କିଛି କଥା ଥିଲା ଯାହା କହିଥିଲି
ଆହେ ମୋ ମଣିଷ ଭାଇ
ହାରି ମରିବାକୁ ମରି ହାରିବାକୁ
ମଣିଷ ଜନମି ନାହିଁ
ଡରୁଅଛୁ କିଆଁ ପାଇଁ ,
ତୋ ପୂର୍ବ ପୁରୁଷ କିରତି ବିଭବ
ଭୁଲିଗଲୁ କଣ ତୁହି |
କିଛି କଥାଥିଲା ଯାହା ଶୁଣିଥିଲି
ବିଦେଶୀ ଗୋଲାମୀ ଶାସନ
ଆଧୁନିକତାର ଲୋଭ ସେ ଦେଖାଇ
କରିଥିଲା କେତେ ଶୋଷଣ
ଦିନେ ଦେଖାଇଣ ସପନ ,
ମୋହରି ଦରବ ମତେ ସେ ଖୁଆଇ
କରିନେଲା କେତେ ଲୁଣ୍ଠନ |
କିଛି କଥାଥିଲା ଯାହା ପଢ଼ିଥିଲି
ବଢିଥିଲା ପାପ ଭାର
ଗଙ୍ଗା ତନୁ ପରି ପବିତ୍ର ମାଟିରେ
ମାରିଲା କଳଙ୍କ ଗାର
କଲା ତାକୁ ଛାରଖାର ,
ଭାଇ ହାତେ ନିଜ ଭାଇକୁ ମାରିଲା
ଛିଡାଇ ସମ୍ପର୍କ ଡୋର |
କିଛି କଥାଥିଲା ଯାହା କରିଥିଲା
ମୋ ଦେଶର ବୀର ସନ୍ତାନ
ଅନ୍ୟାୟ ଅନୀତି ଅତ୍ୟାଚାର ସହି
ରକ୍ତେ କଲା ଦେଶ ସ୍ୱାଧୀନ
ଗର୍ବେ କୁହ ମଥା ଟେକିଣ ,
ଆମ ଏ ମାଟି ର ବୀରପୁଅ ଲାଗି
ଆମ ହାତେ ଆଜି ଶାସନ |
କିଛି କଥା ନୁହଁ ଅନେକ ରହିଛି
ଯାହାବି ଦିଶୁଛି ଆଜି
ଅନ୍ୟାୟ ଅନ୍ଧାର ଏବେବି ଲୁଚିଛି
କଳିରେ କଳଙ୍କ ସାଜି
ସଭିଏଁ ହେଲେରେ ରାଜି ,
ହାତେ ହାତେ ସବୁ ମିଶିଲେ ଏକାଠି
କଳଙ୍କ ଯିବରେ ହଜି |