦେଉଛି। ଅତଏବ ନିଜ ବାବଦରେ ତାର ଅଜ୍ଞାତା ସୃଷ୍ଟି ହେଉଛି। 

     ଏ ତ ଗଲା ଅସ୍ତିତ୍ବହୀନତାର କଥା। ଆମେ ଯଦି ପାରିପାର୍ଶ୍ବିକ ଜୀବନରେ ଦେଖିବା ତେବେ ଇଣ୍ଟର୍ନେଟ୍ ଗୋଟେ ଅଖଣ୍ଡ ଅସ୍ତ୍ର ବୋଲି ଆମେ ଭାବିନେବା ଉଚିତ୍। ଏହା ଶତ୍ରୁକୁ ବି ଧ୍ଵଂସ କରିପାରେ ଆଉ ନିଜକୁ ବି। ପ୍ରୟୋଗବିଧି ବାବଦରେ ଠିକ୍ ତାଲିମ ଅଭାବ ରହିଲେ ଏହା ଭୟଙ୍କର ଆଉ ସଙ୍କଟ ସୃଷ୍ଟିକାରୀ ମଧ୍ଯ। ପ୍ରତ୍ୟେକ ବଳଶାଳୀ ଦ୍ରବ୍ୟ ପାଇଁ ପରିଚାଳନା ପାଇଁ ଦରକାର ଦକ୍ଷତା ବା କୌଶଳ ଅନ୍ୟଥା ଏହା ବିଷମ ପରିସ୍ଥିତି ସୃଷ୍ଟି କରିବ।

     ଇଣ୍ଟରନେଟ୍ କୈଶୋର ହାତକୁ ଆସିଲା ବେଳେ ସେ ମାନସିକ ଭାବେ ପରିପକ୍କ୍ୱ ହେଇ ନଥାଏ ଓ ତା ପାଖରେ ନଥାଏ ଉତ୍ତମ ମାର୍ଗ ଦର୍ଶକ।ତେଣୁ ସେ ନିଜେ ହିଁ ବିଚରଣ କରେ ଇଣ୍ଟର୍ନେଟ୍ ଭିତରେ। ସେ ବୁଝି ପାରେନି ସତ ମିଛ। ସେ ଭାବେ ପ୍ରକୃତ ଦୁନିଆ ପରି ଏଠି ବି ସବୁ ସତ। ସେ ବାଛି ପାରେନି ନିଜ ପାଇଁ ଉପଯୋଗୀ ଅଂଚଳ,ସେ ବାତହୁଡେ। 

      ସେ ଅନେକ ସମୟରେ ଠକାମୀର ଶିକାର ହୁଏ, ମାନସିକ ନିର୍ଯାତନା ସହିବାକୁ ପଡ଼େ ତାକୁ ବେଳେବେଳେ ସେ ଯୌନ ଶୋଷଣର ମଧ୍ଯ ଶିକାର ହୁଏ। ତା ଅଜାଣତରେ ସିଏ ରହିଯାଏ ଗୋଟେ ଚକ୍ରବ୍ୟୁହ ଭିତରେ। ଅନଲାଇନ୍ ଇକୋ ସିଷ୍ଟମ୍ ଭିତରେ ସେ ଧନ୍ଦି ହୋଇଯାଏ। ଏ ସବୁର ଫଳ ସ୍ୱରୂପ ଅନେକ ଅନଲାଇନ୍ ଅର୍ଥ ଠକେଇ, ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଭାଇରାଲ ହୁଏ। 

    ତଥାପି ସେ ହାରେନି। ସେ ଇଣ୍ଟର୍ନେଟ୍ ଦୁନିଆରୁ ବାହାରି ପ୍ରକୃତ ଦୁନିଆରେ ବଞ୍ଚିବାକୁ ଚେଷ୍ଟା କରେ ହେଲେ ସେ ଇଣ୍ଟର୍ନେଟ ନିଆଁର ଧୂଆଁରେ ତା ପ୍ରକୃତ ଜୀବନ ବି ରଙ୍ଗହୀନ ହୋଇଯାଏ। ସାମାଜିକ ବ୍ୟବସ୍ଥା ଭିତରେ ସେ ଅସହଜ ହୋଇପଡେ। 

    ଇଣ୍ଟର୍ନେଟ୍ କୈଶୋରଙ୍କ ଶତ୍ରୁ ନୁହେଁ କିନ୍ତୁ ଏହକୁ କିପରି ଉତ୍ପାଦନକ୍ଷମ କରିହେବ ଏବଂ ସଠିକ୍ ବ୍ୟବହାର କରି ହେବ ସେ ବାବଦରେ ଉପଯୁକ୍ତ ତାଲିମ ଅଭାବ ହିଁ ସଙ୍କଟ ସୃଷ୍ଟିକରେ। 

ଜୀବନ ପ୍ରଦୀପ ପ୍ରଧାନ

ଭୋଗରା, ଦଶପଲ୍ଲା

ନୟାଗଡ ୭୫୨୦୯୧

ଫୋନ: ୬୩୭୦୨୭୨୯୯୦

51 thoughts on “କୈଶୋର ଏଵଂ ଇଣ୍ଟରନେଟ; ପବନ ହାତରେ ନିଆଁହୁଳା”

Leave a Comment

Your email address will not be published. Required fields are marked *