ବାପା

ଅଧରାତିଆ ଗାଁ କାଳୀ ମୁଣ୍ତରେ ମୁଣ୍ଡିଆ ମାରି ଭାରତ ପକ୍ଷର ଜିତ୍‌ ପାଇଁ ଶୁଭ କାମନାର ଲାଳସା ମୁଁ ବାପାଙ୍କ ଠୁ ଶିଖିଛି ! ଚାଲିଥିବ ଚଉକା ଛକା ଏପଟେ ହାତ ତାଳିର ଗର୍ଜନ ! ଜିଦ୍ ଯେମିତି ଦୃଢ଼ ବିଶ୍ୱାସ ସେମିତି ! ପରିବାରଠୁ ସମାଜ ସମାଜଠୁ ଦେଶ ଯେମିତି ଟେକ ଥାଉ ସର୍ବଦା ! ସଭିଏ କହନ୍ତି ମୁରୁଖ ପଣ୍ଡିତ ! ପାଠ ନ ପଢି ଜ୍ଞାନର ଭଣ୍ଡାର !ସକାଳେ ସୁରୁଜ ଉଇଁବ ସାଗରର ଘୁ ଘୁ ଗର୍ଜନ ସାଥେ ସମୁଦ୍ରର ଚାରି କୋଶ ଦୂରେ ! ମାଳ ମାଳ ବିହଙ୍ଗ ଉଡ଼ି ଯାଉଥିବ ମୁଣ୍ଡ ଉପର ଦେଇ ! ବିଛାଇ ଦେଇଥିବେ ଜାଲ ଖଣ୍ତକ ଛଅ ପୁଅ, ସ୍ତ୍ରୀ, ଖୁଡ଼ୀଙ୍କ ପେଟ ପାଇଁ ! ପିନ୍ଧିବେନି ଖଣ୍ଡେ ନୂଆ ! ସମସ୍ତଙ୍କ ପାଇଁ ନୂଆ କିଣୁ କିଣୁ ନିଅଣ୍ଟ ପଡ଼ିବ ଟଙ୍କା ନିଜ ପାଇଁ ! ବୋଉ ପଚାରିଲେ କହିବେ ଧିରେ କହ ଶାନ୍ତି, ପିଲେ ଶୁଣିବେ ! ମୋ’ର କ’ଣ ?? ସେହିମାନଙ୍କ ସପନ ପାଇଁ ତ ମୋ ଜୀବନ ! ଏଇ ପୁରୁଣା ଧୋତି ଖଣ୍ଡକରେ ଆଉ ଦୁଇମାସ ଚଳେଇ ଦେବିନି କି ??ତୁ ଘରର ଲକ୍ଷ୍ମୀ ତୁ ନୂଆ ଖଣ୍ଡେ ପିନ୍ଧ ! ମୋ କଥା ଚିନ୍ତା କର୍ ନା !ମୁଁ ତ ମୁଲିଆ ଲୋକ !ସମୁଦ୍ରର ଲୁଣିଆ ପାଣି ପବନ ଖାଇ ଦେହଟି ବଜ୍ର ପାଲଟିଛି ପିନ୍ଧିଲେ ହେଲା ନ ପିନ୍ଧିଲେ ନାହିଁ ! କିଏ ଦେଖିବାକୁ ଅଛି କିଏ କହିବାକୁ ! ଦୁଇ ପଇସା ହାତକୁ ଆସୁ ତା’ ପରେ ମୋ’ ର ଚିନ୍ତା ! ଅଶେଷ ଗୁଣର ଅଧିକାରୀ ବାପା ! ସ୍କୁଲ୍ ନଯାଇ ଚାରି ଚାରିଟା ଭାଷା ଜଣା ! ମାଟିରେ ଗାରେଇ ଚଳେଇ ନେଉଥିଲେ ପାଠ ! କେଉଁ କାମକୁ ଅଜଣା ଯେ ! ଆମେ ଏବେ ପାଠ ପଢ଼ୁଆ ପୁଅ ମାନେ ବଡ଼ ବଡ଼ ବିଶ୍ଵ ବିଦ୍ୟାଳୟରେ ପାଠ ପଢ଼ି ଶିକ୍ଷିତ ହେଲେ କିନ୍ତୁ ଯୋଗ୍ୟତା ଶୂନ୍ୟ ! ସେ ମାନପତ୍ର ରେ କ’ଣ ଅଛି ! ଦେଖି ଚାହିଁ ଅଙ୍ଗେ ନିଭେଇ ଯାହା ଶିଖିଥିବୁ ସେହି ତ ଅସଲି ହୀରା ଖଣ୍ତକ !
ବାପା କହୁଥାନ୍ତି,କର୍ମଯୋଗୀ ହୁଅ ପାଠ ତ ପାଠ ସବୁ ଜ୍ଞାନ ଆପେ ଆପେ ଆସିବେ ! ସୁରୁଜର ପ୍ରଥମ ଶୀତଳ କିରଣ ଦେହରେ ନେଇ ଡେଇଁ ପଡ଼ କର୍ମକୁ ସଫଳତା ନିଜେ ପାଦ ଛୁଇଁବ ! ଗୁରୁଜନେ କରି ଭକତି ,ଶକତି ଭରିଦିଅ ଅଣ୍ଟାରେ କେଉଁ କାମଟା ଅଟକ କି ?? ରାମାୟଣ ମହାଭାରତ କେତେ ବର୍ଷ ବିତିଲାଣି ଆଜି ବି ଅମର, ଯୁଗ ଯୁଗକୁ ଅମର ! ଆମର ଉତ୍ସୁକତା ବଢ଼େଇବା ପାଇଁ ବାପା କହୁଥାନ୍ତି, ଚାରିବେଦ ଚାରି ଯୁଗ ଚାରିପୁତ୍ର ଆହାଃ କି ଖେଳ ଦେଖ ଦଇବଙ୍କ, ନିଜେ ହର୍ତା କର୍ତ୍ତା ବିଧାତା ନିଜେ ପୁଣି ବାନପ୍ରସ୍ଥି ଜୀବନ ! ଶିଖେଇଲେ ଜଗତକୁ ଆଖି ଖୋଲିଦେଲେ ସମସ୍ତଙ୍କର ! କି ଧନୀ କି ମାନୀ କି ରାଜା କି ରଙ୍କ ସଭିଙ୍କ ପାଇଁ କର୍ତ୍ତବ୍ୟ ହିଁ ସର୍ବୋପରି ! ଆଉ ଆଜି ଏ ସବୁ ବିରଳ !
ଆମେ ବଲ ବଲ ଅନେଇଥାଉ ! ସନ୍ଧ୍ୟା ଭାଗବତ ଟୁଙ୍ଗୀରେ ମୂଖ୍ୟ ଗାୟକ ! ଗୀତା ଭାଗବତ ଶୁଣି ଶୁଣି ମସ୍ତିଷ୍କରେ ଭରା ! ଦାଶ କାଠିଆରେ ଏମିତି ସ୍ୱର ଯୋଡ଼ି ଦେବେ ଯେ ଦେଖଣା ହାରୀ ହାଁ କରି ଅନେଇଥିବେ ! ବାପା ବି ମସ୍‌ଗୁଲ୍ ଶ୍ରୋତା ବି ମସଗୁଲ ସ୍କୁଲ୍‌ ନାହିଁ କଲେଜ ନାହିଁ ଆଧୁନିକ ସାଧନ ନାହିଁ କିନ୍ତୁ ଜ୍ଞାନ ଅଶେଷ !
ଶାସନ କଡ଼ା, ରୁକ୍ଷ ଭାଷା ତଳେ ସରଳତା ତରଳତାର ମଧୁ ବରଷୁଥିବ ବାପାଙ୍କର ! ସେତେ ବେଳେ ମୁଁ ଛୋଟ ହୋଇଥାଏ କିଛି ମନେ ଅଛି କିଛି ପାଶୋରି ଯାଇଛି !ଏବେ ବୋଉ କହନ୍ତି ବାପା ତୋର ହଠ ରାଗୀ କଥା କଥା କେ ରାଗ ! ଠିକ୍ ସମୟରେ ସବୁ କାମ ତାଙ୍କର ଦରକାର ! ଟିକିଏ ଏପଟ ସେପଟ ହେଲେ ମହାଭାରତ ! ଯେତିକି ରାଗ ସେତିକି ଶାନ୍ତ ! ସାହିଟା ଯାକର ପ୍ରିୟ ମଣିଷ ଟିଏ ! ସାନ ବଡ଼ ଧନୀ ଗରିବ କାହାରି ପାଖରେ ବାଛ ବିଚାର ନାହିଁ ! ସାହି ଟା ସାରା ବୁଲି ଆସିବେ ! ମଜାଳିଆ ଢଙ୍ଗରେ ସମସ୍ତଙ୍କୁ ହସି ହସଉଥିବେ ! ସାରାଦିନ ବିଲରେ ଖଟି ମୁହଁ ଶୁଖିବନି ପରନ୍ତୁ ଅଧିକ ଚମକୁ ଥିବ ! ସୁରୁଜର ତାତିରେ ପୁଅ ମାନଙ୍କ ସପନ ଝଲସି ଉଠିବ ! ଝିଅ ଖୋଜୁ ଖୋଜୁ ଛଅ ପୁଅ ! କହନ୍ତି ଝିଅ ନ ଥିବା ଘର କଣ ଘର ! ଶେଷକୁ ଝିଅଟିଏର ଜନମ ! ଝିଅ ନୁହେଁ ତ ଯେମିତି ଜୀବନ ତାଙ୍କର ! ଯେତେ ବେଳେ ମୁଁ ପ୍ରଥମେ ବୋହୁ ହୋଇ ଏ ଘରକୁ ଆସିଲି ତୋ ବାପା ଆଉ କକା ଦୁଇଜଣ ! ଶଶୁରଙ୍କ ଦୁଇ ପତ୍ନୀଙ୍କ ମୃତ୍ୟୁ ପରେ ଷାହାଡା ବୃକ୍ଷ ସହିତ ବିବାହ କରି ମୋ ବଡ଼ ଶାଶୁଙ୍କୁ ବିବାହ କଲେ ! ବଡ଼ ଶାଶୁଙ୍କଠୁ ଏକ ସନ୍ତାନ ଜନ୍ମିଲା ଯେ ସେ ବି ମନ୍ଦ ବୁଦ୍ଧି ସମ୍ପର୍ଣ୍ଣ ! ତା’ପରେ ବଡ଼ ଶାଶୁଙ୍କ ମୃତ୍ୟୁ ପରେ ପୁଣି ଚତୁର୍ଥ ପତ୍ନୀଙ୍କ ଗର୍ଭରୁ ତୋ କକା ତୋ ବାପା ଜନ୍ମ ନେଲେ ! ଯାହା ହେଉ କୂଳକୁ ଦୁଇ ଦୀପ ଦାନ କରି ଶାଶୁ ମା’ ଇଶ୍ଵରଙ୍କ ଭଜନ କୀର୍ତ୍ତନରେ ଲିପ୍ତ ହେଲେ ! ଏଣୁ କକା କଲିକତାରେ କଣ ଏମିତି ଛୋଟ ମୋଟ ଚାକିରୀଟିଏ କଲେ ଯାହା ରୋଜଗାର କଲେ ନିଜପାଇଁ ନିଅଣ୍ଟ ! ପରବର୍ତ୍ତୀ ସମୟରେ ପରିବାରର ସମସ୍ତଙ୍କ ସହାୟତା କ୍ରମେ ତୋ କକାର ବିବାହ ହେଲା ! ନୂଆ ଖୁଡୀ ଘରକୁ ଆସିଲେ ! ଘରେ ଆନନ୍ଦ କଳରବ ଦଇବ ଙ୍କୁ ଅସୁହା ହେଲା ! ଦୁଇ ବରଷରେ ହାଣ୍ଡି ହେଲା ଅଲଗା ! ସଭିଏ ଲାଞ୍ଛନା ଦେଲେ ନୂଆଁ ବୋହୁଟା ଉପରେ ହେଲେ ମୁଁ ଜାଣିଥିଲି ଏ ସବୁ କାହାର କାମ ! କାନଭରା ଲୋକଙ୍କ କି କମ୍ ଅଭାବ ! କଥା ଅଛପା ରହିଲାନି ପଦାକୁ ବାହାରିଲା ସମୟରେ ! ହେଲେ ସେତେବେଳକୁ ଆଉ କଣ ବାକି ଥିଲା ହାଣ୍ଡି ସହିତ ହୃଦୟ ବି ଭାଙ୍ଗିଲା ! ଭାଇ ସାଜିଲା ଭଗାରୀ ! ବୁଝିଲୁ ରେ ସୁବଳ ତୋ ଭାଉଜର ଚାରି ପୁଅ ତୋର ତ ଗୋଟିଏ ଯାହା ଆୟ କରୁଥିବୁ ସବୁ ତ ସେହି ମାନଙ୍କ ପେଟ ପୋଖରୀକୁ ଯିବ ତୋର କଣ ହେବ ?? ଭବିଷ୍ୟତ ଚିନ୍ତା କରିଛୁ ?? କୂଟ ମନ୍ତ୍ରଣାର ଜାଲ ରେ ଛନ୍ଦି ହୋଇ ତୋ କକା ହାତ ଛାଡ଼ିଲା ତୋ ବାପାର ! ଘରକୁ ବାନ୍ଧି ରଖିବା ପାଇଁ ରାମାୟଣର ରଘୁ କୂଳ ନନ୍ଦନଙ୍କ ତ୍ୟାଗ ହୃଦୟକୁ ଛୁଇଁଲାନି ! ମୁରୁଖ ମୁଣ୍ଡରେ ଏତିକି କଥା ପଶିଲାନି ଯିଏ ଜନମ ନେଇଛି କରମ ବି ସିଏ ସାଥିରେ ନେଇ ଆସିଛି ! ପେଟ ନେଇ ଆସିଛି ଖାଦ୍ୟ ବି ସାଥିରେ ନେଇ ଆସିଛି ! ଆଜି ପାଟି ଫୁଟି ନଥିବା ବାଳୁତ କାଲି ଯେ ବିଶ୍ୱ ବିଜୟୀ ହେବ ଏକଥା ଇତିହାସ ସାକ୍ଷୀ !
ଛଅ ପୁଅର ବାର ବାହୁର ବଳ ଦିନେ ସଂସାରକୁ ସୁଖ ସମୃଦ୍ଧିରେ ଭରିଦେବ ଏତିକି ସାମାନ୍ୟ କଥା ନ ବୁଝି ପର ଚକ୍ରାନ୍ତରେ ଦୁଃଖ ଦୈନ୍ୟତା ବେଳରେ ଛାଡ଼ି ଦେଲେ ସଂସାର ତୋ କକା ! ଆଜି ତୋ କକାର ସଂସାର ଅବସ୍ଥା ଦେଖିଲେ ଆଖିରେ ଲୁହ ଜକେଇ ଆସେ ! ଭାଗ୍ୟ ର ଫଳ ଯାହା ! ଜାଣି ଶୁଣି ନିଆଁରେ ପାଦ ଦେଲେ ଫୋଟକାର ସ୍ଵାଦ ତ ଚାଖିବାକୁ ହେବ ! ଭଲ ମନ୍ଦ ର ବିଚାର ତ ଶାସ୍ତ୍ର ଶିଖେଇଛି , ବାଟ ଅବାଟ ଖାଲ ଢିପ ଦଇବ ଗଢିଛି ତମେ ଥୋଇବ କେଉଁଠି ସେଥିପାଇଁ ତୁମେ ସ୍ୱତନ୍ତ୍ର !
-ଆରେ ହେୟ ତୁ ଏଇଠି ସେ ଆଡ଼େ ସମସ୍ତେ ଜାଲ ପକେଇ ଖୋଜିଲେଣି ! ରାତି କେତେ ଜାଣିଛୁ ?? ଏଗାର —
– ଆରେ ମୁନି ସବୁ ଅତିଥି ଖାଇ ସାରିଲେଣି ! ସବୁ ବ୍ୟବସ୍ଥିତ ହେଲା ତ କିଛି ଅସୁବିଧା ହେଇନି ତ ଝର ଝର ଅମାନିଆ ଲୁହ ଗୁଡ଼ା ଛାତି ଭିତରେ ଟକ ମକ ଫୁଟୁଥିଲେ ଖୋଜୁଥିଲେ ରାସ୍ତା ବୋହି ଯିବାପାଇଁ !
– ହଁ ମୋ ଛଅ ପୁଅର ବାପା ଥିଲେ ପରା ମଉସା କଣ ଅଭାବ ହେବ ଯେ –ସବୁ ଠିକ୍ ବି ଠାକ୍ ବି !
ମୁଁ ନିରବ ମୁଣ୍ଡ ହଲେଇ ତୁ ଯା ବୋଲି ସମ୍ମତି ଦେଲି !!ଅଭାବ—- ଅଭାବ– ମୁନି ତୁ କେମିତି ଜାଣିବୁ ଗୋଟିଏ ସନ୍ତାନ ପାଇଁ ତା’ର ସ୍ୱଭାବ କଣ ? ସବୁଥାଇ ବି ସେ ଆଜି ବାପା ଛେଉଣ୍ଡ ! ବ୍ରହ୍ମାଣ୍ତ ର ସବୁ ସୁଖ ଗୋଟିଏ ନିକିତିରେ ଆଉ ବାପାର ଦମ୍ଭ ସାହସ ଗୋଟିଏ ନିକିତିରେ ଭାରି ପଡ଼ିଯିବ ବାପାଙ୍କ କେବଳ ନା”ଟି ! ସମାଜର ତୁଣ୍ଡରେ ବାପାଙ୍କର ପ୍ରସଂଶା ଦେବ ଯୋନି ପ୍ରାପ୍ତ ହୋଇଛି ବାପାଙ୍କୁ ଏହା ତ ସ୍ୱର୍ଗ ସୁଖ ! ମାତ୍ର ଗୋଟିଏ ମାସ ରୋଗ ଚିହ୍ନଟ ହେଲା ହାଡ଼ କର୍କଟ ରୋଗ ! ବିଛଣା ଅସନା ହେଲାନି ଦଇବ ଡାକି ନେଲେ ତାଙ୍କ ପାଖକୁ ! ଜନ୍ମରୁ ଯାହାଙ୍କ ନାମ କୀର୍ତ୍ତନରେ ଦିନ ଗଡ଼ୁଥାଏ ଆଜି ସେ ଦିନମଣି ଦଇବର ପରମ ସାଥି !ଆଖିର ଲୁହ କୁ ଆଙ୍ଗୁଳିର ସ୍ପର୍ଶ ଦେଇ ଉଠି ଆସିଲି ଏକାନ୍ତ ଭାବନା ରୁ ତେଣେ ଅନ୍ତିମ ଅତିଥିଙ୍କ ବିଦାୟ ନେବାର ବେଳ ଗଡ଼ି ଯାଉଥିଲା — !

Leave a Comment

Your email address will not be published. Required fields are marked *