ଉତ୍କଳର ଐତିହ୍ୟ

ଉତ୍କଳ ମୋହର ଧରମର ଧାମ
ପୂଣ୍ୟ ଅଟେ ତାର ମାଟି !
ସରାଗ ପଣରେ ସଭିଙ୍କ ମୁଖରେ
ଦେଉଥାଏ ମଧୁ ବାଣ୍ଟି !!
ତୀର୍ଥ ଭୂମି ଯା’ର ବୁକୁରେ ଧାରଣ
ନୁଅଁଇ ସଭିଙ୍କ ମଥା !
ମନ୍ଦିର ମାଳୀନି ବୀର ପ୍ରସବିନୀ
ଶୁଣାଏ ଯାହାର ଗାଥା !!
ଚାରି ଧାମେ ଏକ ଶ୍ରେଷ୍ଠ ଧାମ ନାମ
ସଭିଙ୍କ ତୁଣ୍ଡରେ ଥାଏ !
ଶ୍ରୀକ୍ଷେତ୍ର ପରମ ପାଳକ ଦାତା ସେ
ଲୀଳା ଖେଳା କରୁଥାଏ !!
କୋଣାର୍କ ଚନ୍ଦନ ଅର୍କକ୍ଷେତ୍ର ପୁଣି
ବିଛାଡ଼ି ସୁନେଲି ଖରା !
ଝିଲି ମିଲି ଜଳେ ଖେଳନ୍ତି ସାରସ
ସେ ମୋ ଚିଲିକା ପରା !!
ନବ ଦିଗନ୍ତରେ ପ୍ରୀତି ଝଲମଲ
ଶାନ୍ତି ଅମୃତ ଝରେ !
ବିଶ୍ୱାସେ ଗଗନେ ଉଡ଼ଇ ବିହଙ୍ଗ
ଗୀତ ଗାଇ ମଧୁସୁରେ !!
ପଞ୍ଚ ସଖା ଜ୍ଞାନୀ ସନ୍ଥ ଭୀମଭୋଇ
ଝରାଇ ଜ୍ଞାନର ଧାରା !
ପାଇକ ପୁଅ ସେ ଖଣ୍ଡା ଢାଲ ଧରି
ଜିଣିଲେ ଜଗତ ସାରା !!
ସକାଳରୁ ସଞ୍ଜ ମଳୟ ସମୀର
କଅଁଳେ କୋମଳ ତରୁ !
ଗିରି ବନ ଲତା ଶାଗୁଆ କ୍ଷେତରୁ
ଅମୃତ ସଦା ଝରୁ !!
ତୋର ଗୁଣଗାନ କି ଅବା ଗାଇବି
ରୂପ ଶୀରି ହାରା ଭରା !
ଜଗତେ ନାହିଁ ଲୋ ତୋହରି ତୁଳନା
ତୁ ମୋ ନୟନ ତାରା !!
ତୋର ଧୂଳି ମାଟି ଅଙ୍ଗବାସ କରି
ଧୋଇଲି ତନକୁ ମୋର !
ଉତ୍କଳ ଜନନୀ ପୂଣ୍ୟମୟି ମାତା
ପୂଜିଲି ଚରଣ ତୋର !!
ଯେବେ ଦେହ ମୋର ଜଳିବ ଚିତାରେ
ତୋ କୋଳରେ ଯିବି ଶୋଇ !
ପୁନର୍ବାର ଯେବେ ଜନମ ନେବିଲୋ
ଉତ୍କଳ ମାଟିକୁ ଛୁଇଁ !!

1 thought on “ଉତ୍କଳର ଐତିହ୍ୟ”

Leave a Comment

Your email address will not be published. Required fields are marked *