ଉଦ୍ଧବ ଗୋପୀ ସମ୍ବାଦ

ହରି ନାମ ହରି ପ୍ରେମ ସଂସାର ରେ ସାର 

ପ୍ରେମ ଡୋରେ ବନ୍ଧା ସେଇ ଜଗତ ଠାକୁର ।

ଶବରୀ ଅଇଁଠାଖିଆ ଭକତ ର ଦାସ 

ଦାସିଆ ବାଉରି ପ୍ରେମେ ନଡ଼ିଆ ରେ ବଶ ।।

ପ୍ରେମ କୁ ସୁଲଭ ହରି ତର୍କେ ବହୁ ଦୂର 

ନ ସହନ୍ତି ଅହଙ୍କାର ଆପଣା ଭକ୍ତର ।

ଯେପରି ଉଦ୍ଧବ ମନେ ଜ୍ଞାନ ର ଗରବ 

ଗୋପୀଙ୍କ ହସ୍ତେ ତାରିବେ ଚିନ୍ତିଲେ ମାଧବ ।।

କୃଷ୍ଣ ଆଜ୍ଞାରେ ଉଦ୍ଧବ ମିଳି ବୃନ୍ଦାବନେ

ବ୍ରହ୍ମଜ୍ଞାନ ନେଇ ଉଭା ଗୋପୀଙ୍କ ଗହଣେ ।

କାହ୍ନୁ ହସ୍ତଲେଖା ପତ୍ର ନେଇ ସନ୍ନିଧାନେ

ହରିଙ୍କ କପଟ ସେ ଯେ ନ ଜାଣନ୍ତି ମନେ ।।

ବ୍ରଜବାଳିଙ୍କ ଆଗରେ କହନ୍ତି ଉଦ୍ଧବ

ଛାଡ଼ ଏଇ କାହ୍ନୁ ପ୍ରେମ ବିରହର ଭାବ ।

ଯୋଗ ସାଧନ କରିଣ ଆତ୍ମା ହିତ ଚିହ୍ନ 

ନିର୍ଗୁଣ ବ୍ରହ୍ମ ରେ ସମର୍ପଣ କର ମନ ।।

ଶୁଣି ଉଦ୍ଧବ ବଚନ ଗୋପୀ ହତଜ୍ଞାନ 

ତକ୍ଷଣେ ବୁଝିଲେ କାହ୍ନୁ-ଅନ୍ତରଙ୍ଗ ମନ ।

ଉଦ୍ଧବଙ୍କୁ ପ୍ରେମ ଶିକ୍ଷା ଦେବାର ସକାଶେ 

ପଠାଇଛନ୍ତି ଯେ କୃଷ୍ଣ ଗୋପୀଙ୍କର ପାସେ ।।

ପଚାରନ୍ତି ବ୍ରଜବାଳି – କିଏ ତୁମ ବ୍ରହ୍ମ?

କେମିତି ତା ରୂପ ରଙ୍ଗ ଗୁଣ କର୍ମ ଗ୍ରାମ ।

କାହ୍ନୁ ପରି ବଇଁଶୀ କି ପାରେ ସେ ବଜାଇ 

କଟାକ୍ଷେ କି ସମସ୍ତଙ୍କ ମନ ପାରେ ମୋହି ? 

କହନ୍ତି ଉଦ୍ଧବ ଶୁଣ ଗୋପୀ ସ୍ଥିର ମନେ 

ନିର୍ଗୁଣ ବ୍ରହ୍ମ ଯେ ଏକ ରୂପ-ଗୁଣ ହୀନେ। 

ସବୁଠାରେ ବ୍ୟାପ୍ତି ତାର, କିଛି ହିଁ ନ ଘେନେ

ନିର୍ବିକାର, ନିଜ-ପର କିଛି ହିଁ ନ ମାନେ ।।

ଦିଅନ୍ତି ଉତ୍ତର ଗୋପୀ, ଥାଉ ତୁମ୍ଭ ଜ୍ଞାନ 

ଆମ୍ଭେ ସବୁ ମୁନୀ, ଋଷି, ବେଦ-ଋଚା ମାନ ।

କେତେ ଜନ୍ମ ତପ ବଳେ ଗୋପୀ ରୂପ ପାଇ 

କାହ୍ନୁପ୍ରେମ ବ୍ରହ୍ମ-ତତ୍ତ୍ବ ଅର୍ଜିଅଛୁ ଭାଇ ।।

ଜ୍ଞାନ ଅହଂକାର ଛାଡ଼ି ପ୍ରେମ ମାର୍ଗ ଘେନ 

ରାଧାକୃଷ୍ଣ ପଦ ସେବା ଆନନ୍ଦ କୁ ଚିହ୍ନ। 

ଯୁଗଳ ସ୍ବରୂପ ଛବି ଦେଖି ସମ୍ମୁଖରେ 

ଅନ୍ୟ ବ୍ରହ୍ମ ଚିନ୍ତେ ଯିଏ ଅଭାଗା ସଂସାରେ ।।

ଏକଇ ପୁରୁଷ ସେହି ହରି ପୀତବାସ 

ତହିଁ ଠାରୁ ବଳି ଶୋଭା ରାଧା ରାଣୀ ଯଶ । 

ଯୁଗଳ ମୂର୍ତ୍ତିରେ ଥରେ ଲଗାଅ ହେ ମନ 

ଉଦ୍ଧବ ହେ ପ୍ରେମ ମାର୍ଗ ଶ୍ରେଷ୍ଠ ବୋଲି ଜାଣ ।।

ବୋଳି ହୁଅ ଦେହ ସାରା ବ୍ରଜ ମାଟି ଧୂଳି

ଜ୍ଞାନ ଅହଂକାର ସବୁ ପ୍ରେମେ ଯାଉ ଜଳି ।

ହୃଦ-ପଦ୍ମେ ଧ୍ୟାୟୀ ରାଧାକୃଷ୍ଣଙ୍କ ଚରଣ

ଯୁଗଳ ମୁରତୀ ପଦେ ପାଅ ହେ ସରଣ ।।

ବରଗଡ଼, ମୋ – ୭୯୭୮୧୭୭୦୪୯