କେବେ ଦିନେ ସରିଯିବ ଏ ପୃଥିବୀର ଆୟୁଷ
ଜହ୍ନ ଯେବେ ଛିଣ୍ଡିଯିବ ଆକାଶରୁ
ତାରା ସବୁ ଗୋଟା ଗୋଟା ଲୁଚିଯିବେ
ଶୁଖିଲା ଜଙ୍ଗଲର ଝଡ଼ା ପତ୍ର ସନ୍ଧିରେ
ସମୁଦ୍ର ଦିଶିବ ଯେବେ ମରୁଭୂମି ଭଳି
ପରସ୍ପର ପ୍ରତି ଥିବା ଯେତେ ପ୍ରତିଶୃତିରେ
ପାଣି ଢାଳେ ମିଶିଗଲାପରେ , ଯଦି ମୋର
ତୁମ ସହ ଦେଖାହୁଏ ପ୍ରଥମ ଓ ଶେଷଥର ପାଇଁ ।
ମୋ ତମାମ ଭାଗ୍ୟଫଳ କୁ ମିଛ ପ୍ରମାଣିତ କରି
ତୁମେ ଯଦି ମୋ ସାମ୍ନାରେ କେବେ ଆସି ଠିଆ ହୁଅ,ବିଶ୍ଵାସ କର ।
ମୁଁ ଭୁଲିସାରିଥିବି କେମିତି କଥା କହିବାକୁ ହୁଏ
ମୁଁ ଭୁଲିସାରିଥିବି କେମିତି ଲୁହ ଢାଳିବାକୁ ହୁଏ
ଖାଲି ଏତିକି ଯେ, ତୁମ ପାଇଁ ଏ ଯୋଡ଼େ ଆଖିରେ
ସେହି ସମାନ ଆନ୍ତରିକତାର ପୁଷ୍ପଗୁଚ୍ଛ ଚିରକାଳ ॥
ନୀରବ ରହିବ କେଇ ମୁହୂର୍ତ୍ତ
କହିବ ନାହିଁ କିଛି
ତୁମ ଓଠର ନୀରବ ଅଭିସାରର ଠିକଣା ଖୋଜିବାରେ
ବିତିଯାଉ କିଛି ଦଶନ୍ଧି
ମୋତେ ଏମିତି ହିଁ ଦେଖିବାକୁ ଅଛି ଜହ୍ନ
ଉଆଁସକୁ ମନା କରିଛି ଛୁଇଁବାକୁ ଛାତି
ବାସ୍ କେଇ ମୁହୂର୍ତ୍ତ ତ ମାଗୁଛି ତୁମକୁ
ମୋତେ ଲେଖିବାକୁ ଦିଅ ମୋର ଶେଷ କବିତା ତୁମକୁ ନେଇ
ନଚେତ୍ ତୁମ ପାଇଁ ହିଁ ….
ମୁଁ ଜାଣେ ତୁମେ ଏକ ଖରାବେଳର ସ୍ବପ୍ନ
କେବେ ବି ସତ ହେବ ନାହିଁ
ମୋତେ ଜୀବନ୍ତ ଜାଳିବାରେ ହିଁ ତୁମର ଅପୂର୍ବ ଆନନ୍ଦ
ତଥାପି ତ ମୁଁ ଭଲପାଏ ତୁମକୁ
ନିରୋଳା ବେଳାରେ ତୁମ ସ୍ବପ୍ନକୁ ଚୁମା ଦିଏ
ତୁମର ଶୁଭ ମନାସି
ଚଉରା ମୂଳରେ ମୁଁ ସଳିତା ହେଇ ଜଳୁଥାଏ ନିତି ସଂଜରେ ।
ଜାଣିଛ!ତୁମେ ଏକ ଅନ୍ତରଙ୍ଗ ଶୂନ୍ୟତା
ଯେଉଁଠି ମୁଁ ଭେଟିପାରେ
କେତେ ଶତାବ୍ଦୀର ଆପଣାପଣ
ତୁମେ ଥିବା ନଥିବା ମୋତେ କିଛି ଫରକ୍ ପଡେନା
ପ୍ରାପ୍ତି ଅପ୍ରାପ୍ତିର ସୀମା ସରହଦ ଡେଇଁ
ନୀରବରେ ମୁଁ ରଚି ସାରିଛି ମୋ ଅଭିସାର… ।।