ବିଦେଶେ ରହେ ମୋ ଭାଇ
ଓଡିଶା ସଂସ୍କୃତି ନଜାଣଇ।
ପାଠ ପଢା ସାରି ଏବେ ଫେରିଛି
ସବୁ କଥା ତାକୁ ନୂଆ ଲାଗୁଛି।
ପିଲାବେଳ ତା’ର ସେଇଠି କଟିଲା
ଜନମ ଭୂମିକୁ ସେ କାହୁଁ ଜାଣିଲା।
ବଜାରକୁ କାଲି ସାଥିରେ ଗଲା
ଦୋକାନୀଙ୍କୁ ସିଏ ବାଇଆ କଲା।
ନିଦରୁ ଉଠି ଆଠଟା ବେଳରେ
ପଚାରୁଛି ମୋତେ ଆଜି କ’ଣ କିରେ।
ଆଇନା ଆଗରେ ଭୋର୍ ରୁ ଏତେ ସଜ
ଉତ୍ତର ଦେଲି,ଭାଇ ଆଜି ପରା ରଜ।
ପାଟି ମେଲା କରି ଚାହିଁଲା ମତେ
ରଜ କ’ଣ ସିଏ ଜାଣେନା ସତେ।
ଲଣ୍ଡନରେ ଗୀତ ଗାଇ ହୃଦୟ ଜିଣେ
ରଜ ଗୋଟେ ପରବ ବୋଲି ନଜାଣେ।
ଭାରି ଇଚ୍ଛା ଥିଲା ତା’ର ଶୁଣିବାକୁ
ଦ୍ଵନ୍ଦ ଦୁରେଇ ବୁଝେଇ କହିଲି ତାକୁ।
ଓଡ଼ିଶାରେ ପରା ବାରମାସରେ ତେର ପରବ
ସେଥିପାଇଁ ଆମେ ଓଡ଼ିଆମାନେ କରୁ ଗରବ।
ଆରେ ରଜଟା ତ କୁମାରୀମାନଙ୍କ ପାଇଁ
ସଜବାଜ ହୋଇ ବୁଲୁଥାନ୍ତି ଘାଇଁ ଘାଇଁ।
ମିଠାପାନ ସାଙ୍ଗକୁ ଦୋଳି ଖେଳ
କବାଡି ଆଉ ତାସରେ ପୁଅଙ୍କ ମେଳ।
ମାଟି ମାଆ ଆମର ରଜ୍ଜଶ୍ଵିଳା ହୋଇଛି
ଏ ରଜ ତିନି ଦିନ ବିଶ୍ରାମ ସେ ନଉଛି।
ହଳ ଛାଡି ଚାଷୀ ଭାଇ ମାତିଛି ମଉଜରେ
ସଭିଏଁ ବ୍ୟସ୍ତ ଏବେ ରାମରାଜା ପୂଜାରେ।
ମାଆର କଷ୍ଟକୁ ବୁଝିବା ଲାଗି
ସଂସ୍କୃତି ମଧ୍ୟେ ରଜଟି ଭାଗୀ।
ଏତେ ପରେ ଯାଇ ଭାଇ ବୁଝିଲା
ଅନୁଭବ କରି ମତେ କହିଲା।
ସମ୍ମାନ ଦିଅ ହେ ସବୁ ନାରୀଙ୍କୁ
ନକର କେବେ ଶୋଷଣ ତାଙ୍କୁ।
ଖୁସି ମନରେ ଏହି ପରବ ପାଳ
ଯେତେ ଦୂର ଗଲେ ବି ରଜ ନଭୁ |





