ବର୍ଷାକୁ ଭଲ ପାଉଥିବା ଝିଅ

ଆସିଗଲ ତୁମେ!
ହଁ ଆସିବା ଟା ଯେ ନିର୍ଦ୍ଧାରିତ;
ବାସ୍ !ଏବେ ଖାଲି ସିକ୍ତ କର,
ତୁମ ପ୍ରେମ ସଂଞ୍ଜୀବନି ସିଞ୍ଚି,
ମୁଁ ଯେ ବିବର୍ଣ୍ଣ,ବିଷର୍ଣ୍ଣ ତନୁ ଟିକୁ
ସଞ୍ଚୟ କରି ରଖିଛି, ତୁମ ପାଇଁ!
ହଁ କେବଳ ତୁମ ପାଇଁ;
ତୁମର ସେ ମାଦକ ଭରା ସ୍ପର୍ଶ ଟିକକ ପାଇଁ,
ଚାତକ ଟିଏ ସାଜି ସମୟ କୁ ମୋର
ତୁମ ଅଧିକାର ରେ ଛାଡି ଦେଇଛି।।

କ’ଣ ଭାବୁଛ?ଏ ଉନ୍ମାଦିନୀ କିଏ?
କାହିଁକି ୟାର ବାଚାଳାମୀ;
ମୁଁ! ମୁଁ ଯେ ସେଇ ପଲ୍ଲୀ ବାଳା ଟିଏ,
ଚପଳା ହରିଣୀ, ଚଞ୍ଚଳା ନିର୍ଝରଣୀ;
ତୁମକୁ ଭଲ ପାଇ ପ୍ରେମ ସୁରେ,
କୁଳୁକୁଳୁ ହୋଇ ବହୁଥିବା ଏକ ଆହ୍ଲାଦିନୀ ତଟିନୀ!
ତୁମ ପ୍ରେମ ଶ୍ରାବଣରେ ଅବଗାହନ କରିବାକୁ,
ଅଶ୍ରୁ ସିକ୍ତ ନୟନେ ଚାହିଁ ରହିଥିବା ଶ୍ରାବଣୀ!
ଚିର ଇପ୍ସିତ ସେଇ ତୁମ ହୃଦୟ ଅମ୍ୱରେ,
ବିଚରଣ କରିବାକୁ ଚାହୁଁଥିବା ଯାମିନୀ;
ତୁମ ପରିପ୍ଲୁତ ସର୍ବରୀ ର ମୁଁ ଯେ ଅଭିସାରିକା,
ତୁମେ ଅସରନ୍ତି ପ୍ରେମ କାବ୍ୟ ହେଲେ ମୁଁ ଯେ ତୁମ ନୀରବ ପାଠିକା;
ମୋ ଗଳ୍ପର ନାୟକ ତୁମେ, ମୁଁ ଯେ ତୁମ ନାୟିକା।।

ଜାଣିଛି ମୁଁ!
ତୁମେ ବି ମୋତେ ସେତିକି ସ୍ନେହ କର,
ସେଥିପାଇଁ ତ ଆସିଲା ବେଳେ ମୋ ପାଇଁ,
ଧରି ଆସିଛ, ଶ୍ରାବଣ ରେ ମେଘ ମହ୍ଲାର!
ଘନ କୃଷ୍ଣ କବରୀ ରେ ଖୋଷିବା ପାଇଁ ବାଇଗଣୀ ରାଧାତମାଳ;
ତୁମ ଉତ୍ସର୍ଗୀକୃତ ତନୁ ପାଇଁ ସବୁଜ ରଙ୍ଗର ଶାଢ଼ୀ,
ଆଉ ଗଳାରେ! ସାତ ରଙ୍ଗରେ ରଙ୍ଗାୟିତ ସେ ଇନ୍ଦ୍ରଧନୁ;
ଜଣେ ପ୍ରେମିକା ତା’ ପ୍ରେମିକ ଠାରୁ ଆଉ କ’ଣ ଚାହେଁ?
ଏଇତ ସମ୍ୱଳ ତା’ର;
ସଜେଇବି ନିଜକୁ ମୁଁ, ହଁ ନିଶ୍ଚୟ ସଜେଇ ବି;
କାହା କଥାରେ ମୋର ନିଘା ନାହିଁ,
ତୁମେ ଅଛ ବୋଲି, ତୁମ ପ୍ରେମ ଅଛି ବୋଲି;
ପାହାଡ଼ ର ଶିରୋଦେଶେ ଆଜି ତୁମ ମୟୂରୀ ନାଚିବ,
ହଁ! ତୁମରି ପ୍ରେମର ନୂପୁର ମୋ ପାଦରେ ଯେ ବାନ୍ଧିଛି।।

କଥା ଦିଅ!
ଏମିତି ମୋତେ ତୁମ ପ୍ରେମ ରଜ୍ଜୁ ରେ ବାନ୍ଧି ରଖିଥିବ,
ଖୁବ୍ ଶକ୍ତ କରି,
ତୁମ ପ୍ରେମ ଆଶ୍ଲେଷ ଦେଇ,
ତୁମ ପ୍ରେମ ହିଲ୍ଲୋଳ ରେ
ମୋର ଲୋମ ଅନୁଲୋମ
ପରିପୂର୍ଣ୍ଣ କରି,
ମୋ ପ୍ରତିଟି ରଚନାର କେନ୍ଦ୍ରବିନ୍ଦୁ ସାଜିବ;
ମୋ ଅଧାଗଢା କବିତା କୁ
ପୂର୍ଣ୍ଣାଙ୍ଗ ଉପନ୍ୟାସ ଟେ କରିବ।।

ଇଚ୍ଛା ମୋର!
ଶ୍ରାବଣ ଆକାଶ ପରି ସୁଦୂର ପ୍ରସାରି,
ତୁମେ କିନ୍ତୁ!
ମୋ ରିକ୍ତ ପ୍ରାଣ କୁ ସିକ୍ତ କର
ବିନ୍ଦୁ ବିନ୍ଦୁ ହେଇ ଝରି।।

Leave a Comment

Your email address will not be published. Required fields are marked *