“ରୂପା, ମାଆ ରୂପା, ଦେଖିଲୁ ଦେଖିଲୁ ତୋ ପାଇଁ କଣ ନେଇ ଆସିଛି” ; ଦରଜା ବାହାର ପଟୁ ଏଇ ଉଚ୍ଚ ସ୍ଵରରେ ସେଦିନ କମ୍ପି ଉଠୁଥିଲା ସେ ଅନ୍ଧାର ଭିତର ଉପଗଳି। ବୋଧେ ସନିଆ ନେଇ ଆସିଛି ରୁପା ପାଇଁ କଣ୍ଢେଇ ଟିଏ।
ରୂପା, ଅଲିଅଳି ଝିଅ ଟିଏ ସନିଆର। ନୟନ ତାରା ଅଟେ ରୂପା ତା ବାପା ସନିଆ ପାଇଁ। ପୃଥବୀରେ ଯଦି ସନିଆ କାହାକୁ ଅଧିକ ଭଲପାଏ ସେ ହେଉଛି ତାର ଏକମାତ୍ର ଝିଅ ରୂପା। ରୂପା ବୋଲି ନା ତା’ର ସନିଆ ହିଁ ଦେଇଥିଲା ତାର ଜନ୍ମ ପୂର୍ବରୁ ସତେ ଯେମିତି ସେ ଏକା ଜାଣିଥିଲା ତାର ଝିଅ ଟିଏ ହିଁ ହେବ ଯିଏ ରୂପରେ, ଗୁଣରେ ସମସ୍ତଙ୍କ ଠାରୁ ଅନ୍ୟତମ ସେଇଥି ପାଇଁ ସନିଆ ବାଛି ବାଛି ଦେଇଛି ଝିଅ ନାଁ ରୂପା। ଝିଅ ପ୍ରତି ଏତେ ଭଲପାଇବା କେବଳ ବାପା ସନିଆ ପାଖରେ ବୋଲି ନାହିଁ ମା କୁନ୍ତୀ ବି ରୂପାକୁ ଭଲପାଏ ହେଲେ ସବୁବେଳେ କୁନ୍ତୀର ଗୋଟିଏ ଦୁଃଖ ଝିଅ କୁ ତାର ବାହା ଦେଲା ପରେ ସେ କୁଆଡେ ଆଉ ତାର ଝିଅ ହୋଇ ରହିବ ନାହିଁ ଆଉ ତା ଠାରୁ ଦୁରେଇ ଯିବ। ସେ ଯାହା ବି ହେଉ ଗରିବ ପରିବାରର ଅଭାବ, ଅନଟନ ଭିତରେ ବି ସନିଆ ଆଉ କୁନ୍ତୀ ନିଜ ଝିଅ ରୂପାକୁ କେଉଁ ରାଜକୁମାରୀ ଠାରୁ କମ୍ କରି ପାଳି ନାହାନ୍ତି, ତେଣେ ପେଶାରେ ସନିଆ ଦିନ ମଜୁରିଆ ଆଉ ମାଆ ଘରଣୀ। ସବୁ ଇଚ୍ଛା ଆଉ ସବୁ ଖୁସି ଭିତରେ ରୂପାକୁ ଉପଭୋଗ କରାଇଛନ୍ତି ସନିଆ ଆଉ କୁନ୍ତୀ।
ବୟସର ଉନ୍ନତିରେ ଆବଶ୍ୟକତାର ଉନ୍ନତି ବି ଜୋର୍ ଧରିଛି। ଗରୀବି କଥା ରୁପା ବା କଣ ବୁଝିଛି ଏ କଅଁଳ ବୟସରେ। ଦିନେ ସାଙ୍ଗ ମାନଙ୍କ ସହ ଖେଳୁ ଖେଳୁ ରୂପା ହାତରୁ ସୁନିର କଣ୍ଢେଇ ଟିଏ ଖସି ଭାଙ୍ଗିଗଲା। ସୁନି ଟିକେ ରାଗି ଯାଇ ରୂପାକୁ ଏଣୁ ତେଣୁ କେତେ କଥା କହିଦେଲା। ଯାହା ଆଖିରେ କେବେ କଷ୍ଟ ର ଲୁହ ବୋହି ଆସି ନଥିଲା ଆଜି ସେ ଆଖିରେ ଲୁହର ଧାର। ଘରକୁ ଆସି ତାର ଏକା ଜିଦ୍ ଏଣିକି ସେ ଆଉ ସୁନି ସହ ଖେଳିବ ନାହିଁ ଆଉ ଘରେ ଏକାକୀ ଖେଳିବା ପାଇଁ ତାର ଗୋଟେ କଣ୍ଢେଇ ଟିଏ ଦରକାର। ସେ ଜିଦ୍ ଆଗରେ ସନିଆ ବି ବିବଶ, ରୂପାର ଖୁସି ହିଁ ସନିଆର ଖୁସି। ସନିଆ ଠିକ୍ କରିଲା ସେ ଯାହା ବି ହେଉ ତା ଝିଅ ପାଇଁ କଣ୍ଢେଇ ଟିଏ କିଣି ଆଣି ଦେବ। ଆଉ କଣ୍ଢେଇ ଆସିବା ଖୁସିରେ ରୂପାର ପାଦ ତଳେ ଲାଗୁନି। ଘୁରି ବୁଲି ସଭିଙ୍କୁ ଜଣାଇ ଦେଲା କାଲି ତାର ନୂଆ କଣ୍ଢେଇ ଆସିବ ଆଉ ସେ ଏକାକୀ ତାର ଘରେ ଖେଳିବ।
ସନିଆ ଦିନ ମଜୁରି କରି ପାଇଥିବା ସେ ଦୁଇ ଟଙ୍କାରେ ଝିଅ ପାଇଁ କିଣି ଆଣିବ ଗୋଟେ କଣ୍ଢେଇ ଏକ ଟଙ୍କା ଆଉ ପଚାଶ ପଇସିର ଆଉ ବାକି ପଚାଶ ପଇସି ରୁ ଦଶ ପଇସିରେ ରୁପା ପାଇଁ କିଛି ଖାଇବା କିଣି ନେବ। ଆଉ ବାକି ସେ ସମ୍ଭାଳି ରଖିବ ଭବିଷ୍ୟତ ପାଇଁ। ସନ୍ଧ୍ୟାରେ ସେ ଘରକୁ ଫେରି ଆସିଛି।
ରୂପା ଏକ ଅଭିଳାଷ ପୂର୍ଣ୍ଣ ଆଖିରେ ଧୀରେ ଦରଜା ଖୋଲିଲା। ସେ ଜାଣିଥିଲା ତା ବାପା ନିଶ୍ଚୟ ତା’ରି ପାଇଁ କଣ୍ଢେଇ ଟିଏ ନେଇ ଆସିଥିବ। “ବାପି ବାପି” ମୋ କଣ୍ଢେଇ କାଇଁ, ଏକ ଉତ୍କଣ୍ଠା ଭରା ପ୍ରଶ୍ନ ଟେ। ସନିଆ ଟିକେ ଘୁଞ୍ଚି ଗଲା ଆଉ ସନିଆ ପଛରେ ଥିବା ସେ କଣ୍ଢେଇକୁ ଦେଖି ରୂପାର ମନ ଲାଖି ଗଲା। କଣ୍ଢେଇ ଟିଏ ହେଲେ ସେ ନିର୍ଜୀବ ନଥିଲା କଥା କୁହା କଣ୍ଢେଇ ଟିଏ ଥିଲା। ଗୋଲ ଗୋଲ ଆଖିରେ ଏକ ଭୟର ବାତାବରଣକୁ ତାର ଓଠର ହସ ମିଶ୍ରିତ ମୁହଁ ତାର ସୌନ୍ଦର୍ଯ୍ୟକୁ ଖୁବ୍ ପରିପ୍ରକାଶ କରିଥିଲା। କୁନି ଝିଅ ଟିକୁ ବଢେଇ ଦେଇ ସନିଆ କହିଲା, ମାଆରେ ଏଇ ନେ ତୋ କଣ୍ଢେଇ ଆଜି ଠାରୁ ଏ କଣ୍ଢେଇ ତୋ ଦାୟିତ୍ଵରେ ରହିଲା। ଏ ମଳି ମୁଣ୍ଡିଆ ଘରେ ଏ ସ୍ୱର୍ଗର ଅପ୍ସରିକୁ ଦେଖି ମନରେ ଅନେକ ପ୍ରଶ୍ନ ସଞ୍ଚାରିତ ହେଲା କୁନ୍ତୀ ମନରେ ହେଲେ ସେ ସନିଆ ଉପରେ ଭାରି ବିଶ୍ବାସ କରେ ତେଣୁ ସେ ପ୍ରଶ୍ନ ସବୁକୁ ଏଡ଼ାଇ ଦେଇ ତାର ସ୍ଵଚ୍ଛ ମନରେ ସ୍ଵାଗତ କରିଲା ସେ କୁନି ପରୀକୁ, ଆଉ ରୂପା ତା ନାଁ କଣ୍ଢେଇ ଦେଇଦେଲା।
ଏବେ ଘରର ବୋଝ ଅଧିକ ହେଲେ ବି ସନିଆର ମନରେ ଟିକେ ବି ବିଷାଦ ନାହିଁ। ଏଣିକି ସେ ନିଶ୍ଚତ କରିଲା ପରିଶ୍ରମ ଏବେ ଢେର୍ ଅଧିକ କରିବ ଆଉ ତାର ଦୁଇ ଝିଅକୁ ସେ ପାଠ ପଢେଇ ମଣିଷ କରିବ। ସନିଆ ଗରିବ ହେଲେ ବି ପାଠର ମହତ୍ତ୍ଵ ଖୁବ୍ ଭଲ ଭାବେ ଜାଣେ। ସେତେବେଳେ ରୂପା ବି ତୃତୀୟ ଶ୍ରେଣୀରେ ପଢ଼େ।
କଅଁଳ ବୟସରେ ବି ସେ କଣ୍ଢେଇକୁ ଖୁବ୍ ଆଦର ଯତ୍ନ କରେ। ତା ବାପି କହିଥିଲା ତାକୁ ତାର ସବୁ ଦାୟିତ୍ଵ ନେବା ପାଇଁ ଆଉ ରୂପା ସେଇ ଆଠ ବର୍ଷ ବୟସରେ ବି କୁନି କଣ୍ଢେଇର ଯତ୍ନ ଖୁବ୍ ନେଇ ଥିଲା। ସନିଆ ଯେଉଁ ଦିନ ନୂଆ କରି ରୂପା ଘରକୁ ଆସିଥିଲା ସେ ଦିନ ହିଁ କଣ୍ଢେଇର ଜନ୍ମ ଦିନ ପାଳନ ହୁଏ। ଏକ ନୂତନ ଅଧ୍ୟାୟର ଆରମ୍ଭରେ କଣ୍ଢେଇକୁ ପାଇ ରୂପା ଖୁବ୍ ଖୁସି। ଖାଇବା ପିଇବା, ଖେଳିବା ପଢିବା ସବୁଥିରେ ରୂପାର ଯତ୍ନରେ କେବେ ବି ଅବହେଳା ନାହିଁ।
ଦିନକର କଥା କଣ୍ଢେଇକୁ ସେତେବେଳେ ଦ୍ଵିତୀୟ ଶ୍ରେଣୀରେ ପଢୁ ଥାଏ, ହଠାତ୍ ଦେହରେ ପ୍ରବେଶ କରିଥିଲା ଅଦୃଶ୍ୟ ଭୁତାଣୁ। କଣ୍ଢେଇକୁ ଭୀଷଣ ଜ୍ୱର। ଦେହ ଛାଡି ଯିବାକୁ ପଛାଉ ନାହିଁ ଜ୍ଵର। ଗାଁର ବଇଦ ଠାରୁ ସହରର ନାମି ଡାକ୍ତର ସଭିଙ୍କ ପାଖରୁ ହାର୍ ମାନି ଯାଇଥିଲା ସନିଆ। ସଞ୍ଚିତ ଧନ ସବୁ କିଛି ସାରି ଦେଇଥିଲା କଣ୍ଢେଇର ସ୍ୱାସ୍ଥ୍ୟ ପାଇଁ ହେଲେ ସୁଫଳ ମିଳୁନାହିଁ। ରୂପା କାନ୍ଦି କାନ୍ଦି ତାର ଆଖି ନାଲି କରି ସାରିଲାଣି କେବେଠୁ, ଚାରି ସପ୍ତାହ ହେଲାଣି ସେ ଜ୍ୱର। ମନ ଦୁଃଖରେ ସେ ବସିଥିଲା ମନ୍ଦିର ପାଖରେ ଥିବା ବୁଦା ଗଛ ତଳେ। ସେ ସେଇଠି ବସି କଣ୍ଢେଇ କଥା ଭାବି ଭାବି ଆଖି ଜକେଇ ଆସିଲେ ବି ଓଦା ନାହିଁ ତାର ଗାଲ, ଲୁହ ଥିଲେ ସିନା ଆଖି ଓଦା ହେବ। ସେଠାକୁ ଆସିଥିବା ଜଣେ ଭକ୍ତ କହିବା କଥା ଶୁଣିଲା, ସେ ସ୍ତ୍ରୀ ଲୋକ ଜଣେ କାଳେ ମାନସିକ କରିଥିଲେ ତାଙ୍କ ପୁଅ ଭଲ ହେବା ପରେ ସେ ଏଠାକୁ ଆଣ୍ଠେଇ ଆଣ୍ଠେଇ ଆସି ପୂଜା କରିବେ ଆଉ ବରଗଛରେ ନାଲି ସୁତା ବାନ୍ଧିବେ। ଏ କଥା ଶୁଣି ରୂପା ମନରେ ଆଶାର କିରଣ ଦେଖାଯାଇଥିଲା, ସେ ସଙ୍ଗେ ସଙ୍ଗେ ଯାଇ ସେ ସ୍ତ୍ରୀ ଲୋକ ଜଣଙ୍କୁ ପଚାରି ବୁଝିଲା ସତରେ କଣ ଏମିତି କରିଲେ ତା କଣ୍ଢେଇ ଭଲ ହୋଇଯିବ। ସେ ସ୍ତ୍ରୀ ଲୋକ ଜଣକ ହସି ହସି ହଁ ଭରି ଥିଲେ ରୂପା କଥାରେ ଆଉ ରୂପା କାଳବିଳମ୍ବ ନ କରି ଧାଇଁ ଯାଇ ମନ୍ଦିରରେ ଦୀପ ଜାଳି ମାନସିକ କରିଦେଇ କହିଲା “ମୋ କଣ୍ଢେଇ ଭଲ ହୋଇଗଲେ ମୁଁ ବି ଘରୁ ମନ୍ଦିର ଯାଏଁ ଆଣ୍ଠେଇ ଆଣ୍ଠେଇ ଆସିବି” ବାସ୍ ତୁ ମୋ କଣ୍ଢେଇକୁ ଭଲ କରିଦେ। ଦୁଇ ଦିନ ପରେ କଣ୍ଢେଇର ସ୍ଵାସ୍ଥ୍ଯ ଧୀରେ ଧୀରେ ଭଲ ହୋଇ ଆସିଲା ଆଉ ଖୁସିରେ ମାଆ କୁ ଯାଇ ସେଦିନର ସେ ମନ୍ଦିରରେ ଘଟି ଥିବା ଘଟଣା କହିଲା। ମାଆ ଆଖିରେ ଲୁହ ଆସିଗଲା ସେ କଣ କରିବ ଏବେ? ତା ଛୁଆ ଏମିତି କଠିନ ମାନସିକ କେମିତି ନେଇ ଗଲା। ଘର ଠାରୁ ମନ୍ଦିର ଅଳ୍ପ ବାଟ ହେଲେ ମନ୍ଦିରକୁ ଯିବା ପାଇଁ କିଛି କ୍ଷଣ ପାହାଡ ରାସ୍ତା ଦେଇ ଯିବାକୁ ହେବ ଆଉ ସେ ପାହାଡ଼ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା କଣ ଏତେ ସହଜ। ମାଆ ମନା କରିଦେଲା ହେଲେ ରୂପାକୁ ସେ ସ୍ତ୍ରୀ ଲୋକ କହିଥିବା କଥା ମନେ ଅଛି ଯଦି ମାନସିକ ପୂର୍ଣ୍ଣ ନ ହୁଏ ତାହେଲେ ବିପଦ ଆସିପାରେ। ରୂପା ସ୍ଥିର କରିଲା ସେ ଯାହା ହେଉ ସେ ଯିବ, ତା ମାନସିକ ସେ ପୂର୍ଣ୍ଣ କରିବ। ଆଉ ସେ ଯାଇଥିଲା ବି କଷ୍ଟ ତାକୁ ଅନେକ ହୋଇଥିଲା ତଥାପି ବି ସେ ହାର୍ ମାନି ନଥିଲା। ତା ବାପିର ସେ ଦାୟିତ୍ୱ କଥାକୁ ମନେ ପକାଇ ଆଣ୍ଠେଇ ଚାଲି ଯାଇଥିଲା ସେ ମନ୍ଦିରକୁ। ଯିବା ପରେ ମାଆ କୁ ଦର୍ଶନ କରି ଶୋଇ ଯାଇଥିଲା ସେ ମନ୍ଦିର ପ୍ରାଙ୍ଗଣରେ। ଗୋଡରୁ ତାର ବୋହି ଯାଉଥିଲା ରକ୍ତର ଧାର। ସନିଆ ଆଉ କୁନ୍ତୀ ଏ ସବୁ ଦେଖି ଧର୍ଯ୍ୟ ଧରି ରହି ପାରୁ ନଥିଲେ ତଥାପି ବି ସେମାନେ କଣ ଅବା କରି ଥାନ୍ତେ।
ରୂପାର ଶରୀରରୁ ଢ଼େର ରକ୍ତ ନିଗାଡ଼ି ପଡିଥିଲା। ଆଣ୍ଠୁରେ ତାର ଦରଜ ଯୋଗୁଁ ସେ ଚାଲି ବୁଲିବା ପାଇଁ ସକ୍ଷମ ନଥିଲା। ସେତେବେଳେ ରୂପା ସପ୍ତମ ଶ୍ରେଣୀରେ ଆଗକୁ ତାର ପରୀକ୍ଷା। ଆଉ କଣ୍ଢେଇର ଦେହ ଖରାପ ପାଇଁ ଅନେକ ଦିନ ତାର ପାଠ ପଢ଼ାରେ ଅବହେଳା ହୋଇଛି ତଥାପି ବି ଯେଣେ ତେଣେ ସେ ଦଶମ ଶ୍ରେଣୀରେ ଭଲ ନମ୍ଵର୍ ରଖି ପାସ୍ କରିଛି। ଏ ଖୁସି ଆଡମ୍ବର ସହକାରେ ପାଳନ କରିବାର କିଛି ସମୟ ଯାଇନି ତେଣେ ସନିଆର ଦୁର୍ଘଟଣାରେ ମୃତ ଘଟି ଥିଲା। ସନିଆ ମଦ ପିଏ ନାହିଁ ହେଲେ ସେ କାର୍ ଚାଳକ ବଡ ବାବୁ ଜଣକ ନିଜ ଭୁଲରୁ ବର୍ତିବା ଲାଗି ସବୁ ଦୋଷ ସନିଆକୁ ଦେଇ ନିର୍ଦୋଷରେ ଖଲାସ୍ ହୋଇ ଗଲା। ମୁଣ୍ଡ ଉପରେ ବିଜୁଳି ପଡିବା ପରି କୁନ୍ତୀ ଚେତା ଶୂନ୍ୟ ହୋଇଗଲା ଆଉ ରୂପା ଏକ ସ୍ତୁପ ପାଲଟି ଗଲା ଆଉ କଣ୍ଢେଇ ବାପା ମାନେ କଣ ବୁଝିବ ପୂର୍ବରୁ ବାପାକୁ ହରେଇ ଗୁମ୍ ସୁମ୍ ହୋଇ ବସି ଗଲା କାନ୍ଥକୁ ଆଉଜି। ସବୁ ଯେମିତି ଶେଷ ହୋଇଗଲା ସେଦିନ।
ସନିଆର ମୃତ୍ଯୁ ପରଠୁ ଅନେକ କିଛି ପରିବର୍ତ୍ତନ ଆସି ଯାଇଛି। ରୂପା ଆଉ ଆଗକୁ ପଢିବ ନାହିଁ ଏଣିକି କଣ୍ଢେଇ ସହ ଘରର ଦାୟିତ୍ଵ ନେବ। କୁନ୍ତୀ ଜାଣିଛି ଏ ପରିସ୍ଥତିକୁ ଏଡ଼ାଇ ଦେଇ ହେବ ନାହିଁ ଯାହା ହେବାର ଥିଲା ହେଇଗଲା ଏଣେ ଦୁଇ ଝିଅର ଦାୟିତ୍ଵ ଅଛି ଯଦି ସେ ହାର୍ ମାନି ଯାଏ ତାହାଲେ ରୂପା ଆଉ କଣ୍ଢେଇର କଣ ହେବ? ତେଣୁ ନିଜକୁ ଦୃଢ଼ କରି ଗଢି ତୋଳିଲା କୁନ୍ତୀ। ଏଣିକି ସେ ଯିବ ମଜୁରୀ ପାଇଁ ଘରକରଣାର ଦାୟିତ୍ଵ ରୂପାକୁ ସମର୍ପି ଦେଇ କୁନ୍ତୀ ବାହାରି ପଡେ ସେ ଅଧ୍ୟାୟକୁ ପୂରଣ କରିବା ପାଇଁ। ଆଉ ଏପଟେ ରୂପା ତାର ନିଜସ୍ଵ ସ୍ୱପ୍ନକୁ ଏଡ଼ାଇ ଏବେ କଣ୍ଢେଇର ସ୍ୱପ୍ନରେ ବଞ୍ଚିବା ଆରମ୍ଭ କରିଛି। କଣ୍ଢେଇକୁ ପାଠ ପଢ଼େଇ ହାକିମ କରିବ।
କଣ୍ଢେଇକୁ ମନିଷ ପରି ମଣିଷ ଟିଏ ଗଢି ତୋଳିବା ପାଇଁ କେତେ ଯେ ତ୍ୟାଗ କରିଛି ଏକା ସେ ଜାଣେ। ବୟସର ବୃଦ୍ଧିରେ ଶାରୀରିକ ଓ ମାନସିକ ଭାବେ ସେ ପରିପକ୍ୱତା ଲାଭ କରିଛି। ଏ ଭିତରେ ରୂପା କଢିରୁ ଫୁଟି ଫୁଲ ହୋଇ ସାରିଛି। ମନରେ ଅଦ୍ୟ ଯୌବନର ପ୍ରଥମ ଶ୍ରାବଣ ଛୁଇଁଛି ଆଉ ସେ ପ୍ରେମ, ସମ୍ପର୍କ ଏ ସବୁକୁ ବୁଝି ସରିଚି ତଥାପି ବି ସେ ବୁଝିଥିବା କଥାକୁ ଅବୁଝା କରି ସାରିଛି କଣ୍ଢେଇ ପାଇଁ।
ଇତି ମଧ୍ୟରେ ରୂପାକୁ କୋଡ଼ିଏ ବର୍ଷ ଛୁଇଁବା ପରେ ପରେ ସେ ସମ୍ପୂଣ୍ଣ ଅନାଥ ହୋଇ ସାରିଛି। ମଜୁରୀ ଭାବେ କୁନ୍ତୀ ଉଚ୍ଚ ଅଟ୍ଟାଳିକା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲା। ଦଶମ ମହଲା ନିର୍ମାଣ ବେଳେ ଛାତ ପଡିବା ପାଇଁ ସିମେଣ୍ଟ କଂକ୍ରିଟ ପଡି ନିର୍ମାଣ କାର୍ଯ୍ୟ ଚାଲିଥିଲା ସେତେବେଳେ ନୂଆ ଛାତ ଟି ଭାର ଅଭାବରୁ ଭୁଶୁଡ଼ି ପଡିଥିଲା ଆଉ ସେଇଥିରେ ଚାପି ହୋଇ ଗଲେ ଅନେକ ମଜୁରୀଆ ସେଇଥିରେ କୁନ୍ତୀ ବି ଥିଲା। ଦଶ ଜଣ ପ୍ରାୟ ମୃତ୍ୟୁର ଚିର ନିଦ୍ରାରେ ଶୋଇ ଯାଇଥିଲେ ଆଉ ଅନେକ ଗୁରୁତର ଭାବେ ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ, ଗୁରୁତର ଅବସ୍ଥାରେ କୁନ୍ତୀ ଜୀବନ ସହ ଲଢେଇ କରୁ ଥାଏ। ବଞ୍ଚିବା ଅସମ୍ଭବ ବୋଲି ଡାକ୍ତର କହି ଗଲେ ରୂପାକୁ, ରୂପା କାନ୍ଦି କାନ୍ଦି ଅଥୟ ସେ ବା କେମିତି ସମ୍ଭାଳିବ କଣ୍ଢେଇକୁ। ହସ୍ପିଟାଲ ବେଡ୍ ରେ ମୃତ୍ୟୁର କୋଳରେ ଶୋଇ କୁନ୍ତୀ କହିଲା ରୂପାକୁ ଆଜିଠୁ କଣ୍ଢେଇର ସବୁ ଦାୟିତ୍ଵ ତୋ ହାତରେ, ତୋ ବାପି କଥାକୁ ଜମା ବି ଭୁଲି ଯିବୁ ନାହିଁ। ଆଉ ତା ପର ଶବ୍ଦ କାନକୁ ବାଜି ନାହିଁ ରୂପା ଓ କଣ୍ଢେଇର କାନରେ। ସବୁଦିନ ପାଇଁ ଶୋଇ ଗଲା ଚିର ନିଦରେ କୁନ୍ତୀ। ଡାକ୍ତର ମାନେ କୁନ୍ତୀର ମୃତ ସାର୍ଟିଫିକେଟ ଦେବା ପାଇଁ ତାର ମୃତ ଶରୀର କୁ ନେଇଗଲେ। ରୂପା ଓ କଣ୍ଢେଇ କାନ୍ଦି କାନ୍ଦି ଆସି ବାହାରେ ବସି ପଡିଲେ। ମାଆର ମୃତ ଦେହକୁ ପାଇବା ପରେ ରୁପାର ପଡ଼ିଶା ଘର ଭାଇ ଜଣକ ମୁଖାଗ୍ନି ଦେଇ ଶବ ସତ୍କାର କରି ଦେଲେ। ସେଇ ଦିନ ପର ଠୁ ସେ ଜୀବନ ଉପନ୍ୟାସରେ ପୁଣି ଏକ ନୂତନ ଅଧ୍ୟାୟ ସ୍ଥାନ ପାଇଥିଲା।
କଣ୍ଢେଇ ଧୀରେ ଧୀରେ ବଡ ହେବାରେ ଲାଗିଲା ଖୁବ୍ କଷ୍ଟରେ ରୂପା କଣ୍ଢେଇର ସବୁ ଦାୟିତ୍ୱ ନେଲା। ଜୀବନ ଜୀବିକା ସବୁଥିରେ ରୂପା ତାର ପାରଙ୍ଗମ ଦେଖାଇ ଥିଲା। କଣ୍ଢେଇ ଦ୍ଵାଦଶ ଶ୍ରେଣୀରୁ ଉନ୍ନତି କରି ସେତେବେଳେ ସେ କଟକର ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଡିଗ୍ରୀ ସାମାଜିକ ବିଜ୍ଞାନରେ ପଢି ସାରିବା ପରେ, ଆଇନ ପଢିବା ପାଇଁ ରୂପା ଦ୍ଵାରା ପ୍ରେରଣା ପାଇ ହଷ୍ଟେଲରେ ଆସି ରହିଲା। ପୂର୍ବ ଅପେକ୍ଷା ଅଧିକ ଖରାପ ପରିସ୍ଥିତି ଦେଇ ଗତି କରିବା ସତ୍ତ୍ଵେ ରୂପା କଣ୍ଢେଇକୁ ପାଠ ପଢିବା ଠାରୁ ଦୁରେଇ ଦେଇନି ବାପା ମା ଗଲା ପରେ ସେ ଏକା ତା ପାଇଁ ବାପା ମା ସାଜି ଯାଇଚି। ଅନେକ ପରିସ୍ଥିରେ ହାରି ଗଲେ ବି ରୂପା ବାପା ମା କଥା ଭାବେ ଯଦି ବାପା ମା ଥାନ୍ତେ ତାହାଲେ କଣ କଣ୍ଢେଇକୁ ପଢ଼େଇ ନଥାନ୍ତେ ତାହାଲେ ମୁଁ କାହିଁକି ନୁହଁ, ମୁଁ ପାରିବି ନିଶ୍ଚୟ ପାରିବି। ସେ ଦାୟିତ୍ଵ ତୁଲେଇବା ଭିତରେ ଭୁଲି ଯାଇଛି ବର୍ତ୍ତମାନ ସେ ବିବାହ ଯୋଗ୍ୟା ଅନେକ ପୁଅ ରୂପାର ରୂପରେ ଗୁଣରେ ଆକର୍ଷିତ ହୋଇ ତାକୁ ଆପଣେଇବା ପାଇଁ ଚେଷ୍ଟା କରିଛନ୍ତି ହେଲେ ରୂପାର ଏକା ଜିଦ୍ ସେ ତା କଣ୍ଢେଇକୁ ଓକିଲାତି ପଢେଇବ, ହାକିମ କରିବ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା ଆରମ୍ଭ କରିଥିଲା କଣ୍ଢେଇ ସେତେବେଳେ ସେ କୋଡ଼ିଏ ବର୍ଷ ବୟସର ସାବାଳିକା। ରୂପରେ କେଉଁ ପରୀ ଠାରୁ କମ୍ ନୁହେଁ। ବ୍ୟବହାର ସହ କଥା ତାର ଖୁବ୍ ଅକର୍ଷକ। ଏ ବୟସରେ ସେ ଏକାକୀ ରୂପା ଠାରୁ ଅଲଗା ହେଲା। ଅନୁଶାସନ ଠାରୁ ଦୁରେଇ ରହିଲା। ବିଶ୍ୱବିଦ୍ୟାଳୟରେ ଭଲ ପାଠ ପଢି ଓକିଲ ହେବା ଆଶା ତା ଠାରୁ ଦୁରେଇ ଯିବାରେ ଲଗିଲା। ନୂଆ ନୂଆ ସାଙ୍ଗ ଆଉ ସେମାନଙ୍କର ପ୍ରେମ କାହାଣୀ ଶୁଣି ସେ ବି ପ୍ରେମ ଓ ସମ୍ପର୍କ ପ୍ରତି ଆକୃଷ୍ଟ ହେବାରେ ଲଗିଲା। ଉତ୍କଳରେ ପଢିବା ପରେ ପରେ ନୂଆ କରି ପ୍ରେମର ସହରରେ ପାଦ ଥାପି ଥିଲା କଣ୍ଢେଇ ଆଉ ଭଲ ପାଇ ବସିଥିଲା ସହରର ନାମି ଇଞ୍ଜିନିୟର ରମେଶ ବାବୁ ଙ୍କ ପୁଅ ଆକାଶ ସହ। ଅବଶ୍ୟ ପୁଅ ଚରିତ୍ରରେ ଖରାପ ନୁହେଁ ଖୁବ୍ ଭଦ୍ର ପିଲା ଟିଏ, ସରଳ ଓ ସାଧା ସିଧା ପିଲା। ଦେଖିଲେ କେହି କହିବେ ନାହିଁ କି ସେ ଏତେ ଉଚ୍ଚ ଘରର ପିଲା। ଆକାଶ ସହ ପ୍ରେମ ସମ୍ପର୍କରେ ଆସିବା ପରେ ଅକାଶରେ ପ୍ରେରଣାରେ ପୁଣି ଥରେ ଭଲ ପାଠ ପଢି ଆଇନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲା।
ଓକିଲାତି ପଢି କଣ୍ଢେଇ ଫେରି ଆସି କଣ୍ଢେଇ ଆକାଶ କଥା ରୂପା କୁ କହିଲା ପରେ, ରୂପା ଜାଣିବା ପାଇଁ ପାଇଲା ଇଞ୍ଜିନିୟର ରମେଶ ବାବୁ। ରୂପା ଦୁମ୍ କରି ବସି ପଡ଼ିଲା, ସତେ ଯେମିତି ଶବ୍ଦ ନାହିଁ ତା ପାଖରେ। ଧୀରେ ଧୀରେ ରୁପା କହିଲା ସେ ପୁଅ କୁ ତୁ ଭୁଲି ଯାଆ, ତାଠାରୁ ବି ଢ଼େର ଭଲ ପୁଅ ଟେ ବାଛି ବାହା କରେଇବ। ହେଲେ କଣ୍ଢେଇ ନାରାଜ୍, ରୂପା ତାକୁ କାହିଁକି ମନା କରୁଛି ସେ ଜାଣିବା ପାଇଁ ଚାହିଁଲା। ବାରମ୍ବାର ପ୍ରଶ୍ନ ପଚାରିବା ସତ୍ତ୍ଵେ ରୂପା ତାର କିଛି ବି ଉତ୍ତର ଦେଇ ନାହିଁ। କିଛି ଦିନ ପରେ ପୁଣି ସେଇ ପୁରୁଣା କଥାର ଆଲୋଚନା ଚାଲିଲା କଣ୍ଢେଇ ଆଉ ରୂପା ଭିତରେ ବୁଝାମଣା ରହିଲା ନାହିଁ। ଇତି ମଧ୍ୟରେ କଣ୍ଢେଇ ପାଖକୁ ଏକ ଚିଠି ଆସିଲା, କଟକର ବଡ ଓକିଲ ଶ୍ରୀ ଦାମୋଦର ମହାପାତ୍ରଙ୍କ ପାଖରେ ତାର ଚାକିରି ହୋଇ ଯାଇଛି। “ଦାମୋଦର ମହାପାତ୍ର” ନାମ ଟା ଶୁଣି ରୂପା ପୁଣି ଚକିତ ହୋଇ ପଡିଲା। ରୂପା ପଚାରିଲା ଏ ଚାକିରି କେମିତି ପାଇଲୁ, କଣ୍ଢେଇ କହିଲା ମୁଁ ଆକାଶଙ୍କୁ କହିଥିଲି ମୋ ପାଇଁ ଚାକିରି ଟିଏ ଯୋଗାଡ କରିବା ପାଇଁ ବୋଧେ ସେ କରିଥିବେ କାହିଁକି ନା ଦାମୋଦର ସାର୍ ଆକାଶର ବାପା ଙ୍କ ସାଙ୍ଗ।
ରୂପା ଚାକିରି ପାଇଁ ମନା କରିଦେଲା ଏ ସବୁ ଶୁଣି ସାରି ଏ ଥର କଣ୍ଢେଇ କିନ୍ତୁ ଖୁବ୍ ରାଗି ଯାଇଥିଲା କାହିଁକି ସେ ମନା କରୁଛି। ତାକୁ କଣ ସବୁଦିନ ପାଇଁ ଏ ଗରିବ କୁଡିଆ ଘରେ ବନ୍ଦୀ କରି ରଖିବ, କଣ ତାର ଆଶା କି ଆକାଂକ୍ଷା କିଛି ନାହିଁ ନା କଣ? ଏମିତି ଅନେକ କଥା କହି ଦେଇଥିଲା ସେଇଦିନ କଣ୍ଢେଇ ରୂପାକୁ। ରୂପା କଣ ଆଉ କରିବ ବାଧ୍ୟ ହୋଇ କହିଲା,
ମନେ ଅଛି କଣ୍ଢେଇ ଯେଉଁ ଦିନ ମାଆ ଆମର ମୃତ୍ଯୁ ଶେଜରେ ଶୋଇଥିଲା ଆଉ ତୁ କାନ୍ଦି କାନ୍ଦି କାଶିବାକୁ ଲାଗି ଥିଲୁ ଆଉ ମୁଁ ତୋ ପାଇଁ ପାଣି ଆଣିବାକୁ ଯାଇଥିଲି। କଣ୍ଢେଇ କହିଲା, ହଁ ମୋର ମନେ ଅଛି ହେଲେ; ସେ କଥା ଆଉ ଏ କଥାର ସମ୍ପର୍କ କଣ? ଦେଇ??
ରୂପା, “ଅଛି ଅଛି କଣ୍ଢେଇ ଅଛି, ସେଦିନର କଥା ସବୁ ମୋର ଖୁବ ମନେ ଅଛି” ସେଇ ସ୍ଵର ସବୁ ମୋର କାନରେ ବାଜି ଉଠୁଚି”। ମୁଁ ଭାବିଥିଲି ଏ କଥା ତତେ ପରେ କହିବି ହେଲେ ଆଜି ସମୟ ଆସି ଯାଇଚି ତତେ କହିବା ପାଇଁ ଶୁଣେ;
ସାର୍ଟିଫିକେଟ ପାଇଁ ଅନେକ ସମୟ ଲଗିଥିଲା କାନ୍ଦି କାନ୍ଦି ତୋ ଗଳା ଶୁଖିଯାଇଥିଲା, ମୁଁ ପାଣି ଆଣିବା ପାଇଁ ବାହାରକୁ ଆସୁ ଆସୁ କିଛି ଶବ୍ଦ ଶୁଣି ଅଟକି ଗଲି, ଶୁଭିଲା ସେ ଭୁଶୁଡ଼ି ପଡିଥିବା ଅଟ୍ଟାଳିକାର କିଛି ଲୋକ ମାନେ ଧୀରେ ଧୀରେ କଥା ହେଉଛନ୍ତି, ମୁଁ ଜାଣିବାକୁ ପାଇଲି ଏ ସବୁ ପାଇଁ ସେ ଗୁମସ୍ତା ଦାୟି, ସେ ହିଁ ଜାଣି ଜାଣି ଏ କାମ କରିଛି ଯେଉଁଥି ପାଇଁ ଅଟ୍ଟାଳିକା ଭୁଶୁଡ଼ି ଲୋକ ମରିବେ ଆଉ ଅନୁକମ୍ପା ରାଶିକୁ ଚଳୁ କରିବେ। ଏ ସବୁ ପୂର୍ବ ନିର୍ଦ୍ଧାରିତ ସଡଯନ୍ତ୍ର ସେଇ ଗୁମାସ୍ତା ଆଉ ଇଞ୍ଜିନିୟର ରମେଶ ବାବୁଙ୍କର । ସେ ସବୁ ଶୁଣି ଆହୁରି ଚକିତ ହୋଇ ମୋ ପାଦ ତଳୁ ମାଟି ଖସି ଖସି ଗଲା। ଆଉ ଏଇ ଘଟଣାର କିଛି ଦିନ ପରେ ମୁଁ ଶୁଣିବାକୁ ପାଇଲି କେହି ଜଣେ ଏମାନଙ୍କ ଉପରେ ଅଭିଯୋଗ ଦର୍ଜ୍ କରିଛି ହେଲେ ଓକିଲ ଦାମୋଦର ମହାପାତ୍ର ଏ ସମ୍ପର୍କରେ କୋର୍ଟରେ ଲଢ଼ି ଏମାନଙ୍କୁ ଗିରଫ ହେବାରୁ ବଞ୍ଚେଇ ଦେଇ ମଜୁରିଆ ମାନଙ୍କର ଭୁଲ ଦର୍ଶେଇ ନିର୍ଦ୍ଦୋଷରେ ଖଲାସ୍ କରିଦେଲା। ମୁଁ ଏକାକୀ କେମିତି ଏ ଦୋଷୀ ମାନଙ୍କୁ ଦଣ୍ଡ ଦେବି ଏ କଥା ମୋତେ ଅଧିକ ମର୍ମାହତ କରିଥିଲା ଆଉ ମୁଁ ସେଦିନ ଶପଥ ନେଇଥିଲି ତତେ ଓକିଲାତି ପଢ଼େଇ ଓକିଲ କରିବି ଆଉ ଏ ଦୋଷୀ ମାନଙ୍କୁ ଦଣ୍ଡ ଦେବି।
ଏ ସବୁ ଶୁଣି ସାରି କଣ୍ଢେଇ ମିଛ ଭାବି। ରୂପାକୁ ଭୁଲ ବୁଝିଲା ହେଲେ ଏବେ ଯଦି କିଛି କହିବ ତାହାଲେ ଦେଈ ତାକୁ ପୁଣି ଚାକିରି ପାଇଁ ଅନୁମତି ଦେବ ନାହିଁ ତେଣୁ ସେ ମିଛରେ କହିଲା “ଦେଈ ମୁଁ ତତେ କଥା ଦେଉଛି ମୁଁ ଇଞ୍ଜିନିୟର ରମେଶ ବାବୁ ଆଉ ଓକିଲ ଦାମୋଦର ମହାପାତ୍ରଙ୍କୁ ନିଶ୍ଚୟ ଦଣ୍ଡ ଦେବି ହେଲେ ମୁଁ ବର୍ତ୍ତମାନ ଦାମୋଦର ପାଖରେ ଚାକିରୀ କରିବି ଆଉ ସବୁ ପ୍ରମାଣ ଏକାଠି କରି ତାଙ୍କୁ ଦଣ୍ଡ ଦେବି”। ଏ କଥା ଶୁଣି ରୂପାର ମନ ଅନ୍ୟନ୍ତ ଆନନ୍ଦମୟ ହୋଇ ଉଠିଲା ଆଉ କଣ୍ଢେଇ କଥାରେ ତାକୁ ଚାକିରି କରିବା ପାଇଁ ଅନୁମତି ଦେଇ ଦେଲା। କିଛି ଦିନ ପରେ ପୁଣି ଏକ ଚିଠି ପାଇ କଣ୍ଢେଇ ବାହାରି ପଡିଲା କଟକ ସହରକୁ।
ମାସ ମାସ ବିତି ଗଲା, ପ୍ରତି ମାସରେ କଣ୍ଢେଇ ପଠାଉ ଥିବା ଟଙ୍କାରେ କିଛି କିଛି ସଞ୍ଚି ରୂପା କଣ୍ଢେଇ ପାଇଁ ଘର ଟିଏ ତୋଳିବାକୁ ଲଗିଲା। ସେ ଏବେ ଚାକିରି କରୁଛି ସେ ଯେବେ ଦୋଷୀ ମାନଙ୍କୁ ଦଣ୍ଡ ଦେଇ ଆସିବ ତାକୁ ଏ ଘରକୁ ମୁଁ ଉପହାର ଦେବି। ମୁଁ ସିନା ବଞ୍ଚି ଗଲି ଏ କୁଡିଆ ଘରେ ହେଲେ ମୋ କଣ୍ଢେଇ କୁ ନୂଆ କରି ଘର ତୋଳି ଦେବ। ଆଉ କରିଛି ବି ସେ, ଅତି ଆଧୁନିକ ଢଙ୍ଗରେ ନ ହେଲା ନାହିଁ ହେଲେ ଗଢି ତୋଳିଛି ସେ ଘର ଟିଏ। ଦୁଇ ବର୍ଷ ପରେ କଣ୍ଢେଇ ଫେରେ ପୁଣି ରୂପାର ଅନୁରୋଧରେ। ଏତେ ବର୍ଷ ହେବ ସେ ଦେଖିନି ତା କଣ୍ଢେଇକୁ। କଣ୍ଢେଇ କିନ୍ତୁ କହେ ଗୋଟେ ଦିନ ପାଇଁ ଆସିବି ଆଉ ସେ ଆସିଲା। ଦିନ ଟା କେମିତି ବିତିଗଲା ଜଣା ପଡିଲା ନାହିଁ ଆର ଦିନ କଣ୍ଢେଇ ପୁଣି ଫେରିଯିବ କଟକ ସହରକୁ। ଫେରି ଗଲା ବେଳେ ରୂପା ପଚାରେ କଣ୍ଢେଇ ପ୍ରମାଣ ଯୋଗାଡ କେତେ ଦୂର ଗଲା। ରୂପାର ମନ ରଖିବା ପାଇଁ କଣ୍ଢେଇ କହିଲା ଆଉ କିଛି ଦିନ ଦେଈ ତା ପରେ ଦେଖିବୁ ମୁଁ କେମିତି ତାଙ୍କୁ ଦଣ୍ଡ ଦେଉଛି। ଏତିକି କହି ଚାଲିଗଲା କଣ୍ଢେଇ।
ଦଶ ଦିନ ପରେ କଣ୍ଢେଇର ଚିଠିର ଅପେକ୍ଷାରେ ଓ ତା ଶପଥ ପୂର୍ଣ୍ଣ ହେବ ବୋଲି ଏକ ତୃପ୍ତିମୟ ଆନନ୍ଦିତ ହୋଇ ବସି ରହିଥିଲା ଆଉ ଭାବୁଥିଲା ସେଦିନର ସେ କଥା ଯେଉଁ ଦିନ କଣ୍ଢେଇ ପ୍ରଥମ କରି ଆସିଥିଲା ତା ଘରକୁ। ଆଉ ତା ବାପି କହିଥିଲେ ଏ ନେ ତୋ କଣ୍ଢେଇ ଆଉ ତାର ସବୁ ଦାୟିତ୍ଵ କୁ ତୁଲାଇବା ପାଇଁ କହିଥିଲା। ପୁଣି ସନିଆ ମରିବା, ମାଆ କୁନ୍ତୀର ଦୁର୍ଘଟଣା, ଓକିଲ, ଇଞ୍ଜିନିୟର ଓ ଗୁମାସ୍ତା ଏ ସବୁ ଏମିତି ଭାବୁ ଭାବୁ କେତେବେଳେ ଆଖି ଲାଖି ଯାଇଥିଲା ସେ ଜାଣି ପାରି ନଥିଲା ।କଲିଂ ବେଲ୍ ବାଜିବାରୁ ହଠାତ୍ ଚମକି ଉଠି ପଡ଼ିଲା। କାବଟ ଖୋଲି ଲା ବେଳକୁ କେହି ଜଣେ ଲୋକ ତା ନାଁର ଚିଠି ଟିଏ ଧରି ଠିଆ ହୋଇଛି। ଚିଠିଟି କଣ୍ଢେଇ ପଠାଇଛି ଆଉ ଯାହା ଲେଖା ଥିଲା ପଢି ରୂପା ଆଉ ଧର୍ଯ୍ୟ ଧରି ରହିନଥିଲା। ତାର ଶପଥ ପାଣି ଫୋଟକା ପରି କ୍ଷଣକରେ ମିଳେଇ ଗଲା। ଲେଖାଥିଲା,
ପ୍ରିୟର ଦେଈ,
ମୋତେ କ୍ଷମା କରିଦେବୁ, ମୁଁ ଆକାଶକୁ ବାହା ହୋଇ ସାରିଛି। ମୁଁ ଜାଣିଥିଲି ତତେ କହିଲେ ତୁ କେବେ ବି ମୋ ବାହାଘର ତୁ ଆକାଶଙ୍କ ସହ କରେଇ ଦେବୁ ନାହିଁ ତେଣୁ ତତେ ନ ଜଣାଇ ବାହା ହୋଇଗଲି। ଆଉ ମୁଁ ବି ରାଗି ଯାଇଥିଲି ତୁ ମୋତେ ଆକାଶଙ୍କ ବାପା ଓ ଦାମୋଦର ସାର୍ ଙ୍କ ବିଷୟରେ ଭୁଲ କହିଥିଲୁ। ତୁ ତୋ ସ୍ଵାର୍ଥ ପାଇଁ ମୋ ଖୁସି କୁ ବି ବଳି ଦେବାରେ ଲାଗି ଥିଲୁ। ସତରେ ତୋ ଉପରେ ମୋର ଘୃଣା ଆସୁଛି, ମୋତେ ଲାଗୁଛି ତୁ ମୋତେ କେବେ ଭଲ ହିଁ ପାଇ ନଥିଲୁ। ଆଉ ହଁ ମୋତେ ଅପେକ୍ଷା କରିବୁ ନାହିଁ ମୁଁ ଆଉ କେବେ ବି ତୋ ପାଖକୁ ଫେରିବି ନାହିଁ।
(ଇତି)
କଣ୍ଢେଇ.
ଏ ଚିଠି, ରୂପା ପାଇଁ ଚିଠି ନଥିଲା, ଥିଲା ଫାଶି ଦଉଡ଼ି। ଆଉ କଣ୍ଢେଇ ତାକୁ ଫାଶି ଦେଇଗଲା ଏ ଚିଠି ଦେଇ। ସତରେ ଭଲପାଇବାର ଏ ପ୍ରତିଦାନ ମିଳେ। ଯାହା ପାଇଁ ସବୁକିଛି ତ୍ୟାଗ କରିଥିଲା ରୂପା ଆଉ ତା ବାପା ମା ସେ ସବୁକୁ ସ୍ଵାର୍ଥ ବୋଲି ମାନି ନେଲା କେମିତି କଣ୍ଢେଇ। ବ୍ଯସ୍ତ ବିବ୍ରତ ହୋଇ, ଅଧର୍ଯ୍ୟ ହୋଇ ତା ମୁଣ୍ଡ ବୁଲେଇ ଦେଲା ଆଉ ସେ ତଳେ ପଡି ଚେତା ଶୂନ୍ୟ ହୋଇଗଲା। ଏବେ ଆଉ କେହି ବି ସାହାରା ନାହାନ୍ତି ରୂପାର। ସେ ସେଇ ଅବସ୍ତାରେ ସବୁଦିନ ପାଇଁ ଚାଲିଗଲା ଏ ଦୁନିଆ ଛାଡି। କିଛି ଦିନ ପରେ ଘରୁ ପଚା ଦୁର୍ଗନ୍ଧ ବାହାରିବା ପରେ ପଡ଼ିଶା ଘର ଭାଇ କାବଟ ଭାଙ୍ଗି ଦେଖିଲେ ରୂପା ଆଉ ନାହିଁ। ଜଣାଇବ କାହାକୁ କଣ୍ଢେଇ ତ ଦୂରରେ ଚିଠି ପାଇ ଆସିଲା ବେଳକୁ ଏ ମର ଶରୀରର ଅବସ୍ଥା କଣ ହେବ ଭାବି ସେଇ ଭାଇ ରୁପାର ଶବ ସତ୍କାର କରି ଦେଲେ।
ଶବ ସତ୍କାର କରି ଆସି ଭାଇ କଣ୍ଢେଇର ଠିକଣା ଖୋଜିବା ପାଇଁ ଘର ସାରା ଖୋଜୁ ଖୋଜୁ କଣ୍ଢେଇର ଚିଠି ପାଇଥିଲେ ଆଉ ସେ ଚିଠି ପଢି ମର୍ମାହତ ହେବା ଛଡା ଆଉ କିଛି ଅନ୍ୟ ଉପାୟ ବି ନଥିଲା। ସେ ଏକା ଜାଣିଥିଲେ କଣ୍ଢେଇର ପ୍ରକୃତ ପରିଚୟ। ଆଉ ତାହା କହି କଣ୍ଢେଇର ଜୀବନକୁ ଧୂଳିସାତ୍ କରିବା ପାଇଁ ଚାହିଁଲେ ନାହିଁ ବାସ୍ ଠିକଣା ପାଇ ରୂପାର ମୃତ୍ୟୁ ଖବର ଦେଇ ଦେଇଥିଲେ।