-:ଫଗୁଣ ଆସିଛି:-

ଫଗୁଣ ଆସିଛି!
ବକୁଳ ର ହିଲ୍ଲୋଳ ରେ ଆମ୍ର ତରୁ କଲ୍ଲୋଳିତ,
କୋକିଳ ର ମଧୁ ଛନ୍ଦ ରେ ଚତୁର୍ଦ୍ଦିଗ ମୁଖରିତ;
ପଳାସ ର ନବ କୁଞ୍ଜରେ ରାଜରାସ୍ତା ସୁଶୋଭିତ,
ବାଦଲ ମାନଙ୍କ ରୋଷଣୀ ରେ ରୂପେଲି ଚାନ୍ଦୁଆ ପିନ୍ଧି ସୁନୀଳ ଅମ୍ୱର ଆଚ୍ଛାଦିତ।।

ଫଗୁଣ ଆସିଛି!
ପୂର୍ବ ପରି ତୁମ ପ୍ରେମ ରୂପି ଫଗୁ ରେ ମୋତେ ରଙ୍ଗୀନ ପ୍ରଜାପତି ସଜେଇ ବାକୁ,
ପୂର୍ବ ପରି ତୁମ ପ୍ରଣୟ ବିଭାବରୀ ର ମୋତେ ଅଭିସାରିକା କରି ମହକାଇ ବାକୁ;
ତୁମ ପ୍ରେମମୟ ମହୋଦଧି ରେ ମୋତେ ଦିଶାହୀନ ତରଣୀ ଟିଏ କରିବାକୁ,
ଅବା ତୁମ ପ୍ରୀତି ସରୋବର ରେ ମୋତେ କୁମୁଦିନୀ କରି ଜହ୍ନ କୈନ୍ଦ୍ରିକ କରିବାକୁ।।

ଫଗୁଣ ଆସିଛି!
ତୁମ ପ୍ରେମ ସୁଧାମୃତ ରେ ମୋତେ ଚିର ଅବଗାହନ କରେଇବା କୁ,
କାମ ରୂପି ଇନ୍ଦ୍ରଧନୁ ର ରଙ୍ଗୀନ ପୁଷ୍ପମାଲ୍ୟ ମୋତେ ଅର୍ପିବାକୁ;
ମୃଦୁ ମଳୟ ର ହିଲ୍ଲୋଳେ ମୋତେ ଆବୋରି ନେବାକୁ,
ତୁମ ପ୍ରେମ ପୂର୍ଣ୍ଣ ନଦୀପଠା ରେ କ୍ଷୁଦ୍ର ବାଲୁକା ରେଣୁବାଳା ସାଜି ଦେବାକୁ।।

ଫଗୁଣ ଆସିଛି!
ତୁମ ସ୍ମୃତି ର ମଧୁଶାଳା ରେ ମୋ ପାଇଁ କେଳି ଦୀପ ଟିଏ ଜାଳିବାକୁ,
ତୁମ ଅଧର ର ଉସ୍ମ ସ୍ପର୍ଶ କୁ ଅନୁଭବ କରେଇ ବାରମ୍ବାର ମୁଁ ଯେ ତୁମର ବୋଲାଇ ବାକୁ,
ତୁମ ନିବିଡ଼ ବାହୁ ବନ୍ଧନର କାରାଗାରରେ ମୋତେ ପ୍ରେମ ବନ୍ଦିନୀ ସଜେଇ ବାକୁ;
ତୁମ ଆଉ ମୋ ମଧ୍ୟର ସମସ୍ତ ଦୂରତ୍ବ ହ୍ରାସ କରି ଆମକୁ ନିର୍ବିକାର କରିବାକୁ।।

ଫଗୁଣ ଆସିଛି!
କିନ୍ତୁ ଏକା କରି ଯିବାକୁ ତା ଦରଦୀ ପ୍ରିୟାତମା କୁ ଅମାବାସ୍ୟା ର ସେ ଶୂନ୍ୟ ଅମ୍ୱର ପରି,
ନିଦାଘ ର ସ୍ପର୍ଶରେ ଆତୁରା ଶୁଷ୍କ ନଦୀ ପଠା ପରି;
ବଚନ ବଦ୍ଧ ହୋଇ ତୁମ ନିରୁତ୍ତର ପ୍ରାଣ ସଂଜୀବନୀ ପରି,
ଅବା ଚାତକ ର ସୀମା ହୀନ ବର୍ଦ୍ଧିତ ଅପେକ୍ଷା ପରି।।

ଫଗୁଣ ଆସିଛି!
ତୁମେ ପାଶେ ଥାଇ ମଧ୍ୟ ମୁଁ ଆଜି ନିର୍ବାସିତା,
ନବ ପଲ୍ଲବ ମୋର ନିହାର ସଦୃଶ ମୁକ୍ତା ପରି ଦୃଶ୍ୟମାନ ହେଲେ ମଧ୍ୟ ମୁଁ ଆଜି ଶୁଷ୍କା;
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଅନ୍ୟତମା ହୋଇ ମଧ୍ୟ ମୁଁ ଆଜି କୋଣାର୍କ ପରି ଅବହେଳିତା,
ତୁମେ ପାଖେ ଥାଇ ମଧ୍ୟ ଆମ ପ୍ରେମାର୍କ ଆଜି ଲାଞ୍ଚିତା;
କୁହତ! ଏହା କ’ଣ ବିଧିର ବିଡମ୍ବନା ଅବା ତୁମ ପାଗେଳୀ ପ୍ରିୟା ର ଉନ୍ମାଦତା??

Leave a Comment

Your email address will not be published. Required fields are marked *