ଅନେକ ଅତୀତର ବିଦାୟ ଉତ୍ତାରେ
ଭବିଷ୍ୟତଟିଏ ଆସେ ବର୍ତ୍ତମାନ ହୋଇ,
ଆଉ ପ୍ରତିଥର ଆଚମ୍ବିତ କରି ଦେଇଯାଏ
କିଛି ନା କିଛି ଯାଦୁକରୀ ଚକମା ଦେଖାଇ।
ଝୁଣ୍ଟିବା ଓ ଉଠିବାର କ୍ରମ ଧାରା ଦେଇ
ହାର୍ ଜିତ୍ ର ସୂତ୍ର ଦିଏ ସମ୍ୟକେ ଶିଖାଇ,
ଭଙ୍ଗା ସ୍ୱପ୍ନର କାଚ ଖଣ୍ଡ ମାନଙ୍କ ଭିତରେ
ନୂଆ କିଛି ଆଶା ପୁଣି ନାଚି ନାଚି ହସଇ।
ଅଚାନକ ଜଡତାର ନିଦ୍ରା ଯାଏ ଭାଙ୍ଗି
ନୂଆ ଏକ ପ୍ରଭାତର କରାଘାତ ପରେ,
ନୂଆ କିଛି ସଂକଳ୍ପର ବିଜ୍ଞାପନ ନେଇ
ଆଉ କିଛି କାହାଣୀର ମୂଳଦୁଆ ପଡ଼େ।
ଓଲଟେ କ୍ୟାଲେଣ୍ଡର ଓ ବଦଳେ ତାରିଖ
ପୃଷ୍ଠା ସହ ବଦଳିଯାଏ ଜୀବନ ଅଧ୍ୟାୟ,
ପୁରୁଣା ମାଟିରେ ଆସେ ନୂଆ ଉର୍ବରତା
ନୂଆ ଫୁଲ ଫୁଟେ ନେଇ ନୂଆ ପରିଚୟ।
ସ୍ଵିକାରୋକ୍ତି କିଛି ହୃଦ ଅଗଣା ଆବୋରି
ପଶ୍ଚାତାପ କରେ ଗତ ଦୁର୍ଘଟଣା ପାଇଁ,
ନୂଆ କିଛି ପ୍ରତିଜ୍ଞାର ବଣଭୋଜି ଚାଲେ
ସଭା ବସେ ନୂଆ ଏକ ସଂରଚନା ପାଇଁ।
ବିଦାୟର ଠିକ୍ ପରେ ସ୍ଵାଗତ ଉତ୍ସବ
ବର୍ଷ ସରେ ଆଉ ଏକ ବର୍ଷ ଆଗମନେ,
ଅଫେରା ଏ ସମୟର କୁହୁଡ଼ି ସେପାଖେ
କଥା କୁହେ ଜୀବନ ତା ନବ ଆଲୋଡନେ।