ନବୀନ ଆଶା

ଆଜି ନୂଆବର୍ଷ ସକାଳ ସାତଟା ବେଳୁ ଷ୍ଟେସନ ପରିସର ଜନାକୀର୍ଣ୍ଣ । ଭୁବନେଶ୍ୱରରେ ଦୀର୍ଘ ଦୁଇମାସ ହେଲା ଚାଲୁଥିବା ରାଜ୍ୟସ୍ତରୀୟ ଲୋକପ୍ରିୟ ସଙ୍ଗୀତ ପ୍ରତିଯୋଗୀତା ସୁରଭିରେ ପ୍ରଥମ ସ୍ଥାନ ଲାଭ କରି ଘରକୁ ଫେରୁଛନ୍ତି ଅଞ୍ଚଳର ସୁନାଝିଅ ଶୁଭଶ୍ରୀ । ଗତକାଲି ଥିବା ଫାଇନାଲରେ ସେ ରାଉରକେଲାର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଗୀତାଞ୍ଜଳିଙ୍କୁ ପଛରେ ପକାଇ ଏହି ପ୍ରତିଯୋଗୀତା ଜିତିଥିଲେ । ଟିଭି ପରଦାରେ ତାଙ୍କ ଦରଦଭରା କଣ୍ଠସ୍ୱରରେ ଅଭିଭୂତ ହୋଇ ପଡିଥିଲେ ଉପସ୍ଥିତ ବିଚାରକ ମଣ୍ଡଳୀ ଏବଂ ଦେଖୁଥିବା ରାଜ୍ୟସାରା ଲୋକେ । ସେ ବିଜୟ ମୁକୁଟଟି ପିନ୍ଧିବାବେଳେ ପୁଷ୍ପବୃଷ୍ଟି ହେଉଥିଲା ଓ କରତାଳିରେ ସମଗ୍ର ମଣ୍ଡପ କମ୍ପିଉଠୁଥିଲା । ଶୁଭଶ୍ରୀ ତାଙ୍କ ସଫଳତା ମାଆ ଶିକ୍ଷୟତ୍ରୀ ବିନୋଦିନୀ ଦେବୀଙ୍କୁ ଉତ୍ସର୍ଗ କରିବା ସମୟରେ ଉଭୟ ମାଆ ଓ ଝିଅଙ୍କ ଭାବପ୍ରବଣତା ଦେଖି ଦର୍ଶକଙ୍କ ଆଖିରୁ ମଧ୍ୟ ଲୋତକ ଆପଣା ଛାଏଁ ଝରିପଡିଥିଲା ।
ଶୁଭଶ୍ରୀଙ୍କ ସଫଳତା ଯାତ୍ରା ଆଦୌ ଏତେ ସହଜ ନଥିଲା । ପିଲାଟି ଦିନରୁ ସେ ବାପଛେଉଣ୍ଡ । ଦେଖିବାକୁ ଗୋଟିଏ ଚାଉଳରେ ଗଢା ଏକମାତ୍ର ଅଲିଅଳୀ କନ୍ୟା ଶୁଭଶ୍ରୀର ପାଠପଢାରେ ଆଦୌ ଅବହେଳା କରି ନାହାନ୍ତି ବିନୋଦିନୀ ଦେବୀ । ସେ ଜଣେ ଉଚ୍ଚ ଶିକ୍ଷିତା ଏବଂ ସମ୍ପନ୍ନ ଘରର ମହିଳା ହୋଇଥିବାରୁ ସ୍ଵାମୀଙ୍କ ଅକାଳ ମୃତ୍ୟୁ ପରେ ଭାଙ୍ଗି ନପଡି ଝିଅକୁ ବିଏସସି ପରେ ଭଲ କଲେଜରେ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରାଇଲେ । ଝିଅଟି ପାସ ହେବାପରେ ପୁନାରେ ଏକ ଘରୋଇ ସ°ସ୍ଥାରେ ଚାକିରୀ କଲା । ଝିଅର ପ୍ରତ୍ୟେକ ସଫଳତାକୁ ଦେଖି ମାଆଙ୍କ ମନ ଖୁସିରେ ପୁରିଉଠୁଥିଲା । ବିବାହ ବୟସ ହୋଇଯିବାରୁ ମାଆ ନିଜ ସାଙ୍ଗ ସାଥୀଙ୍କୁ ଭଲ ପ୍ରସ୍ତାବ ଖୋଜିବାକୁ ଅନୁରୋଧ କଲେ । ମନୋନୀତ ହେବାରୁ ତିନିବର୍ଷ ତଳେ ଧୁମଧାମ୍ ରେ ଶୁଭଶ୍ରୀଙ୍କ ବିବାହ ସମ୍ପନ୍ନ କରିଦେଲେ । ପିଲାଟି ଜଣାଶୁଣା ସମ୍ପର୍କୀୟ ଭିତରେ। ଭାରତୀୟ ନୌସେନା ଅଧିକାରୀ ଭାବେ ଚେନ୍ନାଇରେ ଅବସ୍ଥାପିତ । ସେ ବିବାହ ପରେ ଶୁଭଶ୍ରୀ ଙ୍କୁ ଚାକିରୀ ଛାଡିଦେବାକୁ କହିବାରୁ ସେ ତାହା ହିଁ କରି ଚେନ୍ନାଇରେ ସ୍ୱାମୀଙ୍କ ସହିତ ଅବସ୍ଥାନ କଲେ ।
ବିବାହ ମାତ୍ର ବର୍ଷଟିଏ ନ ଯାଉଣୁ ଆରମ୍ଭ ହୋଇଗଲା ମନୋମାଳିନ୍ୟ । ଯାହା ଶୁଣିବାକୁ ମିଳେ ଶୁଭଶ୍ରୀ ଙ୍କ ସ୍ୱାମୀ ତାକୁ ତାଙ୍କର ବନ୍ଧୁ ଏବଂ ଉଚ୍ଚ ଅଧିକାରୀଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିବାକୁ ବାଧ୍ୟ କଲେ,ସେ ଏଥିରେ ରାଜି ନହେବାରୁ ତାଙ୍କର କୁଆଡେ ପ୍ରମୋଶନ ବାଧିତ ହେଲା ।ତେଣୁ ଶୁଭଶ୍ରୀଙ୍କ ଉପରେ ଚଳାଇଲେ ଅକଥନୀୟ ଅତ୍ୟାଚାର ।ବିଚରା ଶୁଭଶ୍ରୀ ନିରୂପାୟ ହୋଇ ମାଆଙ୍କ ନିକଟକୁ ଫେରି ଆସି ରହିଲେ । ବିବାହ ବିଚ୍ଛେଦ ପାଇଁ କୋର୍ଟରେ କେସ୍ ଏବେ ମଧ୍ୟ ବିଚାରଧୀନ ରହିଛି ।
ହଠାତ୍ ଜୀବନର ଏହି ଦୁର୍ଦ୍ଦିନ କୁଆଡୁ ମାଡିଆସିଲା କିଛି ବୁଝି ପାରୁ ନଥିଲା ସେ । ମାଆ ବିନୋଦିନୀ ମଧ୍ୟ ଆଶାଶୂନ୍ୟ ,ଆଇନ ଉପରୁ ତାଙ୍କର ଭରସା କ୍ରମେ କ୍ରମେ ହ୍ରାସ ପାଇ ମ୍ରିୟମାଣ ହୋଇଗଲେ ।
ଘନ ଅନ୍ଧକାର ଭିତରେ ମାଆ ବିନୋଦିନୀ ଶୁଖି କଳାକାଠ ପରି ଦିଶିଲେ । ଭବସାଗର ଭିତରେ ସେ କିଛି ଥଳକୂଳ ପାଉ ନଥିଲେ । ଏତେ ଦୁଃଖରେ ବି ଭାଙ୍ଗି ପଡି ନଥିଲା ଶୁଭଶ୍ରୀ । ତାକୁ ଯେମିତି ହେଲେ ନିଜ ଗୋଡରେ ଛିଡା ହୋଇ ମାଆଙ୍କ ମୁହଁରେ ହସ ଫୁଟାଇବାକୁ ପଡିବ । ସେ ଗାଧୁଆଘରେ ଗୁଣୁଗୁଣାଇ ଗୀତ ଗାଇବାକୁ ଛୁଆଟି ଦିନରୁ ଭଲ ପାଉଥିଲା । ମୋବାଇଲରୁ ଗୀତ ଶୁଣି କଲେଜ ବେଳେ କିଛି କିଛି ଗୀତ ଗାଇ ସାଙ୍ଗ ମାନଙ୍କ ନିକଟରୁ ମଧ୍ୟ ପ୍ରଶଂସା ପାଇଥିଲା । ଏମିତି ଟିକେ ମନ ଦେଇ ଗୀତ ଗାଇବାରେ ମନୋନିବେଶ କରିଥିଲେ । ଅଡିସନରେ ତାଙ୍କୁ ଚୟନ କରାଯିବା ପରେ ସେ ଭୂବନେଶ୍ୱର ଯାଇ କିଛିଦିନ ପ୍ରଖ୍ୟାତ ଗୁରୁଙ୍କ ତତ୍ତ୍ୱାବଧାନରେ ମନଦେଇ ଅଭ୍ୟାସ କରିଥିଲେ ।
ତାପରେ ଯୋଗକୁ ପାଖ ସହରରୁ ଏକ କଲେଜରେ ସଙ୍ଗୀତ ଶିକ୍ଷକ ଭାବେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଛି । ସମ୍ପ୍ରତି ତାଙ୍କୁ ମିଳିଥିବା ଏହି ସୁର ସାମ୍ରାଜ୍ଞୀ ପଦବୀ ଯୋଗୁ ତାଙ୍କ ପ୍ରଶଂସାରେ ଲୋକେ ଏବେ ଶତମୁଖ । ନବୀନ ଆଶାର ଆଲୋକ ଏବେ ତାଙ୍କ ଚଲାପଥରେ ସ୍ୱର୍ଣ୍ଣିମ ଆଭାକୁ ବିଚ୍ଛୁରିତ କରିଅଛି ।
ସୁଶ୍ରୀ ଶୁଭଶ୍ରୀ କଠିନ ଅଧ୍ୟବସାୟ ବଳରେ ତାଙ୍କ ଅନ୍ତଃର୍ନିହିତ ଗୁଣ ଓ ପ୍ରତିଭାର ବିକାଶ କରିପାରିଛନ୍ତି । ତାଙ୍କର ଆଗକୁ ଉଜ୍ଜ୍ବଳ ଭବିଷ୍ୟତର ଅନେକ ସମ୍ଭାବନା ରହିଛି ।ତାଙ୍କୁ ଉତ୍ସାହିତ କରିବା ପାଇଁ ଓ ନବବର୍ଷ ଶୁଭ କାମନା ଜଣାଇବା ପାଇଁ ଏ ଅଦ୍ଭୂତପୂର୍ବ ଲୋକଗହଳି ସମସ୍ତଙ୍କ ମନରେ ନୂତନ ଆଶା ଓ ଉତ୍ସାହ ଭରିଦେଉଛି, ଆସନ୍ତୁ ଆମେ ତାଙ୍କ ଫେସବୁକରେ ଲାଇକଟିଏ କରି ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ।

Leave a Comment

Your email address will not be published. Required fields are marked *