ଅନ୍ଧାରିଆ ଆକାଶର ଜଙ୍ଗଲ ରାସ୍ତାରେ
ପାହାନ୍ତି ତାରାଟି ଜଳେ,
ବେଫିକର୍ ବତୀଖୁଣ୍ଟ ପ୍ରାୟ
ନିଶାନ୍ତ ଏ ଶୀତୁଆ ପହରେ ||
ରାତିସାରା ଆକାଶରେ
ତାରାଙ୍କର ମେଳା,
ଜୀବନର ରଙ୍ଗ ମଉଚ୍ଛବ ଭରି
ଅଶାନ୍ତ ଚିତ୍ତରେ
ନିରୋଳା ଏ ନକ୍ଷତ୍ରଟି
ହଜିଅଛି ଜୀବନର ସଂଜ୍ଞା ପଢ଼ିବାରେ ||
ପୃଥିବୀର ଜୀବନ ଯାତନା
ପଦ୍ମଭୁକ୍ର ଜଳି ଯାଉଥିବା ସ୍ବପ୍ନ
ଅମୃତ ବାସ୍ନା ନେଇ ବିଷାୟିତ ପ୍ରାଣ
ପାଇବା ନ ପାଇବାର
ଶାନ୍ତି ସାନ୍ତ୍ଵନାକୁ ନେଇ
ଭଲ ପାଇବାର ସ୍ଵପ୍ନ ଆଉ ବାସ୍ତବତା
ସବୁକୁ ନଜର ପକେଇ
ଝରୁଥାଏ ନିଃସଙ୍ଗ ତାରାଟି
ନିଜେ ନିଜେ ଅସହାୟ ହୋଇ ||
ସଂସାରର ଏ ଗହଳି
ବଜାରରେ ବୁଲି ବୁଲି
ଜୀବନଟା ବିତିଗଲା ମୁଖା ପିନ୍ଧି
ଅନାବନା ଗୀତ ଗାଇ
କେବେ କଣ୍ଟା ଫୁଟି ବହିଚାଲେ
ଲହୁ ଧାର ଧାର,
କେବେ ପୁଣି ମହୁ ଧାରେ ପାଇଁ
କ୍ଷତାକ୍ତ ଜର୍ଜର,
ଗଙ୍ଗଶିଉଳିର ମନ ନେଇ
କେବେ ଅବା ପୁଷ୍ପାଞ୍ଜଳି
ଦିଏ ପ୍ରତ୍ୟୁଷର ||
ଯାତ୍ରାର ଏ ଅନ୍ତିମ ପ୍ରହର,
ପାଇଲି ମୁଁ କେତେ
ହରାଇଲି କେତେ
ସମୀକ୍ଷାର ବେଳ,
ଅମୃତର ପୁତ୍ର ହୋଇ
ପିଇଲି ମୁଁ ନିଜ ହାତେ
ଉତ୍କଟ ଗରଳ ||
ପାହାନ୍ତିଆ ତାରା ପରି
ଚାହିଁଛି ମୁଁ ଜୀବନ ସନ୍ଧ୍ୟାରେ
କେତେ ଯେ ଆହୂତି ଦେଲି
କେତେ ଅବା ଅଣାୟତ୍ତ ହେଲି
ସବୁ ନାଚିଯାଏ ଆଜି
ମୋ ଆଖି ଆଗରେ,
ହିମବିନ୍ଦୁ ପରି ହଜିବାକୁ ହେବ ମୋତେ
କାଲିର ଏ ପୁଷ ସକାଳରେ ||