ବର୍ଷା

ଆହା ସେ ବିଟପୀ ପ୍ରିୟ ସମୀରଣ ଏଡ଼େ ନିଦାରୁଣ
କଥା ଛଳେ ଛନ୍ଦି ଦେଲା ପ୍ରୀତି ଇନ୍ଦ୍ରଜାଲ
କେ’ ଜାଣିଛି ଚତୁରତା କାହା ଲାଗି ତା’ର ଏ ଭିଆଣ
ପ୍ରେମ ସ୍ପର୍ଶ ପାଇବାକୁ ଖେଳ କରେ, କହିବା ବାହୁଲ୍ୟ..!

ଆକାଶ ରେ ବୁଲିବାକୁ ଡ଼ାକି ନେଇ ଛାଡ଼ିଲା କି ହାତ
ବାଟବଣା ଜଳକଣା କାନ୍ଦେ ଦେଖ ଗୁମୁରି ଗୁମୁରି
ଆପଣାର କୋଳ ବୋଲି ଡ଼ାକେ ସିନା ମାଟିର ପଣତ
ତୈୟାର ବସିଛି ସଦା ଲୁହ ଲହୁ ନେବାକୁ ଆବୋରି..!

ଅଭିମାନୀ ପ୍ରିୟା ପରି ବାରିଧାରା କାଚିଦିଅ ପାଦ
ରାଗ ଋଷା ପ୍ରେମ ଲାଗୁ ନାନା ବାଦ୍ୟ ଘୁଙ୍ଗୁର ଶବଦ
ବିରହ ବୈଶାଖ ଜ୍ୱ।ଳା ଭୋଗିଛି ଯା’ ପ୍ରେମିକ ର ହୃଦ
ଲେଉଟାଣି ପର୍ବ ଦେଖି ଆକାଶ ରେ ନାଚୁ ପୁଣି ବିଦ୍ୟୁତ୍ ଜଳଦ..!

କେ’ କହନ୍ତି ବର୍ଷା ଏକ ମଧୁମୟ ପ୍ରଣୟ ଝଙ୍କାର
ମୋତେ ଲାଗେ ନିଆଁ ନର୍କ ଫେଣ୍ଟା ଫେଣ୍ଟି ମୁକତିର ଦ୍ଵାର..!!

Leave a Comment

Your email address will not be published. Required fields are marked *