ଶରତ!
ଧୁମ୍ ଧାମରେ ପୁର ପଲ୍ଲୀ ମୁଖରିତ,
ଚତୁର୍ଦ୍ଦିଗେ ଗହଳ ଚହଳ,
ନଭଶ୍ଚୁମ୍ବୀ ମେଢ଼;
କାଶତଣ୍ଡି ସଜ୍ଜଳ,
କ’ଣ ନା ତୁମେ ଆସିଛ ମା’ !
ହଁ ସାରା ସଂସାର ପାଇଁ ମା’ ଆସିଛି,
ତା’ର ସେ ନାଲି ପଣତରେ
ସବୁ ପାପ ବିନାଶ କରିବାପାଇଁ;
ସିଂହ ରେ ବସେଇ ନିଜ ସନ୍ତାନକୁ
ଜହ୍ନ ମାମୁଁ ଦେଖେଇବ,
ଦୁଧ ଭାତ ଖୁଆଇବ,
ମାମୁଁ ଘର ବୁଲେଇ ନେବ।।
ମାଆର ଉଗ୍ରରୂପ ପଛେ
ଲୁଚିଛି ଏକ କାକୁସ୍ଥ ଚେହେରା;
କୁନା ବି ଏଇ ଶରତ ରେ ସୁନା ପିଲା,
ବେଶ ଉପଭୋଗ କରୁଛି ପାର୍ବଣ କୁ;
କାଶତଣ୍ଡି କୁ ଛୁଉଁ ନାହିଁ!
କିନ୍ତୁ କାଲି ଯେତେବେଳେ ତୁମେ ଚାଲିଯିବ,
ନବରାତ୍ରୀ ବି ସରିଯିବ;
କୁନା ପୁଣି ଦାନବ ପାଲଟି ଯିବ,
କାଶତଣ୍ଡି କୁ ଆଉ ପୂଜିବ ନାଇଁ,
ଦଳି ମକଚି ସ୍ୱ ଆତ୍ମା କୁ ଚରିତାର୍ଥ କରିବ।।
ମା’ ଶୁଣୁଛ!
ତୁମେ କ’ଣ ଏଇ ପାର୍ବଣ ରେ ସୀମିତ?
ତୁମର ଏଇ ଗତାନୁଗତିକ ରୀତି ରେ,
ଏ ସମଗ୍ର ଧରା ଭୋଗି ସାରି ଥାଏ
ଯୌବନରେ ବି ଅପଦସ୍ତ ବାର୍ଦ୍ଧକ୍ୟ!
କାଶତଣ୍ଡି ର ଆୟୁଷ ଭୂଇଁ ରେ ଚିତ୍କାର କରେ,
ମହିଷାମର୍ଦିନୀ ହସ୍ତ ରୁ ପାଣିକାଚ ତୁଟି ଯାଏ,
ଝରା ଫୁଲ ଅନାୟାସରେ ଝଡ଼ି ଯାଏ!
ମଲାଜହ୍ନ ରେ କଳଙ୍କ ଛିଟା ଦାଉ ଦାଉ ହୋଇ ଜଳେ…..
ଦେବୀପକ୍ଷ ତ ସରିଯାଏ,
ଯା ଭିତରେ କିନ୍ତୁ ମହିଷାସୁର
ରକ୍ତ ନଦୀ ସନ୍ତରଣ କରେ;
ପୁଣି ମା’ କୋଳରେ ବସି ନିଜ
ପାପ କୁ ଘୋଡେଇବା ଯାଏଁ,
ଜହ୍ନ ମାମୁଁ ଗୀତରେ
ନିଦ ଆଉଁସିବା ଯାଏଁ;
ପୁଣି ଆର ଥରକୁ ମା’ ଆସିବା ଯାଏଁ…..||
ଖୁବ୍ ସୁନ୍ଦର କବିତା …..😊👌👌👌👏👏👏