ଜୀବନର ଚଲାପଥେ ଏକାଏକା ଚାଲୁଥିବା ବେଳେ
କିଏ ପୁଣି ଅଧାବାଟେ ହାତଧରି ଡାକିନିଏ
ଚାରି ଆଖି ମିଶିଯାଇ ଦୁଇପଦ କଥା ହେଲେ
ସତରେ କଣ କେବେ ପ୍ରେମ ହୋଇଯାଏ…!
ମୁଣ୍ଡ ଉପରୁ ଉଠିଯାଏ ଆକାଶର ଛାତ
ପାଦତଳୁ ଖସିଯାଏ ମାଟି
ମାୟା ହରିଣୀର ପଛେ ଗୋଡ଼ାଇ ଗୋଡ଼ାଇ
ସେ ପାଦ ଥାପେ ଆଉ ଏକ
ଅଜଣା ଇଲାକାରେ…..
ପ୍ରେମକୁ ପାଇବାକୁ ଭୁଲିଯାଏ ନିଜର ଅସ୍ତିତ୍ବ
ପଛରେ ଛାଡ଼ିଦିଏ
ସ୍ଵାଭିମାନ ,ଆଭିଜାତ୍ୟ ,ବଂଶପରମ୍ପରା
ପ୍ରେମ ଏକ ମିଛେ଼ଇ ଝିଅଟେ
ଏତେ ସହଜେ କଣ ସିଏ ଦେଇଦେବ ଧରା….
ଏ କଥାଟି ବୁଝିବା ବେଳକୁ
ନେଳିଗୋଡ଼ କହୁଣୀକୁ ଚାଲିଯାଏ ପରା….
ନା , ସେ ଆଉ ପାଦ ବଢ଼ାଏ ଆଗକୁ
ନା , ଫେରାଇପାରେ ପଛକୁ
କେବଳ ଯାହା
ନିଜ ଭାଗ୍ୟକୁ ଦୋଷ ଦେଇ
କଷ୍ଟ ଦେଉଥାଏ ନିଜେ ହିଁ ସେ ନିଜକୁ ।
ଆଖି ତାର ଭରିଯାଏ ଗରମ ଲୁହରେ
ଛାତି ଚାପି ହୋଇଯାଏ ଓଜନିଆ କୋହରେ
ବଞ୍ଚିକିଥାଇ ବି ସିଏ ମରୁଥାଏ ଫି ଥର
ଏହି ପରା ପରିଣତି ପ୍ରେମରେ ହାରିଗଲା ପରେ….।