ଛାଇ

ଦିନଥିଲା! ସେ କୁନି ଛାଇଟିର ଆବର୍ତ୍ତନ ଅବା ପରିକ୍ରମଣ ରେ ,
ମନ ସଦନ, କୁଞ୍ଜବନେ ବିଚରଣ କରୁଥିଲା;
ନବ ପଲ୍ଲବର ଧାତ୍ରୀ ଯେ, ଅଭଂକ୍ରଷ ସ୍ନେହ ସୋହାଗ ର ପାତ୍ରୀ ଥିଲା,
ନୂଆ ଅତିଥି ଆଗମନୀ ବାର୍ତ୍ତାରେ ପୁର ପଲ୍ଲୀ ଖୁସି ସାଗରେ କଲ୍ଲୋଳିତ ହେଉଥିଲା।।

ଦିନ ଗଲା, ମାସ ଅପସରିଲା!
କାହାପାଇଁ ନଅମାସ ଦଶ ଦିନ ପୁଣି କାହା ପାଇଁ ଦଶ ମାସ ନଅ ଦିନ,
ଧୀରେ ଧୀରେ କୁନି ଶିଶୁଟି କିନ୍ତୁ ପୂର୍ଣ୍ଣାଙ୍ଗ ଶିଳାରେ ରୂପାନ୍ତର ହେଉଥାଏ;
ଶେଷରେ ଧରାବତରଣର ଶୁଭଶଙ୍ଖରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା!

ଅସ୍ତ୍ରୋପଚାର ଗୃହେ ଜନନୀର ସଂଘର୍ଷ,
ପ୍ରତୀକ୍ଷା ଗୃହେ ଅଭିବାଵକ ଙ୍କ ବିମର୍ଷ!
ପ୍ରଥମ କୁଆଁ ରାବ ରେ କିନ୍ତୁ କେହି ଜଣେ ହସିଥିଲା, ଖୁବ୍ ମନଖୋଲି!
ସେବିକା ହସ୍ତେ ନବାଗତା ର ଛାଇ ଦେଖି ସେଦିନ ସଭିଙ୍କ ଭ୍ରୃ କୁଞ୍ଚିତ ହୋଇଥିଲା।।

ଶଶୀକଳା ର ବୃଦ୍ଧି ହ୍ରାସ ହେଲା,
କେବେ ଦୁଃଖ ସାଗରେ ଭାସିଲା ପୁଣି କେବେ ସୁଖ ଲତିକା ରେ ଝୁଲିଲା;
କରୁଣ ଚାହାଣୀ ଟି କିଛି ପାଇବାକୁ ଖୋଜୁଥାଏ,
ନୀରିହ ଚାହାଣୀ ରେ ଅନେକ କିଛି ଲୁଚି ରହିଥାଏ।।

ହଠାତ୍! ଦିନେ ଶଶୀକାୟା ରେ ଲାଗିଲା କଳଙ୍କର ଚିହ୍ନ,
ବ୍ୟାପିଗଲା ଚାରିଆଡ଼େ ତା’ର ଲୋହିତ ବର୍ଣ୍ଣ;
ଅଭାଗିନୀର ଛାଇ ମାଡିବା ବି ପାପ ହୋଇଲା,
ଅନୂଢା କିଶୋରୀ ଟି କେତେ କଷଣ ସହିଲା!

ସତରେ ନାରୀ ହେବା କ’ଣ ମହାପାପ!
ଅବା ମହାମୁନି ଦୁର୍ବାସାଙ୍କ ପ୍ରଚଣ୍ଡ ଅଭିଶାପ,
ଯେଉଁ ଛାଇ ଧାରେ ସୃଷ୍ଟି ହୁଏ ସମଗ୍ର ସୃଷ୍ଟି;
ତା’ ଅଙ୍ଗ ଛାଇ ରେ କିପରି ହୁଏ ମହାପାତକ ସୃଷ୍ଟି?

ଯେଉଁ ଛାଇ ର ଆଶ୍ରା ରେ କ୍ଲାନ୍ତ ପଥିକ ଆଶ୍ରା ପାଏ,
ସେ ଛାଇଟି କିପରି ଅଲକ୍ଷଣୀ ହୁଏ?
ବଦଳୁଛି ଦୁନିଆଁ, ବଦଳୁଛି ସମାଜର କୋଣ ଅନୁକୋଣ,
କେଜାଣି! କେବେ ଅପସରିବ ଏ ରୁଗ୍ଣ ଦୃଷ୍ଟିକୋଣ!

Leave a Comment

Your email address will not be published. Required fields are marked *